2024 ପାଇଁ ରଣକ୍ଷେତ୍ର ସଜା ଚାଲିଛି । ସମରସଜ୍ଜାର ଗୋଟିଏ ପଟେ ବିରୋଧୀଙ୍କ ଇଣ୍ଡିଆ,ଯେଉଁଥିରେ 26 ଅଂଶୀଦାର ଦଳ ଅଛନ୍ତି । ଅନ୍ୟପଟେ ବିଜେପି ନେତୃତ୍ୱାଧିନ ଏନଡିଏ ନିଜର 38 ଅଂଶୀଦାର ସାଥୀଙ୍କୁ ନେଇ ଛିଡ଼ା ହୋଇଛି । ଭାରତୀୟ ରାଜନୀତିରେ ପୁଣି ଥରେ ଆଉ ଗୋଟିଏ ବିରଳ ରାଜନୈତିକ ଧୃବୀକରଣ ହେଉଛି । ଯେଉଁଦଳ ପରସ୍ପରକୁ ପସନ୍ଦ କରୁନଥିଲେ,କେବେ ମଧ୍ୟ ହାତ ନମିଳାଇବାର ଭୀଷ୍ମ ପ୍ରତିଜ୍ଞା ନେଇଥିଲେ ଏବେ ସେହି ଦଳ ଗୁଡ଼ିକ ବିଜେପି ଓ ମୋଦିଙ୍କୁ କ୍ଷମତାଚ୍ୟୁତ କରିବାକୁ ରାଜନୈତିକ ଆଲିଙ୍ଗନ କରୁଛନ୍ତି । ବିଜେପି ମଧ୍ୟ ଏହି ବିରୋଧୀ ମହାମେଣ୍ଟର ମହିମାକୁ ଭଲ ଭାବେ ବୁଝି ପାରିଛି । ବିଜେପି ଜାଣି ସାରିଛି ଯେ,କଂଗ୍ରେସ ଯେତେବେଳେ ନିଜ ରାଜନୈତିକ ଅଂହକୁ ତ୍ୟାଗ କରି କେଜ୍ରିୱାଲ ଓ ମମତାଙ୍କ ଭଳି ବିରୋଧୀଙ୍କ ସହିତ ହାତ ମିଳାଇ ସାରିଲାଣି ସେତେବେଳେ ଲକ୍ଷ୍ୟ କେବଳ ଗୋଟିଏ ଦଶ ବର୍ଷ ପରେ କ୍ଷମତାକୁ ପୁଣି ଦଖଲ କରିବା । କ୍ଷମତା ଦଖଲଠାରୁ ବଡ଼ ଲକ୍ଷ୍ୟ ହେଉଛି ମୋଦି ନାମକ ମିଥ୍ କୁ ଭାଙ୍ଗିବା । ବିରୋଧୀଙ୍କ ନୂଆ ମେଣ୍ଟ ଯାହାର ନାମ ହେଉଛି ‘ଇଣ୍ଡିଆ’ ଖାଲି ଭାରତୀୟ ରାଜନୀତିକୁ ପ୍ରଭାବିତ କରିବ ନାହିଁ ଏହା ମଧ୍ୟ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାକୁ ଯାଉଛି । ଏମିତିରେ ଦେଶର ଦୁଇ ପ୍ରମ୍ମୁଖ ଦଳ କଣ ପାଇଁ ମେଣ୍ଟ ଲାଗି ଏତେ ବ୍ୟଗ୍ର ଆସନ୍ତୁ ଜାଣିବା ଓ ମେଣ୍ଟ ପାଇଁ କେମିତି କଂଗ୍ରେସକୁ ଅଧିକ କ୍ଷତି ସହିବାକୁ ପଡ଼ିବ ତାହା ବୁଝିବା ।
ହମ୍ ସାଥ୍ ସାଥ୍ ହୈ..
