ଇଚ୍ଛା ଥିଲା ଓକିଲ ହୋଇ ନିର୍ଯାତିତ, ଅସହାୟ, ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା । ଯଦିଓ ଏହି ଇଚ୍ଛା ତାଙ୍କର ଇଚ୍ଛାରେ ରହିଲା, ତଥାପି ସେ ଏବେ ସାଜିଛନ୍ତି ଏକାଧିକ ଅସହାୟ ପିଲାଙ୍କ ମା’ । ଅଭାବ ଅନଟନରେ ଯୁଝି ହେଉଥିବା ଏହି ପିଲାଙ୍କୁ ପଣତ ଛାୟାର ସାହାରା ଦେଇଛନ୍ତି ଭୁବନେଶ୍ୱରର ଚନ୍ଦନା ସ୍ୱାଇଁ । ଘର ତଥା ପରିବାରର କର୍ତବ୍ୟ ଭିତରେ ୩୦ ଜଣ ଅନାଥ ପିଲାଙ୍କ ପ୍ରତି କେବେ ବି କମି ନାହିଁ ତାଙ୍କର ସ୍ନେହ, ମମତା ଓ ଆଦର ।
ଭୁବନେଶ୍ୱର ରହୁଥିବା ୪୬ ବର୍ଷୀୟା ଚନ୍ଦନା ସ୍ୱାଇଁଙ୍କ ଜନ୍ମ ସାଲେପୁରର ରାଇସୁଙ୍ଗୁଡ଼ାରେ । ସାତ ଭାଇଭଉଣୀ ମଧ୍ୟରେ ସେ ହେଉଛନ୍ତି ସବା ସାନ । ସ୍କୁଲରୁ ଆରମ୍ଭ କରି କଲେଜରେ ସେ ବେଶ୍ ଭଲ ପାଠ ପଢ଼ୁଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି । ଏହା ପରେ ଚନ୍ଦନା ଆଇନରେ ସ୍ନାତକ (ଏଲ୍ଏଲ୍ବି) ପଢ଼ା ଶେଷ କଲେ । ସେ ସ୍କୁଲ ସମୟରୁ ନିଜ ଗୋଡ଼ରେ ଠିଆ ହେବା ଲକ୍ଷ୍ୟ ରଖିଥିଲେ ।
ବିବାହ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ଧଳା ପୋଷାକ ଉପରେ କଳା କୋର୍ଟ ପିନ୍ଧି କେସ୍ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ମାତ୍ର ସେ କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ନିବାସୀ ବିଭୂତିଭୂଷଣ ରାଉତଙ୍କୁ ବିବାହ କଲେ । ବିଭୂତି ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି । ବିବାହ ପରେ କୋର୍ଟ ଯିବା ପାଇଁ ଯଦିଓ ସମୟ ବାହାର କରୁଥିଲେ, ତଥାପି ମାତୃତ୍ୱ ପରେ ଏସବୁ ତାଙ୍କ ଲାଗି ଆଉ ସମ୍ଭବ ହେଲାନାହିଁ । ଛୁଆ ଯୋଗୁଁ ନିତିଦିନ କୋର୍ଟ ଯିବା ତାଙ୍କ ପାଇଁ ଅଡୁଆ ହେଲା । ସେଇଠୁ ସେ ପରିବାରକୁ ସମୟ ଦେବା କଥା ଚିନ୍ତା କଲେ । ଯେଉଁଥି ପାଇଁ ଚନ୍ଦନା ଓକିଲାତି ପେସାରୁ ଓହରିଗଲେ । କିଛି ଦିନ ପରେ ଗୋଟିଏ ସ୍କୁଲ କଲେ ଓ ଅସହାୟ ଗରିବ ପିଲାଙ୍କୁ ପଢ଼ାଇବା ଆରମ୍ଭ କଲେ । ଏପରିକି ୩୦ ଜଣ ଅନାଥ ପିଲାଙ୍କ ସମସ୍ତ ଖର୍ଚ୍ଚ ଚନ୍ଦନା ବହନ କରୁଛନ୍ତି । ଏହାରି ଭିତରେ ତାଙ୍କ ମନରେ ସୃଷ୍ଟି ହେଲା ଅସହାୟ ଓ ନିରୀହ ପିଲାଙ୍କ ମା’ ସାଜିବାର ଝୁଙ୍କ । ଫଳରେ ସେମାନଙ୍କୁ ମଣିଷ କରିବା ପାଇଁ ଚନ୍ଦନା ଅହରହ ପରିଶ୍ରମ କରିବାକୁ କୁଣ୍ଠା କଲେ ନାହିଁ । ଅନ୍ୟପଟେ ଶାଶୂ ଓ ଶ୍ୱଶୁର, ସ୍ୱାମୀଙ୍କ ସେବା ସହ ପିଲାଙ୍କ ପଢ଼ାରେ କେବେ ବି ଅବହେଳା କରିନାହାନ୍ତି ଚନ୍ଦନା । ସୁଗୃହିଣୀ ଭାବେ ସବୁ ଜଞ୍ଜାଳ ତୁଲାଉଛନ୍ତି ଓ ପିଲାଙ୍କୁ ଟ୍ୟୁସନ୍ ମଧ୍ୟ କରୁଛନ୍ତି । ଏହାବାଦ୍ ସେ ଡେ କେୟାର ବୋଡିଂରେ କର୍ମଜୀବୀ ମହିଳାଙ୍କ ଛୁଆକୁ ସମ୍ଭାଳନ୍ତି । ସେଥିରୁ ଯାହା କିଛି ରୋଜଗାର ହୁଏ ପିଲାଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । ସମ୍ପ୍ରତି କୋଭିଡ୍ ଯୋଗୁ ସକାଳୁ ରାତିଯାଏଁ ଚନ୍ଦନାଙ୍କୁ ବିଶ୍ରାମ ମିଳୁନାହିଁ । ପିଲାଙ୍କ ଲାଗି ରୋଷେଇଠୁ ଆରମ୍ଭ କରି କପଡ଼ା ସଫା, ପାଠପଢ଼ାଇବା ସବୁ ଦାୟିତ୍ୱକୁ ସେ ହସି ହସି ତୁଲାଉଛନ୍ତି । ଚନ୍ଦନା କୁହନ୍ତି ଯଦିଓ ତାଙ୍କ ଆର୍ଥିକ ପରିସ୍ଥିତି ସେତେଟା ସୁଦୃଢ଼ ନୁହେଁ, ତଥାପି କୁନିକୁନି ପିଲାଙ୍କ ହସ ହିଁ ତାଙ୍କ ପାଇଁ ସବୁକିଛିି । ପିଲାଟିବେଳୁ ସେମାନଙ୍କର ସବୁ ଅଭାବକୁ ସେ ପୂରଣ କରିଛନ୍ତି । ଅବଶ୍ୟ ଏ ଦିଗରେ ଚନ୍ଦନାକୁ କିଛି ସମାଜସେବୀ ସାହାଯ୍ୟର ହାତ ବଢ଼ାଇଛନ୍ତି । ଅନାଥ ପିଲାଙ୍କ ବାପାମାଆ ସାଜିଥିବା ଚନ୍ଦନାଙ୍କ ଏହି ମହତ ଉଦ୍ଦେଶ୍ୟ ସମାଜରେ ଉଦାହରଣ ସୃଷ୍ଟି କରିପାରିଛି ।