ସାଧାରଣତଃ ଜଣେ ବ୍ୟକ୍ତି ଯେତେବେଳେ ବୟସର 40 ବର୍ଷ ପାର କରନ୍ତି ସେତେବେଳେ ତାଙ୍କୁ ଭବିଷ୍ୟତ ଚିନ୍ତା ଘାରେ । ଅବସର ପରେ କେମିତି ଚଳିବେ, ପିଲାଙ୍କ ଉଚ୍ଚଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସୁଥିବା ଜରୁରୀକାଳିନ ପରିସ୍ଥିତିର କେମିତି ମୁକାବିଲା କରିବେ ଏହାକୁ ନେଇ ମୁଣ୍ଡରେ ଚିନ୍ତା ଘର କରିଥାଏ । ଏହି ବୟସରୁ ହିଁ ଲୋକ ସଂଚୟ କଥା ଅଧିକ ଚିନ୍ତା କରନ୍ତି । ଅବସର ପାଇଁ ଗୋଟିଏ ବଡ଼ ପାଣ୍ଠିର ଖିଆଲ ମୁଣ୍ଡକୁ ଆସିଥାଏ । ଧରି ନିଅନ୍ତୁ ଆପଣଙ୍କ ବର୍ତ୍ତମାନ ବୟସ 45 । ଆପଣ 15 ବର୍ଷ ପରେ ନିଜ ପାଖରେ 1 କୋଟି ଟଙ୍କାର ରିଟାୟରମେଣ୍ଟ୍ ଫଣ୍ଡ୍ ଦେଖିବାକୁ ଚାହାନ୍ତି । ଆଉ ଏଥିପାଇଁ ଆପଣଙ୍କୁ ସଂଚୟ କରିବାକୁ ପଡିବ । ତେବେ ପ୍ରଶ୍ନ ହେଲା କେତେ ? ବର୍ତ୍ତମାନର ମୁଦ୍ରାସ୍ଫିତିକୁ ଦେଖିଲେ, ବାର୍ଷିକ 12 ପ୍ରତିଶତ ରିଟର୍ଣ୍ଣ ହିସାବରେ କୋଟିଏ ଟଙ୍କା ପାଇଁ ଆପଣଙ୍କୁ ଆଗାମୀ 15 ବର୍ଷ ପାଇଁ ମାସିକ 21 ହଜାର ଟଙ୍କା ନିବେଶ କରିବାକୁ ପଡିବ ।
ତେବେ ଜାଣିଛନ୍ତି କି ଯଦି ଆପଣ 25 ବର୍ଷ ବୟସରେ ନିବେଶ ଆରମ୍ଭ କରିଥାନ୍ତେ, ତେବେ ଆପଣଙ୍କୁ ଏକ କୋଟିର ଫଣ୍ଡ୍ ପାଇଁ ମାସିକ କେତେ ଟଙ୍କା ନିବେଶ କରିବାକୁ ପଡିଥାନ୍ତା ? ଉତ୍ତର ହେଉଛି ମାତ୍ର 2 ହଜାର ଟଙ୍କା । 25 ବର୍ଷ ବୟସରେ ଯଦି ଆପଣ ମାସିକ 2 ହଜାର ଟଙ୍କା ନିବେଶ କରିଥାନ୍ତେ ତେବେ ରିଟାୟରମେଣ୍ଟ୍ ବେଳକୁ ଆପଣଙ୍କ ପାଖରେ ଏକ କୋଟିର ଫଣ୍ଡ୍ ରହିଥାନ୍ତା ।
ତେବେ ଏହାର ଅର୍ଥ କ’ଣ ? ଏହାର ଅର୍ଥ ହେଉଛି ଅଳ୍ପ ବୟସରୁ ନିବେଶ କରିଲେ ଆପଣଙ୍କୁ ବଡ଼ ଫଣ୍ଡ୍ ପାଇଁ ଅଳ୍ପ ଟଙ୍କା ନିବେଶ କରିବାକୁ ପଡିଥାଏ । ତେବେ କଥା ହେଲା ଯୁବାବସ୍ଥାରେ ଆମେ ସମସ୍ତେ ପ୍ରାୟ ଏଭଳି ଭୁଲ କରିଥାଉ ଯାହା ଆମ ଭବିଷ୍ୟତର ଫାଇନାନ୍ସ ପ୍ଲାନକୁ ବିଗାଡି ଦେଇଥାଏ । ଯଦି ଆପଣଙ୍କ ବୟସ 30ରୁ କମ ତେବେ ସେହି ସବୁ ଭୁଲ ଉପରେ ନଜର ପକାନ୍ତୁ, ଯାହା ଅଧିକାଂଶ କରନ୍ତି । ଆଉ ଭବିଷ୍ୟତରେ ପଶ୍ଚତାପ କରନ୍ତି । ଏବେ ଚେକ୍ କରି ନିଅନ୍ତୁ ଯେ, ଆପଣ ମଧ୍ୟ ସେହି ଭୁଲ କରୁଛନ୍ତି କି ?
ଭୁଲ ନମ୍ବର1: SIPଆରମ୍ଭ ନକରିବା
ଯୁବାବସ୍ଥାରେ ସିପ୍ ବା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ ଜରିଆରେ ନିବେଶ ଏକ ଭଲ ଅଭ୍ୟାଶ । ଏଥିରେ ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ରାଶି ନିବେଶ କରାଯାଇଥାଏ । ଏକକାଳୀନ ନିବେଶ କରା ଯାଉନଥିବାରୁ ଆପଣଙ୍କୁ ଅଧିକ ଟଙ୍କା ଆବଶ୍ୟକ ହୋଇନଥାଏ । ତେବେ ସିପକୁ ସବୁବେଳେ ଜାରି ରଖିବା ଆବଶ୍ୟକ । ସିପ୍ ନିରନ୍ତର ଭାବେ ଜାରି ରହିଲେ ଆପଣ ବଡ ରାଶି ଏକାଠି କରିପାରିବେ । ସିପ୍ ନିବେଶ ବେଳେ 50 ପ୍ରତିଶତ ଲାର୍ଜ-ମିଡ୍ କ୍ୟାପ୍ , 20ରୁ 30 ପ୍ରତିଶତ ସ୍ମଲ କ୍ୟାପରେ ଓ ବାକି ଡେବ୍ଟ ଫଣ୍ଡରେ ନିବେଶ କରନ୍ତୁ ।
ଭୁଲ ନମ୍ବର2: PPF ଖାତା ନଖୋଲିବା
ପିପିଏଫ୍ ହେଉଛି ସବୁଠାରୁ ଭଲ ରିଟାୟରମେଣ୍ଟ୍ ଫଣ୍ଡ୍ । ଏହା ତିନି ପ୍ରକାରର ଟ୍ୟାକ୍ସ ବେନିଫିଟ୍ ଦେଇଥାଏ । ପ୍ରଥମେ ଆୟକର ଧାରା 80ସି’ ଅନ୍ତର୍ଗତରେ ଆପଣ ଟ୍ୟାକ୍ସ ଡିଡକ୍ସନ ଦାବି କରିପାରିବେ, ଦ୍ୱିତୀୟରେ ଏଥିରୁ ମିଳୁଥିବା ସୁଧ ଆୟକର ମୁକ୍ତ ହୋଇଥାଏ । ତୃତୀୟରେ, ଜମା ଅବଧି ସରିବା ପରେ ଏକକାଳିନ ମିଳିବାକୁ ଥିବା ରାଶି ମଧ୍ୟ କରମୁକ୍ତ ହୋଇଥାଏ । ପିପିଏଫ୍ ଆକାଉଣ୍ଟ୍ ନଖୋଲିବା ଆପଣଙ୍କର ଆଉ ଗୋଟିଏ ଆର୍ଥିକ ଭୁଲ ହୋଇପାରେ ।
ଭୁଲ ନମ୍ବର3: ଟର୍ମ ଇନସ୍ୟୁରାନ୍ସ କ୍ରୟ ନକରିବା
ଯଦି ଆପଣଙ୍କ ପରିବାର ଆପଣଙ୍କ ଉପରେ ନିର୍ଭରଶୀଳ, ତେବେ ଆପଣଙ୍କ ପକ୍ଷରେ ଗୋଟିଏ ଟର୍ମ ବୀମା କିଣିବା ନିହାତି ଜରୁରୀ । ଯଦି ଆପଣଙ୍କ ବୟସ 25 ବର୍ଷ ଓ ତେବେ ଆପଣଙ୍କୁ 1 କୋଟିର ଟର୍ମ କଭର ବାର୍ଷିକ 8ରୁ 10 ହଜାର ଟଙ୍କା ବଦଳରେ ମିଳିଯିବ । କିନ୍ତୁ ଅଧିକ ବୟସରେ ଟର୍ମ ପ୍ଲାନ୍ ନେଲେ ଆପଣଙ୍କୁ ଅଧିକ ପ୍ରିମିୟମ ଦେବାକୁ ପଡିଥାଏ । 