ମାଟିକୁ ସେ ଦିଅନ୍ତି ଜୀବନ୍ତ ରୂପ । ମାଟିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟର କଥା କୁହନ୍ତି । ଆଉ କେତେବେଳେ ତାଙ୍କ ମାଟି କଥା କହିଥାଏ ଆଧ୍ୟାତ୍ମିକ, ପାରମ୍ପରିକ ଓ ସମସାମୟିକ କାହାଣୀ । ସେ ଆଦିବାସୀ ସଂସ୍କୃତିର କଥା ଅବା ଜଗନ୍ନାଥଙ୍କ ନବକଳେବର କିମ୍ବା ଶ୍ରୀକୃଷ୍ଣଙ୍କ ଲୀଳାର ଗାଥା ସବୁକୁ ସେ ଅତି ନିଖୁଣ ଭାବରେ ମାଟିରେ ପ୍ରସ୍ଫୁଟିତ କରିପାରନ୍ତି । ସେ ହେଉଛନ୍ତି ସରୋଜ କୁମାର ରାଉତ । ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ରହିଛି ତାଙ୍କର ୱାର୍କସପ୍ ।
ମାତ୍ର ତାଙ୍କର ଏହି କଳାକୃତିର ଯାତ୍ରା ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ । ପିଲାବେଳେ ମାଟି କାନ୍ଥରେ ଚିତ୍ର ଆଙ୍କିବାର ସଉକ ଯେ ତାଙ୍କୁ କାରିଗରରେ ପରିଣତ କରିବ, ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ମାତ୍ର ତାହା ବାସ୍ତବରେ ପରିଣତ ହୋଇଛି । ଧୀରେ ଧୀରେ ମାଟିରେ କିଛି ନୂଆ କରି ଦେଖାଇବାର ପ୍ରୟାସ ସରୋଜଙ୍କୁ ପରିଚୟ ଦେଇଛି । ଶ୍ରୀଜଗନ୍ନାଥଙ୍କ ନବକଳେବର ସଂସ୍କୃତିକୁ ମାଟିରେ ରୂପ ଦେବା ପାଇଁ ରଥ ତିଆରି କରିଥିଲେ । ଯେଉଁଥିରେ ସେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ସହିତ ଶ୍ରୀମନ୍ଦିରର ସମସ୍ତ ଦେବାଦେବୀ ଓ ବଡ଼ଦାଣ୍ଡକୁ ସ୍ଥାନିତ କରିଥିଲେ । ଏହାପରେ ଏକ ବିରାଟ ଚକରେ ଶ୍ରୀଜଗନ୍ନାଥଙ୍କର ୩୨ଟି ବେଶକୁ ଦର୍ଶାଇଥିଲେ । କେତେବେଳେ ଦଶବତାର, କାଳିଅ ଦଳନ, ବସ୍ତ୍ର ହରଣ, ତ ଆଉ କେତେବେଳେ ବୋଇତ ବନ୍ଦାଣ ଆଦିର କାହାଣୀକୁ ମାଟିରେ ତିଆରି କରିଛନ୍ତି ।
ବର୍ତମାନ ସମୟରେ ଟେରାକୋଟା ଏବଂ ସେରାମିକ୍ର ଚାହିଦା ଅଧିକ ରହିଥିବାରୁ ସେସବୁକୁ ଏବେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଡଙ୍ଗରିଆ କନ୍ଧଙ୍କ କଳା ସଂସ୍କୃତିକୁ ଗବେଷଣା କରି ସେସବୁକୁ ମଧ୍ୟ ମାଟିରେ ରୂପ ଦେଇଛନ୍ତି । ଡଙ୍ଗରିଆ କନ୍ଧଙ୍କ ବିଭିନ୍ନ ପ୍ରକାର ଚିତ୍ରକୁ ନେଇ ସେରାମିକ୍ କପ୍ ପ୍ଲେଟ୍ ତିଆରି କରିଛନ୍ତି । ସମାଜରୁ ଲୁପ୍ତ ହୋଇଯାଉଥିବା ସଂସ୍କୃତିକୁ ଲୋକାଦୃତ କରିବା ପାଇଁ ୪ ଫୁଟ୍ରେ ଏକ ଚେସ୍ ବୋର୍ଡରେ ସମାଜ ଏବଂ ଡଙ୍ଗରିଆଙ୍କ କଥାକୁ ଅତି ସୁନ୍ଦରଭାବେ ଦର୍ଶାଇଛନ୍ତି । କେନ୍ଦ୍ରାପଡ଼ାରେ ଜନ୍ମଗ୍ରହଣ କରିଥିବା ସରୋଜଙ୍କ ଏହି କଳାକୃତି ପାଇଁ ୨୦୧୬ ମସିହାରେ ତାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ସହିତ ଅନେକ ପ୍ରଶଂସା ମିଳିଛି ।
ସେରାମିକ୍ରେ ଓଡ଼ିଶାର ପ୍ରଥମ ଟେଲିଫୋନ୍, ପ୍ରଥମ ଟ୍ରେନ୍, ବିଭିନ୍ନ ଗାଡ଼ି ମୋଟର ମଡେଲ ଓ ଐତିହାସିକ ସାମଗ୍ରୀ ତିଆରି କରିଛନ୍ତି । ଟେଲିଫୋନ୍ ଭବନରେ ୨୦-୩୦ ପୁରୁଣା ଟେଲିଫୋନ୍ ଦେଖିବା ପରେ ସେରାମିକରେ ମଡେଲ କରି ସେଥିରେ ବିଭିନ୍ନ ପୁରୁଖା ତଥା ବିଶିଷ୍ଟ ବ୍ୟକ୍ତିଙ୍କ କଣ୍ଠସ୍ୱର ମଧ୍ୟ ଦେଇଛନ୍ତି । ଏବେ ଶହେ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସରୋଜ । ସେ କହିଛନ୍ତି, ମାଟି ଜିନିଷକୁ ଲୋକଦୃତ କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏଥିପାଇଁ ସେ ତାଙ୍କର ଚେଷ୍ଟା ଜାରି ରଖିଛନ୍ତି ।