ସେନାର ନୂଆ ନିଯୁକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ପାଇଁ ହେବାକୁ ଯାଉଛି ‘ଅଗ୍ନିପଥ’ !

Above Post Content

ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସେନାର ତିନି ଅଙ୍ଗ ପାଇଁ ଅଗ୍ନିପଥ ଯୋଜନାର ଘୋଷଣା ହୋଇଥିଲା । ଏହି ଯୋଜନା ଅନ୍ତର୍ଗତରେ ସେନାରେ ୪ ବର୍ଷ ପାଇଁ ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ଅଛି । ୪ ବର୍ଷ ପାଇଁ ସେନାରେ ଯୋଗ ଦେବାକୁ ଥିବା ଏହି ସୈନିକଙ୍କୁ ‘ଅଗ୍ନିବୀର’ବୋଲି କୁହାଯିବ । ତେବେ ଏହି ଯୋଜନାକୁ ଏବେ ଦେଶରେ ଜୋରଦାର ବିରୋଧ ଆରମ୍ଭ ହୋଇଗଲାଣି । ଉଣା ଅଧିକେ ଦେଶର ସବୁ ରାଜ୍ୟରେ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଥିବା ବେଳେ ଆନ୍ଦୋଳନର କେନ୍ଦ୍ରସ୍ଥଳ ଭାବେ ବିହାର,ଉତ୍ତରପ୍ରଦେଶ ଉଭା ହେବାରେ ଲାଗିଲେଣି । ବିହାରରେ ଯୁବକ ଏହାକୁ ଜୋରଦାର ବିରୋଧ କରୁଛନ୍ତି । ୧୩ ଟି ଟ୍ରେନ୍ ଆନ୍ଦୋଳନର ନିଆଁରେ ସ୍ୱାହା ହୋଇ ସାରିଛିହରିଆନାର ଗୁରୁଗ୍ରାମରେ ରାସ୍ତାକୁ ଓହ୍ଲାଇଛନ୍ତି ଯୁବକ । କେନ୍ଦ୍ର ସରକାରଙ୍କୁ ଚ୍ୟାଲେଂଜ୍ କରି ପଚାରିଛନ୍ତି ଏସିରେ ବସି ୪୦ ବର୍ଷ ରାଜ୍ କରିବେ ଆଉ ଆମେ ୪ ବର୍ଷ ପାଇଁ ଗୁଳି ଖାଇବୁ । ଏଣେ ଉତ୍ତରପ୍ରଦେଶରେ ମଧ୍ୟ ଆନ୍ଦୋଳନ ଜୋର ଧରିବା ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି ଯେ, ଅଗ୍ନିବୀରଙ୍କୁ ପୋଲିସ ନିଯୁକ୍ତିରେ ପ୍ରାଥମିକତା ଦିଆଯିବ । ଯେଉଁଭଳି ଭାବେ ଅଗ୍ନିପଥ ଯୋଜନାକୁ ବିରୋଧ ହେଉଛି ତାହା ଗତବର୍ଷର ଚାଷୀ ଆନ୍ଦୋଳନ କଥା ମନେ ପକାଇଦେଉଛି । ମାତ୍ର ଦୁଇଦିନ ଆନ୍ଦୋଳନର ତୀବ୍ରତାକୁ ଦେଖି ରାଜନୈତିକ ବିଶେଷଜ୍ଞ ଏହା ମୋଦି ସରକାର ପାଇଁ ଆଉ ଗୋଟିଏ ଚାଷୀ ଆନ୍ଦୋଳନ ହୋଇପାରେ ବୋଲି ଆଶଙ୍କା କରିଛନ୍ତି । ତେବେ ଆସନ୍ତୁ ଜାଣିବ କ’ଣ ପାଇଁ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଛି । ବିରୋଧ କାହିଁକି ହେଉଛି ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଏହି ଅଗ୍ନିପଥ ଯୋଜନା କ’ଣ ?

ଅଗ୍ନିପଥ ଯୋଜନା କ’ଣ ?

