୧୪୦ ପରିବାରର କରୋନା କବଚ ରଶ୍ମିତା

388

ମା’ମାନେ ଚାହିଁଲେ ହିଁ କରୋନା ଗାଁରେ ପଶି ପାରିବ ନାହିଁ । ସେମାନେ ହିଁ କରୋନାର ପ୍ରକୃତ କବଚ । ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସକୁ  ବୋଲି ଠିକ୍ ପ୍ରମାଣିତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍ ବଡ଼ଖୋଲି ଗାଁର ଅଙ୍ଗନବାଡ଼ି ଦିଦି ରଶ୍ମିତା । ପୁରା ନାମ ରଶ୍ମିତା କୁମାରୀ ପାଣିଗ୍ରାହୀ । ୩୩ ବର୍ଷୀୟା ରଶ୍ମିତା ପାଇଁ କରୋନା ଯୁଦ୍ଧ ନୂଆ ନୁହେଁ । ଗତ ବର୍ଷରୁ ହିଁ ତାଙ୍କର ଏ ଅଭିଯାନ ଅବ୍ୟହତ ରହିଛି, ଯାହାକି ଚଳିତ ବର୍ଷ ତାଙ୍କୁ ଆଉ ଅଧିକ ଦାୟିତ୍ୱ ସମ୍ପନ୍ନ କରିପାରିଛି ।

ରଶ୍ମିତାଙ୍କ କରୋନା ସଚେତନତା ଅଭିଯାନ ଯୋଗୁ ଆଜି ବଡ଼ଖୋଲି ଅଙ୍ଗନବାଡ଼ି କେନ୍ଦ୍ର -୨ ଅଧୀନରେ ଥିବା ୧୪୦ ପରିବାର କରୋନାମୁକ୍ତ ହୋଇ ରହିଛନ୍ତି । ଗତବର୍ଷର ଅଭିଜ୍ଞତାକୁ ଭିତିକରି ମାର୍ଚ୍ଚ ମାସରୁ ହିଁ  ଗାଁରେ ରଶ୍ମିତା ନିଜସ୍ୱ ଉଦ୍ୟମରେ କରୋନା ସଚେତନତା କାମ ଚଳାଇଥିଲେ ।  ଆଉ ତାଙ୍କୁ ଏହି କାମରେ ସହଯୋଗ କରୁଥିଲେ ଆଶା ଦିଦି ଲୁନି ସ୍ୱାଇଁ, ଏଏନ୍‌ଏମ୍ ମନ୍ଦାକିନୀ ତ୍ରିପାଠୀ ମାସ୍କ ପରିଧାନଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା, ଘରୋଇ ଉପଚାରରେ କରୋନାରୁ ଦୂରେଇ ରହିବାର ବିଭିନ୍ନ ପଦ୍ଧତି , ହାତସଫା କରିବାର କୌଶଳ ଆଦି ଘରକୁ ଘର ବୁଲି ଲୋକଙ୍କୁ ଶିଖାଇବା ଆରମ୍ଭ କରିଥିଲେ । ଯାହାକି ଏପ୍ରିଲରୁ ପୁଣି ଥରେ ଜୋରସୋର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରଶ୍ମିତା ।

ସକାଳ ୬ଟା ୩୦ରୁ ଦିନ ୯ଟା ୩୦ ଯାଏଁ ଘରକୁ ଘର ବୁଲି ଲୋକଙ୍କୁ କରୋନା ବାବଦରେ ବୁଝାଇବା, ଗର୍ଭବତୀପ୍ରସୂତି ମା’ ମାନଙ୍କର ସ୍ଥିତି ପରଖିବା, ସେମାନଙ୍କୁ ଶୁଖିଲା ରାସନ ଦେବା, ପ୍ରାକ୍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଂଟନ, ଗାଁର କିଶୋରୀ ବାଳିକାମାନେ ଯେପରି ବାଲ୍ୟ ବିବାହନିର୍ଯାତନାର ଶିକାର ନ ହୁଅନ୍ତି, ସେସବୁ କାମର ତଦାରଖ କରନ୍ତି ରଶ୍ମିତା । ଗାଁ କିଶୋରୀଙ୍କୁ ନେଇ ଏକ ହ୍ୱାଟସ୍‌ଆପ୍ ଗ୍ରୁପ୍ କରିଛନ୍ତି ରଶ୍ମିତା । ସେଥିରେ ସେ  ସେମାନଙ୍କ ଭଲ ମନ୍ଦ କଥା ପଚାରି ବୁଝନ୍ତି । ଏହା ସହ ସବୁ  ସପ୍ତାହରେ ଗୋଟେ ଦିନ ଅନ୍‌ଲାଇନ୍‌ରେ ବୈଠକ କରି ଅଦ୍ୱୈକା କାର୍ଯ୍ୟକ୍ରମ ବିଷୟ ଉପରେ ଆଲୋଚନା କରନ୍ତି । କେବଳ ସେତିକି ନୁହେଁ, ଗାଁକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ବି କରନ୍ତି ରଶ୍ମିତା ।  ଗାଁର ଆସନ୍ନ ପ୍ରସବା ମହିଳା କିପରି ସବୁ ପ୍ରକାର ସୁବିଧା ପାଇବେ, ସେଥିପାଇଁ ସେ ସାଥି ସହଯୋଗୀ ଏଏନ୍‌ଏମ୍ ଓ ଆଶା ଦିଦିଙ୍କ ମଧ୍ୟରେ ଏକ ସେତୁ ଭଳି କାମ  ଜାରି ରଖିଛନ୍ତି । ରଶ୍ମିତାଙ୍କ ଯୋଗୁ ଏବେ ଗାଁଟା ଯାକର ସବୁ ଲୋକ ସଚେତନ ଓ ଶୃଙ୍ଖଳିତ । ରାସନ ହେଉ କି ଭତା କିମ୍ବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଶୁଖିଲା ରାସନ-ସବୁଥିରେ ସାମାଜିକ ଦୂରତା ଓ କରୋନା ଗାଇଡ୍ ଲାଇନ୍‌କୁ ଅନୁପାଳନ କରି ଗାଁ ଲୋକ ନିଜ କାମ କରୁଥିବା ଦେଖାଯାଇଛି ।

