ମାଟି କହୁଛି କଥା, ଗାଥା ଓ କାହାଣୀ

Above Post Content

ମାଟିକୁ ସେ ଦିଅନ୍ତି ଜୀବନ୍ତ ରୂପ । ମାଟିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟର କଥା କୁହନ୍ତି । ଆଉ କେତେବେଳେ ତାଙ୍କ ମାଟି କଥା କହିଥାଏ ଆଧ୍ୟାତ୍ମିକ, ପାରମ୍ପରିକ ଓ ସମସାମୟିକ କାହାଣୀ । ସେ ଆଦିବାସୀ ସଂସ୍କୃତିର କଥା ଅବା ଜଗନ୍ନାଥଙ୍କ ନବକଳେବର କିମ୍ବା ଶ୍ରୀକୃଷ୍ଣଙ୍କ ଲୀଳାର ଗାଥା ସବୁକୁ ସେ ଅତି ନିଖୁଣ ଭାବରେ ମାଟିରେ ପ୍ରସ୍ଫୁଟିତ କରିପାରନ୍ତି । ସେ ହେଉଛନ୍ତି ସରୋଜ କୁମାର ରାଉତ । ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ରହିଛି ତାଙ୍କର ୱାର୍କସପ୍ ।

ମାତ୍ର ତାଙ୍କର ଏହି କଳାକୃତିର ଯାତ୍ରା ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ । ପିଲାବେଳେ ମାଟି କାନ୍ଥରେ ଚିତ୍ର ଆଙ୍କିବାର ସଉକ ଯେ ତାଙ୍କୁ କାରିଗରରେ ପରିଣତ କରିବ, ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ମାତ୍ର ତାହା ବାସ୍ତବରେ ପରିଣତ ହୋଇଛି । ଧୀରେ ଧୀରେ ମାଟିରେ କିଛି ନୂଆ କରି ଦେଖାଇବାର ପ୍ରୟାସ ସରୋଜଙ୍କୁ ପରିଚୟ ଦେଇଛି । ଶ୍ରୀଜଗନ୍ନାଥଙ୍କ ନବକଳେବର ସଂସ୍କୃତିକୁ ମାଟିରେ ରୂପ ଦେବା ପାଇଁ ରଥ ତିଆରି କରିଥିଲେ । ଯେଉଁଥିରେ ସେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ସହିତ ଶ୍ରୀମନ୍ଦିରର ସମସ୍ତ ଦେବାଦେବୀ ଓ ବଡ଼ଦାଣ୍ଡକୁ ସ୍ଥାନିତ କରିଥିଲେ । ଏହାପରେ ଏକ ବିରାଟ ଚକରେ ଶ୍ରୀଜଗନ୍ନାଥଙ୍କର ୩୨ଟି ବେଶକୁ ଦର୍ଶାଇଥିଲେ । କେତେବେଳେ ଦଶବତାର, କାଳିଅ ଦଳନ, ବସ୍ତ୍ର ହରଣ, ତ ଆଉ କେତେବେଳେ ବୋଇତ ବନ୍ଦାଣ ଆଦିର କାହାଣୀକୁ ମାଟିରେ ତିଆରି କରିଛନ୍ତି ।

After 2nd paragraph post ads
Middle post content
jagannath chariot, nandighosha rath, sri jagannath chariot in clay, saroj kumar rout, Lord Jagannath, rising odisha
Nandighosh Rath (Lord Jagannath’s chariot)

ବର୍ତମାନ ସମୟରେ ଟେରାକୋଟା ଏବଂ ସେରାମିକ୍‌ର ଚାହିଦା ଅଧିକ ରହିଥିବାରୁ ସେସବୁକୁ ଏବେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଡଙ୍ଗରିଆ କନ୍ଧଙ୍କ କଳା ସଂସ୍କୃତିକୁ ଗବେଷଣା କରି ସେସବୁକୁ ମଧ୍ୟ ମାଟିରେ ରୂପ ଦେଇଛନ୍ତି । ଡଙ୍ଗରିଆ କନ୍ଧଙ୍କ ବିଭିନ୍ନ ପ୍ରକାର ଚିତ୍ରକୁ ନେଇ ସେରାମିକ୍ କପ୍ ପ୍ଲେଟ୍ ତିଆରି କରିଛନ୍ତି । ସମାଜରୁ ଲୁପ୍ତ ହୋଇଯାଉଥିବା ସଂସ୍କୃତିକୁ ଲୋକାଦୃତ କରିବା ପାଇଁ ୪ ଫୁଟ୍‌ରେ ଏକ ଚେସ୍ ବୋର୍ଡରେ ସମାଜ ଏବଂ ଡଙ୍ଗରିଆଙ୍କ କଥାକୁ ଅତି ସୁନ୍ଦରଭାବେ ଦର୍ଶାଇଛନ୍ତି । କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିବା ସରୋଜଙ୍କ ଏହି କଳାକୃତି ପାଇଁ ୨୦୧୬ ମସିହାରେ ତାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ସହିତ ଅନେକ ପ୍ରଶଂସା ମିଳିଛି ।

ସେରାମିକ୍‌ରେ ଓଡ଼ିଶାର ପ୍ରଥମ ଟେଲିଫୋନ୍‌, ପ୍ରଥମ ଟ୍ରେନ୍‌, ବିଭିନ୍ନ ଗାଡ଼ି ମୋଟର ମଡେଲ ଓ ଐତିହାସିକ ସାମଗ୍ରୀ ତିଆରି କରିଛନ୍ତି । ଟେଲିଫୋନ୍ ଭବନରେ ୨୦-୩୦ ପୁରୁଣା ଟେଲିଫୋନ୍ ଦେଖିବା ପରେ ସେରାମିକରେ ମଡେଲ କରି ସେଥିରେ ବିଭିନ୍ନ ପୁରୁଖା ତଥା ବିଶିଷ୍ଟ ବ୍ୟକ୍ତିଙ୍କ କଣ୍ଠସ୍ୱର ମଧ୍ୟ ଦେଇଛନ୍ତି । ଏବେ ଶହେ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସରୋଜ । ସେ କହିଛନ୍ତି, ମାଟି ଜିନିଷକୁ ଲୋକଦୃତ କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ସେ ତାଙ୍କର ଚେଷ୍ଟା ଜାରି ରଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami