ଆମ ଆଦମୀ ପାର୍ଟି ସୁପ୍ରିମୋ ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ଖେଳିଛନ୍ତି ହିନ୍ଦୁତ୍ୱ କାର୍ଡ୍ । ବିଜେପିର ହିନ୍ଦୁତ୍ୱ ଲାବ୍ରୋଟରିରେ ବିଜେପିକୁ ମାତ୍ ଦେବା ପାଇଁ ସେ ଖେଳିଛନ୍ତି ହିନ୍ଦୁତ୍ୱ ଖେଳ । ଭାରତୀୟ ନୋଟ୍ ଉପରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ସହିତ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଛାପିବାକୁ କେଜ୍ରିୱାଲ କ୍ରାନ୍ତିକାରି ପରାମର୍ଶ ଦେଇଛନ୍ତି ।
ବୁଧବାର ଦିନ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ନୋଟ୍ ଉପରେ ଗାନ୍ଧୀଙ୍କ ସହିତ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ ପରାମର୍ଶ ଦେଇ କହିଛନ୍ତି ଯେ, ଏହା ଦ୍ୱାରା ଦେଶର ଅର୍ଥନୀତି ସୁଧୁରିବ । ଅର୍ଥନିତି ଯେଉଁ ସଂକଟର ସମ୍ମୁଖୀନ ହେଉଛି ଗଣେଶଙ୍କ ଚିତ୍ର ଛାପିବା ଦ୍ୱାରା ସବୁ ବିଘ୍ନ କଟିଯିବ । କାରଣ ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା । ସେହିଭଳି ଲକ୍ଷ୍ମୀ ସମୃଦ୍ଧି ଓ ସମ୍ପଦାର ଦେବୀ ତେଣୁ ତାଙ୍କ ଚିତ୍ର ଛପା ଯାଉ ବୋଲି ସେ କହିଛନ୍ତି । କେଜ୍ରିୱାଲଙ୍କ ଏହି ପରାମର୍ଶକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି । ଅନ୍ୟ ସମୟ ହୋଇଥିଲେ କିମ୍ବା ଆଉ କେହି ହୋଇଥିଲେ ଏଭଳି ପରାମର୍ଶ ଶୁଣି ଗୈରିକ ଦଳ ଗଦଗଦ ହୋଇଯାଇଥାନ୍ତା । କିନ୍ତୁ କେଜ୍ରିୱାଲଙ୍କ ମୁହଁରୁ ଏହି ପରାମର୍ଶ ଶୁଣି ବିଜେପି ସତର୍କ ହୋଇଯାଇଛି । କେଜ୍ରିୱାଲ ଏମିତି ହିନ୍ଦୁତ୍ୱ କାର୍ଡ୍ ଖେଳି ବିଜେପିର କୋର ଭୋଟରଙ୍କୁ ହାଇଜାକ୍ କରିବାକୁ ଚାହୁଁଛି ବୋଲି ବିଜେପି ଅନୁଭବ କରିଛି । ତେଣୁ ବିଜେପି ତୁରନ୍ତ କେଜ୍ରିୱାଲଙ୍କୁ ଧର୍ମନିରପେକ୍ଷତାର ପାଠ ପଢାଇଛି ।
ନୋଟରେ ଫଟୋକୁ ନେଇ ରାଜନୀତି
ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାକୁ ନେଇ ଆଗରୁ ମଧ୍ୟ ଅନେକ ମତ ପ୍ରକାଶ ପାଇଛି । କିଛି ସଂଗଠନ ଓ ନେତା ମହାତ୍ମାଙ୍କ ସହିତ ଅନ୍ୟ ନେତାଙ୍କ ଫଟୋ ମଧ୍ୟ ଛାପିବାକୁ ଆଗରୁ ଦାବି କରିଛନ୍ତି । ନିକଟରେ ହିନ୍ଦୁ ମହାସଭା ଗାନ୍ଧୀଙ୍କ ଫଟୋ ସ୍ଥାନରେ ନେତାଜୀ ସୁଭାଶ ବୋଷଙ୍କ ଫଟୋ ଛାପିବାକୁ ଦାବି କରିଥିଲା । ସେହିଭଳି ଆଉ କିଛି ସଂଗଠନ ମହାରାଣା ପ୍ରତାପଙ୍କଠାରୁ ଇତିହାସର ଅନ୍ୟ ପ୍ରଶିଦ୍ଧ ହିନ୍ଦୁ ଯୋଦ୍ଧାଙ୍କ ଫଟୋ ଛାପିବାକୁ ଦାବି କରୁଛନ୍ତି । ତେବେ ପ୍ରଥମ ଥର ପାଇଁ କେବେ ମହାତ୍ମା ଗାନ୍ଧୀଙ୍କ ଫଟୋ ଭାରତୀୟ ମୁଦ୍ରାରେ ଛପା ଯାଇଥିଲା ? ଆସନ୍ତୁ ଜାଣିବା ଏ ବାବଦରେ କିଛି ରୋଚକ ତଥ୍ୟ ।
୧୯୬୯ ରେ ଟଙ୍କାରେ ପ୍ରଥମ ଥର ପାଇଁ ଗାନ୍ଧୀଙ୍କ ଚିତ୍ର
୧୯୪୭ରେ ଦେଶ ସ୍ୱାଧୀନ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ ଭାରତୀୟ ନୋଟରେ ଅଶୋକସ୍ତମ୍ଭ କିମ୍ବା ଅନ୍ୟ ପ୍ରତିକ ଛପା ହେଉଥିଲା । ଦେଶ ସ୍ୱାଧିନତା ପାଇବା ପୂର୍ବରୁ ନୋଟରେ ବ୍ରିଟିଶ ରାଜା ଜର୍ଜ୍ ପଂଚମଙ୍କ ଚିତ୍ର ଛପା ଯାଉଥିଲା । ୧୯୫୦ରେ ଭାରତ ସାଧାରଣତନ୍ତ୍ରରେ ପରିଣତ ହେବା ପରେ ନୋଟରେ ଅଶୋକ ସ୍ଥମ୍ଭ ଛପା ହୋଇଥିଲା । ୧୯୪୯ରେ ହିଁ ଗାନ୍ଧୀଙ୍କ ଚିତ୍ରକୁ ଟଙ୍କାରେ ସ୍ଥାନ ଦେବାକୁ ନିଷ୍ପତି ହୋଇଥିଲା । କିନ୍ତୁ କିଛି କାରଣ ପାଇଁ ଏହାକୁ ୧୯୬୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ୧୯୬୯ ଥିଲା ଗାନ୍ଧୀଜୀଙ୍କ ଜନ୍ମର ଶତତମ ବର୍ଷ । ସେହି ବର୍ଷ ପ୍ରଥମ ଥର ପାଇଁ ଆରବିଆଇ ଜାରି କରିଥିବା ଟଙ୍କାରେ ଗାନ୍ଧୀଙ୍କ ଚିତ୍ର ଛପା ହୋଇଥିଲା ।
କାହିଁକି ଗାନ୍ଧୀଜୀଙ୍କ ଚିତ୍ର ?
ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କ’ଣ ପାଇଁ କେବଳ ଗାନ୍ଧୀଜୀଙ୍କ ଚିତ୍ର ନୋଟରେ ସ୍ଥାନ ପାଉଛି ? ଉତ୍ତର ହେଉଛି ଗାନ୍ଧୀଜୀଙ୍କ ଛଡା ଅନ୍ୟ କୌଣସି ନେତାଙ୍କ ଫଟୋ ଛପା ଗଲେ ବିବାଦ ହେବାର ସମ୍ଭବନା ଥିଲା । ଗାନ୍ଧୀଜୀଙ୍କ ଗ୍ରହଣୀୟତା ଅନ୍ୟ ନେତାଙ୍କ ତୁଳନାରେ ଅଧିକ ଥିଲା । ତେଣୁ ତାଙ୍କ ଚିତ୍ର ହିଁ ନୋଟରେ ଛପା ହେଉଛି । ୨୦୧୪ରେ ଆଶଙ୍କା ପ୍ରକାଶ ପାଇଥିଲା ଯେ, ରିଜର୍ଭ ବ୍ୟାଙ୍କ ନୋଟରୁ ଗାନ୍ଧୀଜୀଙ୍କ ଚିତ୍ର ବାଦ ଦେଉଛି । ଯାହାକୁ ନେଇ ଦେଶରେ ହଙ୍ଗାମା ହୋଇଥିଲା । ଶେଷକୁ ସରକାରଙ୍କ ଏହାର ଉତ୍ତର ଦେବାକୁ ପଡିଥିଲା । ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ସଫା ସଫା କହିଥିଲେ ଯେ,ସରକାରଙ୍କର ସେଭଳି କୌଣସି ମନୋବାଞ୍ଛା ନାହିଁ । ଆରବିଆଇ ମଧ୍ୟ ଏହି ଖବରକୁ ଖଣ୍ଡନ କରିଥିଲା ।
ଇଣ୍ଡୋନେସିଆ ନୋଟରେ ଗଣେଶ
ଇଣ୍ଡୋନେସିଆ ହେଉଛି ବିଶ୍ୱର ସବୁଠାରୁ ବଡ଼ ମୁସଲିମ୍ ରାଷ୍ଟ୍ର । କିନ୍ତୁ ଗୋଟିଏ ସମୟରେ ଏହା ହିନ୍ଦୁ ବହୁଳ ଥିଲା । ମୁସଲିମ୍ ରାଷ୍ଟ୍ର ଇଣ୍ଡୋନେସିଆର ନୋଟରେ କିନ୍ତୁ ଗଣେଶ ସ୍ଥାନ ପାଇଛନ୍ତି । କାରଣ ଇଣ୍ଡୋନେସିଆ ତା’ର ହିନ୍ଦୁ ଅତିତକୁ ଭୁଲି ନାହିଁ । ଏହି ଦେଶ ତା’ର ଅତିତକୁ ନେଇ ଗର୍ବ କରେ । ଭାରତରେ କିଛି ଇଣ୍ଡୋନେସିଆର ଉଦାହରଣ ଦେଇ ନୋଟରେ ଗଣେଶ ଓ ଲକ୍ଷ୍ମୀଙ୍କ ଚିତ୍ର ଛାପିବାକୁ ଦାବି କରିଥାନ୍ତି । କେଜ୍ରିୱାଲଙ୍କ ପୂର୍ବରୁ ବିଜେପିର ବିବାଦୀୟ ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଏଭଳ ଦାବି କରିଛନ୍ତି । କିଛି ବର୍ଷ ତଳେ ସେ କହିଥିଲେ ଯେ, ଗଣେଶ ଓ ଲକ୍ଷ୍ମୀଙ୍କ ଚିତ୍ର ନୋଟରେ ଛାପିଲେ ଭାରତୀୟ ଅର୍ଥନୀତି ବୁଲେଟ୍ ସ୍ପିଡରେ ଦୌଡ଼ିବ ।