ଏବେ ‘କଂଗ୍ରେସ ଫେରିବା’ର ଠିକଣା ବେଳକୁ ଅପେକ୍ଷା !

Above Post Content

ଭୁବନେଶ୍ୱର: ସେପଟେ ଡିଲ୍ ଆଗେଇଛି, ଏପଟେ ନିଜେ ମାଇଣ୍ଡ୍ ବି ମେକଅପ୍ କରିସାରିଲେଣି । ଯୁଆଡ଼େ ଯାଉଛନ୍ତି ଅନୁଗାମୀ ଓ ପ୍ରଶଂସକଙ୍କୁ ସଂକେତ ବି ଦେଲେଣି ଯେ ଏଥର କଂଗ୍ରେସ ଫେରିବା । ସୂତ୍ର କହୁଛି, ସମ୍ବାଦର ପୂର୍ବତନ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ପୁରୁଣା ଘର କଂଗ୍ରେସକୁ ଫେରିବା ପାଇଁ ସଜବାଜ ହେଲେଣି । ଏହି ସଜବାଜ ଭିତରେ ଖଣ୍ଡପଡ଼ା ଛାଡ଼ି ତାଙ୍କ ସ୍ୱର୍ଗୀୟ ଶ୍ୱଶୂରଙ୍କ ପ୍ରଭାବ ଥିବା ବୋଲଗଡ଼ ବେଗୁନିଆରୁ ବିଧାନସଭାକୁ ଲଢ଼ିବାକୁ ଭିତିରି ପ୍ରସ୍ତୁତି ବି ଆରମ୍ଭ କଲେଣି । ସୂତ୍ରର କହିବା ଆନୁସାରେ, ବିଜେଡିରୁ ବହିଷ୍କାର ହେବା ପରେ ସମ୍ବାଦ ସଂପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇଥିବା ବାବୁ ସୌମ୍ୟ ରଂଜନ ଆଗ ବିଜେପିର ନିକଟତର ହେବାକୁ ଉଦ୍ୟମ କରି ଫେଲ ମାରିଥିଲେ୍ । ଏପରିକି ସେ ଜଣେ ଅଭିଯୁକ୍ତ ହୋଇ ସାରିଥିବାରୁ ବିଜେପିର ହେଭିୱେଟ୍ କେନ୍ଦ୍ର ମନ୍ତ୍ରୀମାନେ ତାଙ୍କ ସହ ମଞ୍ଚରେ ଚେୟାର୍ ସେଆର୍ କରିବାକୁ ରୋକଠୋକ୍ ମନା କରିଦେଇଥିବା ବି କିଛି ମାସ ତଳେ ଚର୍ଚ୍ଚା ବି ଚାଲିଥିଲା ।

କିନ୍ତୁ ହାତ ପାର୍ଟିର ନଗଦ ନିର୍ବାଚନୀ ପ୍ରଦର୍ଶନକୁ ନେଇ ରହିଛି ଶଙ୍କା ଓ ଦ୍ୱନ୍ଦ୍ୱ

After 2nd paragraph post ads
Middle post content

ଏହା ପରେ ହଠାତ୍ ଆମ ଘର କି ତାଙ୍କ ଘର ହାଲଚାଲ କଥା ନକହି କିଛି ଦିନ ପାଇଁ ପୂରା ନିରବୀ ଯାଇଥିଲେ ସମ୍ବାଦର ଏହି ପୂର୍ବତନ ସଂପାଦକ ତଥା ପ୍ରତିଷ୍ଠାତା । କିନ୍ତୁ ତାଙ୍କ ଭଳି ଜଣେ ସଦା ଚଞ୍ଚଳ ଓ ଏକଦମ୍ ଅସ୍ଥିର ବ୍ୟକ୍ତିତ୍ୱଙ୍କ ପାଇଁ ଏପରି ନିରବତାକୁ ବେଶୀ ଦିନ ଯାଏ ସମ୍ଭାଳିବା ମୁସ୍କିଲ ହୋଇ ପଡ଼ିବାରୁ ଏବେ ପୁଣି ବହି ଉନ୍ମୋଚନ ଓ ସଭାସମିତିରେ ଭାଷଣବାଜି କାମ ଅଳ୍ପ ବହୁତେ ଆରମ୍ଭ ହୋଇଛି । କିଛିଦିନ ତଳେ ନିଜ ନିର୍ବାଚନ ମଣ୍ଡଳୀ ଖଣ୍ଡପଡ଼ାକୁ ମଧ୍ୟ ସୌମ୍ୟ ବାବୁ ଅଚାନକ ଗସ୍ତରେ ଯାଇ କିଛି ଅନୁଗାମୀଙ୍କୁ ଭେଟି କଂଗ୍ରେସ ଫେରିବାର ସଂକେତ ଦେଇଥିଲେ । ଏହି ସଂକେତ ଦିଆନିଆବେଳେ ହାତ ପାର୍ଟିକୁ ଫେରିବା ପାଇଁ କୁଆଡ଼େ ଚାରି ନିର୍ବାଚନ ଫଳାଫଳକୁ ସେ ଅପେକ୍ଷା କରିଥିବା କଥା ବି କହିଥିଲେ । ଏବେ ହିନ୍ଦୀ ହାର୍ଟଲ୍ୟାଣ୍ଡର ତିନି ରାଜ୍ୟରେ ହାତ ପାର୍ଟି ମାଟି କାମୁଡ଼ିବା ପରେ ସୌମ୍ୟଙ୍କୁ କିଛିଟା ଦ୍ୱନ୍ଦ୍ୱ, ଆଶଙ୍କା, କିନ୍ତୁ ଓ ତଥାପି ଚିନ୍ତା ଘାରିଛି ।

