ଚାରା ରୋପଣ ହେଉ ଅବା ବନୀକରଣ ସେଥିପାଇଁ ସେ ସବୁବେଳେ ତତ୍ପର । ଯେତେବେଳେ ବନୀକରଣ ବା ଚାରା ରୋପଣର କଥା ଉଠେ, ତାଙ୍କର ନିଆରା ଢ଼ଙ୍ଗର ଚାରା ରୋପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ବିହନ ପିଣ୍ଡୁଳାରୁ ସେ କରିଛନ୍ତି ବନୀକରଣର ବିକଳ୍ପ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଉଜୁଡ଼ି ଯାଉଥିବା ସବୁଜିମାକୁ ଫେରାଇ ଆଣିବା ପାଇଁ ତାଙ୍କର ନିଆରା ପ୍ରୟାସ । କେତେବେଳେ ବିହନ ପିଣ୍ଡୁଳାରେ ସାମାଜିକ ବାର୍ତା ତ ଆଉ କେତେବେଳେ କୁନିକୁନି ପିଲାଙ୍କୁ ବିହନ ପିଣ୍ଡୁଳାର ତାଲିମ । ସେ ହେଉଛନ୍ତି ପରିବେଶବିତ୍ ସୁଶାନ୍ତ ସାହୁ ।
ସୁଶାନ୍ତଙ୍କର ଏହି ବନୀକରଣ ଆନ୍ଦୋଳନ ୨୦୧୯ ମସିହାରୁ । ରାଜଧାନୀ ଭୁବନେଶ୍ୱର ଆଖପାଖରେ ରହିଥିବା ଚନ୍ଦକା ଜଙ୍ଗଲ, ଭରତପୁର ସଂରକ୍ଷିତ ଜଙ୍ଗଲ ଏବଂ ଘଙ୍ଗାପାଟଣା ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ୨ ବର୍ଷ ହେବ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଦିନ ଦିନ ଧରି ବସି ବିହନ ପିଣ୍ଡୁଳା ପ୍ରସ୍ତୁତ କରି ଖାଲି ସ୍ଥାନକୁ ନିକ୍ଷେପ କରି ସେ ଅନେକ ଗଛ ସୃଷ୍ଟି କରିପାରିଛନ୍ତି । ୨ ବର୍ଷ ମଧ୍ୟରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ବିହନ ପିଣ୍ଡୁଳା ପ୍ରସ୍ତୁତ କରି ଜଙ୍ଗଲ ମଧ୍ୟକୁ ନିକ୍ଷେପ କରିଛନ୍ତି । ସେଥିରେ ରହିଛି ତେନ୍ତୁଳି ଓ ପଣସ । ଯାହାକି ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ସହ ପରିବେଶ ସନ୍ତୁଳନରେ ବେଶ ସହାୟକ ହେବ । ବିହନ ପିଣ୍ଡୁଳାକୁ ନେଇ ଲୋକଙ୍କ ସଚେତନତା ପାଇଁ ବିଭିନ୍ନ ପର୍ବପର୍ବାଣୀ ଦିବସରେ ଜନସଚେତନତା ସୃଷ୍ଟି କରିବାରେ ସେ ପ୍ରୟାସ ଜାରି ରଖିଛନ୍ତି । ଏହି ପ୍ରଭାବୀ ବନୀକରଣ ପାଇଁ ସେ ବିଭିନ୍ନ ସ୍ଥାନରେ ସଚେତନତା ମଧ୍ୟ କରୁଛନ୍ତି । କିଛି ଲୋକ ତାଙ୍କୁ ‘ସିଡ୍ବଲ୍ ମ୍ୟାନ୍’ ଆଖ୍ୟା ମଧ୍ୟ ଦେଇଛନ୍ତି । ଏ ସମ୍ପର୍କରେ ସୁଶାନ୍ତ କହନ୍ତି ଚାରା ରୋପଣରେ ଆମକୁ ଅଧିକ ସମୟ ଏବଂ ଅଧିକ ଖର୍ଚ୍ଚ ଲାଗିଥାଏ । ବିହନ ପିଣ୍ଡୁଳା ହେଉଛି ଚାରା ରୋପଣର ଏକ ସହଜ ଉପାୟ । ସ୍ୱଳ୍ପ ସମୟ ଏବଂ ସ୍ୱଳ୍ପ ଖର୍ଚ୍ଚରେ ପ୍ରଭାବୀ ବନୀକରଣ ହୋଇଥାଏ । ଏହି କୌଶଳକୁ ଅନେକ ପାଶ୍ଚାତ୍ୟ ଦେଶ ମଧ୍ୟ ଆପଣେଇଲେଣି ।