ବ୍ୟାଙ୍କରେ ସଂଚୟ ଖାତା ଖୋଲିବା ପୂର୍ବରୁ କିଛି କଥାକୁ ଧ୍ୟାନରେ ରଖିବାର ଆବଶ୍ୟକତା ରହିଛି । ସଂଚୟ ଖାତାରେ ଥିବା ଟଙ୍କା ଉପରେ ସୁଧ ମଧ୍ୟ ମିଳିଥାଏ । ତେବେ ସୁଧ ହାର ବିଭିନ୍ନ ବ୍ୟାଙ୍କରେ ଭିନ୍ନ ହୋଇଥାଏ । କିନ୍ତୁ ସବୁ ବ୍ୟାଙ୍କ ସଂଚୟ ଖାତାରେ ଗୋଟିଏ ପ୍ରକାରର ସୁବିଧା ମିଳିନଥାଏ । ତେଣୁ ଖାତା ଖୋଲିବା ପୂର୍ବରୁ ବିଭିନ୍ନ ବ୍ୟାଙ୍କ ଦେଉଥିବା ସୁବିଧାକୁ ଦୃଷ୍ଟିରେ ରଖନ୍ତୁ । ଏହା ସହିତ ଆଉ କେଉଁ କେଉଁ ବିଷୟକୁ ଖାତା ଖୋଲିବା ପୂର୍ବରୁ ଧ୍ୟାନରେ ରଖିବେ ଆସନ୍ତୁ ଜାଣିବା..
1) ସୂଧ ହାର
ସଂଚୟ ଖାତା ଖୋଲିବା ପୂର୍ବରୁ ସୁଧହାର ବାବଦରେ ତଥ୍ୟ ସଂଗ୍ରହ କରନ୍ତୁ । ଯଦିଓ ସଂଚୟ ଖାତାରେ କମ ସୁଧ ମିଳିଥାଏ କିନ୍ତୁ ଖାତାରେ ଟଙ୍କା ରହିଲେ ଏହା ସହିତ ସୁଧ ଯୋଡି ହୋଇଥାଏ । ସବୁ ବ୍ୟାଙ୍କର ସୁଧ ହାର ଅଲଗା ହୋଇଥାଏ, ତେଣୁ ଖାତା ଖୋଲିବା ଆଗରୁ ଏହାକୁ ଚେକ୍ କରିନିଅନ୍ତୁ ।
2) ମାସିକ ଫିସ୍
ଅନେକ ବ୍ୟାଙ୍କରେ ସଂଚୟ ଖାତା ପାଇଁ ମାସିକ ଦେୟ ଦେବାକୁ ପଡିଥାଏ । ତେଣୁ ଖାତା ଖୋଲିବା ପୂର୍ବରୁ ଏହା ବିଷୟରେ ଜାଣିନିଅନ୍ତୁ । ଯଦି ଖାତା ଉପରେ ମାସିକ ଶୁଳ୍କ ଲାଗୁଛି ତେବେ ସେଠାରେ ଖାତା ନଖୋଲିବା ଭଲ । କାରଣ ଏହାଦ୍ୱାରା ଆକାଉଣ୍ଟରୁ ହେଉଥିବା ଆୟ ଉପରେ ପ୍ରଭାବ ପଡିବ । ତେଣୁ ଖାତା ଖୋଲିବା ଆଗରୁ ପ୍ରଥମେ ମାସିକ ଓ ବାର୍ଷିକ ଚାର୍ଜେସ ବାବଦରେ ଜାଣି ନିଅନ୍ତୁ ।
3) ମିନିମମ ବାଲାନ୍ସ
କିଛି ସଂଚୟ ଖାତାରେ ମିନିମମ୍ ବାଲାନ୍ସ ରଖିବା ବାଧ୍ୟତାମୁଳକ ହୋଇଥାଏ । ଖାତାରେ ସର୍ବନିମ୍ନ ବାଲାନ୍ସ ନଥିଲେ ଫାଇନ ଦେବାକୁ ପଡିଥାଏ । ବ୍ୟାଙ୍କଙ୍କ କହିବା ହେଉଛି ଯେ,ଯଦି ଆପଣ ସେଭିଂ ଆକାଉଣ୍ଟ ଖୋଲୁଛନ୍ତି ତେବେ ସେଥିରେ କିଛି ଟଙ୍କା ରଖିବା ଆବଶ୍ୟକ । ତେବେ କିଛି ସେଭିଂ ଆକାଉଣ୍ଟ ଏମିତି ହୋଇଥାଏ, ଯେଉଁଥିରେ ସର୍ବନିମ୍ନ ବାଲାନ୍ସ ରହିବା ବାଧ୍ୟତାମୁଳକ ହୋଇନଥାଏ । ଏମିତିରେ ଆପଣ ଏବାବଦରେ ଜାଣିବା ଜରୁରୀ ।
4) ଟଙ୍କା ଉଠାଣରେ ସହଜତା
ଖାତା ଖୋଲିବା ବେଳେ ଟଙ୍କା ଯେମିତି ସହଜର ନିଜ ଆକାଉଣ୍ଟରୁ ଉଠାଇ ପାରିବେ ତାହାକୁ ଧ୍ୟାନରେ ରଖନ୍ତୁ । ଏହା ସହିତ ଖାତା ଖୋଲିବା ଆଗରୁ ବ୍ୟାଙ୍କର ଏଟିଏମ ସେବା ବାବଦରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ । ଯେଉଁ ବ୍ୟାଙ୍କରେ ଖାତା ଖୋଲିବେ ସେହି ବ୍ୟାଙ୍କର ଏଟିଏମ୍ ଯେମିତି ଆପଣଙ୍କ ଅଂଚଳରେ ସହଜରେ ଉପଲବ୍ଧ ଥିବ ତାହା ଦେଖି ନିଅନ୍ତୁ । କାରଣ ଅଲଗା ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିଥାଏ ।