ନେତାଙ୍କୁ ଉପହାର ଦେଇ ଫେରସ୍ତ ମାଗିଲେ ଅଖିଳେଶ, ଦୁଇଟି ଫର୍ଚ୍ୟୁନରର କାହାଣୀ

Above Post Content

ଉର୍ଦ୍ଦୁ ଭାଷାର ପ୍ରସିଦ୍ଧ କବି ବଶିର ବଦ୍ର ଲେଖିଥିଲେ ଯେ, ‘ଶତ୍ରୁତା ଜମେଇକି କର କିନ୍ତୁ ଯେତେବେଳେ ପୁଣି ବନ୍ଧୁ ହେବା ସେତେବଳେ ଯେମିତି ଲଜ୍ଜିତ ହେବାନି ତା’ର ସମ୍ଭାବନା ମଧ୍ୟ ରଖ’ । ରାଜନୀତିରେ କେହି ସ୍ଥାୟୀ ମିତ୍ର ନଥାଏ କି କେହି ସ୍ଥାୟୀ ଶତ୍ରୁ । ମତବାଦ ଦୃଷ୍ଟିରୁ ଆପଣଙ୍କର ଅଲଗା ଦଳରେ ଥିବା ନେତାଙ୍କ ସହିତ ମତଭେଦ ରହିପାରେ ସତ କିନ୍ତୁ ମନଭେଦ ରହିବା ଠିକ୍ ନୁହେଁ । ରାଜନୀତିରେ ନୂଆ ସମ୍ପର୍କ ସ୍ଥାପନ ପାଇଁ କିମ୍ବା ପୁରୁଣା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଉପହାରର ଆଦାନ ପ୍ରଦାନ ହୋଇଥାଏ । ତେବେ କ’ଣ ଆପଣ କେବେ ଶୁଣିଛନ୍ତି ଯେ, କାମ ନହେଲେ କିମ୍ବା ମେଣ୍ଟ ଭାଙ୍ଗିଗଲେ କୌଣସି ନେତା ଆଉ ଜଣେ ନେତାଙ୍କୁ ଦେଇଥିବା ଉପହାର ଫେରସ୍ତ ମାଗନ୍ତି ? ଉତ୍ତର ପ୍ରଦେଶ ରାଜନୀତିରେ କିଛି ସେଇଭଳି ଏବେ ଘଟିଛି । ଯାହାକୁ ନେଇ ଏବେ ଉତ୍ତରପ୍ରଦେଶ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି । ଉତ୍ତର ପ୍ରଦେଶ ବିଧାନସଭାର ଦ୍ୱିତୀୟ ବୃହତ୍ତମ ଦଳର ମୁଖ୍ୟ ନିଜର ଜଣେ ମେଣ୍ଟ ଭାଗିଦାରଙ୍କୁ କିଛି ମାସ ତଳେ ଉପହାର ଭାବେ ଗୋଟିଏ ଦାମି କାର ଦେଇଥିଲେ । କାର ଥିଲା ଟୋୟଟା କମ୍ପାନୀର ଏସୟୁଭି ଫର୍ଚ୍ୟୁନର । ତେବେ ଏହି ଫର୍ଚ୍ୟୁନର ସହିତ ଜଡିତ ଆଉ ଗୋଟିଏ କାହାଣୀ ମଧ୍ୟ ବେସ ଚର୍ଚ୍ଚାରେ ଅଛି । ଆଉ ସେହି କାହାଣୀ ବିହାର ସହିତ ଜଡିତ । ଏହି ଦୁଇ କାହାଣୀ ଦ୍ୱାରା ବୁଝନ୍ତୁ କେମିତି ରାଜନୈତିକ ସମୀକରଣ ବଦଳିଥାଏ ।

ଅଖିଳେଶ ଫେରସ୍ତ ମାଗିଲେ ଫର୍ଚ୍ୟୁନର

After 2nd paragraph post ads
Middle post content

ସମାଜବାଦୀ ପାର୍ଟି ଓ ମହାନ ଦଳ ମଧ୍ୟରେ ମନ ଫଟାଫଟିରୁ ଉପହାର ଫେରସ୍ତ ମଗା ପର୍ଯ୍ୟନ୍ତ କଥା ଯାଇଛି । ୟୁପି ନିର୍ବାଚନ ପୂର୍ବରୁ ମହାନ ଦଳ ସହିତ ସମାଜବାଦୀ ପାର୍ଟିର ମେଣ୍ଟ ହୋଇଥିଲା । ଅଖିଳେଶ ସେହି ସମୟରେ ମହାନ ଦଳ ମୁଖ୍ୟ କେଶଦ ଦେବ ମୋର୍ଯ୍ୟଙ୍କୁ ଏକ ଫର୍ଚ୍ୟୁନର କାର ଉପହାର ଭାବେ ଦେଇଥିଲେ । ନିର୍ବାଚନ ପ୍ରଚାରରେ ଏହି କାର ବ୍ୟବହୃତ ହେବାର ଥିଲା । ତେବେ ମହାନ ଦଳକୁ ଟିକେଟ୍ ବିତରଣରେ ଉଚିତ ଭାଗ ମିଳିନଥିଲା । ନିର୍ବାଚନରେ ମେଣ୍ଟ ପରାସ୍ତ ହୋଇଥିଲା ଓ ବିଜେପି ପୁଣିଥରେ କ୍ଷମତାକୁ ଫେରିଥିଲା । କେଶବ ଭାବିଥିଲେ ଯେ, ଅଖିଳେଶ ତାଙ୍କୁ ବିଧାନ ପରିଷଦକୁ ପଠାଇବେ । କିନ୍ତୁ ଅଖିଳେଶ ବିଜେପିରୁ ଆସିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ବିଧାନ ପରିଷଦ ପଠାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କେଶବ ମେଣ୍ଟରୁ ଓହରି ଯାଇଥିଲେ । ଏହାପରେ ଅଖିଳେଶଙ୍କୁ ତାଙ୍କ ପରାମର୍ଶଦାତ୍ତା ମାନେ ଉପହାରରେ ଦିଆଯାଇଥିବା କାର ଫେରସ୍ତ ମାଗିବାକୁ କହିଥିଲେ । ଜଣେ ପରାମର୍ଶଦାତ୍ତା ମଧ୍ୟ ତୁରନ୍ତ କେଶବଙ୍କୁ ଫୋନ୍ କରି କାର ଫେରସ୍ତ ମାଗିଥିଲେ । କେଶବ ମଧ୍ୟ ତୁରନ୍ତ କାର ଫେରାଇ ଦେଇଥିଲେ । ଯାହାକୁ ନେଇ ଏବେ ଉତ୍ତର ପ୍ରଦେଶ ରାଜନୀତିରେ ଢେର ଚର୍ଚ୍ଚା ହେଉଛି । କିଛି ଅଖିଳେଶଙ୍କୁ ଏଥିପାଇଁ ସମାଲୋଚନା ମଧ୍ୟ କରୁଛନ୍ତି । ଅଖିଳେଶ ଏମିତି କରି ଛୋଟମନର ପରିଚୟ ଦେଇଛନ୍ତି ବୋଲି କୁହାଯାଉଛି ।

ଆମ୍ବାସଡାରରେ ନୀତିଶଙ୍କ ଘରକୁ ଯାଇଥିଲେ, ଫର୍ଚ୍ୟୁନରରେ ଫେରିଲେ

୨୦୧୮ ମସିହାର କଥା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝି ନିଜ ପୁରୁଣା ଆମ୍ବାସଡାର କାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବସଭବନକୁ ଯାଇଥିଲେ । ସାକ୍ଷାତ କାଳରେ ନୀତିଶ ମାଂଝିଙ୍କୁ ହାଲଚାଲ ପଚାରିଥିଲେ । ଉତ୍ତରରେ ମାଂଝି ତାଙ୍କୁ ତାଙ୍କ ପୁରୁଣା କାର କେମିତି ରାସ୍ତାରେ ଧୋକା ଦେଉଛି ଓ କେମିତି ଏହା ତାଙ୍କ ସୁରକ୍ଷା ପାଇଁ ବିପଜ୍ଜନକ ସେ କଥା କହିଥିଲେ । ଏହା ଶୁଣିବା କ୍ଷଣି ନୀତିଶ ତୁରନ୍ତ ତାଙ୍କ ବାସଭବନରେ ଥିବା ଗୋଟିଏ ବୁଲେଟ୍ ପ୍ରୁଫ୍ ଫର୍ଚ୍ୟୁନର କାର ମାଂଝିଙ୍କୁ ଦେଇଥିଲେ । ଆମ୍ବାସଡାର କାରରେ ଯାଇଥିବା ମାଂଝି ଘରକୁ ଫେରିଥିଲେ ବୁଲେଟ୍ ପ୍ରୁଫ୍ ଫର୍ଚ୍ୟୁନର କାରରେ । ଏହି ଦୁଇଟି କାହଣୀକୁ ତର୍ଜମା କରିବାର କାରଣ ହେଉଛି ଯେ, ଗୋଟିଏ ସମୟରେ ମାଂଝି ନୀତିଶଙ୍କୁ ଧୋକା ଦେଇଥିଲେ । ୨୦୧୪ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଜାଗାରେ ମାଂଝି ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ବର୍ଷକ ପରେ ଯେତେବେଳେ ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁଲେ ସେତେବେଳେ ମାଂଝି ଗାଦି ଛାଡିନଥିଲେ । ବିଧାନସଭାରେ ଆସ୍ଥା ଭୋଟ୍ ଆସିଥିଲା । କିନ୍ତୁ ଭୋଟର ସମ୍ମୁଖୀନ ହେବା ପୂର୍ବରୁ ମାଂଝି ଇସ୍ତଫା ଦେଇଥିଲେ । ଏହା ପରେ ସେ ନୀତିଶଙ୍କୁ ଗୁଡ୍ ବାୟ କହି ନିଜ ଦଳ ଗଢିଥିଲେ । ଏତେ ସବୁ ପରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଖରାପ ହୋଇନଥିଲା । ଯଦି ଖରାପ ହୋଇଥାନ୍ତା ତେବେ ଆମ୍ବାସଡାରେ ଯାଇଥିବା ମାଂଝିଙ୍କୁ ନୀତିଶ ଫର୍ଚ୍ୟୁନର ଦେଇନଥାନ୍ତେ । ଅଖିଳେଶଙ୍କ ଉପହାର ଫେରସ୍ତକୁ ନୀତିଶଙ୍କ ବଡ଼ ହୃଦୟ ସହିତ ତୁଳନା କରାଯାଉଛି । କୁହାଯାଉଛି ଯେ, ଅଖିଳେଶଙ୍କୁ ଆହୁରି ବହୁତ କଥା ଶିଖିବାର ଅଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami