ଯେତେବେଳେ ଆପଣ ଜାତୀୟ ରାଜପଥରେ ଯାତ୍ରା କରନ୍ତି ସେତେବେଳେ ଟୋଲ ବୁଥରେ ଆପଣ ଫାଷ୍ଟ ଟ୍ୟାଗ୍ ଦ୍ୱାରା କିମ୍ବା ଟଙ୍କା ଦେଇଥାନ୍ତି । ଟୋଲ୍ ଦେବା ଦ୍ୱାରା ଆପଣଙ୍କୁ ଅନେକ ସୁବିଧା ମିଳିଥାଏ । କିନ୍ତୁ ଅନେକ ସମୟରେ ଆମେ ଏହି ସୁବିଧା ବାବଦରେ ଜାଣିନଥାଉ । ଆସନ୍ତୁ ଟୋଲ୍ ଫି’ ଦେବା ଦ୍ୱାରା ଆପଣ କେଉଁସବୁ ସୁବିଧା ପାଇବେ ଆଜି ତାହା ଜାଣିବା ।
ନ୍ୟାସନାଲ ହାଇୱେରେ ଟୋଲ୍ ଶୁଳ୍କ ଦେବା ପରେ ଆପଣଙ୍କୁ ଯେଉଁ ବିଶେଷ ସୁବିଧା ସବୁ ମିଳିଥାଏ ସେଥିପାଇଁ ଆପଣଙ୍କୁ କିଛି ନମ୍ବରକୁ କଲ କରିବାକୁ ପଡେ । ତେଣୁ ବୁଦ୍ଧିମାନର କାମ ହେବ ଆପଣ ସେହି ନମ୍ବର ସବୁ ନିଜ ପାଖରେ ରଖନ୍ତୁ । କାରଣ ରାଜପଥରେ କେବେ କେତେବେଳେ ଜରୁରୀ କାଳିନ ପରିସ୍ଥିତିରେ ଆପଣଙ୍କୁ ଏହି ସବୁ ନମ୍ବରର ଆବଶ୍ୟକତା ପଡିପାରେ । ଏହି ଅତି ଜରୁରୀ ୪ ନମ୍ବର ଆପଣ http://tis.nhai.gov.in/TollInformation?TollPlazaID=200 ରେ ପାଇପାରିବେ । ଭଲ କଥା ହେଉଛି ଏହି ୪ ନମ୍ବରକୁ କଲ କଲେ ତୁରନ୍ତ ଉତ୍ତର ମିଳିଥାଏ ।
୧୦ ମିନଟରେ ପହଂଚେ ଆମ୍ବୁଲାନ୍ସ
ଜାତୀୟ ରାଜପଥରେ ଯାତ୍ରା କାଳରେ ଅଚାନକ ମେଡିକାଲ ଏମରଜେନ୍ସି ଆସିପାରେ । ଏମିତିରେ ଆମ୍ବୁଲାନ୍ସ ଜରୁରୀ । ମେଡିକାଲ ଏମରଜେନ୍ସି ପଡିଲେ ଆପଣ 8577051000 ଓ 7237999911 ନମ୍ବରରେ କଲ କରିପାରିବେ । ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲ ତରଫରୁ ଏହି ନମ୍ବର ସତରେ କେମିତି କାର୍ଯ୍ୟ କରୁଛି ତାହା ଜାଣିବାକୁ କଲ କରାଯାଇଥିଲା । କଲ କରାଯାଇଥିବା ନମ୍ବରରୁ ତୁରନ୍ତ ଉତ୍ତର ଆସିଥିଲା । ଏହି ନମ୍ବରରେ କଲ କରିବାର ମାତ୍ର ୧୦ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ପହଂଚିଥାଏ ବୋଲି ଦାବି କରାଯାଉଛି । ସାମାନ୍ୟ ଚିକିତ୍ସାର ଆବଶ୍ୟକତା ଥିଲେ ତୁରନ୍ତ ଘଟଣାସ୍ଥଳରେ ଚିକିତ୍ସା କରାଯାଏ । ଅନ୍ୟଥା ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଏ । ଆମ୍ବୁଲାନ୍ସ ସେବା ମାଗଣା ଉପଲବ୍ଧ ହୋଇଥାଏ ।
ହେଲ୍ପ ଲାଇନ ନମ୍ବରରେ କଲ ପରେ ତୁରନ୍ତ ମିଳେ ସାହାଯ୍ୟ
ଯଦି ରାସ୍ତାରେ ଆପଣ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଜାତୀୟ ରାଜପଥ ପ୍ରାଧିକରଣର ହେଲ୍ପ ଲାଇନ୍ ନମ୍ବର ୧୦୩୩ ଓ ୧୦୮କୁ କଲ କରିପାରିବେ । ଏହି ସେବା ୨୪ ଘଣ୍ଟା ଉପଲବ୍ଧ ରହିଥାଏ ।
ରାସ୍ତାରେ ପେଟ୍ରୋଲ ସରିଗଲେ ବି ଚିନ୍ତା ନାହିଁ !
ଅନେକ ସମୟରେ ଅଜାଣତରେ ହେଉ ପଛେ ଗାଡିରୁ ତେଲ ସରିଯାଇଥାଏ । ଏମିତିରେ ତେଲ କେଉଁଠୁ ଆସିବ ତାକୁ ନେଇ ଚିନ୍ତା ବଢିଯାଏ । ତେବେ ଚିନ୍ତା କରିବାର କିଛି ନାହିଁ । ଆପଣ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ଯଦି ଗାଡିରୁ ତେଲ ସରିଯାଏ ତେବେ ତୁରନ୍ତ ଗାଡିକୁ ରାସ୍ତା କଡରେ ଛିଡା କରିଦିଅନ୍ତୁ । ଏହା ପରେ ପେଟ୍ରୋଲ ନମ୍ବରକୁ ଫୋନ୍ କରନ୍ତ । ଆପଣଙ୍କ ପାଖରେ ୫ କିମ୍ବା ୧୦ଲିଟର ତେଲ ପହଂଚିଯିବ । ପେଟ୍ରୋଲ ପାଇଁ ଆପଣ 8577051000, 7237999944କୁ କଲ କରିପାରିବେ । ତେବେ ଏହା ନିଶୁଳ୍କ ନୁହେଁ । ଆପଣଙ୍କୁ ପେଟ୍ରୋଲ ପାଇଁ ଟଙ୍କା ପୈଠ କରିବାକୁ ପଡିବ ।
ଗୋଟିଏ କଲରେ ମେକାନିକ୍ !
ଜାତୀୟ ରାଜପଥରେ ଯାତ୍ରା କରୁଥିବା ବେଳେ ଯଦି ଗାଡି ଖରାପ ହୋଇଯାଏ ତେବେ ଚିନ୍ତା କରିବାର ନାହିଁ । ଜାତୀୟ ରାଜପଥ ପ୍ରାଧିକରଣର ଗୋଟିଏ ନମ୍ବର ଆପଣଙ୍କୁ ଏଭଳି ପରିସ୍ଥିତିରେ ସାହାଯ୍ୟ କରିଥାଏ । ଏହି ନମ୍ବରକୁ କଲ କରିବା ପରେ ଆପଣଙ୍କ ପାଖରେ ମେକାନିକ୍ ପହଂଚିଯିବେ । ମେକାନିକଙ୍କୁ ଆପଣଙ୍କ ପାଖରେ ପହଂଚାଇବା ଜାତୀୟ ରାଜପଥର ଦାୟିତ୍ୱ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡେ ନାହିଁ । କିନ୍ତୁ ଗାଡିରେ ଯାହା ଯନ୍ତ୍ରପାତି ଲାଗେ ସେଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡେ । ଯଦି ରାସ୍ତା ଉପରେ ଗାଡି ସଜଡା ଯାଇ ପାରେନାହିଁ ତେବେ ଗାଡିକୁ କ୍ରେନ୍ ଦ୍ୱାରା ଟାଣି ନିକଟସ୍ଥ ସର୍ଭିସ ସେଣ୍ଟରରେ ପହଂଚାଯାଏ । 8577051000, 7237999955 କୁ କଲ କରି ଆପଣ ଏହାର ସୁବିଧା ନେଇ ପାରିବେ ।
ଏହି ସବୁ ସେବା ଆପଣଙ୍କୁ ଟୋଲ୍ ବୁଥରେ ଶୁଳ୍କ ପୈଠ ବଦଳରେ ମିଳିଥାଏ । ସବୁ ଟୋଲ୍ ବୁଥରେ ଆମ୍ବୁଲାନ୍ସ,ରିକଭରି ଗାଡି ଓ ସିକ୍ୟୁରିଟି ଟିମ୍ ରହିଥାନ୍ତି । କିନ୍ତୁ ଏହି ସୁବିଧା ବାବଦରେ ଅନେକଙ୍କୁ ଜଣା ନଥାଏ । ତେଣୁ ଯାତ୍ରାବେଳେ ଏଭଳି ଅସୁବିଧାର ସମ୍ମୁଖୀନ ହେଲେ ଆମେ ସାଧାରଣତଃ ଉତ୍ତେଜିତ ଓ ଚିନ୍ତିତ ହୋଇଥାଉ ।
ଏହି ସବୁ ନମ୍ବରକୁ ନିଜ ପାଖରେ ରଖନ୍ତୁ…
ହେଲ୍ପଲାଇନ୍- 1033,108
କ୍ରେନ୍- 8577051000,7237999955
ଆମ୍ବୁଲାନ୍ସ- 8577051000,7237999911
ପେଟ୍ରୋଲ- 8577051000, 7237999944