ମା’ମାନେ ଚାହିଁଲେ ହିଁ କରୋନା ଗାଁରେ ପଶି ପାରିବ ନାହିଁ । ସେମାନେ ହିଁ କରୋନାର ପ୍ରକୃତ କବଚ । ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସକୁ ବୋଲି ଠିକ୍ ପ୍ରମାଣିତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍ ବଡ଼ଖୋଲି ଗାଁର ଅଙ୍ଗନବାଡ଼ି ଦିଦି ରଶ୍ମିତା । ପୁରା ନାମ ରଶ୍ମିତା କୁମାରୀ ପାଣିଗ୍ରାହୀ । ୩୩ ବର୍ଷୀୟା ରଶ୍ମିତା ପାଇଁ କରୋନା ଯୁଦ୍ଧ ନୂଆ ନୁହେଁ । ଗତ ବର୍ଷରୁ ହିଁ ତାଙ୍କର ଏ ଅଭିଯାନ ଅବ୍ୟହତ ରହିଛି, ଯାହାକି ଚଳିତ ବର୍ଷ ତାଙ୍କୁ ଆଉ ଅଧିକ ଦାୟିତ୍ୱ ସମ୍ପନ୍ନ କରିପାରିଛି ।
ରଶ୍ମିତାଙ୍କ କରୋନା ସଚେତନତା ଅଭିଯାନ ଯୋଗୁ ଆଜି ବଡ଼ଖୋଲି ଅଙ୍ଗନବାଡ଼ି କେନ୍ଦ୍ର -୨ ଅଧୀନରେ ଥିବା ୧୪୦ ପରିବାର କରୋନାମୁକ୍ତ ହୋଇ ରହିଛନ୍ତି । ଗତବର୍ଷର ଅଭିଜ୍ଞତାକୁ ଭିତିକରି ମାର୍ଚ୍ଚ ମାସରୁ ହିଁ ଗାଁରେ ରଶ୍ମିତା ନିଜସ୍ୱ ଉଦ୍ୟମରେ କରୋନା ସଚେତନତା କାମ ଚଳାଇଥିଲେ । ଆଉ ତାଙ୍କୁ ଏହି କାମରେ ସହଯୋଗ କରୁଥିଲେ ଆଶା ଦିଦି ଲୁନି ସ୍ୱାଇଁ, ଏଏନ୍ଏମ୍ ମନ୍ଦାକିନୀ ତ୍ରିପାଠୀ । ମାସ୍କ ପରିଧାନଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା, ଘରୋଇ ଉପଚାରରେ କରୋନାରୁ ଦୂରେଇ ରହିବାର ବିଭିନ୍ନ ପଦ୍ଧତି , ହାତସଫା କରିବାର କୌଶଳ ଆଦି ଘରକୁ ଘର ବୁଲି ଲୋକଙ୍କୁ ଶିଖାଇବା ଆରମ୍ଭ କରିଥିଲେ । ଯାହାକି ଏପ୍ରିଲରୁ ପୁଣି ଥରେ ଜୋରସୋର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରଶ୍ମିତା ।
ସକାଳ ୬ଟା ୩୦ରୁ ଦିନ ୯ଟା ୩୦ ଯାଏଁ ଘରକୁ ଘର ବୁଲି ଲୋକଙ୍କୁ କରୋନା ବାବଦରେ ବୁଝାଇବା, ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କର ସ୍ଥିତି ପରଖିବା, ସେମାନଙ୍କୁ ଶୁଖିଲା ରାସନ ଦେବା, ପ୍ରାକ୍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଂଟନ, ଗାଁର କିଶୋରୀ ବାଳିକାମାନେ ଯେପରି ବାଲ୍ୟ ବିବାହ ଓ ନିର୍ଯାତନାର ଶିକାର ନ ହୁଅନ୍ତି, ସେସବୁ କାମର ତଦାରଖ କରନ୍ତି ରଶ୍ମିତା । ଗାଁ କିଶୋରୀଙ୍କୁ ନେଇ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ କରିଛନ୍ତି ରଶ୍ମିତା । ସେଥିରେ ସେ ସେମାନଙ୍କ ଭଲ ମନ୍ଦ କଥା ପଚାରି ବୁଝନ୍ତି । ଏହା ସହ ସବୁ ସପ୍ତାହରେ ଗୋଟେ ଦିନ ଅନ୍ଲାଇନ୍ରେ ବୈଠକ କରି ଅଦ୍ୱୈକା କାର୍ଯ୍ୟକ୍ରମ ବିଷୟ ଉପରେ ଆଲୋଚନା କରନ୍ତି । କେବଳ ସେତିକି