ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ହାତ ଛାଡି ଏବେ ବିରୋଧୀ ମେଣ୍ଟକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ରାଜ୍ୟରୁ ରାଜ୍ୟ ଭ୍ରମଣ କରୁଛନ୍ତି ନୀତୀଶ । ବିଭିନ୍ନ ଆଂଚଳିକ ଦଳ ନେତାଙ୍କୁ ସାକ୍ଷାତ କରୁଛନ୍ତି । କହୁଛନ୍ତି ବିଜେପି ବିରୋଧୀ ମେଣ୍ଟକୁ ମଜବୁତ କରିବା ତାଙ୍କ ଲକ୍ଷ୍ଯ । କିନ୍ତୁ ରାଜନୈତିକ ବିଶ୍ଲେଷକଙ୍କୁ ଜଳଜଳ ଦେଖାଯାଉଛି ଯେ, ନୀତୀଶ ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ନିଜ ଦାବିକୁ ମଜବୁତ କରୁଛନ୍ତି । ଏପର୍ଯ୍ୟନ୍ତ ସେ ରାହୁଲ ଗାନ୍ଧୀ,ଏଚଡି କୁମାରସ୍ୱାମୀ,ସୀତାରାମ ୟେଚୁରୀ,ଲାଲୁ ଯାଦବଙ୍କୁ ଭେଟି ସାରିଛନ୍ତି । ଏବେ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସି କ୍ରାନ୍ତିକାରୀ ଝାଡୁଧାରୀ ଅରବିନ୍ଦ କେଜରିୱାଲଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତକାର ପରେ ନୀତୀଶ ଓ କେଜରିୱାଲଙ୍କ ହସହସ ମୁହଁ ବିଶିଷ୍ଟ ଫଟୋ ପଦାକୁ ଆସିଛି । ବାକି ନେତାଙ୍କ ସହିତ ମଧ୍ୟ ସମାନ ପୋଜର ଫଟୋ ଆଗରୁ ଆସିଛି । ଫଟୋରେ ସବୁ ନେତା ହସୁଛନ୍ତି । ତେବେ ପ୍ରଶ୍ନ ହେଲା ଏହି ହସ ପଛରେ କେଉଁ ନେତାଙ୍କ ମନରେ କ’ଣ ଅଛି ? ନୀତୀଶଙ୍କୁ ସେମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ଆଣିବେ କି ? ନା ସେମାନଙ୍କର ନିଜସ୍ୱ କିଛି ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରହିଛି ?
ରାହୁଲ ଗାନ୍ଧୀ ୨୦୧୫ରେ ନୀତୀଶଙ୍କ ସପକ୍ଷରେ ବାହାରିଥିଲେ
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତୀଶ ବିଜେପି ଶିବିର ଛାଡି ସାରିଥିଲେ । ଏକାକି ନିର୍ବାଚନ ଲଢିଥିଲେ । ଫଳାଫଳ ତାଙ୍କ ବିରୋଧରେ ଯାଇଥିଲା । ତେଣୁ ୨୦୧୫ ବିହାର ନିର୍ବାଚନରେ ଲାଲୁ ଯାଦବଙ୍କ ଆରଜେଡି ଓ କଂଗ୍ରେସ ସହିତ ମେଣ୍ଟ କରିଥିଲେ । ଲାଲୁଙ୍କ ଇଛା ଥିଲା ତାଙ୍କ ପୁଅ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । କିନ୍ତୁ ରାହୁଲ ନୀତୀଶଙ୍କୁ ମହାମେଣ୍ଟର ମୁହଁ କରିଥିଲେ । ନିର୍ବାଚନରେ ଆରଜେଡି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ରାହୁଲଙ୍କ ପାଇଁ ନୀତୀଶ ମୁଖ୍ୟମନ୍ତ୍ରୀ ହେଲେ । ତେବେ କିଛି ବର୍ଷ ପରେ ନୀତୀଶ ମହାମେଣ୍ଟରୁ ଓହରି ଯାଇ ବିଜେପିର ଶରଣ ପଶିଥିଲେ । ଏହା ସତ୍ୱେ ରାହୁଲ କେବେ ମଧ୍ୟ ନୀତୀଶଙ୍କ ଉପରେ ବ୍ୟକ୍ତିଗତ ହମଲା କରିନାହାନ୍ତି । ଏହାବାଦ ବି ବଡ଼ ପ୍ରଶ୍ନ ହେଲା ରାହୁଲ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ୱୀକାର କରିପାରିବେ କି ? କାରଣ ବିହାର କଥା ଅଲଗା ଦିଲ୍ଲୀ କଥା ଅଲଗା । ନୀତୀଶଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ଅର୍ଥ ହେବ କଂଗ୍ରେସ ଗୋଟିଏ ଆଞ୍ଚଳିକ ଦଳର ଜୁନିଅର ଟିମ୍ ହେବା ।
ୟେଚୁରି କହିଥିଲେ- ନୀଚୀଶ ଧୋକା ଦେଇଥିଲେ
ୟେଚୁରୀଙ୍କୁ ମଧ୍ୟ ନିକଟରେ ନୀତୀଶ ସାକ୍ଷାତ କରିଥିଲେ । ଏବେ ଦୁହିଁକ ଶତ୍ରୁ ହେଉଛି ବିଜେପି । ତେଣୁ ଉଭୟ ଉଭୟଙ୍କୁ ପସନ୍ଦ କରୁଛନ୍ତି । କିନ୍ତୁ ଅତିତକୁ ଯଦି ଦେଖିବା ତେବେ ପାଇବା ଯେ, ମହାମେଣ୍ଟରୁ ଓହରି ବିଜେପି ସହିତ ହାତ ମିଳାଇବା ପରେ ୟେଚୁରୀ ନୀତୀଶଙ୍କୁ ଧୋକାବାଜ ବୋଲି କହିଥିଲେ । ନୀତୀଶ ମହାମେଣ୍ଟରେ ଥିବା ପର୍ଯ୍ୟନ୍ତ ବିରୋଧୀ ଦଳର ପ୍ରାୟ ସବୁ ନେତା ତାଙ୍କ ଭିତରେ ପ୍ରାଇମ ମିନିଷ୍ଟର ମେଟେରିଆଲ ଦେଖୁଥିଲେ । କିନ୍ତୁ ଥରେ ହାତଛାଡିବା ପରେ ପରିସ୍ଥିତି ଓ ବିଶ୍ୱାସ ବଦଳି ଯାଇଛି । ଏବେ ନୂଆ ସମୀକରଣ ଭିତରେ ୟେଚୁରୀ ଧୋକାବାଜ ନୀତୀଶଙ୍କୁ ପୁଣିଥରେ ବିଶ୍ୱାସ କରିପାରିବେ କି ?
ନୀତୀଶଙ୍କ ନିଷ୍ପତିକୁ ଏଚଡି ଦେବେଗୌଡାଙ୍କ ସମର୍ଥନବିଜେପିଠାରୁ ଅଲଗା ହେବା ପାଇଁ ନୀତୀଶଙ୍କ ନିଷ୍ପତି ଏଚଡି ଦେବେଗୌଡାଙ୍କୁ ଖୁସୀ କରିଥିଲା । ସେ କହିଥିଲେ ଯେ, ଜନତା ଦଳର ପୁରୁଣା ସାଥୀ ଏକାଠି ହେବା ସେ ଚାହାନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ବୁଢା ହୋଇଗଲେଣି । ନୂଆ ପିଢି ଦେଶକୁ ନୂଆ ବିକଳ୍ପ ଦେବା ସେ ଚାହାନ୍ତି । ସୂଚନାଯୋଗ୍ୟ ଯେ,ନୀତୀଶ ସିନିୟର ଦେବେଗୌଡାଙ୍କ ପୁଅ କୁମାରସ୍ୱାମୀଙ୍କୁ ମଧ୍ୟ ନିକଟରେ ସାକ୍ଷାତ କରିଥିଲେ । ବିରୋଧୀଙ୍କୁ ଏକାଠି କରିବା ଏହି ସାକ୍ଷାତକାରର ଲକ୍ଷ୍ୟ ଥିଲା ବୋଲି ନୀତୀଶ ସେତେବେଳେ କହିଥିଲେ । ଏମିତିରେ ବି ଜେଡିଏସ ପିତା-ପୁତ୍ର କେବେ ମଧ୍ୟ ନୀତୀଶଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରିନାହାନ୍ତି । ତେଣୁ ସେମାନେ ଭବିଷ୍ୟତରେ ଯଦି ନୀତୀଶଙ୍କ ପଛରେ ଛିଡା ହେବେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।
କେଜ୍ରିୱାଲ ମଧ୍ୟ କହୁଛନ୍ତି ଦେଶର କଥା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଆଜିକାଲି ଦେଶ କଥା ବେସି କହୁଛନ୍ତି । ଆପ୍ ନେତା କେଜ୍ରିୱାଲଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାକୁ ହେଳା କରୁନାହାନ୍ତି । ନୀତୀଶ ତାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । କେଜ୍ରିୱାଲଙ୍କ ପ୍ରଧାନମନ୍ତ୍ରୀ ହେବାର ମହତ୍ୱାକାଂକ୍ଷା ରହିଛି । ପଂଜାବ ବିଜୟ ପରେ ଏହି ଆଶାକୁ ଆଉ ଟିକେ ବଳ ମିଳିଛି । ଏମିତିରେ ଅରବିନ୍ଦ କେଜ୍ରିୱାୱା ଭବିଷ୍ୟତରେ ନୀତୀଶଙ୍କୁ ରାସ୍ତା ଛାଡିବେ କି ନାହିଁ ତାହା ବଡ଼ କଥା । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି ବିଭିନ୍ନ ରାଜ୍ୟରେ ଶକ୍ତିଶାଳୀ ଥିବା ବିଜେପି ବିରୋଧୀ ଆଂଚଳିକ ଦଳ ସବୁ ହିଁ ବିରୋଧୀ ଏକତା ପାଇଁ ସବୁଠାରୁ ବଡ଼ ବିପଦ । କାରଣ ସମସ୍ତଙ୍କର ନିଜସ୍ୱ ଏଜେଣ୍ଡା ଅଛି ଓ ସମସ୍ତଙ୍କ ଆଖିରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ରହିଛି ।