![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ଦଶହରା ପୂଜା ଚାଲିଥିବା ବେଳେ ମଣ୍ଡପରେ ମାଆଙ୍କର ମହା ନବମୀ ପୂଜା କରାଯାଉଛି । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପୂଜା କରିବା ଲାଗି ମଣ୍ଡପ ଗୁଡିକରେ ମହିଳା ମାନଙ୍କର ଭିଡ ଦେଖିବାକୁ ମିଳିଛି ।
ମଣ୍ଡପରେ ଚାଲିଛି କୁମାରୀ ପୂଜା
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯାଉଛି । ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୁର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢରଞ୍ଚାରେ ସିନ୍ଦୁର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ମାଛ ଭୋଗ । ସଧବା ମହିଳା ବେଶରେ ମାତା ଦୁର୍ଗାକୁ ଝିଅ ରୂପେ ପାଇଲା ପରେ ଆଜି ଘରୁ ବିଦା କରାଯିବାର ପରମ୍ପରା ରହିଛି । ସେପଟେ ପୀଠରେ ଚାଲିଛି ଦଶମୀ ପୂଜା । ଆଜି ମହୀଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ କଟକ ଚଣ୍ଡୀ ।
ମଣ୍ଡପରେ ପ୍ରବଳ ଭିଡ଼
କଟକ , ଭୁବନେଶ୍ୱରରେ ଦୁର୍ଗାପୂଜା ଲାଗି ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ରାତି ୧୨ଟା ପରେ ବି ଲୋକେ ବୁଲି ମେଢ ଦେଖୁଛନ୍ତି । ଲୋକଙ୍କ ମନୋରଞ୍ଜନ ଲାଗି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ପୂଜା ପାଇଁ ଭିଡ ବଢୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ଦୁର୍ଗତିନାଶିନୀ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)