ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ତିଆରି କରିବାର ସ୍ୱପ୍ନ ଦେଖୁଥିବା ଚୀନ୍ ଏବେ ଏଥିପାଇଁ ନିଜ ନାଗରିକଙ୍କ ଉପରେ ଅତ୍ୟାଚାର କରିବାକୁ ପଛାଉ ନାହିଁ । ଡ୍ରାଗନ ଏବେ ତିବ୍ବତର ନାଗରିକଙ୍କୁ ବଳପୂର୍ବକ ସେନାରେ ସାମିଲ କରୁଛି । କମ୍ୟୁନିଷ୍ଟ ସରକାର ଏବେ ନୂଆ ଫର୍ମାନ ଜାରି କରିଛି । ଏହି ଫର୍ମାନ ଅନୁସାରେ ପ୍ରତିଘରୁ ଜଣେ ସେନାରେ ସାମିଲ ହେବାକୁ ବାଧ୍ୟ । ଏକ ଗୁପ୍ତ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
୧୮ରୁ ୪୦ ବର୍ଷ ବୟସ୍କ ସେନାରେ ଯୋଗ ଦେବେ
ଭାରତ ସହିତ ଲାଗିଥିବା ସୀମାରେ ରହୁଥିବା ସବୁ ତିବ୍ବତୀୟ ପରିବାରର ଯେଉଁ ବ୍ୟକ୍ତିଙ୍କ ବୟସ ୧୮ରୁ ୪୦ ଭିତରେ ହୋଇଥିବ ସେମାନେ ଚୀନ୍ ମିଲିଶିଆରେ ଯୋଗ ଦେବାକୁ ବାଧ୍ୟତାମୁଳକ କରାଯାଇଛି । ଚୀନରେ ଆଗରୁ ନିୟମ ଥିଲା ଯେ, ୧୮ରୁ ଅଧିକ ବୟସ୍କ ସମସ୍ତେ ସାମରିକ ସେବା ପାଇଁ ନିଜକୁ ପଂଜିକୃତ କରିବେ । କିନ୍ତୁ ସେନାରେ ସାମିଲ ହେବା ବାଧ୍ୟତାମୁଳକ ନଥିଲା । ତେବେ ଏବେ ଚୀନ ସେନାରେ ସାମିଲ ହେବାକୁ ବାଧ୍ୟତାମୁଳକ କରିଦେଇଛି । ଏହା କେବଳ ଚୀନ ନାଗରିକଙ୍କ ପାଇଁ ନୁହେଁ ତିବ୍ବତର ନାଗରିକଙ୍କ ପାଇଁ ମଧ୍ୟ ।
ଡୋକଲାମରେ ଚାଲିଛି ବଳପୂର୍ବକ ଭର୍ତ୍ତି
ତେବେ ବର୍ତ୍ତମାନ ଡୋକଲାମ ନିକଟରେ ଥିବା ଚୁମ୍ବି ଭ୍ୟାଲିରେ ବଳପୂର୍ବକ ସେନାରେ ତିବତ୍ତୀୟ ନାଗରିକଙ୍କୁ ଭର୍ତ୍ତି କରିବା ଚାଲିଛି । ବର୍ତ୍ତମାନ ମୋଟ ୪ଶହ ସୈନିକଙ୍କୁ ସାମିଲ କରିବା ଟାର୍ଗେଟ୍ ରହିଛି । ଏହି ସମସ୍ତ ଯୁବକଙ୍କୁ ପରେ ଲାସା ନିକଟରେ ଟ୍ରେନିଂ ଦିଆଯିବ ।
ଭାରତ ସୀମାରେ ମୁତ୍ତୟନ ହେବେ ଏହି ସୈନିକ
ଟ୍ରେନିଂ ପରେ ଏହି ସୈନିକଙ୍କୁ ଭାରତ ସୀମାରେ ମୁତ୍ତୟନ କରାଯିବ । ଏହା ପୂର୍ବରୁ ଦୁଇ ଶହ ସୈନିକଙ୍କ ଦୁଇଟି ବ୍ୟାଚ୍ ତିଆରି ହୋଇଛି । ଏହି ଦୁଇ ଶହ ସୈନିକଙ୍କୁ ଟ୍ରେନିଂ ପରେ ଭାରତ ସୀମାରେ ମୁତ୍ତୟନ କରାଯାଇଥିବା କୁହାଯାଉଛି । ଏହି ସୈନିକଙ୍କ ଦ୍ୱାରା ସୀମାରୁ ଗୁଇନ୍ଦା ତଥ୍ୟ ହାସଲ କରିବା ଚୀନର ଲକ୍ଷ୍ୟ । ଏହି ସୈନିକଙ୍କ ମୁତ୍ତୟନ ସେହି ଅଂଚଳରେ କରାଯିବ ଯେଉଁଠି ବ୍ୟବସାୟ ହୋଇଥାଏ ।
ଚୀନ୍ ଗୋଟିଏ ସ୍ପେଶାଲ ଚିବ୍ବତ ଆର୍ମି ୟୁନିଟ୍ପ ତିଆରି କରି ସାରିଛି । ଯାହାର ନାମ ହେଉଛି ମିମାଙ୍ଗ୍ ଚେଟାନ । ତିବ୍ବତି ଭାଷାରେ ଏହାର ଅର୍ଥ ହେଉଛି ଜନସାଧାରଣଙ୍କ ପାଇଁ । ଯେଉଁ ବ୍ୟାଚର ଟ୍ରେନିଂ ପୁରା ହୋଇଛି ସେମାନଙ୍କୁ ୟେତୁଙ୍ଗ, ଚୀମା, ରିନଚେଙ୍ଗାଙ୍ଗ, ପିବି ଥାଙ୍ଗ ଓ ଫାରିରେ ମୁତ୍ତୟନ କରାଯାଇଥିବା ଶୁଣିବାକୁ ମିଳୁଛି ।