ପଶ୍ଚିମବଙ୍ଗ ବିଜେପିରେ ରିଭର୍ସ ମାଇଗ୍ରେସନ୍ ର ପଦଧ୍ୱନୀ, ଯେଉଁମାନେ ଆସିଥିଲେ ସେମାନେ ଯିବାକୁ ପେଡିପୁଟୁଳା ବାନ୍ଧୁଛନ୍ତି !

Above Post Content

ବିଜେପି ନେତାମାନେ ଟିଏମସିକୁ ଘର ବାପସୀ”

ପଶ୍ଚିମବଙ୍ଗର ସରକାର ଗଠନ ଲାଗି ବିଜେପି ସ୍ୱପ୍ନ ପାଣିଫୋଟକା ପରି ମିଳେଇ ଗଲା । ଦିଦି ଖେଲା ହୋବେ ବୋଲି କହି ସତସତିକା ଖେଳ କରିଦେଲେ । କିନ୍ତୁ ଲାଗୁଛି ଏବେ ମଧ୍ୟ ଖେଳ ସରିନି । ଏବେ ରାଜ୍ୟ ବିଜେପି ଭିତରେ ଆଉ ଗୋଟିଏ ଖେଳ ହେବାର ସଂକେତ ମିଳିଲାନି । ନିର୍ବାଚନ ପୂର୍ବରୁ ଯେଉଁ ସବୁ ତୃଣମୂଳ ନେତା ବହୁତ ଆଶା ନେଇ ଆସିଥିଲେ ଏବେ ସେମାନେ ପୁଣିଥରେ ପୁରୁଣା ଦଳକୁ ଫେରିବାକୁ ସଜବାଜ ହେଉଛନ୍ତି ବୋଲି ଶୁଣିବାକୁ ମିଳିଲାଣି ।

After 2nd paragraph post ads

ନିର୍ବାଚନ ପୂର୍ବରୁ ତୃଣମୂଳର ୫୦ରୁ ଅଧିକ ନେତା ବିଜେପିରେ ସାମିଲ ହୋଇଥିଲେ । ଏବେ ଏହି ୫୦ଙ୍କ ମଧ୍ୟରୁ ଅନେକ ଯେକୌଣସି ମତେ ଟିଏମସିକୁ ଘର ବାପସୀ ଉଦ୍ୟମ କରୁଛନ୍ତି । ପୁରୁଣା ଦଳକୁ ଯେଉଁ ନେତାମାନେ ଫେରି ପାରନ୍ତି ବୋଲି କୁହାଯାଉଛି ସେମାନଙ୍କ ମଧ୍ୟରେ ମୁକୁଲ ରୟ ଓ ରାଜୀବ ବାନାର୍ଜୀଙ୍କ ଭଳି ନେତାଙ୍କ ନାମ ରହିଛି।  ମୁକୁଲ ବିଜେପିର ଜାତିୟ ଉପସଭାପତି ଅଛନ୍ତି । ଟିଏମସି ଛାଡିଥିବା ବଡ ନେତାଙ୍କ ମଧ୍ୟରୁ ପ୍ରଥମେ ମୁକୁଲ ହିଁ ପଦ୍ମ ଧରିଥିଲେ । ୨୦୧୮ ପଂଚାୟତ ନିର୍ବାଚନରେ ବିଜେପିକୁ ଏକ ଶକ୍ତି ଭାବେ ଛିଡା କରାଇବାରେ ତାଙ୍କ ଭୂମିକା ଥିଲା । ଏଥରକ ସେ କୃଷ୍ଣନଗର ଉତ୍ତର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ ମଧ୍ୟ । କିନ୍ତୁ ଶୁଣିବାକୁ ମିଳୁଛି ଯେ, ବିଜେପି ସରକାର ଗଠନ କରି ପାରିନଥିବାରୁ ତାଙ୍କ ମୋହଭଙ୍ଗ ହୋଇଛି ଓ ସେ ବିଜେପିକୁ ବାୟ ବାୟ କହି ଟିଏମସିକୁ ଯିବାକୁ ଟ୍ରାକ୍ ଟୁ ଉଦ୍ୟମ ଆରମ୍ଭ କରିଛନ୍ତି । ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟଙ୍କ ଗୋଟିଏ ଫେସବୁକ୍ ପୋଷ୍ଟ୍ ପରେ ଏହି ଅନୁମାନ କରାଯାଉଛି । ଶୁଭ୍ରାଂଶୁ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ନିର୍ବାଚିତ ସରକାରକୁ ସମାଲୋଚନା କରିବା ବଦଳରେ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି । ତାଙ୍କର ଏହି ପୋଷ୍ଟ ବିଜେପି ମଧ୍ୟରେ ଝଡ଼ ସୃଷ୍ଟି କରିଥିଲା । ତେବେ ଶୁଭ୍ରାଂଶୁ ପରେ ପୋଷ୍ଟକୁ ହଟାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଶୁଭ୍ରାଂଶୁ ବିଜପୁର ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢି ପରାସ୍ତ ହୋଇଛନ୍ତି ।