1 କୋଟିର ଟର୍ମ ପ୍ଲାନ୍ ପାଇଁ ଯଦି ଜଣେ 25 ବର୍ଷ ବୟସ୍କଙ୍କୁ 8ରୁ 10 ହଜାର ଟଙ୍କା ଦେବାକୁ ପଡୁଛି ତେବେ 45 ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ଏହାର ଦୁଇ ଗୁଣରୁ ଅଧିକ ଟଙ୍କା ପ୍ରିମିୟମ ଭାବେ ଦେବାକୁ ପଡିବ । ତେଣୁ ଟର୍ମ ପ୍ଲାନ୍ ସବୁବେଳେ କମ ବୟସରେ ନେବା କଥା ।
ଭୁଲ ନମ୍ବର4: ସ୍ୱାସ୍ଥ୍ୟବୀମାକୁ ଗୁରୁତ୍ୱ ନଦେବା
ହସପିଟାଲ ଖର୍ଚ୍ଚ ଆପଣଙ୍କ ସଂଚୟକୁ ସମାପ୍ତ କରିପାରେ । ସାଧାରଣ ମୁଦ୍ରସ୍ଫିତି ତୁଳନାରେ ମେଡିକାଲ ମୁଦ୍ରସ୍ଫିତି 15 ପ୍ରତିଶତ ଅଧିକ ହାରରେ ବଢୁଛି । ଅର୍ଥାତ ଆପଣଙ୍କୁ ଭବିଷ୍ୟତରେ ସ୍ୱାସ୍ଥ୍ୟ ସେବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଆପଣ ଯଦି କମ ବୟସରେ ସ୍ୱାସ୍ଥ୍ୟବୀମା ନେଇ ନାହାନ୍ତି ତେବେ ଭବିଷ୍ୟତରେ ଏଥିପାଇଁ ଅଧିକ ଅର୍ଥସ୍ୱାହା କରିବାକୁ ପଡିବ । କାରଣ କମ ବୟସରେ ସ୍ୱାସ୍ଥ୍ୟବୀମା କମ ପ୍ରିମିୟମରେ ମିଳିଥାଏ । ଏହାସହ ଆପଣ ଯେତେବେଳେ କୌଣସି କ୍ଲେମ୍ କରିନଥାନ୍ତି ସେତେବେଳେ କଂପାନି ଆପଣଙ୍କୁ ନୋକ୍ଲେମ୍ ବୋନସ ମଧ୍ୟ ଦେଇଥାଏ । 40 ପରେ ସ୍ୱାସ୍ଥ୍ୟ ବୀମା କରାଇବା ପାଇଁ ଆପଣଙ୍କୁ ଅଧିକ ପ୍ରିମିୟମ ଦେବାକୁ ପଡିଥାଏ ।
ଭୁଲ ନମ୍ବର5: ଚକ୍ରବୃଦ୍ଧିର ଶକ୍ତିକୁ ବୁଝିବାରେ ଅକ୍ଷମତା
ଆମେ ନିବେଶକୁ ଗଡାଇ ଚାଲିଥାଉ । ନିବେଶ ନକରିବାର ଅନେକ ବାହନା ଖୋଜୁ । ଏ ମାସରେ ନୁହେଁ ଆର ମାସରୁ ନିୟମିତ ସଂଚୟ କରିବି, ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବି । ନିଜକୁ ଏଭଳି ସାନ୍ତ୍ୱନା ଦେଇ ଆମେ ନିବେଶକୁ ବିଳମ୍ବ କରୁ । କିନ୍ତୁ ବିଶେଷଜ୍ଞଙ୍କ କହିବା ହେଉଛି ଏହା ଯୁବାବସ୍ଥାରେ କରାଯାଇଥିବା ସବୁଠୁ ବଡ ଆର୍ଥିକ ଭୁଲ । ନିବେଶ ଚକ୍ରବୃଦ୍ଧି ହାରରେ ବଢିଥାଏ । ଉଦାହରଣ ସ୍ୱରୁପ ଆପଣ ଯଦି 15 ବର୍ଷ ପାଇଁ ମାସିକ 5 ହଜାର ଟଙ୍କା ନିବେଶ କରନ୍ତି ତେବେ ଆପଣଙ୍କ ସଂଚୟ ହେବ 9 ଲକ୍ଷ ଟଙ୍କା । ଏହି 9 ଲକ୍ଷ ଟଙ୍କା ଉପରେ ଯଦି ଆପଣ 10 ପ୍ରତିଶତ ରିଟର୍ଣ୍ଣ ବି ପାଆନ୍ତି ତେବେ ଆପଣଙ୍କ ମୋଟ ଆୟ ହେବ 20 ଲକ୍ଷ ଟଙ୍କା । ଏହା ହେଉଛି ଚକ୍ରବୃଦ୍ଧିର ଶକ୍ତି ।
ଭୁଲ ନମ୍ବର6: ଭୁଲ ନିବେଶ
ଆମେ ଏଜେଣ୍ଟ୍ ମାନଙ୍କୁ ପ୍ରଶ୍ନ କରି ନଥାଉ । ଯାହା ଭବିଷ୍ୟତରେ ଆମକୁ ଆର୍ଥିକ କ୍ଷତି ଦେଇଥାଏ । ଯୁବାବସ୍ଥାରେ ନିବେଶ କରୁଥିଲେ, ପ୍ରଶ୍ନ କରନ୍ତୁ । ଆପଣ ଯେଉଁ କଂପାନିଠାରୁ ପ୍ଲାନ୍ ନେଉଛନ୍ତି ତାର ଫଣ୍ଡ୍ ମ୍ୟାନେଜମେଣ୍ଟ୍ କଷ୍ଟ୍ ଓ ଏଜେଣ୍ଟ କମିଶନ କେତେ ପଚାରନ୍ତୁ । କାରଣ ଆପଣଙ୍କ ଟଙ୍କାରେ ହଁ କଂପାନି ଏହି ସବୁ ଖର୍ଚ୍ଚ କରିବା ପରେ ନିଜ ଲାଭ ଉଠାଇ ଥାଏ । ଧରି ନିଅନ୍ତୁ ଆପଣ 30 ବର୍ଷ ବୟସରେ 30 ବର୍ଷ ପାଇଁ 10 ଲକ୍ଷ ଟଙ୍କା ନିବେଶ କରିଛନ୍ତି । ଯଦି କଂପାନି ଆପଣଙ୍କଠାରୁ ଅଧିକ 1 ପ୍ରତିଶତ କଷ୍ଟ ନେଇଥାଏ, ତେବେ ଆପଣ 30 ବର୍ଷ ଭିତରେ 3.5 ଲକ୍ଷ ଟଙ୍କା ହରାଇବେ । ତେଣୁ ପ୍ରଶ୍ନ କରନ୍ତୁ ଓ ଭୁଲ ନିବେଶରୁ ବଂଚନ୍ତୁ ।
ଭୁଲ ନମ୍ବର7: ନିବେଶ ବଦଳରେ ସଂଚୟ
ଅନେକ ଯୁବାବସ୍ଥାରୁ ସଂଚୟ କରନ୍ତି । ସେମାନେ ସଂଚୟକୁ ନିବେଶ ବୋଲି ଭାବି ନିଅନ୍ତି । ସଂଚୟ ଖାତା ଉପରେ ମିଳୁଥିବା ନାମମାତ୍ର ରିଟର୍ଣ୍ଣ (4 ପ୍ରତିଶତ) ଭବିଷ୍ୟତର ଆବଶ୍ୟକତା ପୁରଣ କରିବ ବୋଲି ସେମାନେ ଆଶା କରନ୍ତି । କିନ୍ତୁ ଏହା ଆପଣଙ୍କର ସବୁଠୁ ବଡ ଭୁଲ । କାରଣ 4 ପ୍ରତିଶତ ରିଟର୍ଣ୍ଣ ବର୍ତ୍ତମାନର ମୁଦ୍ରାସ୍ଫିତି ହାରକୁ ଲମ୍ବା ଅବିଧିରେ ମାତ୍ ଦେଇ ପାରିବ ନାହିଁ । ତେଣୁ ସଂଚୟ କରିବା ସହ କିଛି ନିବେଶ କରନ୍ତୁ । ଥରେ ନିବେଶ କରିବା ପାଇଁ ନିଷ୍ପତି ନେବା ପରେ କେଉଁଥିରେ ନିବେଶ କରିବେ ତାହା ବାଛନ୍ତୁ । ଇକ୍ୱଟି ବା ସେୟାର ମାର୍କେଟରେ ନିବେଶ କରିବାର ସାହାସ କରନ୍ତୁ । କାରଣ ରିସର୍ଚ୍ଚ କହୁଛି ଲମ୍ବା ଅବଧିରେ ଇକ୍ୱିଟି ନିବେଶ ରିୟଲ ଇଷ୍ଟେଟଠାରୁ ଅଧିକ ଲାଭ ଦେଇଥାଏ । ଆପଣ ଯଦି ନିଜ ପ୍ରାଇମ୍ ଏଜରେ ଅଛନ୍ତି ତେବେ ଇକ୍ୱିଟିରେ ନିବେଶ କରିବାର ରିସ୍କ ନିଅନ୍ତୁ । କାରଣ 40 ବର୍ଷ ଅତିକ୍ରମ କରିବା ପରେ ଆପଣଙ୍କ ରିସ୍କ ନେବା କ୍ଷମତା ହ୍ରାସ ପାଇବ । ଇକ୍ୱିଟି ଲମ୍ବା ଅବଧିରେ 12ରୁ 18 ପ୍ରତିଶତ ରିଟର୍ଣ୍ଣ ଦେଇଥାଏ । ଯାହା ଆପଣଙ୍କ ସଂଚୟ ରିଟର୍ଣ୍ଣ ଠାରୁ ଅଧିକ ।
ଭୁଲ ନମ୍ବର8: EPFରୁ ଉଠାଣ
ଚାକିରି ପରିବର୍ତ୍ତନ ସହ ଆମ ମଧ୍ୟରୁ ଅଧିକାଂଶ ଇପିଏଫ୍ ଟଙ୍କା ଉଠାଇ ନେଇଥାନ୍ତି । କିନ୍ତୁ ଏଭଳି କରିବା ଗୋଟିଏ ମସ୍ତବଡ ଭୁଲ । ଇପିଏଫରୁ ଏମିତି ଟଙ୍କା ଉଠାଇ ଚାଲିଲେ ଆପଣ ବଡ ଫଣ୍ଡ୍ ତିଆରି କରି ପାରିବେ ନାହିଁ । ଆଗରୁ ଗୋଟିଏ ଇପିଏଫ୍ ଆକାଉଣ୍ଟରୁ ଆଉ ଗୋଟିଏ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର କରିବା ସମୟ ସାପେକ୍ଷ ଥିଲା,ଏବେ ୟୁଏଏନ୍ ବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଆସିବା ପରେ ସେହି ଅସୁବିଧା ନାହିଁ । ଆପଣଙ୍କୁ ନୂଆ କଂପାନିକୁ କେବଳ କେୱାସି ଓ ୟୁଏଏନ୍ ଡାଟା ଦେବାକୁ ପଡିବ । ପିଏଫ୍ ନମ୍ବର ବଦଳୁ ନଥିବାରୁ ଆପଣଙ୍କୁ ଫଣ୍ଡ୍ ଟ୍ରାନସ୍ଫର କରିବାକୁ ପଡିବ ନାହିଁ । ତେଣୁ ଇପିଏଫ ଆକାଉଣ୍ଟ୍ ବନ୍ଦ କରନ୍ତୁ ନାହିଁ । ଯଦି ଆପଣ ଇପିଏଫ୍ ଆକାଉଣ୍ଟ ବନ୍ଦ କରୁଛନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ଏକ ବଡ ଫଣ୍ଡରୁ ହାତ ଧୋଇବାକୁ ପଡିବ ।
ଭୁଲ ନମ୍ବର9: ପୁରୁଣା ଅଭ୍ୟାସରେ ପରିବର୍ତ୍ତନ ନଆଣିବା
ପୁରୁଣା ଅଭ୍ୟାସ ଛାଡି ନୂଆ ଟେକ୍ନୋଲଜିକୁ ଆପଣାନ୍ତୁ । ଅଫଲାଇନ୍ ବୀମା ନକିଣି ଅନଲାଇନରେ ବୀମା କିଣନ୍ତୁ । ଏହା ଆପଣଙ୍କୁ ଫାଇଦା ଦେଇଥାଏ । ସେହିଭଳି ଅନଲାଇନରେ ମ୍ୟୁଚୁଆଲ ଫଣ୍ଡ କିଣନ୍ତୁ । ଅନଲାଇନରେ ମ୍ୟୁଚୁଆଲ ଫଣ୍ଡ ଓ ବୀମ କିଣିଲେ ଆପଣଙ୍କୁ ଏଜେଣ୍ଟଙ୍କୁ କମିଶନ ଦେବାକୁ ପଡି ନଥାଏ । ମୋବାଇଲ ୱାଲେଟ୍ ଜରିଆର ବିଲ୍ ପେମେଣ୍ଟ୍ କରି ରିୱାର୍ଡ ପଏଣ୍ଟସ ସଂଗ୍ରହ କରନ୍ତୁ ।
ଭୁଲ ନମ୍ବର10: ଲୋନ ନେବା ବେଳେ ସତର୍କ ରୁହନ୍ତୁ
ଯେତିକି ସୁଝି ପାରିବେ ସେତିକି ଲୋନ କରନ୍ତୁ । ଯଦି ଆଗରୁ ଲୋନ୍ ଅଛି, ତେବେ ତାକୁ ଶୁଝିବା ପରେ ନୂଆ ଲୋନ୍ ନିଅନ୍ତୁ । ସେହି ଲୋନକୁ ପ୍ରଥମେ ଶୁଝନ୍ତୁ ଯାହାର ସୁଧ ହାର ଅଧିକ । ଠିକ ସମୟରେ କିସ୍ତି ଶୁଝନ୍ତୁ କାରଣ ଏହା ଆପଣଙ୍କ ସିବିଲ ସ୍କୋରକୁ ପ୍ରଭାବିତ କରିଥାଏ । ଖରାପ ସିବିଲ ସ୍କୋର ମାନେ ଆପଣଙ୍କୁ ଲୋନ ମିଳିବାରେ ଅସୁବିଧା ।
ଭୁଲ ନମ୍ବର11: ମୁଦ୍ରାସ୍ଫୀତିକୁ ଉପେକ୍ଷା କରିବା
ବର୍ତ୍ତମାନର ମୁଦ୍ରାସ୍ଫୀତି ଯଦି 7 ପ୍ରତିଶତ ବୋଲି ଧରି ନିଆଯାଏ, ତେବେ 30 ବର୍ଷ ପରେ 1 ଲକ୍ଷ ଟଙ୍କାର ମୁଲ୍ୟ ମାତ୍ର 13 ହଜାର ଟଙ୍କା ହେବ । ଯାହାର ଅର୍ଥ ହେଉଛି ଆଗାକୁ ପ୍ରତି ବସ୍ତୁର ମୁଲ୍ୟ ବଢିବ । ତେଣୁ ଆପଣଙ୍କୁ ଏମିତି ରଣନୀତି ଅବଲମ୍ବନ କରିବାକୁ ପଡିବ, ଯାହାଦ୍ୱାରା ଆପଣ ମୁଦ୍ରସ୍ପୀତିକୁ ମାତ୍ ଦେଇ ପାରିବେ ।