ଲୋକଙ୍କ ପାଇଁ ଚଳନ୍ତି ଭଗବାନ ‘ସୂରଜ’

Above Post Content

ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଂଚଳ । ନୀଳଗିରିରେ ବସବାସ କରୁଥିବା ଜନସଂଖ୍ୟାର ପ୍ରାୟ ତିନି ଭାଗ ଆଦିବାସୀ । କରୋନା ମହାମାରୀ ବିପତି ଗାଁକୁ ଛୁଇଁବା ପରେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ମିଳିବା କଷ୍ଟକରକରୋନା ଦ୍ୱିତୀୟ ଲହରିରେ ଗାଁ ଗଣ୍ଡାର ଘରେ ଘରେ ସଂକ୍ରମଣ ମାତିଛି । କରୋନା ମହାମାରୀ ବେଳେ ସଚେତନ ନ ଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯୁବ ଡାକ୍ତର ସୂରଜ । ପୂରାନାମ ସୂରଜ କୁମାର ଜେନା । ପୂର୍ବରୁ ଗାଁରେ ପହଂଚି କ୍ୟାମ୍ପ କରି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିଲେ ଡାକ୍ତର ସୂରଜ । ଏବେ ମହାମାରୀ ସମୟରେ ଗାଁରେ କ୍ୟାମ୍ପ କରି ସେବା ଯୋଗାଇବା ସମ୍ଭବ ହେଉନି ସତ, ତେବେ ଡାକ୍ତରଙ୍କ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ମହାମାରୀ ମୁଣ୍ଡ ନୁଆଁଇଛି । ମେଡିକାଲରେ ରୋଗୀଙ୍କୁ ସେବା ଯୋଗାଇ ସାରିବା ପରେ ଡିଜିଟାଲ ମାଧ୍ୟମ ଅର୍ଥାତ୍ ଭିଡିଓ କଲ୍ ଜରିଆରେ ରୋଗୀ ଦେଖୁଛନ୍ତି ସୂରଜ । ଏହାସହ କରୋନା ବାବଦରେ ଲୋକଙ୍କୁ ସଚେତନ ବି କରୁଛନ୍ତି ସେ । ପୂର୍ବରୁ ଆଦିବାସୀ ଇଲାକାରେ ଅବସର ସମୟରେ ରୋଗୀ ସେବା କରୁଥିଲେ ନୀଳଗିରି ଉପଖଣ୍ଡ ସନ୍ତରାଗଡ଼ିଆ ଅଂଚଳର ଏହି ଯୁବ ଡାକ୍ତର । ଯିଏକି ଏମ୍‌ବିବିଏସ୍ ପରେ ରୋଗୀଙ୍କ ସେବାକୁ ବ୍ରତ କରି କାର୍ଯ୍ୟ କରି ଚାଲିଛନ୍ତି । ୨୦୦୯ ମସିହା ମାର୍ଚ୍ଚ ମାସଠୁ ନୀଳଗିରିର ବରହମ୍‌ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୂରଜ ନିଯୁକ୍ତି ପାଇଲେ । ରୋଗୀ ସେବା ଯୋଗାଇବା ସହ ଯେଉଁ ଗାଁକୁ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ, ସେହି ପାହାଡ଼ି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବାଇକ୍ ଯୋଗେ ପହଂଚି କ୍ୟାମ୍ପ କରି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ମାଗଣା ଔଷଧ ବି ଯୋଗାଉଥିଲେ । ଏବେ କରୋନା ମହାମାରୀ ପାଇଁ ଲୋକଙ୍କୁ ଏକଜୁଟ୍ କରିବା ସମ୍ଭବ ନୁହଁ, ତଥାପି ସେ ତାଙ୍କ ଅଂଚଳବାସୀଙ୍କଠୁ ଦୂରେଇ ନାହାନ୍ତି । ମହାମାରୀ ବି ଡାକ୍ତର ସୂରଜଙ୍କ ଆଗରେ ହାର ମାନିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ କାମ ସମୟରେ ମେଡିକାଲରେ ରୋଗୀଙ୍କୁ ଉତମ ସେବା ଯୋଗାଇବା ପରେ ନିଜ ଘରକୁ ଯାଇ ବିଶ୍ରାମ ନେଉନାହାନ୍ତି । ରୋଗୀସେବା ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଆପଣେଇ ରୋଗୀଙ୍କୁ ସେବା ଯୋଗାଉଛନ୍ତି । ଭିଡିଓ କଲ ମାଧ୍ୟମରେ ରୋଗୀଦେଖି ଔଷଧ ପାଇଁ ପ୍ରେସ୍‌କ୍ରିପ୍‌ସନ୍ ବି କରୁଛନ୍ତି, ତାହା ବି ସମ୍ପୂର୍ଣ୍ଣରେ ମାଗଣାରେ । ମହାମାରୀର ପ୍ରଥମ ଲହରରେ କୋଭିଡ୍ ଡ୍ୟୁଟି କରିଥିବାବେଳେ ଆଜି ଯାଏ ହଜାର ହଜାର କୋଭିଡ୍ ରୋଗୀଙ୍କୁ ନିଜସ୍ୱ ପ୍ରୟାସରେ ଚିକିତ୍ସା କରିଥିବା ସେ କହିଛନ୍ତି । ତେବେ ଆଦିବାସୀ ବହୁଳ ଅଂଚଳରେ ଦିନରାତି ଅହରହ ସେବା ଯୋଗାଉଥିବା ଡାକ୍ତର ସୂରଜଙ୍କୁ ଦେବଦୂତ ବୋଲି ନୀଳଗିରି ଅଂଚଳବାସୀ କହୁଛନ୍ତି । କରୋନା ସମୟରେ ରୋଗୀଙ୍କ ମନୋବଳକୁ ସୁଦୃଢ଼ କରିବାରେ ଡାକ୍ତର ସୂରଜ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଏବେ ସେ ସାଧାରଣରେ ଓ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିବା ସହ ପ୍ରଶଂସା ସାଉଁଟିଛନ୍ତି । ତାଙ୍କଠାରୁ ସେବା ପାଇ ଲୋକେ ତାଙ୍କୁ ଚଳନ୍ତି ଭଗବାନ ଆଖ୍ୟା ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami