ପଠାଣକୋଟରେ ଆତଙ୍କବାଦୀଙ୍କୁ ସେମାନେ ବୁଝୁଥିବା ଭାଷାରେ ଉତ୍ତର ହେଉ କି କାଶ୍ମୀରରେ କୁପବାଡା । ସବୁ ସ୍ଥାନରେ ବାୟୁସେନାର ଗରୁଡ କମାଣ୍ଡୋ ନିଜ ଶକ୍ତି ଓ ସାମର୍ଥ୍ୟ ଦେଖାଇଛନ୍ତି । ତେଣୁ ସେମାନଙ୍କୁ ଦେଶର ଗୌରବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ଗରୁଡ କମାଣ୍ଡୋଙ୍କ କଥା ଉଠିବାର କାରଣ ହେଉଛି ଏବେ ବାୟୁସେନାର ସ୍ପେଶାଲ ଫୋର୍ସେସର ୬୯ ଜଣ ନୂଆ ଗରୁଡ କମାଣ୍ଡୋ ନିଜ ଟ୍ରେନିଂ ସାରିଛନ୍ତି । ଗରୁଡ କମାଣ୍ଡୋଙ୍କୁ ଦୁନିଆର ହାତଗଣତି ସ୍ପେଶାଲ ଫୋର୍ସେସଙ୍କ ଭିତରେ ଗଣାଯାଏ ।
IAF ବିଶେଷ ୟୁନିଟ୍
ଗରୁଡ କମାଣ୍ଡୋ ଫୋର୍ସ ଭାରତୀୟ ବାୟୁସେନାର ବିଶେଷ ୟୁନିଟ୍ ଯାହର ପ୍ରତିଷ୍ଠା ୨୦୦୪ରେ ହୋଇଥିଲା । ବାୟୁସେନାର ସମ୍ବେଦନଶୀଳ ଘାଟିର ସୁରକ୍ଷା କରିବା ଲକ୍ଷ୍ୟରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା । ବାୟୁସେନା ଘାଟିର ସୁରକ୍ଷା ସହିତ ଗରୁଡ କମାଣ୍ଡୋ ସଂଘର୍ଷ ଓ ଶାନ୍ତି କାଳରେ ମଧ୍ୟ ନିଜ ସେବା ଯୋଗାଇ ଦେଇଥାନ୍ତି । ଗରୁଡ କମାଣ୍ଡୋ ବର୍ତ୍ତମାନ ଜାତିସଂଘର ଶାନ୍ତି ପ୍ରତିଷ୍ଠା ମିଶନ କ୍ରମରେ କଙ୍ଗୋ ରେ ମୁତ୍ତୟନ ଅଛନ୍ତି । ଏହି ଫୋର୍ସ ଶତ୍ରୁ ଲୁଚାଇ ରଖିଥିବା ଅସ୍ତ୍ର, ଶତ୍ରୁ ସେନାର କ୍ଷେପଣାସ୍ତ୍ର ଓ ରଡାର ଠାବ କରିବା ସହିତ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସାମିଲ ହୋଇଥାଏ ।
କାହିଁକି ହୋଇଥିଲା ଗଠନ ?
୨୦୦୧ରେ ଜାମ୍ମୁକାଶ୍ମୀରରେ ଥିବା ଭାରତୀୟ ବାୟୁସେନାର ବିମାନଘାଟି ଉପରେ ଦୁଇ ଥର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଯଦିଓ ସଫଳ ହୋଇନଥିଲା ତଥାପି ବାୟୁସେନା ଏକ ସ୍ପେଶାଲ ଫୋର୍ସର ଆବଶ୍ୟକତାକୁ ହୃଦୟଙ୍ଗମ କରିଥିଲା । ବାୟୁସେନା ନିଜର ସମ୍ବେଦନଶୀଳ ଅଂଚଳର ସୁରକ୍ଷା ପାଇଁ ଗରୁଡ ଫୋର୍ସେସର ସ୍ଥାପନ ପାଇଁ ନିର୍ଣ୍ଣୟ ନେଇଥିଲା । ସେପ୍ଟେମ୍ବର ୨୦୦୪ରେ ଗରୁଡ ଫୋର୍ସର ସ୍ଥାପନ ହୋଇଥିଲା । ଯାହାର ପ୍ରଥମ କାର୍ଯ୍ୟ ହେଉଛି ଭାରତୀୟ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷା । ଗରୁଡ କମାଣ୍ଡୋ ୫୨ ସପ୍ତାହର ପ୍ରାଥମିକ କଠିନ ଟ୍ରେନିଂ ନେଇଥାନ୍ତି । ପ୍ରଥମ ତିନି ମାସର ଟ୍ରେନିଂରୁ ଏହା ଜଣା ପଡିଯାଏ ଯେ, କିଏ ଆଗକୁ ସର୍ବୋତ୍ତମ କମାଣ୍ଡୋ ହେବାକୁ ଯାଉଛନ୍ତି ।
ଗରୁଡଙ୍କ ଦାୟିତ୍ୱ କ’ଣ ?
ପଣବନ୍ଦୀ ସଂକଟ କାଳରେ ଗରୁଡ କମାଣ୍ଡୋ ସବୁ ପ୍ରକାରର ଠାବ ଓ ଉଦ୍ଧାର ଅପରେସନ କରିଥାନ୍ତି । ଗରୁଡ ରଡାରକୁ ନଷ୍ଟ କରିବା ସହିତ କମ୍ବାଟ୍ କଣ୍ଟ୍ରୋଲ ଓ କ୍ଷେପଣାସ୍ତ୍ର ଟାର୍ଗେଟକୁ ଠାବ କରନ୍ତି । ଏହାପରେ ସେମାନେ ଏୟାର ଅପରେସନରେ ମଧ୍ୟ ସହଯୋଗ କରନ୍ତି । ଏହା ବ୍ୟତିତ ଗରୁଡ କମାଣ୍ଡୋ ଶତ୍ରୁର ବିମାନଘାଟି ଉପରେ ଆକ୍ରମଣ କରିବା କ୍ଷମତା ରଖନ୍ତି । ସେମାନଙ୍କୁ ୱିପନ ସିଷ୍ଟମକୁ ଅକାମି କରିବା, ଫାଇଟର ଜେଟ୍ ରହୁଥିବା ହ୍ୟାଙ୍ଗରକୁ ଧ୍ୱଂସ କରିବା ଟ୍ରେନିଂ ଦିଆଯାଇଥାଏ । ଗରୁଡ ଜଳ, ସ୍ଥଳ ଓ ଆକାଶରେ ସବୁ ପ୍ରକାର ଅପରେସନରେ ସାମିଲ ହୁଅନ୍ତି । ସେମାନେ ମଧ୍ୟ ଶତ୍ରୁର ଘରେ ପଷି ଆକ୍ରମଣ କରିବା କ୍ଷମତା ରଖନ୍ତି ।
ଗରୁଡ ଅସ୍ତ୍ର
୨୦୧୬ରେ ପଠାଣକୋଟ ଆତଙ୍କବାଦୀ ଆକ୍ରମଣ ପରେ ବାୟୁସେନା ଗରୁଡ ଫୋର୍ସେସର ୧୦ ଅତିରିକ୍ତ ସ୍କ୍ୱର୍ଡନ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲା । ୨୦୧୬ ପରେ ୭୦୦ ଅଧିକ କମାଣ୍ଡୋଙ୍କୁ ଫୋର୍ସରେ ସାମିଲ କରାଯାଇଥିଲା । ଏହାପରେ କମାଣ୍ଡୋଙ୍କ ସଂଖ୍ୟା ୧୭୮୦ ହୋଇଥିଲା । ଗରୁଡ କମାଣ୍ଡୋ ଆଧୁନିକ ଅସ୍ତ୍ରରେ ସଜ୍ଜିତ ହୋଇଥାନ୍ତି । ପ୍ରତି କମାଣ୍ଡୋଙ୍କ ପାଖରେ ଟେଭର ଟିଆର-୨୧ ଆସଲ୍ଟ ରାଇଫଲ, ଗୁଲାକ-୧୭ ପିସ୍ତଲ, ହେକଲର ଆଣ୍ଡ୍ କୁଚ୍ ଏମପି୫ ସବମେସିନ୍ ଗନ,ଏକେଏମ୍ ଆସଲ୍ଟ ରାଇଫଲ, ଏକେ-୪୭, କଲ୍ଟ ଏମ୪ କାର୍ବାଇନ୍ ଭଳି ଅସ୍ତ୍ର ଥାଏ । ଗରୁଡ କମାଣ୍ଡୋଙ୍କ ପାଖରେ ଇସ୍ରାଏଲୀ ତିଆରି କିଲର ଡ୍ରୋନ୍ ମଧ୍ୟ ରହିଛି ।
ତିନି ବର୍ଷର କଠିନ ଟ୍ରେନିଂ
ଗରୁଡ କମାଣ୍ଡୋଙ୍କ ଟ୍ରେନିଂ ବାକି ଫୋର୍ସେସଙ୍କ ଟ୍ରେନିଂଠାରୁ ଅଧିକ ସମୟ ଧରି ଚାଲିଥାଏ । ୩ ବର୍ଷ ଯାଏଁ ଏହି ଟ୍ରେନିଂ ଚାଲେ । ତିନି ବର୍ଷର ଟ୍ରେନିଂ ଶେଷ କରିଥିବା ସିପାହୀଙ୍କୁ ଗରୁଡ କମାଣ୍ଡୋ ହେବାର ସୌଭାଗ୍ୟ ମିଳିଥାଏ । ଗରୁଡ କମାଣ୍ଡୋଙ୍କୁ ଏୟାରଫିଲ୍ଡର ସୁରକ୍ଷା ଓ ପଣବନ୍ଦୀ ସ୍ଥିତିର ସମ୍ମୁଖୀନ ହେବାକୁ ବିଶେଷ ଟ୍ରେନିଂ ଦିଆଯାଏ । କିଛି ଆଡଭାନ୍ସ ଗରୁଡ ୟୁନିଟକୁ ଆର୍ମିର ପାରାଟ୍ରୁପରଙ୍କ ଭଳି ପ୍ରଶିକ୍ଷଣ ଦିଆଯାଇଥାଏ । ଏହା ସହିତ ସେମାନଙ୍କୁ ଜଳସେନାର ମାର୍କୋସ କମାଣ୍ଡୋଙ୍କ ଭଳି ଜଳଯୁଦ୍ଧର ଟ୍ରେନିଂ ମଧ୍ୟ ଦିଆଯାଇଥାଏ ।
ମିଜୋରାମର ହୁଏ ଟ୍ରେନିଂ
କମାଣ୍ଡୋ ଟ୍ରେନିଂରେ ସେମାନଙ୍କୁ ଗଭୀର ନଦୀ ଓ ନିଆଁ ଭିତର ଦେଇ ଯିବାର ପ୍ରଶିକ୍ଷଣ ଦିଆଯାଏ । ସେହିଭଳି ବିନା ସାହାରାରେ ପାହାଡ ଚଢିବା, ଭାରି ବୋଝ ସହିତ ଅନେକ କିଲୋମିଟର ଦୌଡିବା ଓ ଘଂଚ ଜଙ୍ଗଲରେ ରାତି କଟାଇବା ଭଳି କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡେ । ପ୍ରଥମ ତିନି ମାସର ଟ୍ରେନିଂରୁ ସର୍ବୋତ୍ତମ କ୍ୟାଡେଟଙ୍କୁ ବଛା ଯାଇଥାଏ । ଦ୍ୱିତୀୟ ଫେଜରେ କମାଣ୍ଡୋଙ୍କୁ ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ, ଭାରତୀୟ ସେନା ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ୍(ଏନଏସଜି)ର ଟ୍ରେନିଙ୍କ ସହିତ ପ୍ରଶିକ୍ଷଣ ଦିଆଯାଏ । ଏହି ଫେଜରେ ସଫଳ ହୋଇଥିବା କମାଣ୍ଡୋଙ୍କୁ ଆଗ୍ରା ସ୍ଥିତ ପାରସୁଟ୍ ଟ୍ରେନିଂ ସ୍କୁଲକୁ ଆଗାମୀ ପ୍ରଶିକ୍ଷଣ ପାଇଁ ପଠାଯାଏ । ଗରୁଡ କମାଣ୍ଡୋଙ୍କୁ ମିଜୋରାମର କାଉଣ୍ଟର ଇନସର୍ଜନ୍ସି ଆଣ୍ଡ୍ ଜଙ୍ଗଲ ୱାରଫେୟାର ସ୍କୁଲରେ ଆତଙ୍କବାଦୀଙ୍କ ସହିତ କେମିତି ମୁକାବିଲା କରିବେ ତା’ର ଟ୍ରେନିଂ ଦିଆଯାଏ ।