ନୁହେଁ, ଗାଁକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ବି କରନ୍ତି ରଶ୍ମିତା । ଗାଁର ଆସନ୍ନ ପ୍ରସବା ମହିଳା କିପରି ସବୁ ପ୍ରକାର ସୁବିଧା ପାଇବେ, ସେଥିପାଇଁ ସେ ସାଥି ସହଯୋଗୀ ଏଏନ୍ଏମ୍ ଓ ଆଶା ଦିଦିଙ୍କ ମଧ୍ୟରେ ଏକ ସେତୁ ଭଳି କାମ ଜାରି ରଖିଛନ୍ତି । ରଶ୍ମିତାଙ୍କ ଯୋଗୁ ଏବେ ଗାଁଟା ଯାକର ସବୁ ଲୋକ ସଚେତନ ଓ ଶୃଙ୍ଖଳିତ । ରାସନ ହେଉ କି ଭତା କିମ୍ବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଶୁଖିଲା ରାସନ-ସବୁଥିରେ ସାମାଜିକ ଦୂରତା ଓ କରୋନା ଗାଇଡ୍ ଲାଇନ୍କୁ ଅନୁପାଳନ କରି ଗାଁ ଲୋକ ନିଜ କାମ କରୁଥିବା ଦେଖାଯାଇଛି ।
ଏ ବାବଦରେ ରଶ୍ମିତା କହନ୍ତି, ଏସବୁ କାମ ଏତେ ସହଜ ନଥିଲା । ମେ’ ମାସରେ ଗାଁରେ ପ୍ରଥମ କରୋନା ମୃତ୍ୟୁ ହେଲା । ଗାଁର ଜଣେ ଫେରିବାଲା ବିପ୍ର ସେଠୀଙ୍କ କରୋନାରେ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କଠାରେ ବି କରୋନା ଲକ୍ଷଣ ଥିଲା । ଅବଶ୍ୟ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରେ ରହୁଛନ୍ତି । ଏଥିରେ ଲୋକେ ଭୟଭୀତ ହୋଇ ପ୍ରଥମେ ନିଜ ଆଡୁ ସଙ୍କଳ୍ପ ନେଲେ । ଆଉ ଆମେ ସେଥିରେ ସହଯୋଗର ହାତ ବଢ଼ାଇଲୁ ବୋଲି କହିଛନ୍ତି ରଶ୍ମିତା । ଘରକୁ ଘର ଯାଇ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରିବା, ଅକ୍ସିମିଟରରେ ସେମାନଙ୍କ ତାପମାତ୍ରା ପରୀକ୍ଷା କରିବା ବି କରୁଥିବା ସେ କହିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରରେ ନିଜସ୍ୱ ଉଦ୍ୟମରେ ସେ କିଚେନ୍ ଗାର୍ଡେନ୍ କରି ସେଥିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି । ଯାହାଦ୍ୱାରା ପିଲାମାନେ ସୁଷମ ଖାଦ୍ୟ ଖାଇପାରୁଛନ୍ତି ।
ଶାଶୁ, ଶ୍ୱଶୁର, ଯାଆ, ଦେଡ଼ଶୂର, ସ୍ୱାମୀ, ପୁଅକୁ ନେଇ ରଶ୍ମିତାଙ୍କ ପରିବାର । ତା’ ସତ୍ୱେ ବି ସେ କେବେ ନିଜର ଏ ଗୁରୁ ଦାୟିତ୍ୱରୁ ଓହରି ନାହାନ୍ତି ବରଂ ପୂର୍ବ ଅପେକ୍ଷା ଅଧିକ ଚଳଚଂଚଳ ଓ ଯୋଜନାବଦ୍ଧ ହୋଇଛି କରୋନା ପରିଚାଳନା କାମ କରୁଛନ୍ତି । ଏ ସବୁ ଭିତରେ ପରିବାରକୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ନିଜକୁ ସଙ୍ଗରୋଧ କରି ରଖିବାକୁ ଭୁଲି ନାହାନ୍ତି ରଶ୍ମିତା । ପାଂଚ ପ୍ରାଣୀ କୁଟୁମ୍ବରେ ତାଙ୍କ ପରିବାର ଶେଷ ହୋଇନି, ବରଂ ଗାଁଟା ଯାକର ୧୪୦ ଘର ବି ତାଙ୍କ ପରିବାରର ଅଂଶ ପାଲଟି ଯାଇଛନ୍ତି।