ପଂଜଶୀର ଦଖଲ ପାଇଁ ତାଲିବାନକୁ ପାକିସ୍ତାନୀ ବାୟୁସେନା ସାହାଯ୍ୟ କରୁଛି । ରବିବାର ଦିନ ପଂଜଶୀର ଘାଟି ଉପରେ ପାକ୍ ଡ୍ରୋନ୍ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି । ଏହା ଭିତରେ ପଂଜଶୀରରେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଥିବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-NRFକୁ ଭାରତ ସାହାଯ୍ୟ କରୁ ବୋଲି ଦେଶ ଭିତରୁ ଦାବି ଉଠିଲାଣି । ତାଜିକସ୍ତାନରେ ଭାରତୀୟ ବାୟୁସେନା ଘାଟି ଥିବାରୁ ସେଠାରୁ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିବାକୁ ସ୍ୱର ଉଠୁଛି । ଏଭଳି ଦାବି କରୁଥିବା ଲୋକଙ୍କ ଯୁକ୍ତି ହେଉଛି ଯେ, ତାଲିବାନ ପଛରେ ପାକିସ୍ତାନ ଓ ଆଇଏସାଇ ଅଛି । ତେଣୁ ଆଗକୁ ସେମାନେ ଯେମିତି ହେଲେ ଭାରତ ବିରୋଧରେ ମୋର୍ଚ୍ଚା ଖୋଲିବେ । ଏମିତିରେ ଭାରତକୁ ବନ୍ଧୁ ବୋଲି ମନେ କରୁଥିବା ରେଜିଷ୍ଟାନ୍ସ ଫୋର୍ସକୁ ସାହାଯ୍ୟ କରିବା ଦୁରଦୃଷ୍ଟି ମୁଳକ ପଦକ୍ଷେପ ହେବ । କାରଣ ୧୯୯୬ ମସିହାରେ ତାଲିବାନ ଯେତେବେଳେ ପଂଜଶୀରର ଘେରାବନ୍ଦୀ କରିଥିଲା ସେତେବେଳେ ଭାରତ ତତ୍କାଳୀନ ନର୍ଦ୍ଦର୍ଣ୍ଣ ଆଲାଏନ୍ସର ମୁଖ୍ୟ ଅହମ୍ମଦ ଶାହା ମାସୁଦଙ୍କୁ ସାହାଯ୍ୟ କରିଥିଲା । ଏବେ ମାସୁଦଙ୍କ ପୁଅ ବିଦ୍ରୋହୀଙ୍କ ନେତୃତ୍ୱ ନେଉଛନ୍ତି, ତେଣୁ ଭାରତ ତାଲିବାନ ବିରୋଧରେ ତାଜିକସ୍ତାନ ବିମାନ ଘାଟି ବ୍ୟବହାର କରୁ ।
ତାଜିକସ୍ତାନରେ କେଉଁଠି ଅଛି ଭାରତୀୟ ବାୟୁସେନା ଘାଟି ?
ତାଜିକସ୍ତାନର ଫରଖୋରରେ ଭାରତର ଏୟାର ବେସ୍ ରହିଛି । ଏହି ଏୟାରବେସଠାରୁ ମଜାର-ଏ-ସରିଫ୍ ମାତ୍ର ୨୦ ମିନିଟ ଦୂରରେ ରହିଛି । ଜୱାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଅମିଥାଭ ମଟ୍ଟୁ ଟ୍ୱିଟ୍ କରି କହିଛନ୍ତି ଯେ, ଏହା କେତେ ଲଜ୍ଜାଜନକ ଯେ, ଫରଖୋର ଏୟାରବେସଠାରୁ ମାତ୍ର କେଇ ମିନିଟ୍ ଦୂରରେ ଥିବା ପଂଜଶୀର ଘାଟିରେ ଆମେ ଆମ ବନ୍ଧୁମାନଙ୍କୁ ଏକୁଟିଆ ଛାଡି ଦେଇଛୁ । ଅସ୍ତ୍ରଶସ୍ତ୍ର ଛାଡନ୍ତୁ ଆମେ ସେମାନଙ୍କୁ ଔଶଧ ମଧ୍ୟ ଦେଇନାହୁଁ । ଏବେ ଆଶାର ଏକମାତ୍ର କିରଣ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ମାତ୍ର ୧ ଘଣ୍ଟା ଦୂରତାରେ ପଂଜଶୀର
ଫରଖୋର ଏୟାରବେସରୁ ମାତ୍ର ଏକ ଘଣ୍ଟା ଦୂରତାରେ ରହିଛି ପଂଜଶୀର । କେବଳ ମଟ୍ଟୁ ନୁହନ୍ତି ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନିକଟତର କପିଲ କୋମିରେଡି ମଧ୍ୟ ଟ୍ୱିଟ୍ କରି ଫରଖୋର ଏୟାରବେସକୁ ତାଲିବାନ ବିରୋଧରେ ବ୍ୟବହାର କରିବାକୁ କହିଛନ୍ତି । ସେ କହିଛନ୍ତି ଯେ, ଫରଖୋର ଏୟାରବେସରୁ ପଂଜଶୀରର ଦୂରତା ମାତ୍ର ୧ ଘଣ୍ଟାର । ଏହା ସେହି ସ୍ଥାନ ଯେଉଁଠାରୁ ଭାରତ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ସାହାଯ୍ୟ କରିଥିଲା । ଏଥର କିନ୍ତୁ କୌଣସି ପ୍ରୟାସ ମଧ୍ୟ କରି ନାହିଁ ।
ଏକୁଟିଆ ଭାରତ ମୈଦାନକୁ ନଓହ୍ଲାଉ
ପଂଜଶୀର ବିଦ୍ରୋହୀଙ୍କୁ ଭାରତ ସାହାଯ୍ୟ କରୁ ବୋଲି ଦାବି ହେଉଥିବା ବେଳେ ଅନ୍ତର୍ଜାତୀୟ ବ୍ୟପାର ସମ୍ପର୍କିତ ମାମଲାର ବିଶଷଜ୍ଞଙ୍କ ମତ ହେଉଛି ଯେ, ଭାରତ ଭାବିଚିନ୍ତି ପଦକ୍ଷେପ ନେବା ଉଚିତ । ଭାରତକୁ ଏହି ମାମଲାରେ ଇରାନ, ତାଜିକସ୍ତାନ ଓ ଉଜବେକିସ୍ତାନକୁ ନିଜ ପଟକୁ ନେବାକୁ ପଡିବ । ଭାରତ ଏକୁଟିଆ ପଂଜଶୀର ବିଦ୍ରୋହୀଙ୍କୁ ସାହାଯ୍ୟ କରିବା ଠିକ୍ ହେବନାହଁା । କାରଣ ପଂଜଶୀରରେ ଏକାଠି ହୋଇଥିବା ବିଦ୍ରୋହୀ ତାଜିକ, ଉଜବେକ୍ ଓ ସିଆ ସମ୍ପ୍ରଦାୟର । ତେଣୁ ଭାରତ ଏହି ସବୁ ଦେଶଙ୍କ ସହିତ କଥା ହୋଇ ନିଷ୍ପତ୍ତି ନେବା ଆବଶ୍ୟକ । କାରଣ ଏହି ସବୁ ଦେଶରେ ଏହି ସମ୍ପ୍ରଦାୟ ସଂଖ୍ୟା ଗରିଷ୍ଠ ।
୨୦ ବର୍ଷ ତଳେ କେମିତି ଭାରତ କରିଥିଲା ସାହାଯ୍ୟ ?
୨୦ ବର୍ଷ ତଳେ ଭାରତ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ଛୋଟ ଅସ୍ତ୍ର, ଯୋଗାଯୋଗ ସରାଂଜମ ଓ ଔଷଧ ଯୋଗାଇ ଦେଇଥିଲା । କାଶ୍ମୀର ଆତଙ୍କବାଦୀଙ୍କଠାରୁ ଜବତ ଏକ-୪୭ ରାଇଫଲକୁ ଭାରତ ବିଦ୍ରୋହୀଙ୍କୁ ଦେଇଥିଲା । ସବୁ ସାହାଯ୍ୟ ଫରଖୋର ଏୟାରବେସ (ଯାହା ମଧ୍ୟ ଆୟାନୀ ଏୟାରବେସ୍ ନାମରେ ପରିଚିତ ) ରୁ ପଂଜଶୀର ଯାଇଥିଲା । ଭାରତ ମଧ୍ୟ ସେତେବେଳ ମାସୁଦଙ୍କୁ ଦୁଇଟି ଏମ୍ ଆଇ-୮ ହେଲିକପ୍ଟର ଦେଇଥିଲା ।
ଏହି ଏୟାରବେସକୁ ଡରେ ପାକିସ୍ତାନ
ଫରଖୋର ଏୟାର ବେସ ପାକିସ୍ତାନକୁ ଘେରିବା ପାଇଁ ଭାରତ ତିଆରି କରିଥିଲା । ଏହି ଏୟାରବେସଠାରୁ ପାକ୍ ଅଧିକୃତ କାଶ୍ମୀର ମାତ୍ର ୨୦ ମିନଟର ଦୂରତାରେ ରହିଛି । ୟୁରୋସିଆନ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଏହି ଘାଟି ଯୁଦ୍ଧ କାଳରେ ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଏଠାରୁ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିପାରିବ । ଏହା ସହିତ ସିଆଚିନ୍ ଗ୍ଲେସିଅରରେ ଏହି ଘାଟି କାରଣରୁ ଭାରତୀୟ ସୈନିକ ଅଧିକ ଲାଭରେ ଅଛନ୍ତି । ପାକିସ୍ତାନ ପଟୁ ଗ୍ଲେସିଅର ଉପରେ କୌଣସି ଆକ୍ରମଣର ଯବାବ ଏହି ଘାଟିରୁ ମାତ୍ର କେଇ ମିନିଟ୍ ମଧ୍ୟରେ ଦେଇ ହେବ । ଆହୁରି ମଧ୍ୟ ଏହି ଘାଟିରୁ ପାକିସ୍ତାନର ପେଶାୱର ଉପରେ ଭାରତ ଆକ୍ରଣ କରିପାରିବ ।