ଟଙ୍କା ହିଁ ଟଙ୍କା ତିଆରି କରେ । ସଠିକ ସମୟରେ ନିବେଶ ଦେଇଥାଏ ଭଲ ରିଟର୍ଣ୍ଣ । ତେବେ ନିବେଶ ପୂର୍ବରୁ ଆମ ମନକୁ ଅନେକ ପ୍ରଶ୍ନ ଆସିଥାଏ । କେଉଁଠି ନିବେଶ କରିବୁ ? ସରକାରୀ ବଣ୍ଡରେ ନା ମ୍ୟୁଚୁଆଲ ଫଣ୍ଡରେ ନା ସିଧାସଳଖ ସେୟାର ମାର୍କେଟରେ । ଏମିତି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ । ଆମ ମଧ୍ୟରୁ କିଛି ନିଜ ବନ୍ଧୁମାନଙ୍କ ପରାମର୍ଶରେ ନିବେଶ କରିଥାଉ । ଅମୁକ ବ୍ୟକ୍ତି ସମୁକ ଫଣ୍ଡରେ ନିବେଶ କରି ଭଲ ରିଟର୍ଣ୍ଣ ପାଇଛନ୍ତି । ଏଭଳି ଶୁଣି ଆମେ ନିବେଶ କରିଥାଉ । କିଛି ପ୍ରଶ୍ନ ନା ବନ୍ଧୁଙ୍କୁ କରିଥାଉ ନା ନିଜକୁ ନିଜେ ପଚାରିଥାଉ । ଯଦି ଆପଣ ମଧ୍ୟ ସେମିତି ଅନ୍ୟମାନଙ୍କ ପରାମର୍ଶରେ କୌଣସି ପ୍ରଶ୍ନ ନକରି ନିବେଶ କରୁଛନ୍ତି ତେବେ ଭୁଲ କରୁଛନ୍ତି । ପ୍ରଥମେ ପ୍ରଶ୍ନ କରନ୍ତୁ । ଉତ୍ତର ପାଇ ଦେଖନ୍ତୁ ଯେ, ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ କି ନାହିଁ । ତା’ପରେ ନିବେଶ କରନ୍ତୁ । ଗୋଟିଏ ବାକ୍ୟରେ ନିବେଶ ପୂର୍ବରୁ ପ୍ରଶ୍ନ କରିବା ଓ ସନ୍ଦେହ କରିବା ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ ।
ଆର୍ଥିକ ଉତ୍ପାଦ ବିକ୍ରିକାରୀଙ୍କୁ ସବୁବେଳେ ସନ୍ଦେହ କରନ୍ତୁ
ଆପଣଙ୍କୁ ଯଦି କେହି କୌଣସି ଆର୍ଥିକ ଉତ୍ପାଦ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି ତେବେ ମନେ ରଖନ୍ତୁ ସେ ସବୁବେଳେ କିଛି ନା କିଛି ଲୁଚାନ୍ତି । ଏମିତିକି ଆପଣଙ୍କୁ ଭୁଲ ତଥ୍ୟ ଦେବାର ମଧ୍ୟ ଆଶଙ୍କା ରହିଛି । ତେଣୁ ସନ୍ଦେହ କରନ୍ତୁ । ମାନିକରି ଚାଲନ୍ତୁ ଯେ, ସେ ଆପଣଙ୍କୁ ଯାହା କହିବେ ତା’ମଧ୍ୟରୁ 90ରୁ 95 ପ୍ରତିଶତ କଥା ସତ । ବାକି 5 ପ୍ରତିଶତ ମିଛ କିମ୍ବା ଅର୍ଧସତ୍ୟ ବୋଲି ଧରି ନିଅନ୍ତୁ । ତେଣୁ ଭଲ ହେବ ଆପଣ ଖରାପରୁ ଖରାପ ସ୍ଥିତି ବିଶୟରେ କଳ୍ପନା କରି ଚାଲନ୍ତୁ । ଆର୍ଥିକ ସେବାକୁ ଯାହା ଅନ୍ୟ ସେବାଠାରୁ ଅଲଗା କରେ ତାହା ହେଉଛି ଏହା ଟଙ୍କା ସହ ସଂପର୍କିତ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏଥିରେ ଟଙ୍କା ହିଁ ମୁଖ୍ୟ ପ୍ରସଙ୍ଗ । କୌଣସି ଆର୍ଥିକ ଉତ୍ପାଦରୁ ଯେମିତି କଂପାନି ଅଧିକ ଲାଭାନ୍ୱିତ ହେବ ତାହା ସବୁବେଳେ ସେହି କଂପାନିର ଲକ୍ଷ୍ୟ ହୋଇଥାଏ । ତେଣୁ ଆପଣ ନିବେଶ ପୂର୍ବରୁ ଆକଳନ କରନ୍ତୁ ଆପଣ କେତେ ଲାଭ ପାଇବେ । ତା’ପରେ ନିଷ୍ପତି ନିଅନ୍ତୁ ।
ଧରି ନିଅନ୍ତୁ ଆପଣ ଗୋଟିଏ ମିଡ୍ ସେଗମେଣ୍ଟ କାର କିଣିବାକୁ ଚାହୁଁଛନ୍ତି । ଆପଣଙ୍କୁ ଏଥିରେ ଅନେକ ପ୍ରକାରର ବିକଳ୍ପ ମିଳିବ । ଆପଣ ଟାଟା ମୋଟର୍ସର କାର 8 ଲକ୍ଷ ଟଙ୍କାରେ କିମ୍ବା ମାରୁତି କାର 10 ଲକ୍ଷ ଟଙ୍କାରେ କିଣି ପାରିବେ । କିମ୍ବା ଆପଣ ମର୍ସିଡିସ୍ 50 ଲକ୍ଷରେ କିଣି ପାରିବେ । ତେବେ କଣ ଟାଟା ମୋଟର୍ସକୁ ଛାଡି କରି ବାକି ସବୁ କଂପାନି ଆପଣଙ୍କଠାରୁ ଅଧିକ ଟଙ୍କା ନେଉଛନ୍ତି କି ? ଏହାର ଉତ୍ତର ହେଉଛି ନାହିଁ । ଏହି ସବୁ କଂପାନିଙ୍କ ଡିଲ୍ ବିଲକୁଲ ପାରଦର୍ଶୀ । ସେମାନେ କିଛି ଅଧିକ ଅର୍ଥ ବଦଳରେ ଅଧିକ କିଛି ଦେଉଛନ୍ତି ।
ଆର୍ଥିକ ସେବାର ଭିନ୍ନତା କଣ ?
କିନ୍ତୁ ଆର୍ଥିକ ସେବା ମାମଲାରେ ଏଭଳି ହୁଏନା । ଏଥିରେ ଟଙ୍କା ସର୍କ୍ୟୁଲେଟ୍ ହୋଇଥାଏ । ଯେତେବେଳେ ଆପଣ ଟଙ୍କା ଖର୍ଚ୍ଚ କରନ୍ତି ସେତେବେଳେ ସେହି ଟଙ୍କାକୁ ପ୍ରଡକ୍ଚକୁ ଅଧିକ ଉତ୍ତମ କରିବାକୁ ସେଥିରେ ଖର୍ଚ୍ଚ କରା ଯାଇଥାଏ । କିନ୍ତୁ ଯେହେତୁ ଉତ୍ପାଦ ନିଜେ ଅର୍ଥ ସୃଷ୍ଟିର ମାଧ୍ୟମ ହୋଇଥାଏ,ତେଣୁ ସେଥିରୁ କିଛି ଆପଣଙ୍କୁ ମିଳିଥାଏ । କିଛି ଭାଗ ବିକ୍ରେତାଙ୍କ ଖର୍ଚ୍ଚ,ଲାଭ ଓ କମିଶନ ପାଇଁ ରଖାଯାଏ । ଏହିଭଳି ଭାବେ ମୋବାଇଲ କିମ୍ବା ଡେସ୍ କିଣିବା ତୁଳନାରେ ଆର୍ଥିକ ଉତ୍ପାଦର କ୍ରୟବିକ୍ର ଭିନ୍ନ ଧରଣର ଖେଳ ହୋଇଥାଏ ।
ଲାଭର ଖେଳ
ସାଧରାଣତଃ ଗ୍ରାହକ ଏହି ଫରକକୁ ବୁଝି ପାରିନଥାନ୍ତି । କୌଣସି ଆର୍ଥିକ ଉତ୍ପାଦ ବିକ୍ରି କରୁଥିବା ଗୋଟିଏ କଂପାନି ସେତିକି ବେଳେ ଅଧିକ ଲାଭ କରିବ ଯେତେବେଳେ ତାହା ଆପଣଙ୍କୁ କମ ଲାଭ ଦେବ । ଅର୍ଥାତ ଆପଣଙ୍କ ଭାଗର ଲାଭ କମ ହେଲେ କଂପାନିକୁ ଫାଇଦା ଅଧିକ ମିଳିବ । ଏହା ଯେକୌଣସି ରୁପରେ ହୋଇପାରେ । ଯେମିତିକି ଦରମା କମ କରି କିମ୍ବା କମ୍ ଲାଭାଂଶ ଦେଇ କଂପାନି ଅଧିକ ଲାଭ ଅମଳ କରିପାରିବ । ମୋଟାମୋଟି ଭାବେ ଆପଣଙ୍କ ଟଙ୍କାକୁ ନେଇ କଂପାନି ବ୍ୟବସାୟ କରେ । ଆପଣଙ୍କ ଟଙ୍କା ହିଁ ଆପଣଙ୍କ ଲାଭ ଦେଇଥାଏ । ସୈଦ୍ଧାନ୍ତିକ ଭାବେ କହିଲେ,ସବୁ ଆର୍ଥିକ ଉତ୍ପାଦ ଗୋଟିଏ ଶୈଳିରେ କାମ କରିନଥାନ୍ତି । ତେଣୁ କେହି ଆପଣଙ୍କ ଅର୍ଥର ସୁରକ୍ଷା କରିବ ଏହି ଭ୍ରମରୁ ମୁକୁଳିଯିବା ବା ଦୁରେଇ ରହିବା ହିଁ ଭଲ ଉପାୟ । ଏଭଳି ପ୍ରଡକ୍ଟ ବିକ୍ରି ବେଳେ ଯେଉଁଭଳି ଭାବେ ମିଛ ସତ କୁହାଯାଉଛି ତା’ ଉପରେ ଅଂକୁଶ ଲଗାଇବାରେ ଭାରତୀୟ ରେଗୁଲେଟର୍ସ ମାନେ ସେତେଟା ସଫଲ ନୁହନ୍ତି । ତେଣୁ ନିଜେ ସତର୍କ ହୁଅନ୍ତୁ ।
ତେବେ ରାସ୍ତା କଣ?
ସଂଚୟ ଓ ନିବେଶର ସଠିକ ବିକଳ୍ପ ବାଛିବା ହିଁ ଏକମାତ୍ର ଉପାୟ । କୌଣସି ପ୍ରକାରର ନିବେଶ କରିବା ଆଗରୁ କଂପାନି ଓ ପ୍ରଡକ୍ଟ ବାବଦରେ ଯେତେ ସମ୍ଭବ ସେତେ ଅଧିକ ସୂଚନା ଏକାଠି କରନ୍ତୁ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନହୋଇ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ । ରିସର୍ଚ୍ଚ କରନ୍ତୁ,ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଓ ନିବେଶ କରନ୍ତୁ । ସବୁଠୁ ବଡ କଥା, ସବୁବେଳେ ସନ୍ଦେହ କରନ୍ତୁ । ପ୍ରଶ୍ନ କରନ୍ତୁ । ମନେ ପକାନ୍ତୁ ଟାଟା ସ୍କାଏର ସେଇ ବିଜ୍ଞାପନକୁ ଯେଉଁଥିରେ ଉପଭୋକ୍ତା କହୁଛି ‘‘ପଚାରିବାରେ ଅସୁବିଧା କଣ ?’’ ତେଣୁ ପ୍ରଶ୍ନ ପଚାରନ୍ତୁ କାରଣ ପୁଂଜି ଆପଣଙ୍କର ଓ ଡୁବିବ ଯଦି ଆପଣଙ୍କର ହିଁ ଡୁବିବ ।