ପାର୍ଟି ଭିତରେ ପଟ୍ଟନାୟକ ପରିବାର ଲିଗାସୀର ଧରିବେ ମଙ୍ଗ !

ତେବେ ସୂତ୍ର କହିବା ଅନୁସାରେ, କଂଗ୍ରେସକୁ ସୌମ୍ୟରଂଜନଙ୍କ ଲେଉଟାଣି ପ୍ରସଙ୍ଗ ଦଳ ହାଇକମାଣ୍ଡଙ୍କ ଚୂଡ଼ାନ୍ତ ମୋହରକୁ ଅପେକ୍ଷା କରି ରହିଛି । କୁହାଯାଉଛି, ରାଜ୍ୟ ହାତ ପାର୍ଟିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଥିବା ଅଂଶଧନ ଓ ସାଂଗଠନିକ ଭିତ୍ତିଭୂମି ତଥା ନିଜସ୍ୱ ଭୋଟ୍ ଏବଂ ପଟ୍ଟନାୟକ ପରିବାର ଲିଗାସୀର ଉତ୍ତରଦାୟାଦ ଭାବେ ସୌମ୍ୟଙ୍କୁ ହାତ ଦଳ ପୁଣି ପାର୍ଟିକୁ ଫେରାଇ ଆଣିବ । ନିରଞ୍ଜନ ପଟ୍ଟନାୟକ ଅବସର ବୟସରେ ପହଞ୍ଚିଥିବାବେଳେ ତାଙ୍କ ପୁଅ ଦଳ ଭିତରେ ନିଜ ସ୍ଥାନ ସେମିତି ଦୃଢ଼ କରିନାହାନ୍ତି । ବଡ଼ କଥା ହେଉଛି, କଂଗ୍ରେସକୁ ବିଦା କରିବାରେ ପ୍ରମୁଖ ଭୂମିକା ନେଇଥିବା ଶ୍ରୀକାନ୍ତ ଜେନା ଏବେ ଦଳ ବାହାରେ ନିର୍ବାସିତ ଜୀବନ କାଟୁଥିବାବେଳେ ହାତ ପାର୍ଟିରେ ସୌମ୍ୟଙ୍କ ଆଉ ଜଣେ କଟ୍ଟର ବିରୋଧୀ ଲୁଲୁ ମହାପାତ୍ର ଆଉ ନାହାନ୍ତି । ଏଣୁ ସୌମ୍ୟ କଂଗ୍ରେସକୁ ଫେରିଲେ ଦଳ ଭିତରେ ତାଙ୍କୁ ସେମିତି ବିରୋଧର ଆଶଙ୍କା ନାହିଁ । ଖାଲି ଏତିକି ନୁହେଁ, ଜାନକୀ ପଟ୍ଟନାୟକଙ୍କ ପ୍ରଭାବ ରହିଥିବା ବୋଲଗଡ଼ ବେଗୁନିଆ ବିଧାନସଭା ଆସନଟି ସୌମ୍ୟ ନିଜ ପାଇଁ ସୁରକ୍ଷିତ ଆସନ ବୋଲି ଭାବି ପ୍ରସ୍ତୁତି ଆରମ୍ଭ କରିଥିବା କୁହାଯାଉଛି । କାରଣ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେଲେ ତାଙ୍କର ଜିତିବା ଚାନ୍ସ ନାହିଁ ବୋଲି ସେ ନିଶ୍ଚିତ । କିନ୍ତୁ ବେଗୁନିଆରେ ସେ ନିଜେ ତିଆରି କରିଥିବା ନେତା ତାଙ୍କ ପାଇଁ କଣ୍ଟା ସାଜିବାର ସମ୍ଭାବନା ଅଧିକ । ସେ ଯାହା ହି ହେଉ, ସୌମ୍ୟ କଂଗ୍ରେସକୁ ଫେରିବା ପାଇଁ ଏବେ ଠିକଣା ବେଳକୁ ଅପେକ୍ଷା କରି ରହିଥିବା ତାଙ୍କ ସମର୍ଥକ ମହଲରେ ଚର୍ଚ୍ଚା ହେଉଥିବା ସୂତ୍ର କହୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami