ନୀତିଶ ଇଣ୍ଡିଆ ମେଣ୍ଟ କାହିଁକି ଛାଡ଼ିବେ ?

Above Post Content

ଭାରତରେ କ୍ୟାଲେଣ୍ଡର ଅନୁଯାୟୀ ଯଦି କୌଣସି ନେତା ସାଥି ବଦଳାନ୍ତି ତେବେ ସମ୍ଭବତଃ ସେ ହେଉଛନ୍ତି ନୀତିଶ କୁମାର । ୨୦୧୫ରେ ସେ ଲାଲୁଙ୍କ ସହ ଥିଲେ, ୨୦୧୭ରେ ଲାଲୁଙ୍କ ହାତଛା଼ଡି ମୋଦିଙ୍କ ପାଖକୁ ଫେରିଥିଲେ, ୨୦୧୯ ଲୋକସଭା ଓ ୨୦୨୦ ବିହାର ବିଧାନସଭା ନିର୍ବାଚନ ସେ ମୋଦିଙ୍କ ସହ ମିଶି ଲଢ଼ିଥିଲେ । ପରେ ୨୦୨୨ରେ ଲାଲୁଙ୍କ ସହ ପୁଣି ଦୋସ୍ତି କରିଥିଲେ । ଆଉ କହିଥିଲେ ଏ ବନ୍ଧୁତା ଆଉ ଭାଙ୍ଗିବନି । ୨୦୨୩ ପର୍ଯ୍ୟନ୍ତ ସେ ରାହୁଲ ଗାନ୍ଧିଙ୍କ ନିକଟତର ଥିଲେ କିନ୍ତୁ ୨୦୨୪ରେ ସେ ପୁଣି ଥରେ ମୋଦିଙ୍କ କୋଳରେ ବସିବେ ବୋଲି ଆଲୋଚନା ଆରମ୍ଭ ହେଲାଣି । ନରେନ୍ଦ୍ର ମୋଦିଙ୍କ ବିରୋଧରେ ଯେଉଁ ସର୍ବଭାରତୀୟ ମେଣ୍ଟ ଆରମ୍ଭ ହୋଇଥିଲା ତାର ଜନ୍ମଦାତା ନୀତିଶ ଥିଲେ । ଏବେ କିନ୍ତୁ ସେହି ଇଣ୍ଡିଆ ମେଣ୍ଟକୁ ଛାଡ଼ି ବିଜେପି ସହିତ ହାତ ମିଲାଇବାକୁ ନୀତିଶ ଚିନ୍ତା କରୁଛନ୍ତି ବୋଲି କୁହାଗଲାଣି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଯେଉଁ ନେତା ଇଣ୍ଡିଆ ମେଣ୍ଟର ବିନ୍ଧାଣୀ ଥିଲେ, ସେ କାହିଁକି ବିଜେପି ଆଡ଼କୁ ଢଳୁଛନ୍ତି ଏବଂ ନୀତିଶଙ୍କ ବିଜେପି ସହ ଯିବା ଯୋଗୁଁ ଇଣ୍ଡିଆ ମେଣ୍ଟର କ’ଣ କ୍ଷତି ହେବ ?
ନୀତିଶ କୁମାର ଇଣ୍ଡିଆ ମେଣ୍ଟର ମୁଳଦୂଆ ରଖିଥିଲେ । ଏହାର ପ୍ରଥମ ବୈଠକ ୨୦୨୨ ଜୁନ୍ ୨୪ରେ ପାଟନାରେ ଅନୁଷ୍ଠିତ ହୋଇଥିଲା । ଯଦିଓ ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ନୀତିଶ କୁମାର ଇଣ୍ଡିଆ ମେଣ୍ଟର ବଡ଼ ଚେହେରା ଭାବେ ଉଭା ହେବେ କିନ୍ତୁ କଂଗ୍ରେସ ଯେଉଁଭଳି ଭାବରେ ନୀତିଶ କୁମାରଙ୍କୁ ଅଣଦେଖା କରିଥିଲା, ନୀତୀଶ କ୍ରମାଗତ ଭାବରେ କ୍ରୋଧିତ ହେଉଥିଲେ ।
ସେ ମଧ୍ୟ ଅନେକ ଥର ମଞ୍ଚରୁ ଖୋଲାଖୋଲି ଭାବେ ଏହି ଅସନ୍ତୋଷ ପ୍ରକାଶ କରିଥିଲେ । ଯେତେବେଳେ ୪ଟି ରାଜ୍ୟରେ ନିର୍ବାଚନ ହେଉଥିଲା, ସେତେବେଳେ ନୀତିଶ ସ୍ପଷ୍ଟ ଭାବେ କହିଥିଲେ ଯେ ଇଣ୍ଡିଆ ମେଣ୍ଟ ସହିତ କଂଗ୍ରେସର କୌଣସି ସମ୍ପର୍କ ନାହିଁ, ଏହା ନିର୍ବାଚନରେ ବ୍ୟସ୍ତ ଅଛି । ଏହାପରେ ଯେତେବେଳେ ରାହୁଲ ଗାନ୍ଧି ନ୍ୟାୟ ଯାତ୍ରା ନେଇ ବାହାରିଥିଲେ, ସେତେବେଳେ ମଧ୍ୟ ମେଣ୍ଟର ବାକି ଦଳଙ୍କ ସହ କଂଗ୍ରେସ କୌଣସି ଆଲୋଚନା କରିନଥିଲା । ଏବେ ଆସନ୍ତୁ ଜାଣିବା ନୀତିଶ କୁମାର କାହିଁକି ପଟ ପରିବର୍ତ୍ତନ କରି ପାରନ୍ତି ।

ମେଣ୍ଟରେ ଅବହେଳା ପ୍ରଦର୍ଶନ କରିବାକୁ ଚେଷ୍ଟା

After 2nd paragraph post ads

ସୂତ୍ରରୁ ପ୍ରକାଶ ଯେ ଇଣ୍ଡିଆ ମେଣ୍ଟକୁ ନେଇ ଲାଲୁ ଯାଦବ ଏବଂ ନୀତିଶ ଯାଦବଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାୟୀ ଲାଲୁ କଂଗ୍ରେସକୁ ମ୍ୟାନେଜ କରିଥାନ୍ତେ ଓ ସେ ନୀତିଶଙ୍କୁ ଜାତୀୟ ରାଜନୀତିରେ ପ୍ରତିଷ୍ଠିତ କରାଇଥାନ୍ତେ । ଅର୍ଥାତ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ଭାବେ ନୀତିଶଙ୍କୁ ଲାଲୁ ରଖିଥାନ୍ତେ । କିନ୍ତୁ ଲାଲୁ ଯାଦବ ପ୍ରଥମେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନୀତିଶ କୁମାରଙ୍କ ଉପରେ ଚାପ ପକାଇଥିଲେ ଏବଂ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ହିଁ ଲାଲୁ ନୀତିଶଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ବୋଲି କାଳେ ଆଡି ବସିଥିଲେ । ତେବେ ବେଙ୍ଗାଲୁରୁରେ ଇଣ୍ଡିଆ ଆଲାଏନ୍ସର ବୈଠକ ବେଳେ ନୀତିଶ କୁମାର ବୁଝିପାରିଥିଲେ ଯେ ଲାଲୁ ତାଙ୍କ ସହିତ ରାଜନୈତିକ ଖେଳ ଖେଳୁଛନ୍ତି । ତେଣୁ ସେ ବୈଠକ ଛାଡ଼ି ଚାଲିଯାଇଥିଲେ ।

 ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ଲଗାତାର ଚାପ ପଡୁଥିଲା

ନୀତିଶ କୁମାରଙ୍କ ଉପରେ ଆରଜେଡିରୁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ଚାପ ବଢିବାରେ ଲାଗିଛି । ଯଦି ନୀତିଶ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥାନ୍ତେ, ତେବେ ସେ ସମ୍ଭବତଃ ଏହା କରିଥାନ୍ତେ କିନ୍ତୁ ଯେତେବେଳେ ତାଙ୍କୁ ନେଇ ଏଭଳି କିଛି ହେବାର ସମ୍ଭାବନା ନାହିଁ ସେତେବେଳେ ସେ କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହୁଁନାହାନ୍ତି । କୁହାଯାଉଛି ଯେ ଏବେ ନୀତିଶ କୁମାର ପୁଣି ଥରେ ବିଜେପି ସହ ଯାଉଛନ୍ତି, ଯାହାଦ୍ୱାରା ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଅକ୍ଷୁର୍ଣ୍ଣ ରହିବ । ସେପଟେ ଆଉ ଏକ ଖବର ମଧ୍ୟ ଆସୁଛି ଯେ ଆରଜେଡି ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ଏହାପଛରେ ଲାଲୁଙ୍କ ହାତ ଥିଲା । ନୀତିଶ ଏ ବିଷୟରେ ଅବଗତ ଥିଲେ ଏବଂ ସେଥିପାଇଁ ସେ ଲାଲନ ସିଂହଙ୍କୁ ଦଳର ସଭାପତି ପଦରୁ ହଟାଇ ଏହାର କମାଣ୍ଡ ଗ୍ରହଣ କରିଥିଲେ ।

