ବିକାଶର କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଅଚ୍ଛେଦିନ୍ ସାଧାରଣ ଜନତାଙ୍କୁ କନ୍ଦାଇଲାଣି। ଥମୁନି ତେଲ ତାତି, କମୁନି ଦର। ଅତ୍ୟାବଶ୍ୟକ ସାମଗ୍ରୀ, ତୈଳ ଦର, ଏଲ୍ପିଜି ଦର ହୁ ହୁ ହୋଇ ବଢ଼଼ି ଚାଲିଛି। ଦରଦାମ ବୃଦ୍ଧି ଯୋଗୁଁ ଦେଶବାସୀ ଆଜି ଆର୍ତ୍ତଚିତ୍କାର କଲେଣି ହେଲେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପେଟ୍ରୋଲ-ଡିଜେଲ ଦର। ବିଗାଡ଼ି ଦେଇଛି ମଧ୍ୟବିତ୍ତଙ୍କ ମାସିକ ବଜେଟ୍। ବେଲଗାମ ତୈଳ ଦର ବୃଦ୍ଧି କଲବଲ କରୁଥିବା ବେଳେ ଏବେ ଉଗ୍ରରୂପ ନେବାରେ ଲାଗିଛି ଜନଅସନ୍ତୋଷ।
ମହଙ୍ଗା ମାଡ଼ରୁ ମିଳୁନି ନିସ୍ତାର। ସାଧାରଣ ଖାଉଟି ଦର ବୃଦ୍ଧି ନେଇ ଅସହ୍ୟ ହେଲେଣି, ହେଲେ କେନ୍ଦ୍ର ସରକାର ଏ ଦିଗରେ ବେଫିକର୍। ଦରଦାମ ବୃଦ୍ଧି କରି ଜନତାଙ୍କୁ ଶୋଷଣ କରିବା କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ ପାଲଟିଛି। ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ କୌଣସି ତତ୍ପରତା ପ୍ରକାଶ କରୁ ନାହାନ୍ତି କି କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। ଓଲଟି ପ୍ରଥମେ କରୋନା ବାହାନାରେ ମୂଲ୍ୟ ବୃଦ୍ଧିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଉଥିଲେ। ଏବେ କରୋନା ହ୍ରାସ ପାଉଥିବା ବେଳେ ଦର ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ଘଟି ଚାଲିଛି। ଦର ବୃଦ୍ଧି ନିୟନ୍ତ୍ରଣ କରିବା କେନ୍ଦ୍ର ସରକାର ମୂଲ୍ୟ ବୃଦ୍ଧି ପାଇଁ ବିଭିନ୍ନ ଉପାୟ ବାହାର କରୁଛନ୍ତି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ମହଙ୍ଗା ହୋଇଛି। ଗତ ୧୧ ମାସରେ ଘରୋଇ ବଜାରରେ ରନ୍ଧନ ଗ୍ୟାସ ମୂଲ୍ୟରେ ୧୦ ଥରରେ ୨୦୦ ଟଙ୍କାରୁ ଅଧିକ ବୃଦ୍ଧି ଘଟି ଦର ହଜାରେ ଟଙ୍କା ଛୁଇଁଲାଣି। ଗ୍ୟାସ୍ ଦର ବୃଦ୍ଧି ଗୃହିଣୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ପରିବାର ପ୍ରତିପୋଷଣ ପାଇଁ ଲୋକମାନେ ନାହିଁନଥିବା ହିନସ୍ତା ହେଉଛନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ ଗୋଟିଏ ପରେ ଗୋଟିଏ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସାଜିଛି।
ପେଟ୍ରୋଲ ଏବଂ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ଏବଂ ଡିଜେଲର ମୁଦ୍ରାସ୍ଫୀତି ସାରା ଦେଶରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ତେଲ ଉପରେ ବାରମ୍ବାର ଉତ୍ପାଦ ଶୁଳ୍କ ଲାଗୁ କରି କେନ୍ଦ୍ର ସରକାର ସାଧାରଣ ଲୋକଙ୍କଠାରୁ ୧୧ ଲକ୍ଷ କୋଟି ଲୁଟିଲେଣି। କେନ୍ଦ୍ର ସରକାର ଏହି ଅତ୍ୟଧିକ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ କରି ଦର ବୃଦ୍ଧିକୁ ରୋକିପାରିବେ ମାତ୍ର ମିଛରେ ରାଜ୍ୟ ସରକାରଙ୍କୁ ଦୋଷ ଦେଇ ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି।
ଗତ ୭ ବର୍ଷରେ ପେଟ୍ରୋଲିୟମ୍ ସାମଗ୍ରୀରୁ କେନ୍ଦ୍ର ସରକାର ଯେତିକି ଆୟ କରିଛନ୍ତି ତାହା କର୍ପୋରେଟ ଟିକସ ଓ ଆୟକର ଆଦାୟରୁ ବଳି ଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଭିତ୍ତିଭୂମି ସେସ୍ ବାଦବରେ ପେଟ୍ରାଲ ଓ ଡିଜେଲରୁ ୧୮ ଟଙ୍କା, କୃଷି ସେସ୍ ବାବଦରେ ଉଭୟ ଉତ୍ପାଦରୁ ୨.୫୦ ଟଙ୍କା ଆଦାୟ କରୁଛନ୍ତି ଯେଉଁଥିରୁ ରାଜ୍ୟ ସରକାର ପଇସାଟିଏ ମଧ୍ୟ ପାଉନାହାଁନ୍ତି। ୨୦୨୦-୨୧ରେ କେନ୍ଦ୍ର ସରକାର ୩୭୮୦୬.୯୬ କୋଟି ଟଙ୍କା ବର୍ହିଶୁଳ୍କ ଆଦାୟ କରିଛନ୍ତି। ଦେଶରୁ ପେଟ୍ରୋଲିୟମ୍ ସାମଗ୍ରୀରୁ ୪.୧୩ ଲକ୍ଷ କୋଟି ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦାୟ କରିଛନ୍ତି ।
୨୦୧୪ରେ ଅଶୋଧିତ ଇନ୍ଧନ ମୂଲ୍ୟ ବ୍ୟାରେଲ ପିଛା ୧୪୦ ଡ଼ଲାର ଥିବାବେଳେ ପେଟ୍ରୋଲ ମୂଲ୍ୟ ୭୧.୫୨ ପଇସା ଓ ଡିଜେଲ ମୂଲ୍ୟ ୫୩.୭୮ ପଇସା ଥିଲା, ୭ ବର୍ଷରେ ପେଟ୍ରୋଲ ଦର ୧୧୪ ଟପିଲାଣି। ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୪୬% ଅଧିକ ଟିକସ ପେଟ୍ରୋଲିୟମ ସାମଗ୍ରୀରୁ ବିଭିନ୍ନ ବାବଦରେ ଆୟ କରିଛନ୍ତି। ୨୦୧୪ ଅନୁପାତରେ ତେଲ ଦର ୪୦% କମ୍ ଥିବାବେଳେ ପେଟ୍ରୋଲ ମୂଲ୍ୟ ୬୫% ଓ ଡିଜେଲ ମୂଲ୍ୟ ୭୦% ବୃଦ୍ଧି ପାଇଲାଣି। ଏ କ’ଣ କେନ୍ଦ୍ର ସରକାରଙ୍କର ଅଚ୍ଛେଦିନ୍???
ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ି ବଢ଼ି ପେଟ୍ରୋଲ ଏବେ ଲିଟର ପିଛା ୧୨୧ ଟଙ୍କା ଟପିଯାଇଛି। ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ୧୦୦ ଟଙ୍କା ଅତିକ୍ରମ କରିଛି। କେବଳ ଅକ୍ଟୋବରରେ ପେଟ୍ରୋଲ ଦର ୨୪ ଥର ବୃଦ୍ଧି ପାଇଛି। ଏହି ସମୟରେ ଘରୋଇ ବଜାରରେ ପେଟ୍ରୋଲ ୭ ଟଙ୍କା ୭୦ ପଇସା ଏବଂ ଡିଜେଲ ୮ ଟଙ୍କା ୨୦ ପଇସା ବଢ଼ିଛି।
ଅନ୍ୟପଟେ ଗ୍ୟାସର ଦର କ୍ରମାଗତ ଭାବେ ବଢ଼ି ଚାଲିଛି। ଖାଇବା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାଣି। ପେଟ୍ରୋଲ, ଡିଜେଲ ଦର ଆଗାମୀ ଦିନରେ ଆହୁରି ମହଙ୍ଗା ହେବ ବୋଲି ଆଶଙ୍କା। ତୈଳ ଦର ନିୟନ୍ତ୍ରଣରେ କେନ୍ଦ୍ରସରକାର ବିଫଳ ହୋଇଥିବା ବେଳେ ଆଗକୁ ଏପରି ଦର ବୃଦ୍ଧି ହେଲେ ବିଷମ ସଙ୍କଟ ସୃଷ୍ଟି ହେବ। ହେଲେ କେନ୍ଦ୍ର ସରକାରଙ୍କର ଏ ଦିଗରେ ନିଘା ନାହିଁ। ସରକାର ଟିକସ ଆଦାୟରେ ମାତିଛନ୍ତି। ଆଉ ଅଚ୍ଛେଦିନ୍ର ନାରା ଲାଗାଉଛନ୍ତି। ଏ କ’ଣ ଅଚ୍ଛେଦିନ୍???