ବିରୋଧୀଙ୍କ ହମ୍ ସାଥ୍ ସାଥ୍ ହୈ ପୋଜକୁ କେବଳ ମାତ୍ର ରାଜନୈତିକ ଅବସରବାଦ କହି ଏଡ଼ାଇଯିବା ଠିକ୍ ହେବ ନାହିଁ । ବିଶେଷକରି ଯେତେବେଳେ ଏହି ପ୍ରକ୍ରିୟାରେ ବାମପନ୍ଥୀ ଦଳ ମଧ୍ୟ ସକ୍ରୀୟତାର ସହିତ ଅଂଶଗ୍ରହଣ କରୁଛନ୍ତି । ଅତିକମରେ ବାମପନ୍ଥୀ ଦଳଙ୍କ ବାବଦରେ ଏହି କଥାକୁ କିଛି ଭରସାର ସହିତ କୁହାଯାଇ ପାରିବ । କାରଣ ମତବାଦ ଆଧାରରେ ଏହି ଦଳଗୁଡ଼ିକ ଅନେକ ଥର ଏମିତି ନିଷ୍ପତ୍ତି ନେଇଛନ୍ତି ଯାହା ସେମାନଙ୍କ ପାଇଁ ବିନାଶକାରୀ ସାବ୍ୟସ୍ତ ହୋଇଛି ।ଯେମିତି ମନମୋହନ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିବା । ଏହି ଦଳ ଗୁଡ଼ିକ ଯଦି ମମତାଙ୍କ ସହିତ ସନ୍ଧି କରୁଛନ୍ତି ତେବେ ଏହା ଏକ ବଡ଼ ରାଜନୈତିକ ସନ୍ଦେଶ ଦେଉଛି ।
କ୍ଷମତାସୀନ ଦଳ ଓ ବିରୋଧୀ ଦଳ ତଥା ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆଲୋଚନା ହେବା ମଧ୍ୟ ଗଣତନ୍ତ୍ର ପାଇଁ ଶୁଭଙ୍କର । ତେବେ ଏନଡିଏରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଓ ଏନସିପିର ବିଦ୍ରୋହୀ ଗୋଷ୍ଠୀ ସାମିଲ ହେବା କିଛି ମାତ୍ରାରେ କୃତ୍ରିମତା ଲାଗୁଛି । କାରଣ ଅଭିଯୋଗ ହେଉଛି ଯେ,କେନ୍ଦ୍ରୀୟ ଏଜେନସିଙ୍କ ଡର ଦେଖାଇ ବିଜେପି ଏହି ଦୁଇଦଳର ବିଦ୍ରୋହୀଙ୍କୁ ନିଜ ମେଣ୍ଟକୁ ଆଣିଛି । ଯଦି ଏହି ଅଭିଯୋଗରେ କିଛି ମାତ୍ରାରେ ବି ସତ୍ୟତା ଥାଏ ତେବେ ଏହାକୁ ସହଜ ରାଜନୈତିକ ପ୍ରକ୍ରିୟାର ଅଂଶ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ ।
ଆଞ୍ଚଳିକବାଦ ବନାମ ରାଜନୀତିର କେନ୍ଦ୍ରିକରଣ
ଗତ ଏକ ଦଶନ୍ଧିରେ ରାଜନୀତିରେ କେନ୍ଦ୍ରୀକରଣ ବୃଦ୍ଧି ପାଇଛି । ଯାହାର ଜବାବରେ ଆଂଚଳିକବାଦ ମଧ୍ୟ ବଢ଼ିଛି । ବିଜେପି ଛୋଟରୁ ଛୋଟ ନିର୍ବାଚନ ନରେନ୍ଦ୍ର ମୋଦିଙ୍କୁ ମୁହଁ କରି ଲଢୁଛି । ଏହି କାରଣରୁ ବିଜେପିକୁ ଲାଗୁଛି ଯେ,ନିର୍ବାଚନରେ ଏହା ଆଂଚଳିକ ଦଳ କିମ୍ବା ନେତାଙ୍କ ଆବଶ୍ୟକତା କରେନାହିଁ । ଏହି କାରଣରୁ ଏନଡିଏ ମୃତପ୍ରାୟ । ଅନ୍ୟପକ୍ଷରେ ମୋଦି ମୁକାବିଲା ପାଇଁ ନୀତିଶ,ମମତା,କେସିଆର,କେଜ୍ରିୱାଲ,ଷ୍ଟାଲିନ ଓ ପୁରୁଣା ବନ୍ଧୁ ଉଦ୍ଧବ ଥାକ୍ରେ ଆଂଚଳିକବାଦର ସାହାରା ନେଉଛନ୍ତି । ବିବିଧତାପୂର୍ଣ୍ଣ ଭାରତ ପାଇଁ ଅତି କେନ୍ଦ୍ରୀୟବାଦ ଓ ଅତି ଆଂଚଳିକବାଦ ବିପଜ୍ଜନକ । ତେଣୁ ଯେତେବେଳେ ଆଂଚଳିକ ଦଳଗୁଡ଼ିକ ଗୋଟିଏ ମଂଚରେ ଏକାଠି ହେବା ଦେଶ ପାଇଁ ଶୁଭସଂକେତ ।
କଂଗ୍ରେସର କ’ଣ ହେବ ?