ଏ ବାବଦରେ ରଶ୍ମିତା କହନ୍ତି, ଏସବୁ କାମ ଏତେ ସହଜ ନଥିଲା । ମେ’ ମାସରେ ଗାଁରେ ପ୍ରଥମ କରୋନା ମୃତ୍ୟୁ ହେଲା । ଗାଁର ଜଣେ ଫେରିବାଲା ବିପ୍ର ସେଠୀଙ୍କ କରୋନାରେ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କଠାରେ ବି କରୋନା ଲକ୍ଷଣ ଥିଲା । ଅବଶ୍ୟ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରେ ରହୁଛନ୍ତି । ଏଥିରେ ଲୋକେ ଭୟଭୀତ ହୋଇ ପ୍ରଥମେ ନିଜ ଆଡୁ ସଙ୍କଳ୍ପ ନେଲେ । ଆଉ ଆମେ ସେଥିରେ ସହଯୋଗର ହାତ ବଢ଼ାଇଲୁ ବୋଲି କହିଛନ୍ତି ରଶ୍ମିତା । ଘରକୁ ଘର ଯାଇ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରିବା, ଅକ୍ସିମିଟରରେ ସେମାନଙ୍କ ତାପମାତ୍ରା ପରୀକ୍ଷା  କରିବା ବି କରୁଥିବା ସେ କହିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରରେ ନିଜସ୍ୱ ଉଦ୍ୟମରେ ସେ କିଚେନ୍ ଗାର୍ଡେନ୍ କରି ସେଥିରେ  ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି । ଯାହାଦ୍ୱାରା ପିଲାମାନେ ସୁଷମ ଖାଦ୍ୟ ଖାଇପାରୁଛନ୍ତି । 

ଶାଶୁ, ଶ୍ୱଶୁର, ଯାଆ, ଦେଡ଼ଶୂର, ସ୍ୱାମୀ, ପୁଅକୁ ନେଇ ରଶ୍ମିତାଙ୍କ  ପରିବାର । ତା’ ସତ୍ୱେ ବି ସେ କେବେ ନିଜର ଏ ଗୁରୁ ଦାୟିତ୍ୱରୁ ଓହରି ନାହାନ୍ତି ବରଂ ପୂର୍ବ ଅପେକ୍ଷା ଅଧିକ ଚଳଚଂଚଳ ଓ ଯୋଜନାବଦ୍ଧ ହୋଇଛି କରୋନା ପରିଚାଳନା କାମ କରୁଛନ୍ତି । ଏ ସବୁ ଭିତରେ ପରିବାରକୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ନିଜକୁ ସଙ୍ଗରୋଧ କରି ରଖିବାକୁ ଭୁଲି ନାହାନ୍ତି ରଶ୍ମିତା । ପାଂଚ ପ୍ରାଣୀ କୁଟୁମ୍ବରେ ତାଙ୍କ ପରିବାର ଶେଷ ହୋଇନି, ବରଂ ଗାଁଟା ଯାକର ୧୪୦ ଘର ବି ତାଙ୍କ ପରିବାରର ଅଂଶ ପାଲଟି ଯାଇଛନ୍ତି

Leave A Reply

Your email address will not be published.

Close Bitnami banner
Bitnami