ସେପ୍ଟେମ୍ବର ୭ ତାରିଖରୁ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ଭାରତ ଯୋଡୋ ଯାତ୍ରା । କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଅନ୍ତ ହେବ କାଶ୍ମୀରରେ । ୫ ମାସ ବା ୧୮୦ ଦିନର ଏହି ଯାତ୍ରାର ମୁଳ ରାଜନୈତିକ ଲକ୍ଷ୍ୟ ମିଶନ ୨୦୨୪ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ବିଜେପି ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଏବେଠାରୁ ରାଜନୈତିକ ଇଛା ଉବୁକା ମାରିଲାଣି । ନେତା ନିଜ ରାଜ୍ୟ ଛାଡ଼ି ପଲିଟିକାଲ ପବ୍ଲିକ୍ ରିଲେସନ୍ ଟ୍ରିପରେ ଦିଲ୍ଲୀ ଯାଉଛନ୍ତି କିମ୍ବା ଅନ୍ୟ ରାଜ୍ୟ ଗସ୍ତ କରୁଛନ୍ତି । ନୀତୀଶ,କେସିଆର,ମମତା ଓ କେଜ୍ରିୱାଲଙ୍କ ଭଳି ନେତାଙ୍କୁ ରାଜନୈତିକ ସନ୍ଦେଶ ଦେବା ରାହୁଲଙ୍କ ଏହି ଯାତ୍ରାର ଉଦ୍ଦେଷ୍ୟ । ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ନଜର ପକାଇବା ଭାରତୀୟ ରାଜନୈତିକ ଇତିହାସର ଏମିତି କିଛି ଯାତ୍ରା ଉପରେ ଯାହା ବଦଳାଇ ଦେଇଥିଲା ଭାରତୀୟ ରାଜନୀତିର ରୂପରେଖ । ୧୯୩୦ ରେ ଯଦି ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ପଦଯାତ୍ରାର ରାଜନୈତିକ ଶକ୍ତିକୁ ପ୍ରମାଣିତ କରିଥିଲା ତେବେ ୧୯୯୦ ରେ ଆଡଭାନୀଙ୍କ ରଥଯାତ୍ରା ହିନ୍ଦୁତ୍ୱକୁ ରାଜନୀତିର ସେଣ୍ଟର ଷ୍ଟେଜକୁ ଆଣିଥିଲା ।
ଦାଣ୍ଡି ଯାତ୍ରା
୧୯୩୦ ଲବଣ ସତ୍ୟଗ୍ରହ ମଧ୍ୟ ଦାଣ୍ଡିଯାତ୍ରା ନାମରେ ପ୍ରସିଦ୍ଧ । ବ୍ରିଟିସ ସରକାରକୁ ଚ୍ୟାଲେଂଜ୍ କରି ମହତ୍ମା ଗାନ୍ଧୀ ଅହମ୍ମଦାବାବଦର ସାବରମତି ଆଶ୍ରମରୁ ଦାଣ୍ଡି ପଦଯାତ୍ରା କରିଥିଲେ । ମୋଟ ୩୮୫ କିଲୋମିଟର ସେ ପାଦରେ ଯାତ୍ରା କରିଥିଲେ । ଲୁଣ ଉପରେ କରକୁ ବିରୋଧ କରି ଏହି ପଦଯାତ୍ରା ହୋଇଥିଲା । ମହାତ୍ମା ଦାଣ୍ଡିରେ ପହଂଚିବା ବେଳକୁ ବ୍ରିଟିସ ପୋଲିସ ଲୁଣରେ ମାଟି ମିଶାଇ ସାରିଥିଲା । କିନ୍ତୁ ଗାନ୍ଧୀଙ୍କର ଜଣେ ସହଯୋଗୀ କିଛି ଲୁଣ ଲୁଚାଇ ରଖିଥିଲେ । ସେହି ଲୁଣରୁ ଅଳ୍ପକିଛି ହାତରେ ଧରି ଗାନ୍ଧୀ କହିଥିଲେ ’’ ଏହି ଲୁଣ ସହିତ ମୁଁ ବ୍ରିଟିଶ ସାମ୍ରାଜ୍ୟର ମୁଳଦୂଆ ଦୋହଲାଇ ଦେଲି’’ । ସ୍ୱାଧିନତା ଆନ୍ଦୋଳନକୁ ଅଧିକ ବେଗବାନ କରିବାକୁ ଗାନ୍ଧୀ ଦାଣ୍ଡିଯାତ୍ରାରେ ବାହାରିଥିଲେ । ଯେଉଁଥିରେ ସେ ସଫଳ ମଧ୍ୟ ହୋଇଥିଲେ ।
ଆଡ଼ଭାନୀଙ୍କ ରଥଯାତ୍ରା
ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ପରେ ଯଦି କୌଣସି ଯାତ୍ରା ଭାରତୀୟ ରାଜନୈତିକ ଇତିହାସରେ ଅଧିକ ଗୁରୁତ୍ୱ ବହନ କରେ ତେବେ ତାହା ହେଉଛି ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରା । ୧୯୯୦ ଦଶକରେ ଗୁଜୁରାଟର ଅହମ୍ମଦାବାଦରୁ ଅଯୋଧ୍ୟା ଅଭିମୁଖେ ଲାଲକୃଷ୍ଣ ଆଡଭାନୀ ବାହାରିଥିଲେ । ଏକ ଟୟୋଟା ଗାଡିକୁ ରଥର ଆକାର ଦିଆଯାଇଥିଲା । ଯେଉଁଥିରେ ବସି ଆଡ଼ଭାନୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲେ । ଅବଶ୍ୟ ଆଡଭାନୀଙ୍କ ରଥ ଅଯୋଧ୍ୟାରେ ପହଂଚି ପାରିନଥିଲା କାରଣ ରାସ୍ତାରେ ବିହାର ପୋଲିସ ଲାଲୁ ଯାଦବଙ୍କ ଆଦେଶରେ ତାଙ୍କୁ ଗିରଫ କରିଥିଲା । ଆଡଭାନୀ ଅଯୋଧ୍ୟାରେ ପହଂଚି ପାରିନଥିଲେ କିନ୍ତୁ କରସେବକ ଆଡଭାନୀଙ୍କ ବିନା ଅଯୋଧ୍ୟାରେ ପହଂଚିଥିଲେ । ସେଠାରେ ସେକ୍ୟୁଲାର ଭୋଟ୍ ପାଇଁ ଆଉ ଜଣେ ଯାଦବ ମୁଲାୟମଙ୍କ ନିର୍ଦ୍ଦେଶରେ କରସେବକଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଅନେକ କରସେବକ ପ୍ରାଣ ହରାଇଥିଲେ । ଆଉ ଏସବୁ ଆଡଭାନୀଙ୍କୁ ବନାଇଥିଲା ହିନ୍ଦୁ ହୃଦୟ ସମ୍ରାଟ । ଆଡଭାନୀଙ୍କ ରଥ ବିଜେପିର ୮୦ ଆସନକୁ ୧୨୦ କରିଦେଇଥିଲା । ହିନ୍ଦୁତ୍ୱ ରାଜନୀତିର ସେଣ୍ଟର ଷ୍ଟେଜକୁ ଆସିଥିଲା । ଆଉ ସବୁଠାରୁ ବଡ଼ କଥା ହେଲା,ଏହି ଗୋଟିଏ ଯାତ୍ରା ଭାରତୀୟ ରାଜନୀତିର ଧୃବୀକରଣ କରିଥିଲା । ଗୋଟିଏ ପଟେ ଥିଲା ହିନ୍ଦୁତ୍ୱ ଅନ୍ୟପଟେ ଥିଲା ଧର୍ମନିରପେକ୍ଷବାଦ ।
ଚୈତନ୍ୟ ରଥମ ଯାତ୍ରା
ରଥଯାତ୍ରାରେ କ୍ରେଡିଟ୍ ଆଡଭାନୀଙ୍କୁ ଦିଆଯାଇଥାଏ । କିନ୍ତୁ ଏହା ସତ ନୁହେଁ । ସ୍ୱାଧିନ ଭାରତରେ ରଥଯାତ୍ରାର ଟ୍ରେଣ୍ଡ୍ ଯଦି କିଏ ଆରମ୍ଭ କରିଥିଲେ ସିଏ ହେଉଛନ୍ତି ତେଲଗୁ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଶ୍ୱଶୁର ଏନଟି ରାମାରାଓ । ଆଡବାନୀଙ୍କ ୧୯୯୦ର ରଥଯାତ୍ରାର ଢେର ପୂର୍ବରୁ ୧୯୮୨ ମସିହାରେ ରାମାରାଓ ରଥରେ ବସି ପୁରା ଆନ୍ଧ୍ର ବୁଲିଥିଲେ । ତାଙ୍କ ରଥ ଯେଉଁ ଯେଉଁ ରାସ୍ତା ଦେଇ ଯାଇଥିଲା ସେହି ସବୁ ସ୍ଥାନରୁ କଂଗ୍ରେସ ମୁଳପୋଛ ହୋଇଯାଇଥିଲା । ୧୯୮୨ରେ ରାମାରାୱ ନିଜ ସୁପରଷ୍ଟାରଡମକୁ ରାଜନୀତିରେ ଏନକ୍ୟାସ୍ କରିବାକୁ ବାହାରି ଥିଲେ । ସେ ୪ଥରରେ ପୁରା ରାଜ୍ୟର ଚକ୍କର କାଟିଥିଲେ । ମୋଟ ୭୫ ହଜାର କିଲୋମିଟର ବୁଲିଥିଲେ । ବଦଳରେ ଦଳ ଗଠନର ମାତ୍ର ୯ ମାସ ପରେ ରାମାରଓ କଂଗ୍ରେସକୁ ହଟାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥିରେ କଂଗ୍ରେସର ମଧ୍ୟ ଯୋଗଦାନ ଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ରାଜୀବ ଗାନ୍ଧୀ ହାଇଦ୍ରାବାଦ ବିମାନ ବନ୍ଦରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଂଜନେୟଙ୍କ ସହ ଖରାପ ବ୍ୟବହାର କରିଥିଲେ । କାରଣ ଥିଲା ଅଧିକ କର୍ମୀ ରାଜୀବଙ୍କୁ ସ୍ୱାଗତ କରିବାକୁ ଆସିଥିଲେ । ଯାହା ରାଜୀବଙ୍କୁ ଭଲ ଲାଗିନଥିଲା । ଏହି ଘଟଣାକୁ ଏନଟି ରାମାରାଓ ତେଲଗୁ ସ୍ୱାଭିମାନ ସହ ଯୋଡିଥିଲେ । ଫଳରେ ୯ ମାସ ପରେ ହୋଇଥିବା ନିର୍ବାଚନରେ ତେଲଗୁ ଦେଶମ ପାର୍ଟିକୁ ୨୯୪ ଆସନରୁ ୧୯୯ ଆସନ ମିଳିଥିଲା ।
ଆନ୍ଧ୍ରରେ ପିତା-ପୁତ୍ରଙ୍କ ପଦଯାତ୍ରା
ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ଆଉ ଦୁଇଟି ରାଜନୈତିକ ପଦଯାତ୍ରା ମଧ୍ୟ ରାଜନୈତିକ ପରିବର୍ତ୍ତନ ଆଣିଥିଲା । ୨୦୦୪ରେ ୧୦ ବର୍ଷ ଧରି କ୍ଷମତାରେ ଥିବା ତେଲଗୁ ଦେଶମ ପାର୍ଟିର ଶାସନରେ ପୂର୍ଣ୍ଣଛେଦ ଟାଣିଥିଲା ୱାଏସଆର ରାଜଶେଖର ରେଡ୍ଡିଙ୍କ ପଦଯାତ୍ରା । ରାଜଶେଖର ରାଜ୍ୟ ଭିତରେ ୧୫ଶହ କିଲୋମିଟର ପାଦରେ ଚାଲିଚାଲି ବୁଲିଥିଲେ । ଲୋକଙ୍କ ସହିତ ନିଜକୁ ଯୋଡ଼ିଥିଲେ । ଫଳାଫଳ ଥିଲା ନିଜକୁ ହାଇଟେକ୍ ମୁଖ୍ୟମନ୍ତ୍ରୀ କହି ବିଲ୍ ଗେଟସଙ୍କ ସହିତ ମିଟିଂ କରୁଥିବା ଚନ୍ଦ୍ରବାବୁ ନାଇଡୁ ଅଚାନକ ନିଜ ଚୌକିନଥିବା ଜାଣିଥିଲେ । ପାଦରେ ଚାଲି ଚାଲି ରାଜଶେଖର ହେଲିକପ୍ଟରରେ ଉଡ଼ୁଥିବା ସିଲିକନ ଭ୍ୟାଲିରେ ଡଟ୍ କମ୍ ବୁମର ସ୍ୱପ୍ନ ଦେଖୁଥିବା ଚନ୍ଦ୍ରାବାବୁ ନାଇଡୁଙ୍କୁ ମାଟିକୁ ଟାଣି ଆଣିଥିଲେ ।
ରାଜଶେଖର ରେଡ୍ଡିଙ୍କ ପଦଯାତ୍ରା ଫର୍ମୁଲା ପୁଅ ଜଗନ ମୋହନ ରେଡ୍ଡିଙ୍କୁ କ୍ଷମତା ଦେଇଛି । ୨୦୦୯ରେ ରାଜଶେଖର ରେଡ୍ଡିଙ୍କର ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୁଏ । ଜଗନମୋହନ ଆଶା କରିଥିଲେ ଯେ,ତାଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ମୁଖ୍ୟମନ୍ତ୍ରୀ କରିବେ । କିନ୍ତୁ ପରିବାର ବାହାରେ ସୋନିଆଙ୍କୁ ପରିବାରବାଦ ନଜର ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କଲେ ଖରାପ ସନ୍ଦେଶ ଯିବ ବୋଲି ସୋନିଆ ତାଙ୍କୁ ନାସ୍ତିବାଚକ ଉତ୍ତର ଦେଇଥିଲେ । ଜଗନ କଂଗ୍ରେସ ଛାଡି ୱାଇଏସଆର କଂଗ୍ରେସ ଗଢନ୍ତି । ବାପାଙ୍କ ଭଳି ସେ ମଧ୍ୟ ରାସ୍ତାକୁ ଓହ୍ଲାନ୍ତି । ମା’ଙ୍କ ସହିତ ପଦଯାତ୍ରାରେ ବାହାରନ୍ତି । ଯାତ୍ରାର ନାମ ଥିଲା ପ୍ରଜ୍ଞା ସଂକଳ୍ପ ଯାତ୍ରା । ମୋଟ ୩୬୪୮ କିଲୋମିଟର ଯାତ୍ରା ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଦିଏ ।
ଚନ୍ଦ୍ରଶେଖରଙ୍କ ଭାରତଯାତ୍ରା
ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ମଧ୍ୟ ଭାରତ ଯାତ୍ରାରେ ବାହାରିଥିଲେ । ୬ ଜାନୁଆରି ୧୯୮୩ରୁ ୨୫ ଜୁନ ୧୯୮୩ ପର୍ଯ୍ୟନ୍ତ ତାଙ୍କ ପଦଯାତ୍ରା ଜାରି ରହିଥିଲା । କନ୍ୟାକୁମାରୀରୁ ସେ ଭାରତଯାତ୍ରା ଆରମ୍ଭ କରିଥିଲେ । ସେ ୪ ହଜାର ୨୬୦ କିଲୋମିଟର ପଦଯାତ୍ରା କରିଥିଲେ । ଚନ୍ଦ୍ରଶେଖରଙ୍କ ଏହି ପଦଯାତ୍ରାର ମୁଳଲକ୍ଷ୍ୟ ଥିଲା ଲୋକଙ୍କ ସହ ଭେଟି ସେମାନଙ୍କ ଆଧାରଭୂତ ସମସ୍ୟାକୁ ବୁଝିବା । ଏହା ସହିତ ବିଖଣ୍ଡିତ ଜନତା ପାର୍ଟିକୁ ସଂଜିବନୀ ଦେବା । ରାହୁଲ ଗାନ୍ଧୀ ମଧ୍ୟ ସେହି ଏକା ଲକ୍ଷ୍ୟରେ ବାହାରିଛନ୍ତି । କଂଗ୍ରେସର ହଜିଯାଇଥିବା ଜନାଧାରକୁ ପୁଣି ଖୋଜିବା ଓ ନିଜ ପଟକୁ ଆଣିବା ତାଙ୍କ ଲକ୍ଷ୍ୟ । ତେବେ ସେ ଏଥିରେ କେତେ ସଫଳ ହେଉଛନ୍ତି ତାହା ସମୟ କହିବ ।