ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶବ୍ୟାପି ମୁସଲିମ୍ ସମ୍ପ୍ରଦାୟ ତରଫରୁ ପ୍ରତିବାଦ ହେଉଛି । ଶୁକ୍ରବାର ଦିନ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ଉତ୍ତରପ୍ରଦେଶରୁ କେରଳ ପର୍ଯନ୍ତ ନମାଜ ପରେ ବିକ୍ଷୋଭ ପ୍ରଦର୍ଶନ ହେଇଛି । ଅନେକ ସ୍ଥାନରେ ବିକ୍ଷୋଭ ହିଂସାର ରୂପ ନେଇଛି । ରାଂଚିରେ ତ’ ପୋଲିସ ଖୋଦ ଆକ୍ରମଣର ଶିକାର ହୋଇଛି । ଜଣେ ପୋଲିସଙ୍କୁ କାନ୍ଦି କାନ୍ଦି ଅଧିକ ଫୋର୍ସ ପାଇଁ ନିଜ ଅଧିକାରୀଙ୍କୁ ନିବେଦନ କରିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଅନେକ ସ୍ଥାନରେ ନୂପୁରଙ୍କ କୁଶପୁତଳିକାକୁ ଫାଶୀ ଦିଆଯାଇଛି । ଏହାରି ଭିତରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଭାରତରେ ଗୋଟିଏ ବୟାନକୁ ନେଇ ଏତେ ହଙ୍ଗାମା ସୃଷ୍ଟି ହୋଇଥିବା ବେଳେ ଚୀନରେ ମୁସଲିମଙ୍କ ଉପରେ ଯେଉଁଭଳି ଦମନଲୀଳା ଚାଲିଛି ତାକୁ ନେଇ ମୁସଲିମ ରାଷ୍ଟ୍ର ଗୁଡିକ ନିରବ କାହିଁକି ?
ଭାରତ ବିରୋଧରେ ୧୬ ମୁସଲିମ ରାଷ୍ଟ୍ର ଏକାଠି ହେବା ପରେ ଏହି ପ୍ରଶ୍ନ ଉଠିଛି । ଇରାକ, ଇରାନ, କୁଏତ, କତର, ସାଉଦି ଆରବଠାରୁ ଇଣ୍ଡୋନେସିଆ ଭଳି ଦେଶ ଭାରତକୁ କ୍ଷମା ମାଗିବାକୁ ଦାବି କରିଛନ୍ତି । କିନ୍ତୁ ଏହି ଦେଶ ଗୁଡିକ ଚୀନର ଉଇଘର ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଅସ୍ୱାଭବିକ ନିରବତ ଅବଲମ୍ବନ କରନ୍ତି ।
ତେବେ ଉଇଘର ମୁସଲିମଙ୍କ ଉପରେ ଅତ୍ୟାଚାର ବାବଦରେ ମୁସଲିମ୍ ରାଷ୍ଟ୍ର ସବୁ ନିରବ କାହିଁକି ? ଚୀନ ଓ ମୁସଲିମ ରାଷ୍ଟ୍ରଙ୍କ ମଧ୍ୟରେ ଏଭଳି ବନ୍ଧୁତାର କାରଣ କ’ଣ ? ଆସନ୍ତୁ ଜାଣିବ…
କେତେ ଅତ୍ୟାଚାର ?
୧. ଉଇଘର ମୁସଲିମଙ୍କୁ ଦାଢି ରଖିବାକୁ ଚୀନ୍ ମନା କରିଛି । ଦାଢି ରଖୁଥିବା ମୁସଲିମଙ୍କୁ ଜୋର ଜବରଦସ୍ତ ଖିଅର କରିବା ସହିତ ସେମାନଙ୍କୁ ଲେବର କ୍ୟାମ୍ପକୁ ପଠାଯାଏ
୨. ୨୦୧୪ ପରଠାରୁ ଚୀନର ବିଭିନ୍ନ ଲେବରକ୍ୟାମ୍ପରେ ୧୦ ଲକ୍ଷରୁ ଅଧିକ ମୁସଲିମ ବନ୍ଦୀ ଅଛନ୍ତି ।
୩. ୨୦୧୭ ପରଠାରୁ ଚୀନର ଶିଆନଜିଙ୍ଗ୍ ପ୍ରଦେଶରେ ୧୭ ହଜାରରୁ ଅଧିକ ମସଜିଦକୁ ଚୀନ ସରକାର ଭାଙ୍ଗି ଦେଇଛନ୍ତି ।
୪. ଉଇଘର ମୁସଲିମଙ୍କ ବଳପୂର୍ବକ ବନ୍ଧ୍ୟାକରଣ କରାଯାଇଥାଏ । ସେମାନଙ୍କୁ ବିନା ମଜୁରୀରେ କାମରେ ଲଗାଯାଏ ।
୫. ରମଜାନରେ ଉପବାସ ରଖିବା ବ୍ୟାନ୍ । ଉପବାସ ରଖୁଥିବା ମୁସଲିମଙ୍କୁ ବଳପୂର୍ବକ ଖାଦ୍ୟ ଦିଆଯାଏ
୬. ୨୦୧୪ ରୁ ୨୦୨୨ ମଧ୍ୟରେ ୬୩୦ରୁ ଅଧିକ ମୌଲାନାଙ୍କୁ ଗିରଫ କରାଯାଇଛି ।
ଚୀନ ସରକାରଙ୍କୁ ମୁସଲିମ୍ ରାଷ୍ଟ୍ରଙ୍କ ସମର୍ଥନ
ମୁସଲିମ ରାଷ୍ଟ୍ର ଉଇଘର ମାମଲାରେ କେବଳ ଚୀନର ସମର୍ଥନ କରୁନାହାନ୍ତି ଅଧିକନ୍ତୁ ଉଇଘର ମୁସଲିମଙ୍କ ବିରୋଧରେ ଚୀନ ନେଉଥିବା ପଦକ୍ଷେପକୁ ସମର୍ଥନ କରନ୍ତି । ଚୀନ୍ ଇସାରାରେ ମିଶର,ମରୋକୋ,କତର,ସାଉଦି ଆରବ,ସିରିଆ ଓ ୟୁଏଇ ଭଳି ଦେଶ ଉଇଘର ମୁସଲିମଙ୍କୁ ଗିରଫ କରିବା ସହିତ ଚୀନକୁ ପ୍ରତ୍ୟାର୍ପଣ କରୁଛନ୍ତି । ଉଇଘର ମୁସଲିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଚୀନ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରଚାର କରୁଛି । ଆଉ ଆରବର ମୁସଲିମ ରାଷ୍ଟ୍ର ସବୁ ଜାଣି ମଧ୍ୟ ଚୀନ୍ ଆଗରେ ଚୁପ୍ ଅଛନ୍ତି । ଏମିତିକି ମୁସଲିମ୍ ରାଷ୍ଟ୍ରଙ୍କ ସଂଗଠନ ଓଆଇସି ଚୀନକୁ ମୁସଲମାନଙ୍କ ପ୍ରତି ଉଦାରତା ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛି । ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଶିନଜିଆଙ୍ଗ ପ୍ରଦେଶରେ ଉଇଘର ମୁସଲମାନଙ୍କ ବିରୋଧରେ ଚୀନ୍ କାର୍ଯ୍ୟାନୁଷ୍ଠାନକୁ ଆତଙ୍କବାଦ ବିରୋଧି କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ।
ଚୀନକୁ ସମର୍ଥନ କାହିଁକି ?
ତିନୋଟି କାରଣ ପାଇଁ ଚୀନକୁ ମୁସଲିମ୍ ରାଷ୍ଟ୍ର ସମର୍ଥନ କରୁଛନ୍ତି ବା ସବୁ ଜାଣିକି ମଧ୍ୟ ନିରବତା ଅବଲମ୍ବନ କରୁଛନ୍ତି । ପ୍ରଥମ କାରଣ ହେଉଛି ଚୀନର ବେଲ୍ଟ୍ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟ ଆଗରେ ମୁସଲିମ୍ ରାଷ୍ଟ୍ର ସବୁ ନତମସ୍ତକ ହୋଇଛନ୍ତି । ଚୀନ ସହିତ ସବୁ ମୁସଲିମ ରାଷ୍ଟ୍ରଙ୍କର ଆର୍ଥିକ ସମ୍ପର୍କ ରହିଛି । ଉଇଘର ମୁସଲିମଙ୍କୁ ସମର୍ଥନ କରି ମୁସଲିମ ରାଷ୍ଟ୍ର ଚୀନକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ।
ଦ୍ୱିତୀୟ କାରଣ ହେଉଛି ମୁସଲିମ ରାଷ୍ଟ୍ରରେ ଚୀନର ବ୍ୟାପକ ନିବେଶ । ରିପୋର୍ଟ ଅନୁସାରେ ୫୦ ମୁସଲିମ୍ ରାଷ୍ଟ୍ରରେ ୬ଶହ ଅଲଗା ଅଲଗା ପ୍ରୋଜେକ୍ଟ ମାଧ୍ୟମରେ ଚୀନ୍ ୩୧ ଲକ୍ଷ କୋଟି ଟଙ୍କା ନିବେଶ କରିଛି । ଏହି କାରଣ ପାଇଁ ମୁସଲିମ୍ ରାଷ୍ଟ୍ର ଚୀନକୁ ବିରୋଧ କରୁନାହାନ୍ତି ।
ତୃତୀୟ କାରଣ ହେଉଛି ମୁସଲିମ ରାଷ୍ଟ୍ରଙ୍କ ନିଜ ମାନବାଧିକାର ରେକର୍ଡ୍ । ମୁସଲିମ୍ ରାଷ୍ଟ୍ର ଗୁଡିକ ମାନବାଧିକାରକୁ ନେଇ ଚୀନକୁ ଆଲୋଚନା କରି ନିଜ ଅସଲ ରୂପ ପଦାରେ ପକାଇବାକୁ ଚାହାନ୍ତି ନାହିଁ । କାରଣ ସେମାନେ ଜାଣନ୍ତି ଚୀନକୁ ସମାଲୋଚନା କଲେ ସେମାନଙ୍କ ନିଜ ମାନବାଧିକାର ରେକର୍ଡର ମଧ୍ୟ ତର୍ଜମା ହେବ । ତେଣୁ ସେମାନେ ଚୀନ ବିରୋଧରେ ମୁହଁ ଖୋଲନ୍ତି ନାହିଁ । କିନ୍ତୁ ଭାରତ କଥା ଉଠିଲେ ମୁସଲିମ ଜଗତର ଏହି ସ୍ୱୟମ୍ଭୁ ଠିକାଦାର ମାନେ ତତ୍କାଳ ମୁହଁ ଖୋଲନ୍ତି ।