ସବୁଠି ଖୋଜା ପଡ଼ନ୍ତି ବାପୁନ

Above Post Content

କରୋନାର କରୁଣ ପରିସ୍ଥିତିରେ ଜନମାନସ ଛଟପଟ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଶ୍ୱାସନାର ଠିକଣା ପାଲଟିଛନ୍ତି ବାପୁନ ଭାଇ ।  ପୂରା ନାମ ସୁଶାନ୍ତ କୁମାର ଦାସ । ସେ କୌଣସି ପ୍ରଶାସନିକ ଅଧିକାରୀ ନୁହଁନ୍ତି କି କୌଣସି ବରିଷ୍ଠ ପଦପଦବୀରେ ବି ନାହାନ୍ତି । ହେଲେ ଜିଲ୍ଲାରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ୱାନ୍‌ଟାଇମ୍ ସଲ୍ୟୁସନ୍ ହେଲେ ବାପୁନ୍ । ଯାହାଙ୍କ ଉପସ୍ଥିତି ବୁଦ୍ଧି ଓ କର୍ମନିଷ୍ଠ ଦକ୍ଷତା ଯୋଗୁ ଜିଲ୍ଲା କରୋନା ଭଳି ମହାମାରୀରେ ବି ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହୋଇପାରିଛି ।

ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଯେକୌସସି କାମ ହେଲେ ଖୋଜାପଡ଼ନ୍ତି ବାପୁନ । ପୁଲିସ୍ କନେଷ୍ଟବଳ ଭାବରେ ମେଡିକାଲ ଫାଣ୍ଡିରେ ୪ ବର୍ଷର ଚାକିରି କାଳରେ ସେ ଲୋକଙ୍କର ଏତେ ନିଜର ହୋଇପାରିଛିନ୍ତି ଯେ ସାମାନ୍ୟ ଅସୁବିଧା ହେଲେ ଲୋକେ ବାପୁନ୍‌ଙ୍କୁ ଖୋଜୁଛନ୍ତି ।  ନିଜର ନିଃସ୍ୱାର୍ଥପର ସେବା ପାଇଁ ସେ ଉଭୟ ସ୍ୱାସ୍ଥ୍ୟ ଓ ଆଇନଶୃଙ୍ଖଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେବଳ ବାରିପଦା ସହର ପାଇଁ ନୁହେଁ, ବରଂ ପୂରା ଜିଲ୍ଲାବାସୀଙ୍କର ପିଆର୍‌ଏମ୍ ମେଡିକାଲରେ ଯେକୌଣସି ପ୍ରକାର କାମ ପଡ଼ିଲେ ବାପୁନଙ୍କୁ ଲୋଡ଼ାହୁଏ । ସକାଳୁ ରାତି ଯାଏଁ ୨୪ ଘଂଟା ସେ କରୋନା ରୋଗୀଙ୍କ ସେବାରେ ।

After 2nd paragraph post ads
Middle post content

ଆମ୍ବୁଲାନ୍ସ ପଠାଇବା ହେଉ କି କାଜୁଆଲିଟିରେ ରୋଗୀଙ୍କୁ ଭର୍ତି କରିବା, ଡାକ୍ତରଙ୍କ ନିକଟକୁ ରୋଗୀ ପହଂଚାଇବା, ରୋଗୀ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା, ଔଷଧ ଯୋଗାଣ, ରୋଗୀ ଓ ସହାୟକଙ୍କ ଖାଇବା ବ୍ୟବସ୍ଥା ବୁଝିବା ଭଳି ଟିକିନିକି କାମରେ ବାପୁନ ହିଁ ଏକମାତ୍ର ଭରସା ।

କରୋନାର ପ୍ରଥମ ଲହରରେ ବାପୁନ ନିଜେ ସଂକ୍ରମିତ ହୋଇସାରିଛନ୍ତି । ଏଥିରେ ତାଙ୍କ ଫୁସ୍‌ଫୁସ୍ ୭୦ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସେପ୍ଟେମ୍ବର ମାସ ୧୯ ତାରିଖରେ ମୟୂରଭଞ୍ଜ ଏସ୍‌ପିସ୍ଥିତ ପି. ପରମାର୍‌ଙ୍କ ସ୍ୱତନ୍ତ୍ର ବ୍ୟବସ୍ଥାରେ ବାପୁନଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା । ଅକ୍ସିଜେନ ଶଯ୍ୟା ସାହାଯ୍ୟରେ ସେ ୭ ଦିନ ରହିବା ପରେ ସେଠାରୁ ଆରୋଗ୍ୟ ହୋଇ ଫେରିଥିଲେ । ନିଜେ କରୋନା ସହ ଲଢ଼ିଥିବାରୁ ଏହା କେତେ କଷ୍ଟ ତାହାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ବାପୁନ । ବାପୁନ କାର୍ଯ୍ୟରେ ଥିବା ସମୟରେ ବହୁ ବଡ଼ ବଡ଼ ସମସ୍ୟାକୁ ସମାଧାନ କରିବାର କ୍ଷମତା ରଖିଥିବାରୁ ଜିଲ୍ଲାପାଳ, ଏସ୍‌ପିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଖରେ ତିଆରି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ । ୪୩ ବର୍ଷୀୟ ବାପୁନ ୧୯୯୯ ମସିହାରେ କନେଷ୍ଟବଳ ପରୀକ୍ଷାରେ ସମସ୍ତଙ୍କୁ ପଛରେ ପକାଇ ଚୟନ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲା ରିଜର୍ଭ ପୁଲିସରୁ କାର୍ଯ୍ୟ ଆରମ୍ଭ କରି କୁଆମରା ଫାଣ୍ଡି ଓ ପରେ ମେଡିକାଲ ଫାଣ୍ଡିରେ କାର୍ଯ୍ୟ କରୁଛନ୍ତି ବାପୁନ । ସରଳ ଜୀବନ ଜିଉଁଥିବା ବାପୁନଙ୍କ ଏହି ସେବା ପଛରେ ପତ୍ନୀ ସସ୍ମିତା ଓ ପୁଅ ଆଦତ୍ୟାଙ୍କ ସମସ୍ତ ସହଯୋଗ ରହିଛି ବୋଲି କହନ୍ତି ବାପୁନ ।      

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami