ମାର୍ଚ୍ଚରୁ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ ଋତୁ । ଏଥିସହ ବାତ୍ୟା ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ପାଣିପାଗ ବିଭାଗ ଅନୁସାରେ, ମାର୍ଚ୍ଚ ୧୦ ତାରିଖରୁ ଭାରତ ମହାସାଗରରେ ବିଷୁବରେଖା ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପ ରୂପ ନେଇ ଦକ୍ଷିଣ ବଙ୍ଗୋପସାଗର ଆଡ଼କୁ ଗତି କରିବା ସମ୍ଭାବନା ରହିଛି । ଏହା ବାତ୍ୟା ରୂପ ନେବା ନେଇ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ । ଆଉ ୫ ଦିନ ପରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ ।
ତେବେ ବାତ୍ୟା ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିନଥିବା ବେଳେ ଲୋକେ ଆଶଙ୍କାରେ ରହିଛନ୍ତି । ଘରୋଇ ପାଣିପାଗ ବିଜ୍ଞାନୀ ସଂସ୍ଥା ସ୍କାଏମେଟ୍ ଅନୁସାରେ, ମାର୍ଚ୍ଚ ୧୫ ପରେ ବାତ୍ୟା ସୃଷ୍ଟି ହୋଇପାରେ । ତେବେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ବହୁତ କମ୍ । କାରଣ ୧୯୦୦ରୁ ୨୦୨୧ ମସିହା ୧୨୧ ବର୍ଷ ଭିତରେ ମାତ୍ର ୫ଟି ବାତ୍ୟା ସୃଷ୍ଟି ହୋଇଛି । କିନ୍ତୁ ସେଥିରୁ କୌଣସି ବି ଗୋଟିଏ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁ ନାହିଁ ।
୧୯୦୦ରୁ ୨୦୨୧ ମସିହା ମଧ୍ୟରେ ସୃଷ୍ଟି ହୋଇଥିବା ସମସ୍ତ ୫ଟି ବାତ୍ୟା ବଙ୍ଗୋପସାଗର କିମ୍ବା ଭାରତ ମହାସାଗରରେ ସୃଷ୍ଟି ହୋଇଛି । ଗୋଟିଏ ବି ବାତ୍ୟା ଆରବ ସାଗରରେ ସୃଷ୍ଟି ହୋଇନାହିଁ । ବଙ୍ଗୋପସାଗରର ଗରମ ଅନୁକୂଳ ପାଣିପାଗ ବାତ୍ୟା ସୃଷ୍ଟି ହେବାରେ ସହାୟକ ହୋଇଥାଏ । ଅନ୍ୟପଟେ ଆରବ ସାଗରର ଥଣ୍ଡା ପାଣିପାଗ ବାତ୍ୟା ପାଇଁ ଅନୁକୂଳ ନୁହେଁ ।
୧୨୧ ବର୍ଷ ମଧ୍ୟରେ ମାର୍ଚ୍ଚରେ ସୃଷ୍ଟି ହୋଇଥିବା ୫ ବାତ୍ୟା ମଧ୍ୟରୁ ୧୯୨୫ ମାର୍ଚ୍ଚ ମାର୍ଚ୍ଚ ମଧ୍ୟଭାଗର ବାତ୍ୟା ସବୁଠୁ ଶକ୍ତିଶାଳୀ ଥିଲା । ଯାହାକି ଶ୍ରୀଲଙ୍କା ଓ ତାମିଲନାଡ଼ୁର ନିକଟତର ହୋଇଥିଲା । ଶେଷଥର ପାଇଁ ମାର୍ଚ୍ଚରେ ୨୦୦୦ ମସିହାରେ ବାତ୍ୟା ସୃଷ୍ଟି ହୋଇଥିଲା । ଦକ୍ଷିଣ ବଙ୍ଗୋପସାଗରରେ ମାର୍ଚ୍ଚ ୨୭ରେ ସୃଷ୍ଟ ଉକ୍ତ ବାତ୍ୟା ମାର୍ଚ୍ଚ ୩୦ରେ ବାତ୍ୟାର ରୂପ ନେଇଥିଲା । ଘଣ୍ଟାପ୍ରତି ୮୫ କିଲୋମିଟର ବେଗରେ ଗତି କରି ଉତ୍ତର-ଉତ୍ତରପୂର୍ବକୁ ରିକର୍ଭ କରି ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇ ଯାଇଥିଲା ।
କେବଳ ବାତ୍ୟା କାହିଁକି, ମାର୍ଚ୍ଚରେ ସୃଷ୍ଟି ହେଉଥିବା ଲଘୁଚାପ କ୍ଷେତ୍ର କିମ୍ବା ଅବପାତ ବାୟୁ ମଣ୍ଡଳର ଉତ୍ତାପ ଯୋଗୁଁ ଘନୀଭୂତ ହୋଇପାରେ ନାହିଁ । ଭାରତ ମହାସାଗର, ବଙ୍ଗୋପସାଗର ଓ ଆରବ ସାଗରରେ ୨ଟି ସମୟରେ ବାତ୍ୟା ସୃଷ୍ଟି ହୋଇଥାଏ । ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରାକ୍ ମୌସୁମୀ, ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ମୌସୁମୀ ଚାଲିଯିବା ପରେ ବାତ୍ୟା ଆସିଥାଏ । ଆଉ ବିଶେଷକରି ଜୁନ୍ ମାସରେ ସୃଷ୍ଟି ହେଉଥିବା ବାତ୍ୟା ଟିକିଏ ଶକ୍ତିଶାଳୀ ଥାଏ ।