‘ଗଛ ସାର୍‌’ଙ୍କ ରାସ୍ତାରେ ଯୁବପିଢ଼ି

926

ବର୍ଷାଦିନ ଆରମ୍ଭ ହୋଇଛି, ଏବେ ଗଛ ଲଗାଇବାର ପ୍ରକୃଷ୍ଟ ସମୟ । ଆଗାମୀ ପିଢ଼ି ପାଇଁ ଏକ ସନ୍ତୁଳିତ ପୃଥିବୀକୁ ଛାଡ଼ିଯିବାଠାରୁ ଅଧିକ ବଡ଼ ଉପହାର କିଛି ନାହିଁ । ଏ କଥାକୁ ବୁଝନ୍ତିି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କଂଟିଲୋ ଥୋଡ଼ିଆ ସାହିର ଅନ୍ତର୍ଯ୍ୟାମୀ ସାହୁ । ତାଙ୍କର ଏ ନାଁ ବଦଳରେ ଗଛ ସାର୍‌ ଭାବେ ସେ ଲୋକଙ୍କ ପାଖରେ ଅଧିକ ପରିଚିତ । ଗଛ ସାର୍ କେବଳ ତାଙ୍କ ଜିଲ୍ଲା ନହେଁ, ସାରା ଓଡ଼ିଶାରେ ପରିଚିତ । ତେବେ ଏହି ଗଛ ଲଗାଇବା ଆଉ ଭଲ ଗଛ ପାଇଁ ଭଲ ମଞ୍ଜି ସଂଗ୍ରହ କରିବାର ନିଶା ତାଙ୍କ ଶିକ୍ଷକତାକୁ ଛଡ଼ାଇ ନେଇଥିଲା । ସେ ଶିକ୍ଷକ ଚାକିରି ଛାଡ଼ି ଏଥିରେ ମାତିଥିଲେ । ଏବେ ତାଙ୍କର ଏହି କାମ ଧୀରେ ଧୀରେ ଏକ ଅଭିଯାନରେ ପରିଣତ ହେବାରେ ଲାଗିଛି । ତାଙ୍କ ଆହ୍ୱାନରେ ନୟାଗଡ଼ଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଅଂଚଳରେ ଗଛ ଲଗାଇବା କାର୍ଯ୍ୟକ୍ରମ ଚାଲିଛି ।

tree plantation, environment protection, gachha sir, tree man, spreading awareness

ଗଛ ସାର୍‌ଙ୍କ କହିବା କଥା, ପଳାଶ, ଶିମିଳି ବୃକ୍ଷରୋପଣ କରାଗଲେ ମହୁମାଛି ସଂଖ୍ୟା ବଢ଼ିବ । ଏହା ଆଖପାଖ ଅଂଚଳରେ ଚାଷବାସକୁ ବଢ଼ାଇବାରେ ସାହାଯ୍ୟ କରିବ । କୋଚିଲା ଗଛ ଦ୍ୱାରା କୋଚିଲାଖାଇ ପକ୍ଷୀ ଏବଂ ମାଙ୍କଡ଼ମାନେ ଖାଦ୍ୟ ପାଇପାରିବେ ବୋଲି ସେ କହିଛନ୍ତି । ଅଡ଼ଙ୍ଗା ଗଛର କନ୍ଧାକୁ ତାଡ଼ି ଲୋକେ ବାହାରକୁ ଚାଲାଣ କରୁଥିବାରୁ ଏହି ଗଛ ଏବେ ଜଙ୍ଗଲଗୁଡ଼ିକରୁ ନଷ୍ଟ ହୋଇଯାଉଛି । ତେଣୁ ଏସବୁ ଗଛର ମଞ୍ଜି ସଂଗ୍ରହ କରି ଲଗାଇବାକୁ ବି ସେ ଆହ୍ୱାନ ଦେଇଛନ୍ତି । ଗଛ ଲଗାଇବା ନିଶା ତାଙ୍କର ପିଲାବେଳୁ ଥିଲା । ଗାଁ ପୋଖରୀ ହୁଡ଼ାରେ ସେତେବେଳେ ଗଛ ଲଗାଇଥିଲେ ଯେ, ଆଜି ସେ ସବୁ ବିଶାଳ ବୃକ୍ଷରେ ପରିଣତ ହୋଇସାରିଛିି । ମାଟ୍ରିକ ପରେ ସିଟି ଓ ତା’ ପରେ ସେ କନ୍ଧମାଳ ଜିଲ୍ଲା କଂଟାମାଳ ବ୍ଲକ୍‌ର ସିଲେଟପଡ଼ା ଉଚ୍ଚପ୍ରାଥମିକ ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ବୌଦ୍ଧ ଜିଲ୍ଲା ଝାଡ଼କାଶ ସ୍କୁଲକୁ ବଦଳି ହେବା ପରେ ପୁଣି ପିଲାବେଳର ଗଛ ଲଗାଇବା ସ୍ୱପ୍ନକୁ ସାକାର କରିବା ଆରମ୍ଭ କରିଥିଲେ । ସେହ ଗାଁରେ ଗ୍ରାମଲକ୍ଷ୍ମୀ ଉଦ୍ୟାନ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶହ ଶହ ଶାଗୁଆନ ବୃକ୍ଷରୋପଣ କରି ଗ୍ରାମଲକ୍ଷ୍ମୀ ଉଦ୍ୟାନକୁ ସବୁଜ ସୁନ୍ଦର କରିଥିଲେ । ଯାହାର ସୁଫଳ ଆଜି ଗ୍ରାମବାସୀ ପାଉଥିବା ବେଳେ ବନ ବିଭାଗ କିନ୍ତୁ ଗଛ ସାର୍‌ଙ୍କ ଏହି ଆହ୍ୱାନକୁ ଗ୍ରହଣ କରୁ ନଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି । ଗଛସାର୍ ସୋସିଆଲ ମିଡିଆରେ ମଞ୍ଜି ସଂଗ୍ରହ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ଯେଉଁଥିରେ ସେ ନିଜେ ବାବୁଲ, ପଳାଶ, ବଡ଼ ଚାକୁଣ୍ଡା, ଖଜୁରୀ, ମଞ୍ଜାରୀ ଓ ବେଲ ଗଛର ମଞ୍ଜି ସଂଗ୍ରହ କରିଥିବାବେଳେ ମଞ୍ଜିଦାନ କରିବାକୁ ସମସ୍ତଙ୍କୁ ଆଗେଇ ଆସିବାକୁ କହିଥିଲେ । ଗଛସାର୍‌ଙ୍କ ଏହି ଆହ୍ୱାନରେ ଏବେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ପୁରୀରୁ ସୁମନ, ସାକ୍ଷୀଗୋପାଳର ଶିବପ୍ରସାଦ, ପ୍ରଭାକର ଓ ନମାପଡ଼ାର ରାହୁଲ ଏବେ ଏହି କାମରେ ନିମଗ୍ନ । ଆଜି ନୁହେଁ, ଗତ କିଛି ବର୍ଷ ହେବ ସେମାନେ ଅନବରତ ଭବେ ମୌସୁମୀ ଆରମ୍ଭରୁ ମଞ୍ଜି ସଂଗ୍ରହ କରିବାରେ ମାତିଛନ୍ତିି । ନିଜ ଅଂଚଳରେ ଥିବା ପୁରୁଣା ଗଛ, ରାସ୍ତାକଡ଼ରେ ଉଠିଥିବା କରଞ୍ଜ, ନିମ୍ବ, ତେନ୍ତୁଳି ଆଦି ଗଛରୁ ମଞ୍ଜି ସଂଗ୍ରହ କରି ପରବର୍ତୀ ସମୟରେ ରାସ୍ତାକଡ଼ ଓ ଖୋଲାସ୍ଥାନରେ ଲଗାନ୍ତି । ନିଜସ୍ୱ ଉଦ୍ୟମରେ ଗତି କିଛି ବର୍ଷ ହେବ ଏହି କାମ ଚାଲିିଥିବାବେଳେ ସଂଗୃହୀତ ମଞ୍ଜିକୁ ବ୍ରହ୍ମଗିରି, ପୁରୀ, ସାକ୍ଷୀଗୋପାଳ, ଅସ୍ତରଙ୍ଗ ଆଦି ଅଂଚଳରେ ଲଗାଯାଉଛି

