ହୁହୁ ହୋଇ ବଢିଚାଲିଥିବା ଦରଦାମ ଭିତରେ ମୌସୁମୀର ଅଜବ ବ୍ୟବହାର ଭାରତକୁ ଡରାଇ ସାରିଲାଣି । ମୌସୁମୀ ଆସିବା ପରେ ଲାଗୁଛି ଏହା ବାକି ଭାରତକୁ ଭୁଲି ଯାଇ କେବଳ ଉତ୍ତର ଭାରତ ଉପରେ ବର୍ଷୁଛି । ଉତ୍ତର ଭାରତରେ ଏଭଳି ଭୀଷଣ ବର୍ଷା ଯେ 50 ବର୍ଷରେ ରେକର୍ଡ୍ ପାଣିରେ ବୋହି ଗଲାଣି । ଉତ୍ତରାଖଣ୍ଡ,ହିମାଚଳ ପ୍ରଦେଶ ଭଳି ପାହାଡି ରାଜ୍ୟରେ ବନ୍ୟା ଆତଙ୍କ ସୃଷ୍ଟି କରିଛି । ଏଭଳି ବର୍ଷା 2013 ଉତ୍ତରାଖଣ୍ଡ ବନ୍ୟାର ଭୟ ସୃଷ୍ଟି କରିଛି । ଉତ୍ତରାଖଣ୍ଡ ସରକାର କେଦାରନାଥ ଯାତ୍ରାକୁ ସ୍ଥଗୀତ ରଖିଛନ୍ତି । ଦିଲ୍ଲୀ,ହରିଆନା,ପଂଜାବ ଓ ରାଜସ୍ଥାନ ଏଭଳି ଗୋଟିଏ ରାଜ୍ୟ ନାହିଁ ଯେଉଠି ଇନ୍ଦ୍ରଙ୍କ କୃପାରୁ ବର୍ଷା ହେଉନି । କିନ୍ତୁ ଲାଗୁଛି ବର୍ଷା ଦେବତା ବାକି ଭାରତକୁ ଭୁଲି ଯାଇଛନ୍ତି । ଯାହାର ପରିଣାମ ହେଉଛି ଉତ୍ତର ଭାରତରେ ପ୍ରଚୁର ବର୍ଷା ଦକ୍ଷୀଣ ଓ ପୂର୍ବ ଭାରତର ଚାଷୀ ଆକାଶକୁ ଉଣ୍ଡି ବସିଛନ୍ତି ।
ତେଲେଙ୍ଗାନରେ 65 ପ୍ରତିଶତ କମ ବୃଷ୍ଟି
ତେଲେଙ୍ଗାନା ଭଳି ରାଜ୍ୟରେ ଚଳିତ ବର୍ଷ 65 ପ୍ରତିଶତ କମ ବୃଷ୍ଟି ହୋଇଛି ।ରାଜ୍ୟରେ ମୌସୁମୀର ଆଗମନ 24 ଜୁନରେ ହୋଇଥିଲା । ମୌସୁମୀ ଆସିଥିଲା ସତ କିନ୍ତୁ ବର୍ଷାର ଦେଖା ନାହିଁ । ଏହି ସମୟ କାଳ ଭିତରେ ଯେତିକି ବର୍ଷା ହେବା କଥା ତା’ଠାରୁ 65 ପ୍ରତିଶତ କମ ବର୍ଷା ହୋଇଛି । ତା’ପୁଣି ଅନିୟମିତ ଭାବେ ।
କର୍ଣ୍ଣାଟକ ନଦୀବନ୍ଧ ସୁଖିଲା
କର୍ଣ୍ଣାଟକର ତୁଙ୍ଗଭଦ୍ରା ନଦୀ ହାଇଦ୍ରାବାଦ ଓ କର୍ଣ୍ଣାଟକ ଅଂଚଳକୁ ଜଳ ଯୋଗାଇଥାଏ । ଚଳିତ ବର୍ଷ ଏହି ବନ୍ଧରେ ଗତବର୍ଷର 43.9 ଟିଏମସିରୁ କମ ପାଣି ଅଛି । ତୁଙ୍ଗଭଦ୍ରା ଓ କାବେରୀ ଭଳି ନଦୀକୁ ଜଳ ଯୋଗାଉଥିବା ଅଂଚଳରେ ମୌସୁମୀ ଆସିବା ପୂର୍ବରୁ ସାମାନ୍ୟଠାରୁ ଏକ ତୃତୀୟାଂଶ କମ ବୃଷ୍ଟି ଯୋଗୁ ବନ୍ଧରେ ପାଣି ନାହିଁ ।
କେରଳରେ 31 ପ୍ରତିଶତ କମ ବୃଷ୍ଟି
ଗତବର୍ଷ ତୁଳନାରେ ଚଳିତ ମୌସୁମୀରେ କେରଳରେ 31 ପ୍ରତିଶତ କମ ବୃଷ୍ଟି ହୋଇଛି ।ଉତ୍ତର କେରଳକୁ ଛାଡ଼ି ରାଜ୍ୟର ବାକି କ୍ଷେତ୍ରରେ କମ ବର୍ଷ କିମ୍ବା ବିଲକୁଲ ବର୍ଷା ହୋଇନାହିଁ ।14ରୁ 9 ଜିଲ୍ଲାରେ କମ ବର୍ଷା ହୋଇଛି ।କେବଳ 19 ପ୍ରତିଶତ କ୍ଷତି ସହିତ ଆନ୍ଧ୍ରପ୍ରଦେଶର ସ୍ଥିତି ବାକି ଦକ୍ଷୀଣ ରାଜ୍ୟଙ୍କ ତୁଳନାରେ କିଛିଟା ଭଲ ଅଛି ।
ଓଡ଼ିଶା,ବିହାର ଓ ଝାଡ଼ଖଣ୍ଡରେ ସ୍ଥିତି ମଧ୍ୟ ସଂଗୀନ
ଦେଶର ପୂର୍ବ ଭାଗରେ ମଧ୍ୟ ସ୍ଥିତି ଠିକ୍ ନାହିଁ । ମୌସୁମୀ ଓଡ଼ିଶା,ବିହାର ଓ ଝାଡ଼ଖଣ୍ଡ ଭଳି ରାଜ୍ୟଙ୍କୁ ଭୁଲି ଯାଇଥିବା ଲାଗୁଛି ।ବିହାରରେ ଚଳିତ ବର୍ଷ 33 ପ୍ରତିଶତ,ଓଡିଶାରେ 26 ପ୍ରତିଶତ ଓ ଝାଡଖଣ୍ଡରେ 43 ପ୍ରତିଶତ କମ ବର୍ଷା ହୋଇଛି । ଆସାମକୁ ଛାଡି ବାକି ସବୁ ଉତ୍ତରପୂର୍ବ ରାଜ୍ୟରେ କମ ବର୍ଷା ହୋଇଛି ।