After 2nd paragraph post ads

ମୋଦି ସରକାଙ୍କ ଏହି ଅଗ୍ନିପଥ ଯୋଜନା ଅନୁସାରେ ସେନାରେ ୪ ବର୍ଷ ପାଇଁ ସୈନିକ ସାମିଲ ହେବେ । ୧୭ ବର୍ଷ ୫ ମାସରୁ ୨୧ ବର୍ଷ ବୟସ୍କ ଏଥିପାଇଁ ଆବେଦନ କରିପାରିବେ । ଏହି ଯୋଜନା ଅନୁସାରେ ସେନାରେ ସାମିଲ ହେବାପରେ ସୈନିକଙ୍କୁ ୬ ମାସ ପ୍ରଶିକ୍ଷଣ ପରେ ଚୀନ୍,ପାକିସ୍ତାନ ସୀମା ସହିତ ନୌସେନାର ଜାହଜ ଓ ବାୟୁସେନାରେ ମୁତୟନ କରାଯିବ । ୪ ବର୍ଷ ସରିବା ପରେ ୧୧ ଲକ୍ଷ ସେବନିଧି ସହିତ ସୈନିକ ଅବସର ନେବେ । ଏହି ୪ ବର୍ଷ କାର୍ଯ୍ୟ ପାଇଁ ସୈନିକଙ୍କୁ କୌଣସି ପେନସନ୍ ମିଳିବ ନାହିଁ । ସେନାରେ ସାମିଲ ହେବାକୁ ଆଶାୟୀ ଥିବା ଯୁବବର୍ଗକୁ ଏହି ୪ ବର୍ଷିୟା ନୀତି ନିରାଶ କରିଛି । ସେମାନେ ବିରୋଧ କରିବାର କାରଣ ହେଉଛି ଯେ, ୪ ବର୍ଷ ପରେ ଆମେ କରିବୁ କ’ଣ ? ବିରୋଧ ସମୟରେ ଯୁବକଙ୍କ ଯୁକ୍ତି ହେଉଛି ଆମେ ମାତ୍ର ୪ ବର୍ଷ ପାଇଁ କ’ଣ କେବଳ ଗୁଳି ଖାଇବା ପାଇଁ ସେନାରେ ସାମିଲ ହେବୁ ? ଉତ୍ତର ପ୍ରଦେଶ, ବିହାର ଓ ରାଜସ୍ଥାନ ତଥା ହରିଆନା ଭଳି ୪ ରାଜ୍ୟରେ ଏହାକୁ ବ୍ୟାପକ ଭାବେ ବିରୋଧ କରାଯାଉଛି । କାରଣ ଏହି ୪ ରାଜ୍ୟରୁ ସର୍ବାଧିକ ସୈନିକ ଭାରତୀୟ ସେନାରେ ସାମିଲ ହୋଇଥାନ୍ତା । ଭାରତୀୟ ସେନାରେ (ତିନି ଅଙ୍ଗ) କେବଳ ଉତ୍ତର ପ୍ରଦେଶରୁ ୨ ଲକ୍ଷ ୫୨ ହଜାର ୫୪୦ ଜଣ ସୈନିକ ରହିଛନ୍ତି । ସେହିଭଳି ବିହାରରୁ ୧ ଲକ୍ଷ ୪ ହଜାର ୫୩୯ ଜଣ ସୈନିକ ଅଛନ୍ତି । ଏହାପରେ ରାଜସ୍ଥାନରୁ ୧ ଲକ୍ଷ ୩ ହଜାର ୨୩୫ ଜଣ ସୈନିକ ଅଛନ୍ତି । ଓଡ଼ିଶାରୁ ମଧ୍ୟ ସେନାର ୩ ଅଙ୍ଗରେ ୩୧ ହଜାର ସୈନିକ କାର୍ଯ୍ୟ କରୁଛନ୍ତି । ଭାରତୀୟ ଶସସ୍ତ୍ର ବଳ ରେଳବାଇ ପରେ ସବୁଠାରୁ ବଡ଼ ନିଯୁ୍କ୍ତି ଦାତା । ଉତ୍ତର ପ୍ରଦେଶ ଓ ବିହାର ଭଳି ରାଜ୍ୟର ଯୁବକ ସେନାରେ ସାମିଲ ହେବାର ଲକ୍ଷ୍ୟ ରଖିଥାନ୍ତି । କରୋନା କାରଣରୁ ଗତ ୨ ବର୍ଷ ଧରି ସେନାରେ ନିଯୁକ୍ତି ବନ୍ଦ ଥିବା ବେଳେ ଯେଉଁଭଳି ଭାବେ ଅଗ୍ନିପଥ ଯୋଜନା ଆସିଲା ତାହା ପ୍ରାୟ ସବୁ ରାଜ୍ୟର ଯୁବକଙ୍କୁ ନିରାଶ କରିଛି । ତେଣୁ ବ୍ୟାପକ ବିରୋଧ ହେଉଛି । ତେବେ ଏହି ଯୋଜନାର ସମର୍ଥକଙ୍କ କହିବା ହେଉଛି ଆମେରିକା ଓ ବ୍ରିଟେନ ଭଲି ଦେଶରେ ଆଗରୁ ଏଭଳି ଯୋଜନା କାର୍ଯ୍ୟକାରୀ ହେଉଛି । ତେଣୁ ଭାରତ ଭଳି ଦେଶରେ ଏବେ ଏହାକୁ ଲାଗୁ କରିବାର ସମୟ ଆସିଛି ।