ଟିଏମସିରୁ ଆସିଥିଲେ ୩୪ ବିଧାୟକ, ମିଳିଥିଲା ୧୩ଙ୍କୁ ଟିକେଟ୍

Middle post content

ନିର୍ବାଚନ ପୂର୍ବରୁ ଟିଏମସିରୁ ୩୪ ଜଣ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୧୩ ଜଣଙ୍କୁ ଟିକେଟ୍ ମିଳିଥିଲା । ରାଜନୈତିକ ବିଶ୍ଲେଷକଙ୍କ କହିବା ହେଉଛି, ଭାରତରେ ପଶ୍ଚିମବଙ୍ଗ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଲୋକଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ରାଜନୀତି ସହ ଜଡିତ । ପାୱାର ପଲିଟିକ୍ସି ଏଠାରେ ଜୀବନର ଅଙ୍ଗ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପାୱାର ପଲିଟିକ୍ସର ପ୍ରଭାବ ରହିଥାଏ । କ୍ଷମତାରେ ଥିବା ଦଳର ରାଜନୈତିକ ଦଳ ହିଁ ସାମାଜିକ ସୁରକ୍ଷା ଦେଇ ପାରିଥାଏ । ପଶ୍ଚିମବଙ୍ଗରେ କ୍ଷମତାଧାରୀ ରାଜନୈତିକ ଦଳର ବିନା ସହମତିରେ କିଛି ମଧ୍ୟ ହୋଇ ନଥାଏ । ବିରୋଧି ଦଳରେ ଏହି ରାଜ୍ୟରେ କୌଣସି ଭୂମିକା ନଥାଏ । ଏହି ରାଜନୈତିକ ସଂସ୍କୃତି ପଶ୍ଚିମବଙ୍ଗରେ ଢେର ପୁରୁଣା । ଏହି କାରଣରୁ ବିଜେପି ଆସିଥିବା ପୁରୁଣା ଟିଏମସି ନେତା ଏବେ ଫେରିବାକୁ ଚାହୁଁଛନ୍ତି ।

ଟିଏମସି କହିଲା ବିଜେପିର ଚାଲ

ତେବେ ଟିଏମସି ନେତା କହୁଛନ୍ତି ଏହା ବିଜେପିର ଚାଲ । ବିଜେପି କିଛି ନେତାଙ୍କୁ ପୁଣିଥରେ ଟିଏମସିକୁ ପଠାଇ ବିଭ୍ରାଟ ସୃଷ୍ଟି କରିବାକୁ ଚାହୁଁଛି । ଟିଏମସି ସାଂସଦ ଶୁଖେନ୍ଦୁ ଶେଖର ରାୟଙ୍କ କହିବା ହେଉଛି ୫ ଜୁନରେ ହେବାକୁ ଥିବା ବୈଠକରେ ଏନେଇ କୌଣସି ନିଷ୍ପତି ନିଆଯିବ । ଯେଉଁମାନେ ଦଳକୁ ପୁଣିଥରେ ଫେରିବାକୁ ଚାହୁଁଛନ୍ତି ସେମାନେ କ’ଣ ପାଇଁ ଫେରିବାକୁ ଚାହୁଁଛନ୍ତି ସେ ବାବଦରେ ତଦନ୍ତ ହେବ । ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନେ କ’ଣପାଇଁ ଯାଇଥିଲେ ଆଗ ସେହି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ବିଜେପିର ଷଡ଼ଯନ୍ତ୍ର କି ନୁହେଁ ତାହା ମଧ୍ୟ ଆମେ ଦେଖିବୁ । ବିଜେପି ଏହି ନେତାମାନଙ୍କୁ ଦଳ ଭିତରକୁ ଜାଣିଶୁଣି ପଠାଉନି ତ’ ? ଏସବୁର ଉତ୍ତର ମିଳିଲା ପରେ ହିଁ ଆମେ କୌଣସି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି ।

ସରଳା ମୁର୍ମୁ, ପୂର୍ବତନ ବିଧାୟକ ସୋନାଲି ଗୁହା ଓ ଫୁଟବଲ ଖେଳାଳୀ ଦିପେନ୍ଦୁ ବିଶ୍ୱାସଙ୍କ ଭଳି ବିଜେପିରେ ସାମିଲ ହୋଇଥିବା ନେତା ତ ଖୋଲାଖୋଲି ଫେରିବା ଇଛା ବ୍ୟକ୍ତ କରିସାରିଲେଣି । ସରଳା ମୁର୍ମୁଙ୍କୁ ଟିଏମସି ଟିକେଟ୍ ଦେଇଥିଲା କିନ୍ତୁ ସେ ଦଳ ଛାଡି ଦେଇଥିଲେ । ଏବେ ପୁଣି ଘରକୁ ଫେରିବାକୁ ଚାହୁଁଛନ୍ତି । ସୋନାଲି ଗୁହାଁ ତ ପତ୍ର ଲେଖି ମମତାଙ୍କୁ କ୍ଷମା ମାଗି ସାରିଲେଣି । ମାଛ ଯେମିତି ପାଣି ବିନା ରହି ପାରିବ ନାହିଁ ସେମିତି ମୁଁ ଆପଣଙ୍କ ବିନା ରହି ପାରିବିନାହିଁ ବୋଲି ସୋନାଲି ଚିଠିରେ ଲେଖିଛନ୍ତି । ଦିଦି ତାଙ୍କୁ ଦଳକୁ ଫେରାଇ ନେବେ କି ନାହିଁ ତାହା ତ ପରକଥା କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ବିଜେପିର ରିଭର୍ସ ମାଇଗ୍ରେସନ୍ ଆରମ୍ଭର ସଂକେତ ମିଳିଲାନି । ହୁଏତ,ଏହା ଆଉ  ଏକ ଖେଳର ସଂକେତ ।

Below Post Content
Scroll to Top
Close Bitnami banner
Bitnami