ମଣିପୁରରେ ଶନିବାର ଦିନ ଆସାମ ରାଇଫଲର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣରେ କମାଣ୍ଡିଂ ଅଫିସର ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ୬ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ନିଜକୁ ଉତ୍ତରଦାୟୀ କରିଛି ପିପୁଲ’ସ ଲିବରେସନ୍ ଆର୍ମି-ମଣିପୁର । ଠିକ୍ ଶୁଣିଛନ୍ତି ଖାଲି ଚୀନରେ ନୁହେଁ ଭାରତର ମଣିପୁରରେ ମଧ୍ୟ ଗୋଟିଏ ପିପୁଲ’ସ ଲିବରେସନ୍ ଆର୍ମି ରହିଛି । ଯାହାର ସଂପର୍କ ଚୀନ ସହିତ ରହିଛି ।
କର୍ଣ୍ଣସ ବିପ୍ଲବଙ୍କ ଦଳ ଉପରେ ହୋଇଥିବା ଆକ୍ରମଣ ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ୧୫ରୁ ଅଧିକ ଆତଙ୍କବାଦୀ ସାମିଲ ଥିଲେ । ପ୍ରଥମେ ସେମାନେ ତିନୋଟି ଆଇଡି ବିସ୍ଫୋରଣ କରିଥିଲେ । ଏହା ପରେ ଚାରିପଟୁ ଗୁଳିମାଡ କରିଥିଲେ । ଗୁଇନ୍ଦା ସୂଚନା ଅନୁସାରେ ପିଏଲଏର ଆତଙ୍କବାଦୀ ଚୀନରେ ବସିଥିବା ନିଜ ବସଙ୍କ ଆଦେଶରେ ଏହି ଆକ୍ରମଣ କରିଛନ୍ତି । ମଣିପୁରର ପିଏଲଏକୁ ଚୀନ୍ ସେନା ଟ୍ରେନିଂ ଦେଇଛି । ଏହି ସଂଗଠନର ଆତଙ୍କବାଦୀ ଆକ୍ରମଣ ପରେ ମିଆଁମାରକୁ ପଳାୟନ କରନ୍ତି ।
ଚୀନ୍ ଖବରକାଗଜର ଧମକ
ଚୀନର ସରକାରୀ ଖବରକାଗଜ ଦି ଗ୍ଲୋବାଲ ଟାଇମ୍ସର ସଂପାଦକ ନିକଟରେ ଏକ ଟ୍ୱିଟ୍ କରି ଭାରତୀୟଙ୍କୁ ଧମକ ଦେଇଥିଲେ ଯେ, ଚୀନ୍ ଚାହିଁଲେ ଉତ୍ତର-ପୂର୍ବରେ ସକ୍ରୀୟ ଥିବା ଆତଙ୍କବାଦୀଙ୍କୁ ସାହାଯ୍ୟ କରି ଭାରତରେ ଗୃହଯୁଦ୍ଧ ଆରମ୍ଭ କରିପାରିବ । ସୂଚନାଯୋଗ୍ୟ ଯେ, ଟ୍ୱିଟ କରି ଏହି ସମ୍ପାଦକ ଜଣକ ଭାରତରେ ଚୀନ୍ ବିରୋଧୀ ମନୋଭାବକୁ ନାପସନ୍ଦ କରି ଭାରତୀୟ ଜାତିୟତାବାଦୀଙ୍କୁ ଧମକ ଦେଇଥିଲେ । ଧମକ ଦେବାର ମାତ୍ର କେଇଦିନ ମଧ୍ୟରେ ଏହି ଆକ୍ରମଣ ହୋଇଛି ।
ଚୀନ୍ ସାହାଯ୍ୟରେ ସ୍ୱାଧୀନ ମଣିପୁରର ସ୍ୱପ୍ନ
ଆତଙ୍କବାଦୀ ନେତା ଏନ୍ ବିଶେଶ୍ୱର ଚୀନ୍ ସହାୟତାରେ ପିଏଲଏ ଗଠନ କରିଛି । ସେ ଭାରତରୁ ମଣିପୁରକୁ ଅଲଗା କରି ଏକ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ କରିବାକୁ ଚାହେଁ । ଏହି ସଂଗଠନ କମ୍ୟୁନିଜମରେ ବିଶ୍ୱାସ କରେ । ସେମାନେ ମଧ୍ୟ ଚୀନ୍ ଭଳି ସରକାର ଚାହୁଁଛନ୍ତି । ଅର୍ଥାତ ସେମାନେ ମଧ୍ୟ ବୈଚାରିକ ଭାବେ ମାଓବାଦୀଙ୍କ ନିକଟତର ।
ପିଏଲଏ ସମେତ ଉତ୍ତର-ପୂର୍ବରେ ସକ୍ରୀୟ ଥିବା ଅନେକ ଆତଙ୍କବାଦୀ ସଂଗଠନକୁ ଚୀନ୍ ସମର୍ଥନ ବହୁ ବର୍ଷ ଧରି ରହି ଆସିଛି । ଗ୍ଲୋବାଲ ଟାଇମ୍ସ ଏଭଳି କୌଣସି ସମ୍ପର୍କକୁ ଖଣ୍ଡନ କରିଥାଏ କିନ୍ତୁ ଜଣେ ପୂର୍ବତନ ଆତଙ୍କବାଦୀ ନେତାଙ୍କ ଅନୁସାରେ ସେମାନେ ଚୀନରେ ପ୍ରଶିକ୍ଷଣ ପାଇଛନ୍ତି । ଏହି ଆତଙ୍କବାଦୀର ନାମ ହେଉଛି ସର୍ଜେଣ୍ଟ୍ ରୋନି । ୨୦୦୯ରେ ଧରା ପଡିଥିବା ସର୍ଜେଣ୍ଟ୍ ରୋନି ଜେରା ବେଳେ ଚୀନ୍ ସେନା ସେମାନଙ୍କୁ ଟ୍ରେନିଂ ଦେଇଥିବା ସ୍ୱୀକାର କରିଥିଲା ।
ଭାରତରେ ଆକ୍ରମଣ, ମିଆଁମାରରେ ଶରଣ
ସେତେବେଳେ ରୋନି କହିଥିଲା ଯେ, ଚୀନରେ ଟ୍ରେନିଂ ପରେ ୧୬ ପ୍ଲାଟୁନ ଆତଙ୍କବାଦୀ ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି । ଏହି ଆତଙ୍କବାଦୀଙ୍କ ମୋଡସ ଅପରେନ୍ଦି ହେଉଛି ଭାରତରେ ଆକ୍ରମଣ, ମିଆଁମାରରେ ଶରଣ । ଭାରତରେ ବଡ଼ ଧରଣର ଆକ୍ରମଣ ପରେ ଏମାନେ ମିଆଁମାରରେ ଥିବା ନିଜ ଗୁପ୍ତ ଆଡ୍ଡାରେ ଶରଣ ନିଅନ୍ତି । ମିଆଁମାରରେ ଗୃହଯୁଦ୍ଧ ଚାଲୁଥିବା ବେଳେ ଆତଙ୍କବାଦୀଙ୍କ ଗୋଳିଆପାଣି ବେସ ସୁହାଉଛି ।