ଅଗ୍ନିପଥ ସେନାକୁ ଦୁର୍ବଳ କରିବ କି ?

କେବଳ ଆଶାୟୀ ଯୁବକ ନୁହନ୍ତି ବିଶେଷଜ୍ଞ ମଧ୍ୟ ଆଶଙ୍କା କରୁଛନ୍ତି ଯେ, ଏହି ଯୋଜନା ଭାରତୀୟ ସେନାକୁ ଦୁର୍ବଳ କରିଦେବ । ମାତ୍ର ୬ ମାସର ପ୍ରଶିକ୍ଷଣ ପରେ ଫ୍ରଣ୍ଟଲାଇନରେ ନିଯୁକ୍ତି ପାଇବାକୁ ଥିବା ସୈନିକ କେଉଁଭଳି ଭାବେ ଚୀନ୍ ଓ ପାକିସ୍ତାନର ମୁକାବିଲା କରିବେ ବୋଲି ପ୍ରଶ୍ନ ଉଠୁଛି । ଯାହାର ଉତ୍ତରରେ ସେନା କହୁଛି ଯେ, ବେସିକ୍ ଟ୍ରେନିଂ ୧୮ ସପ୍ତାହର ହୋଇଥାଏ । ଏହାପରେ ପ୍ରଫେସନାଲ ଟ୍ରେନିଂ ଦିଆଯାଇଥାଏ । ଏହି ପ୍ରଫେସନାଲ ଟ୍ରେନିଂର ସମୟ କମ କରିଦିଆଯାଇଛି ବୋଲି ସେନା କହିଛି । ଏହା ପଛରେ ବିଚାର ହେଉଛି ଯେ, ଟ୍ରେନିଂ ଠିକ୍ ସମୟରେ ଓ ଠିକ୍ ହେବା ଉଚିତ । ପ୍ରଥମେ ଆମେ ବେସିକ୍ ଟ୍ରେନିଂ ଦେବୁ,ଏହାପରେ ୧୬ ସପ୍ତାହର ପ୍ରଫେସନାଲ ଟ୍ରେନିଂ ଦିଆଯିବ । ଏହାପରେ ଏହାକୁ ଜାହଜରେ ଟ୍ରେନିଂ ଦିଆଯିବ । ଏହାପରେ ୩ ବର୍ଷ ଜାହଜରେ କାମ କରିବାକୁ ହେବ ।

ସେନାରେ ଯେଉଁମାନେ ଆଗରୁ କାର୍ଯ୍ୟରତ ଅଛନ୍ତି ଓ ନୂଆ ନିଯୁକ୍ତି ଯାହା ସୀମିତ ସମୟ ପାଇଁ ହେବ,ତାହା ଦ୍ୱାରା ମନୋବଳ ଉପରେ ପ୍ରଭାବ ପଡ଼ିବ ନାହିଁ କି ?

Middle post content

ସେନା ଅଧିକାରୀଙ୍କ ଅନୁସାରେ ୟୁନିଟ୍ ଭିତରେ ମଧ୍ୟ ବଦଳି ହୋଇଥାଏ । ଜଳସେନାରେ ଜାହଜରେ ଓ ୟୁନିଟରେ ୨ରୁ ତିନି ବର୍ଷ ଭିତରେ ରୋଟେଟ୍ କରିବାକୁ ପଡିଥାଏ । ଗୋଟିଏ ଜାହଜରୁ ଆଉ ଗୋଟିଏ ଜାହଜକୁ ପଠାଯାଇଥାଏ । ସିନିୟର ଓ ଜୁନିୟର ସମସ୍ତଙ୍କ ପୋଷ୍ଟିଂ ହୋଇଥାଏ । ଟିମ୍ ୱାର୍କ ରହିଥାଏ । ଏଥିରେ ଅଗ୍ନିବୀର ମଧ୍ୟ ରହିବେ ଓ ଏଥିରେ କୌଣସି ଅସୁବିଧା ହେବନାହିଁ ।

ଚୀନ୍- ପାକିସ୍ତାନ ସୀମାରେ କମ୍ ଟ୍ରେନିଂ ଦ୍ୱାରା କେମିତି ହେବ କାମ ?

ଟ୍ରେନିଂ ପରେ ଅଗ୍ନିବୀର ଅନ୍ୟ ସୈନିକଙ୍କ ଭଳି ଆହ୍ୱାନର ମୁକାବିଲା କରିପାରିବେ । ସେନାରେ ଟ୍ରେନିଂର ଷ୍ଟାଣ୍ଡାର୍ଡ୍ ଟଫ୍ ହୋଇଥାଏ । ଏକ ସିଷ୍ଟମ ଜରିଆରେ କ୍ରମାଗତ ଭାବେ ଏହାକୁ ମନିଟର କରାଯାଇଥାଏ । ଅଗ୍ନିବୀର ଟ୍ରେନିଂରେ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ । ପାକିସ୍ତାନ କିମ୍ବା ଚୀନ୍ ସୀମାରେ ସେମାନଙ୍କୁ ମୁତୟନ କରାଯିବ । ଏହାଦ୍ୱାରା ଆମର ଅପରେସନାଲ କ୍ଷମତାରେ କୌଣସି ପ୍ରକାରର କମି ଆସିବ ନାହିଁ । ଆମ ୟୁନିଟରେ ସଠିକ ସଂଖ୍ୟାରେ ସେମାନଙ୍କୁ ମୁତୟନ କରାଯିବ ।

ସ୍ଥାୟୀ ଚାକିରୀ ଓ ପେନସନ ନାହିଁ, ଯୁବବର୍ଗ ପାଇଁ କ’ଣ ରହିବ ବିକଳ୍ପ ?

ଦ୍ୱାଦଶ ପରେ ତିନୋଟି ବିକଳ୍ପ ରହିଥାଏ । ଉଚ୍ଚ ଶିକ୍ଷା,କୌଶଳ ବିକାଶ ଓ ଚାକିରି । ଆମେ ଯୁବକଙ୍କୁ ଏହି ତିନି ସୁଯୋଗ ଦେଉଛୁ । ଚାରି ବର୍ଷ ପରେ ଅଗ୍ନିବୀରଙ୍କ ପାଖରେ ଭଲ ଦରମା,ଭଲ ବ୍ୟାଙ୍କ ଜମା ଓ ଉତ୍ତମ କୌଶଳ ଥିବ । ଏହା ସହିତ ସେମାନଙ୍କୁ କ୍ରେଡିଟ୍ ପଏଣ୍ଟ୍ ଦିଆଯିବ,ଯାହା ସେମାନଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସାହାଯ୍ୟ କରିବ ।

‘ଅଗ୍ନିପଥ’ ମୋଦି ସରକାର ପାଇଁ ନୂଆ କୃଷି ଆଇନ ହେବ କି ?

ସରକାର ଯାହା କୁହନ୍ତୁ ପଛେ କିନ୍ତୁ ଗତ ଦୁଇ ଦିନ ଭିତରେ ଆନ୍ଦୋଳନ ଯେଉଁଭଳି ଭାବେ ମାଡିଚାଲିଛି ତାହା ମୋଦି ସରକାର ପାଇଁ ସତର୍କ ଘଣ୍ଟି । ମୋଦି ସରକାର ପାଇଁ ଏହା ଦ୍ୱିତୀୟ କୃଷି ଆନ୍ଦୋଳନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଯଦି ଦେଶର ଯୁବକ ଅଧିକ ସଂଖ୍ୟାରେ ରାସ୍ତା ଉପରେ ବିରୋଧ କରନ୍ତି ତେବେ ସରକାରଙ୍କୁ ବାଧ୍ୟ ହୋଇ ଏହି ଯୋଜନାକୁ ବାତିଲ କରିବାକୁ ପଡିପାରେକାରଣ ମୋଦି ସରକାର ଦେଶର ଯୁବବର୍ଗକୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ । କାହିଁକିନା ଏହା ହେଉଛି ତାଙ୍କ ଭୋଟ୍ ବ୍ୟାଙ୍କ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami