ଗୁଲାମନବୀ ଆଜାଦ ନିକଟରେ କଂଗ୍ରେସ ସହିତ ନିଜର ୫ ଦଶକର ସମ୍ବନ୍ଧ ବିଛେଦ କରିଛନ୍ତି । କଂଗ୍ରେସ ଛାଡିବା ସହିତ ଆଜାଦ ଦଳର ପ୍ରଥମ ଫ୍ୟାମିଲିକୁ କାଠଗଡ଼ାରେ ଛିଡା କରିଛନ୍ତି । ସେ ଦାବି କରିଛନ୍ତି ଯେ, ଦେଶର ସର୍ବପୁରାତନ ଦଳ ସାମଗ୍ରିକ ଭାବେ ନଷ୍ଟ ହୋଇ ସାରିଛି । କଂଗ୍ରେସର ଶୀର୍ଷ ନେତୃତ୍ୱ ଆଭ୍ୟନ୍ତରୀଣ ନିର୍ବାଚନ ନାମରେ କର୍ମୀଙ୍କୁ ଧୋକା ଦେଉଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । କେବଳ ଏତିକିରେ ସେ ଅଟକି ନାହାନ୍ତି ଦଳର ପତନ ପାଇଁ ସେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପିଲାଳିଆମିକୁ ମଧ୍ୟ ଦାୟୀ କରିଛନ୍ତି ।କଂଗ୍ରେସରେ ନିଷ୍ପତି ଏବେରାହୁଲଙ୍କ ସିକ୍ୱିରିଟି ଗାର୍ଡ୍ ନେଉଛନ୍ତି ଓ ସୋନିଆ କେବଳ ନାମକୁ ମାତ୍ର ଦଳର ନେତା ବୋଲି ଆଜାଦ କଟାକ୍ଷ କରିଛନ୍ତି । ଆଜାଦଙ୍କ ଏହି ଅଭିଯୋଗ ପରେ ଦେଶ ବ୍ୟାପୀ ଜୋରଶୋରରେ ଚର୍ଚ୍ଚା ଯେ, କିଏ ସେହି ସିକ୍ୟୁରିଟି ଗାର୍ଡ୍ ଯିଏ ରାହୁଲଙ୍କୁ ପ୍ରଭାବିତ କରୁଛନ୍ତି ।
ରାହୁଲଙ୍କୁ ପ୍ରଭାବିତ କରୁଥିବା ସିକ୍ୟୁରିଟି ଗାର୍ଡ୍ କିଏ ?
ଆଜାଦ ନିଜ ଇସ୍ତଫାପତ୍ରରେ ଯେଉଁ ସିକ୍ୟୁରିଟି ଗାର୍ଡଙ୍କ କଥା ଉଲ୍ଲେଖ କରିଛନ୍ତି ସେହି ବ୍ୟକ୍ତି ଜଣକ କିଏ ? କ’ଣ ପାଇଁ ସେ ଏହି ସିକ୍ୟୁରିଟି ଗାର୍ଡଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓ ରାହୁଲଙ୍କ ମଣ୍ଡଳୀରେ ସାମିଲ ଥିବା ନେତା ସବୁ କିଏ ଯେଉଁମାନଙ୍କୁ ଆଜାଦ ଟାର୍ଗେଟ୍ କରିଛନ୍ତି ? ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ନିଜ ଇସ୍ତଫାପତ୍ରରେ ଆଜାଦ ଯେଉଁ ସିକ୍ୟୁରିଟି ଗାର୍ଡଙ୍କ ଆଡକୁ ଇଂଗିତ କରିଛନ୍ତି ସେ ସମ୍ଭବତଃ ହେଉଛନ୍ତି କେ ବି ବାୟଜୁ । ରିପୋର୍ଟ ଅନୁସାରେ ବାୟଜୁ ପ୍ରଥମେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ଅଙ୍ଗ ଥିଲେ । ରାହୁଲ କଂଗ୍ରେସର ମହାସଚିବ ହେବା ପରେ ବାୟଜୁ ତାଙ୍କ ସୁରକ୍ଷା ଟିମରେ ସାମିଲ ହୋଇଥିଲେ । ବାୟଜୁଙ୍କ ପାଖରେ କଂଗ୍ରେସର କୌଣସି ଔପଚାରିକ ପଦ ନାହିଁ କିନ୍ତୁ ଏସପିଜି ଛାଡିବା ପରେ ସେ ରାହୁଲଙ୍କ ନିକଟତର ହୋଇଥିଲେ ଓ ଦଳରେ ତାଙ୍କ ପ୍ରଭାବ ବଢିଥିଲା । ସିକ୍ୟୁରିଟି ବ୍ୟତିତ ସେ ରାହୁଲଙ୍କ ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି । ଚଳିତ ବର୍ଷ ଆରମ୍ଭରେ ରାହୁଲଙ୍କ ଗୋଆ ଯାତ୍ରା ମଧ୍ୟ ତାଙ୍କ ଦେଖାରଖାରେ ହୋଇଥିଲା । ସେ ମଧ୍ୟ ଭାରତ ଯୋଡୋ ଯାତ୍ରାର ମହତ୍ୱପୂର୍ଣ୍ଣ ଅଂଶ ଥିଲେ ।
ରାହୁଲଙ୍କ ସନ୍ଦେଶ ନେଇ କ୍ୟାପ୍ଟେନଙ୍କ ପାଖକୁ ଯାଇଥିଲେ ବାୟଜୁ
କଂଗ୍ରେସ ନେତାଙ୍କ ଅନୁସାରେ ବାୟଜୁ ରାୟଜୁଙ୍କ ଯାତ୍ରା ମ୍ୟାନେଜ୍ କରିବା କାରଣରୁ ଦଳରେ ଶକ୍ତିଶାଳୀ ହୋଇ ସାରିଲେଣି । ରାହୁଲ କାହାକୁ ଭେଟିବେ,କିଏ କେତେ ସମୟ ରାହୁଲଙ୍କ ସହିତ ରହିବେ ଭଳି ନିଷ୍ପତି ବାୟଜୁ ନେଇଥାନ୍ତି ବୋଲି ଦଳର ନେତା ନାମ ଗୋପନ ରଖିବା ସର୍ତ୍ତରେ କୁହନ୍ତି । କେବଳ ଏତିକି ନୁହେଁ ସେ ମଧ୍ୟ ରାହୁଲଙ୍କ ସହିତ ଷ୍ଟେଜ୍ ସେୟାର କରନ୍ତି । ପଂଜାବରେ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ କାଳରେ ବାୟଜୁ କ୍ୟାପ୍ଟେନଙ୍କ ପାଖକୁ ସନ୍ଦେଶ ନେଇ ଯାଇଥିଲେ ।
ରାଜନୈତିକ ଅଭିଜ୍ଞତା ନଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ
ଆଜାଦ କେବଳ ସିକ୍ୟୁରିଟି ଗାର୍ଡଙ୍କ କଥା କହିନଥିଲେ । ସେ ମଧ୍ୟ ଜଣେ ବ୍ୟକ୍ତିଗତ ସହାୟକଙ୍କ କଥା ଉଠାଇଛନ୍ତି ଯିଏ ରାହୁଲଙ୍କୁ ପ୍ରଭାବିତ କରୁଛନ୍ତି । ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଅଧିକାରୀ ଅଲଙ୍କାର ସବାଇ ସେହି ପିଏ ବୋଲି କୁହାଯାଉଛି । ସବାଇ ରାହୁଲଙ୍କ ରିସର୍ଚ୍ଚ ଟିମରେ ସାମିଲ ଅଛନ୍ତି । ସେ କିଛି ଦିନ ପାଇଁ ରାହୁଲଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ହ୍ୟାଣ୍ଡେଲ କରୁଥିଲେ । ଏହି ସମୟରେ ରାହୁଲ ଅନେକ ବ୍ୟକ୍ତିଙ୍କୁ ଅନଫଲୋ କରିଥିଲେ । ଏହା ସହିତ ରାହୁଲଙ୍କ ଟିମରେ ଥିବା ଅକ୍ସଫୋର୍ଡ ଫେରନ୍ତା କୌଶଲ ବିଦ୍ୟାର୍ଥୀ ମଧ୍ୟ ଆଜାଦଙ୍କ ନିଶାନାରେ ଅଛନ୍ତି । ସେ ରାହୁଲଙ୍କ ଆଧିକାରିକ ସଚିବ । ବିଦ୍ୟାର୍ଥୀ ରାହୁଲଙ୍କ ଦୈନିକ କାର୍ଯ୍ୟ ଦେଖିଥାନ୍ତି । ସେହିଭଳି ସଚୀନ ରାଓ ଯିଏକି ଟ୍ରେନିଂ ଓ ପ୍ରକାଶନ ମେସେଜ୍ ହ୍ୟାଣ୍ଡେଲ କରନ୍ତି ସେ ମଧ୍ୟ ରାହୁଲଙ୍କୁ ପ୍ରଭାବିତ କରୁଥିବା କୁହାଯାଉଛି । ଏହି ସବୁ ବ୍ୟକ୍ତିଙ୍କର ରାଜନୀତି ସହିତ କୌଣସି ସମ୍ପର୍କ ନଥିବାକୁ ନେଇ ଦଳ ଭିତରେ ଅସନ୍ତୋଷ ରହିଛି ।