Middle post content

ବିହାରରେ ଏପର୍ଯ୍ୟନ୍ତ ଆସନ ବଣ୍ଟା ନେଇ ଆଲୋଚନା ହୋଇନାହିଁ

ବିହାରରେ ନୀତିଶ ଯଦି ବିଜେପି ପାଖକୁ ଯାଆନ୍ତି ତେବେ ଇଣ୍ଡିଆ ମେଣ୍ଟର ସବୁଠାରୁ ଅଧିକ କ୍ଷତି ହେବ । କାରଣ ଏପର୍ଯ୍ୟନ୍ତ ଏହି ମେଣ୍ଟର ଘଟକଙ୍କ ମଧ୍ୟରେ ସିଟ୍ ସେୟାରିଂ ହୋଇ ପାରିନାହିଁ । ରାହୁଲ ଗାନ୍ଧି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ବାହାରିଛନ୍ତି ଏବଂ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଜାନୁଆରୀ ୩୦ ରେ ବିହାରର ପୂର୍ଣ୍ଣିଆଠାରେ ତାଙ୍କର ରାଲି ଅନୁଷ୍ଠିତ ହେବାକୁ ଯାଉଛି । ନୀତିଶ କୁମାର ମଧ୍ୟ ଏହି ରାଲିରେ ଯୋଗ ଦେବାର ଥିଲା କିନ୍ତୁ ଏବେ ସେ ଯୋଗ ଦେବାର ସମ୍ଭାବନା ଖୁବ କମ ।

ପରିବାରବାଦ ବୟାନକୁ ନେଇ ହଙ୍ଗାମା

କରପୂରୀ ଠାକୁରଙ୍କ ଜୟନ୍ତୀ ରାଲିରେ ନୀତିଶ କୁମାରଙ୍କ ଗୋଟିଏ ବୟାନ ବିହାର ରାଜନୀତିରେ ଭୁକମ୍ପ ଆଣିଥିଲା । କର୍ପୁରୀଠାକୁରଙ୍କ ବିଷୟରେ କହିବାକୁ ଯାଇ ନୀତିଶ ପରିବାରବାଦ ଉପରେ ଆକ୍ରମଣ କରିଥିଲେ । ରାଜନୈତିକ ବିଶ୍ଲେଷକ ଓ ଆରଜେଡି ଏହାକୁ ତାଙ୍କ ଦଳ ବିଶେଷକରି ଲାଲୁ ପରିବାର ଉପରେ ଆକ୍ରମଣ ଭାବେ ନେଇଥିଲେ । ଲାଲୁ ନିଜ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ସବୁ ଉଦ୍ୟମ କରୁଛନ୍ତି । ଯାହାକୁ ଲକ୍ଷ୍ୟ କରି ନୀତିଶ ଏଭଳି ବୟାନ ଦେଇଥିଲେ ବୋଲି କୁହାଗଲା । ନୀତିଶଙ୍କ ବକ୍ତବ୍ୟର ଗୋଟିଏ ଦିନ ପରେ ଅର୍ଥାତ ଜାନୁଆରୀ ୨୪ରେ ବିହାରରେ ହଙ୍ଗାମା ହୋଇଥିଲା ।

ରୋହିଣୀ ଆଚାର୍ଯ୍ୟଙ୍କ ଟୁଇଟ୍ କୁ ନେଇ ଚର୍ଚ୍ଚା ଜୋର ଧରିଛି

ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ୩ଟି ଟୁଇଟ୍ କରିଥିଲେ । ଯାହାକୁ ସେ ପରେ ଲାଲୁଙ୍କ ପରାମର୍ଶରେ ଡିଲିଟ୍ କରିଥିବା କୁହାଯାଉଛି । ଯଦିଓ ସେ ଏଥିରେ ନୀତିଶଙ୍କ ନାମ ନେଇନଥିଲେ କିନ୍ତୁ ଟୁଇଟର ଭାଷା ଏବଂ ଏଥିରେ ବ୍ୟବହୃତ ଶବ୍ଦରୁ ସ୍ପଷ୍ଟ ଥିଲା ଯେ, ଟାର୍ଗେଟରେ ନୀତିଶ ହିଁ ଥିଲେ । ରୋହିଣୀଙ୍କ ଟ୍ୱିଟ୍ ଡିଲିଟ୍ ହେବା ଆଗରୁ ଯେତିକି କ୍ଷତି ହେବା କଥା ହୋଇଯାଇଥିଲା । କାରଣ ଖୋଦ ନୀତିଶ ସେହି ତିନୋଟି ଟ୍ୱିଟ୍ ଉପରେ ରିପୋର୍ଟ ମାଗି ପଢିଥିବା କୁହାଯାଉଛି । ଏହାପରେ ଯେତେବେଳେ ବିହାର ସରକାରଙ୍କ କ୍ୟାବିନେଟ୍ ବୈଠକ ବସିଥିଲା, ସେଥିରେ ନୀତୀଶ ଓ ତେଜସ୍ୱୀଙ୍କ ମଧ୍ୟରେ ଦୂରତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ମାତ୍ର ୧୫ ମିନିଟ୍ ରେ କ୍ୟାବିନେଟ୍ ବୈଠକ ଶେଷ ହୋଇଥିଲା । ତେଜସ୍ୱୀ ଯାଦବ ଅପେକ୍ଷା କରିଥିଲେ ଏବଂ ନୀତିଶ କୁମାର କିଛି ନ କହି ବୈଠକ ରୁ ଚାଲିଯାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami