ଭିକ୍ଷାଥାଳି ବଦଳରେ ରଙ୍ଗତୂଳୀ

355

ମୁଣ୍ଡରେ ଲମ୍ବା ଚୁଟି, କଳା ମିଟିମିଟି ଶରୀର ଏବଂ ଦେହରେ ଗାମୁଛା ଖଣ୍ଡେ ହେଉଛି ତାଙ୍କର ସମ୍ବଳ । କିନ୍ତୁ ତାଙ୍କ ହାତସ୍ପର୍ଶର ଯାଦୁକରୀ ଦେଖିଲେ ଯେକେହି ଭାବିବେ ସେ ଜଣେ ଅଭିଜ୍ଞ ଚିତ୍ରକର

ଦିନେ ଯେଉଁ ହାତରେ ଥିଲା ଭିକ୍ଷାଥାଳି, ଆଜି ସେହି ହାତରେ ସେ ଅତି ନିଖୁଣଭାବେ ଆଙ୍କି ଚାଲିଛନ୍ତି ରଙ୍ଗତୂଳୀରେ ସୁନ୍ଦର ଚିତ୍ର । ତାଙ୍କ ଅଦ୍ଭୁତ କଳାକୃତିର ଏହି ଚିତ୍ର ଦେଖିଲେ କେହି ବି ବିଶ୍ୱାସ କରିପାରିବେନି ସେ ଦିନେ ରାସ୍ତାକଡ଼ରେ ବସି ଭିକ୍ଷା ମାଗୁଥିଲେ ବୋଲି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି କେନ୍ଦ୍ରାପଡ଼ାର ସ୍ମୃତିରଞ୍ଜନ ନାୟକ । ସ୍ମୃତିରଞ୍ଜନଙ୍କ ବୟସ ଏବେ ୪୮ ।  ଗତ ୭ ବର୍ଷ ତଳେ କୌଣସି ପାରିବାରିକ ସମସ୍ୟା ଯୋଗୁ ଗାଁ ଛାଡ଼ି ଭୁବନେଶ୍ୱରକୁ ଚାଲି ଆସିଥିଲେ । ମାଷ୍ଟରକ୍ୟାଂଟିନ୍ ରେଳଷ୍ଟେସନ୍ ନିକଟରେ ଖୋଲା ଆକାଶ ତଳେ ଭିକ୍ଷାବୃତି କରି ଜୀବନ ବିତାଉଥିଲେ । ଦୀର୍ଘ ୭ ବର୍ଷ ଧରି ଖୋଲା ଆକାଶ ତଳେ ଏଭଳି ଜୀବନ ବିତାଇବା ପରେ ୨ ମାସ ତଳେ ଓଡ଼ିଶା ପତିତା ଉଦ୍ଧାର ସମିତି ଦ୍ୱାରା ତାଙ୍କୁ ଷ୍ଟେସନ୍ ନିକଟରୁ ଉଦ୍ଧାର କରାଯାଇଥିଲା । ଆଉ ସେହିଦିନଠାରୁ ବଦଳି ଯାଇଛି ତାଙ୍କ ଠିକଣା ।  ଏବେ ସେ ୟୁନିଟ୍ ୬ସ୍ଥିତ ଅଶୋକନଗର  ସହରାଂଚଳ ଆଶ୍ରୟସ୍ଥଳୀରେ ରହିବା ପରଠାରୁ ବଦଳିଯାଇଛି ସ୍ମୃତିରଞ୍ଜନଙ୍କ ଜୀବନଶୈଳୀ ।  ଭିକ୍ଷାବୃତିଠାରୁ ଦୂରେଇ ସେ ଏବେ ଆରମ୍ଭ କରିଛନ୍ତି ନୂଆ ଜୀବନ । ହାତରେ ରଙ୍ଗ ତୂଳୀ ଧରି କାନ୍ଥରେ ଆଙ୍କି ଚାଲିଛନ୍ତି ଭଳିକି ଭଳି ଚିତ୍ର । କେତେବେଳେ ଜଗନ୍ନାଥଙ୍କ ଚକାଡୋଳା ତ ଆଉ କେତେବେଳେ ପଦ୍ମଫୁଲର ଛିଟା କାନ୍ଥବାଡ଼ରେ ପ୍ରସ୍ଫୁଟିତ ହୋଇଉଠୁଛି । ଆଶ୍ରୟସ୍ଥଳୀର କାନ୍ଥରେ ତାଙ୍କର ଅଙ୍କିତ ଚିତ୍ର ଅନ୍ୟ ଅନ୍ତେବାସୀଙ୍କ ପାଇଁ ପ୍ରେରଣା ପାଲଟିଛି । କେବଳ ସେତିକି ନୁହେଁ, ଏବେ ସ୍ମୃତିରଞ୍ଜନ ପୂରା ଆଶ୍ରୟସ୍ଥଳୀରେ ଥିବା ବଗିଚାର ଦାୟିତ୍ୱ ନେଇଛନ୍ତି । ବଗିଚା କାମ ସହିତ ଏବେ ସମିତି ପକ୍ଷରୁ ତାଙ୍କର ଏହି ଦକ୍ଷତାକୁ ଦେଖି ରଙ୍ଗ ଏବଂ ତୂଳୀ ଯୋଗାଇ ଦିଆଯାଇଛି । ଦିନ ଦିନ ଧରି ବସି ସେ ଆଙ୍କିଚାଲିଛନ୍ତି ଅନେକ ସୁନ୍ଦର ଚିତ୍ର । ଏ ସମ୍ପର୍କରେ ସ୍ମୃତିରଞ୍ଜନ କୁହନ୍ତି, ଯେତେବେଳେ ପ୍ରଥମେ ଆଶ୍ରୟସ୍ଥଳୀକୁ ଆସିଥିଲି ବନ୍ଦ କୋଠରୀ ଭିତରେ ଜୀବନ ବିତାଇବା କଷ୍ଟକର ହୋଇପଡ଼ିଥିଲା । ମାତ୍ର ପରିସ୍ଥିତି ବଦଳିବା ସହ ଜୀବନଶୈଳୀରେ ମଧ୍ୟ ପରିବର୍ତନ ହୋଇଛି । ଛୁଆବେଳେ କେବେ ଚିତ୍ର ଆଙ୍କିଥିଲି ସେ କଥା ଏବେ ମନେ ନାହିଁ, କିନ୍ତୁ ଏବେ ଚିତ୍ର ଆଙ୍କିବା ପ୍ରତି ମୋର ମନୋଭାବକୁ ସାକାର ରୂପ ଦେଇଛି ସମିତିି । ତେବେ ଆଗକୁ ଅନ୍ୟ ଆଶ୍ରୟସ୍ଥଳୀକୁ ଯାଇ ଚିତ୍ର ଆଙ୍କିବା ଇଚ୍ଛା ରଖିଛନ୍ତି ସ୍ମୃତିରଞ୍ଜନ

Leave A Reply

Your email address will not be published.

Close Bitnami banner
Bitnami