ମେଣ୍ଟର ନାମକରଣ ରାହୁଲ କରିଛନ୍ତି । କଂଗ୍ରେସ ମେଣ୍ଟ ପାଇଁ କିଛିଟା ତ୍ୟାଗ କରିବା ଭଳି ମୁଡରେ ଅଛି । କିନ୍ତୁ ଏହି ‘କିଛି’ କେତେ ହେବ ? ଏହା ଏକ ବଡ଼ ପ୍ରଶ୍ନ । ମୋଦି ମୁକାବିଲା ପାଇଁ କଂଗ୍ରେସକୁ ଆଂଚଳିକ ଦଳଙ୍କ ସହିତ ସାଲିସ କରିବାକୁ ପଡ଼ୁଛି । ଆଉ ଏହାରି ଭିତରେ ଲୁଚିଛି କଂଗ୍ରେସ ପାଇଁ ବିପଦ ସଂକେତ । ବିହାର,ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସିଟ୍ ଭାଗବଣ୍ଟା ସହଜ ହେବ ନାହିଁ । ଏହି ରାଜ୍ୟ ଗୁଡିକରେ ସକ୍ରୀୟ ଥିବା ଆଂଚଳିକ ଦଳ କଂଗ୍ରେସକୁ ଅଳ୍ପ କିଛି ସିଟ୍ ଦେବାକୁ ଚାହିଁବେ । ଯେମିତି 2009 ସାଧାରଣ ନିର୍ବାଚନ ବେଳେ ଲାଲୁ ଯାଦବ ବିହାରରେ କଂଗ୍ରେସକୁ ମାତ୍ର 4 ସିଟ୍ ଦେଇ ବେଇଜତ୍ କରିଥିଲେ । ଅବଶ୍ୟ ଏହା ଅଲଗା କଥା କଂଗ୍ରେସ ନିଜ ଦମରେ ଲଢି ଅଧିକ ସିଟ୍ ଆଣିଥିଲା । ଏବେ କଂଗ୍ରେସକୁ ଯଦି ମମତାଙ୍କ ପଶ୍ଚିମବଙ୍ଗ ଓ ଲାଲୁ-ନୀତିଶଙ୍କ ବିହାରରେ ପୁଣି ବଳିଦାନ ଦେବାକୁ ପଡ଼େ ତେବେ ଏହା କଂଗ୍ରେସର ଭବିଷ୍ୟତ ପାଇଁ ଖରାପ ହେବ । ହଁ,ଦିଲ୍ଲୀର ବାବୁ କେଜ୍ରିୱାଲ କଂଗ୍ରେସକୁ କେତେ ସିଟ୍ ଦେବେ କି ସକାଳେ ଗାଳିକରି ସନ୍ଧ୍ୟାରେ ମେଣ୍ଟ ଧର୍ମ ବାବଦରେ ମନେ ପକାଇବେ ତାହା ମଧ୍ୟ ଗୋଟିଏ ବଡ଼ ପ୍ରଶ୍ନ ।