ପାଶାଣ ଦେହରେ ନିହାଣ ଫୁଟାଇ ଜୀବନ୍ତ ପ୍ରତିମା ସୃଷ୍ଟିର ବିନ୍ଧାଣୀ ସେ ନୁହଁନ୍ତି, କିନ୍ତୁ କାଠ ବାଉଁଶରେ ଜୀବନ୍ୟାସ ଦେଉଥିବା ଜଣେ କାରିଗର । ପେସାରେ ଜଣେ ଚାଟ୍ ଦୋକାନୀ । ଯେଉଁ ହାତରେ ସୁସ୍ୱାଦୁ ଚାଟ୍ ପ୍ରସ୍ତୁତ କରି ଗ୍ରାହକଙ୍କୁ ପରଷି ଦିଅନ୍ତି । ସେହି ହାତ ଯେ ଏମିତି ସୁନ୍ଦର କଳାକୃତି ପ୍ରସ୍ତୁତି କରିପାରେ ତାହା ନ ଦେଖିଲେ ବିଶ୍ୱାସ କରିହେବନି । ସେ ହେଉଛନ୍ତି ପୁରୁଣା ଭୁବନେଶ୍ୱରର କପିଳପ୍ରସାଦପୁରର ସୁଦର୍ଶନ ସାହୁ । ଦୀର୍ଘ ୨୪ ବର୍ଷ ଧରି ଚାଟ୍ ବ୍ୟବସାୟ କରୁଛନ୍ତି ସୁଦର୍ଶନ । ନିିଶା ତାଙ୍କୁ ଏକ ନିଆରା ପରିଚୟ ଦେଇଛି । ବାଉଁଶ ପାତିଆ, ତାଳପତ୍ର ଓ କାଠ ପେଟିକୁ କାଟିି ସେ ତିଆରି କରୁଛନ୍ତି ବିଭିନ୍ନ ହସ୍ତଶିଳ୍ପ । ଘରସଜ୍ଜା ସାମଗ୍ରୀ ଓ ବଡ଼ ବଡ଼ ଅଟ୍ଟାଳିକାର ରୂପକୁ କଳାକୃତିରେ ସ୍ଥାନ ଦେଇଥାନ୍ତିି ସୁଦର୍ଶନ । ପ୍ରଶଂସା ସାଉଁଟିବା କିମ୍ବା ରୋଜଗାର କରିବାର ଆକାଂକ୍ଷା ତାଙ୍କର ନ ଥିଲା । କେବଳ ନିଜ ସମୟ ଅତିବାହିତ କରିବା ସହ ସଉକ ପାଇଁ ଏହି ଯାତ୍ରା ଆରମ୍ଭ କରିଥିଲେ ।
ପ୍ରଥମେ ବାଉଁଶ ସଂଗ୍ରହ କରି ସେ ସବୁକୁ ଛୋଟ ଛୋଟ ଖଣ୍ଡରେ କାଟି ପୋକ ନ ଲାଗିବା ପାଇଁ ସୋଢ଼ାରେ ପ୍ରୋସେସିଂ କରି ହସ୍ତଶିଳ୍ପ କାରିଗରୀ କରିଥାନ୍ତିି । ସୁଦର୍ଶନଙ୍କ ବୟସ ଏବେ ୪୩ ବର୍ଷ । ସୁଦର୍ଶନଙ୍କ କହିବା ଅନୁଯାୟୀ ପାଠପଢ଼ାରେ ପୂର୍ଣ୍ଣଛେଦ ପଡ଼ିବା ପରେ ଭୁବନେଶ୍ୱରରେ ବୁଲି ବୁଲି ରୋଷେୟା ଭାବେ କାମ କରୁଥିଲେ । ଏହାପରେ ୧୯୯୭ ମସିହାରେ ଚାଟ୍ ଦୋକାନ ଆରମ୍ଭ କରିଥିଲେ । କିନ୍ତୁ ସମୟକ୍ରମେ ତାଳପତ୍ରକୁ ବୁଣି ସେଥିରେ ଘରସଜ୍ଜା ପାଇଁ ମନ୍ଦିର ତିଆରି କରୁଥିଲେ । ଟ୍ରେନିଂ ନେଇ ନ ଥିବାରୁ ଏଥିପାଇଁ ସମୟ ଅଧିକ ଲାଗିଲେ ବି ସେହି ନିଶାରୁ କେବେ ବିଚ୍ୟୁତ ହୋଇନାହାନ୍ତି ସୁଦର୍ଶନ । ଗୋଟିଏ କାମ ପାଇଁ ୧୦-୧୫ ଦିନ ଲାଗୁଥିବାବେଳେ ବଡ଼ କାମ ପାଇଁ ୧ ମାସ ସମୟ ଲାଗିଥାଏ । ଲକ୍ଡଉନ୍ ଛଡ଼ାଇ ନେଇଛି ତାଙ୍କ ଚାଟ୍ ବ୍ୟବସାୟ । ଆଉ ସେ ପାଲଟିଯାଇଛନ୍ତି ଜଣେ ହସ୍ତଶିଳ୍ପୀ କାରିଗର । ଫଳ ଦୋକାନରୁ କାଠପେଟି ସଂଗ୍ରହ କରି ଅତି ନିଖୁଣ ଭାବେ ତିଆରି କରୁଛନ୍ତି ସୁନ୍ଦର କଳାକୃତି । ଏହି ସାମଗ୍ରୀ ନେବାକୁ କିଛି ଲୋକ ଅର୍ଡର ମଧ୍ୟ କରିଥାନ୍ତି । କେହି କେହି ଏହି କଳାକୃତି ନେଇ ପ୍ରଶଂସା ମଧ୍ୟ କରନ୍ତିି । ଯାହାକି ମୋତେ ଅଧିକ ଉତ୍ସାହିତ କରିବା ସହ ପ୍ରେରଣା ଯୋଗାଇଛି ବୋଲି କହନ୍ତି ସୁଦର୍ଶନ । ତେବେ ୟାରି ଭିତରେ ଆଉ ଏକ ପାଦ ଆଗେଇ ଯାଇଛନ୍ତି । ପିଲାମାନଙ୍କୁ ଏହାରି ଉପରେ ଶିକ୍ଷା ଦେବା ପାଇଁ ୟୁଟ୍ୟୁବ୍ରେ ଭିଡିଓ ଅପ୍ଲୋଡ୍ କରିବା ଆରମ୍ଭ କରିଛନ୍ତି ସୁଦର୍ଶନ । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଆଜିର ଯୁବପିଢ଼ି ।