ଧାଡି ଧାଡ଼ି ଭଳିକି ଭଳି ଫୁଲ, ଫଳ ସହିତ, ଔଷଧୀୟ ଗଛ ଲାଗିଛି । ଚାରା ବି ପଡ଼ିଛି । ଆଉ ଗଛ ପାଖରେ ଗଛର ନାମ ଫଳକ ଲାଗିଛି । ଫୁଲ ଫଳ ଔଷଧିୟ ବାସ୍ନାରେ ପେଟ ପୂରିଯାଉଛି । ଫଳ ଗଛରେ ଡାଳିମ୍ବ, ଲିଚୁ, ପିଜୁଳି, ଆମ୍ବ, ଆତ, ଲେମ୍ବୁ, କଦଳୀ, କମଳା ରହିଥିବାବେଳେ ଫୁଲ ଗଛରେ ବିଭିନ୍ନ ରଙ୍ଗର ଗୋଲାପ, ମନ୍ଦାର, ଜର୍ବେରା, ଚାଇନା ଟଗର, ଇକଜୋରା ରହିଛି । ସେମିତି ଔଷଧୀୟ ଗଛ ଘୃତକୁମାରୀ, କର୍ପୂର, ଧନନ୍ତରୀ, କରଞ୍ଜ, ଅଁଳା, ବେଲ ଳାଗିଛି । ନର୍ସରୀ ବା ପାର୍କର ଭ୍ରମ ସୃଷ୍ଟି କରୁଥିବା ଏହି ସ୍ଥାନ ହେଉଛି ଜି. ଉଦୟଗିରି ନିକଟସ୍ଥ ଗଦଗୁଡ଼ା ସରକାରୀ ଉପ୍ରା ବିଦ୍ୟାଳୟ । ଆଉ ଏଭଳି ପରିବେଶ ସୃଷ୍ଟି କରିଛନ୍ତି ପ୍ରକୃତିପ୍ରେମୀ ଶିକ୍ଷକ ପବିତ୍ର କୁମାର ସାହୁ । ଗଛ ପ୍ରତି ବିଶେଷ ଆଗ୍ରହ ରଖୁଥିବା ଶିକ୍ଷକ ଶ୍ରୀ ସାହୁ ସବୁଜ ବନାନୀ ସୃଷ୍ଟି କରିବା ସହିତ ଗାଁ ଗହଳିରେ ଅପପୃଷ୍ଟିରୁ ରକ୍ଷା ପାଇବା ପାଇଁ ବାଂଟୁଛନ୍ତି ଶହ ଶହ ଚାରା । ଅମୃତଭଣ୍ଡା, ସଜନା ଗଛ ସହିତ ବିଭିନ୍ନ ପ୍ରକାର ଔଷଧୀୟ ଚାରା ଗଦଗୁଡ଼ା ଗାଁ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ ମାଗଣାରେ ବାଂଟିଥାନ୍ତି । ଚଳିତ ବର୍ଷ ୫୦୦ରୁ ଅଧିକ ଚାରା ବଂଟନ ହୋଇଛି । ଘର ବାଡ଼ିରେ ଲୋକମାନେ ଅନ୍ତତଃ ଅମୃତଭଣ୍ଡା, ସଜନା ଚାରାରୋପଣ କଲେ ଗ୍ରାମାଂଚଳରେ ଅପପୃଷ୍ଟି ରୋକିବାରେ ସହାୟକ ହୋଇପାରିବ ଏମିତି ଉଦ୍ଦେଶ୍ୟ ନେଇ ଲାଗିପଡ଼ନ୍ତି କାମରେ । ଏଥିପାଇଁ ତାଙ୍କୁ ସ୍କୁଲ କାମ ପରେ ଅଧିକ ୨ ଘଂଟା ସମୟ ଦେବାକୁ ପଡ଼ିଥାଏ । ଗଛ ଯତ୍ନ ସହିତ ନିୟମିତ ପାଣି ଦେବା ପ୍ରମୁଖ କାମ କରିବାକୁ ଭୁଲନ୍ତି ନାହିଁ । କରୋନା କାଳରେ ମିଳୁଥିବା ସମୟକୁ ଭରପୂର ଏହି ଭଳି କାମରେ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି । ସମୟର ସଦୁପଯୋଗ କରି ସରକାରୀ ସ୍କୁଲରେ ଯେ ଏମିତି କିଛି କରାଯାଇପାରେ ତାହା କରି ଦେଖାଇଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ଗ୍ରାମବାସୀ ପ୍ରଶଂସା କରିଥିବାବେଳେ ସ୍କୁଲ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଦିଗାଲ, ବିିଇଓ ଜଗନ୍ନାଥ ସାହାଣୀ ତାଙ୍କୁ ସମର୍ଥନ ସହ ସହଯୋଗ କରିଛନ୍ତି ।