କୋରାପୁଟର ଦାମନଯୋଡ଼ି ଅଂଚଳର ସନ୍ତୋଷ କୁମାର ନନ୍ଦ ବି ଏମିତି ଜଣେ ମଞ୍ଜି ସଂଗ୍ରହକାରୀ । ଯିଏ କି ପ୍ରତିବର୍ଷ ମୌସୁମୀ ପୂର୍ବରୁ ମଞ୍ଜି ସଂଗ୍ରହ କରି ଏଥିରୁ ଅଳ୍ପ କିଛି ଚାରା ବନାନ୍ତି ଓ ବାକି ମଞ୍ଜିକୁ ଏମିତି ନେଇ ଖାଲି ଜାଗା ଓ ରାସ୍ତାକଡ଼ରେ ବୁଣିଦେଇ ଆସନ୍ତି । ସନ୍ତୋଷ କହନ୍ତି ଆମ ଅଂଚଳରେ ଆମ୍ବ, ଜାମୁକୋଳି, ତେନ୍ତୁଳି, ଅଁଳା, ପଣସ, ଲିଚୁ ମିଳୁଥିବାରୁ ଏହାକୁ ସଂଗ୍ରହ କରିଥାଏ । ଏଥିରୁ ଅଳ୍ପ କିଛିକୁ ଆଣି ଚାରା ତିଆରି କରି ବର୍ଷା ଦିନେ ଲଗାଏ । ବାକି ମଞ୍ଜିକୁ ଫାଙ୍କା ଜାଗାରେ ବିଂଚି ଦିଏ । ମଞ୍ଜି ସଂଗ୍ରହ ପାଇଁ ଆମେ ପଲ୍ଲୀ ଗାଁଗୁଡ଼ିକକୁ ଯାଇ ଲୋକଙ୍କୁ ଏ ବାବଦରେ ସଚେତନ କରି ମଞ୍ଜି ସଂଗ୍ରହ କରିଥାଉ ।

‘ଗଛ ସାର୍‌’ଙ୍କ ଏହି ଆହ୍ୱାନରେ ସାମିଲ ହୋଇ ଅନେକ ଯୁବକ ଆଜି ନିଜ ଅଂଚଳରେ ଗଛ ଲଗାଇବା, ପରିବେଶ ବଂଚାଇବାର ଦୃଢ଼ ଶପଥ ନେଇ ଆଗେଇ ଚାଲିଛନ୍ତି ।

Leave A Reply

Your email address will not be published.

Close Bitnami banner
Bitnami