ବାଜି ସାରିଛି ଗୁଜୁରାଟ ନିର୍ବାଚନ ବିଗୁଲ । ଦୁଇ ପର୍ଯ୍ୟାୟରେ ଡିସେମ୍ବର ମାସରେ ହେବ ଗୁଜୁରାଟ ନିର୍ବାଚନ । ଡିସେମ୍ବର ୮ ତାରିଖ ଦିନ ଜଣା ପଡ଼ିଯିବ ଗୁଜୁରାଟ ବିଜେପି ନିୟନ୍ତ୍ରଣରେ ରହୁଛି କି ସେଠାରେ କଂଗ୍ରେସ କମବ୍ୟାକ୍ କରୁଛି କିମ୍ବା କ୍ରାନ୍ତିକାରୀ କେଜ୍ରିୱାଲ ଡାର୍କ୍ ହର୍ସ ଭାବେ ଉଭା ହେଉଛନ୍ତି । ଭୋଟ ପ୍ରଚାର ଯୁଦ୍ଧ ଆରମ୍ଭ ହେବାକୁ ଆଉ ଅଳ୍ପ କେଇଦିନ ବାକି ଅଛି । ଏହାରି ଭିତରେ ଗୁରୁବାର ଦିନ ନିର୍ବାଚନ ଆୟୋଗଙ୍କ ଭୋଟ୍ ତାରିଖ ଘୋଷଣା ସହିତ ଜଣେ ବ୍ୟକ୍ତି ଚର୍ଚ୍ଚା ଭିତରକୁ ଆସିଛନ୍ତି । କାରଣ ସେ ଏମିତି ଜଣେ ବ୍ୟକ୍ତି ଯିଏ ୫ଶହ ବାଘଙ୍କ ଭିତରେ ଏକା ରୁହନ୍ତି ଓ ତାଙ୍କ ଅଂଚଳରେ ସେ ଏକମାତ୍ର ଭୋଟର । କିନ୍ତୁ ତାଙ୍କୁ ମଧ୍ୟ ଭାରତୀୟ ଗଣତନ୍ତ୍ର ଭୁଲିନାହିଁ । ତାଙ୍କ ପାଇଁ ଗୋଟିଏ ଅଭୟାରଣ୍ୟ ଭିତରେ ପ୍ରତିଷ୍ଠା ହେବ ବୁଥ୍ ।
୫ଶହ ସିଂହ,ଜଣେ ଭୋଟର
ଜୁନାଗଡର ଗିର ଜଙ୍ଗଲ ଏସୀୟ ସିଂହଙ୍କ ଘର । ଯେଉଁ ଅଭୟାରଣ୍ୟରେ ରୁହନ୍ତି ୫ଶହ ବିରଳ ଏସୀୟ ସିଂହ । ସେହି ଅଭୟାରଣ୍ୟ ଭିତରେ ଜଣେ ବ୍ୟକ୍ତିଙ୍କ ପାଇଁ ପ୍ରତିଷ୍ଠା ହେବ ଗୋଟିଏ ପୋଲିଂ ବୁଥ୍ । ପ୍ରତି ନିର୍ବାଚନ କାଳରେ ଭରତ ଦାସ ବାପୁ ଚର୍ଚ୍ଚାକୁ ଆସନ୍ତି ।କାରଣ ସେ ରହୁଥିବା ଅଂଚଳରେ ସେ ଏକମାତ୍ର ଭୋଟର ଓ ପ୍ରତି ନିର୍ବାଚନରେ ସେଠାରେ ଶତ ପ୍ରତିଶତ ଭୋଟ୍ ହୁଏ । ଭରତଦାସ ବାପୁ ସୋମନାଥ ଜିଲ୍ଲାର ବାନେଜା ଗାଁର ଏକମାତ୍ର ଭୋଟର । ଏହି ଗାଁରେ ଏକ ପ୍ରାଚୀନ ମନ୍ଦିର ଅଛି । ଯାହାର ପୂଜକ ହେଉଛନ୍ତି ଭରତଦାସ । ଗିର ଜଙ୍ଗଲ ମଧ୍ୟକୁ କାହାରିକି ପ୍ରବେଶ ଅନୁମତି ନାହିଁ । କେବଳ ମନ୍ଦିରର ପୂଜକ ହିଁ ସେଠାରେ ରହିପାରିବେ । ତେଣୁ ତାଙ୍କ ପାଇଁ ପ୍ରତି ଭୋଟ୍ ବେଳେ ଗୋଟିଏ ବୁଥ୍ ତିଆରି ହୁଏ ।
୧୫ ଜଣ ପୋଲିଂ କର୍ମଚାରୀ,ଜଣେ ଭୋଟର
ଗଣତନ୍ତ୍ରରେ ଗୋଟିଏ ଭୋଟର ମୂଲ୍ୟ ଢେର ଅଧିକ । ଏହି କଥାକୁ ସମ୍ମାନ ଦେଇ ଭାରତର ନିର୍ବାଚନ ଆୟୋଗ ଭରତଦାସଙ୍କ ପାଇଁ ଅଲଗା ବୁଥ୍ ପ୍ରତିଷ୍ଠା କରିଥାନ୍ତି । ଭରତ ଦାସଙ୍କ ବୟ, ୬୨ । ୨୦୦୭ରୁ ସେ ନିୟମିତ ଭାବେ ଭୋଟ୍ ଦେଇ ଆସୁଛନ୍ତି । ଭରତଦାସ ଯେଉଁ ବୁଥରେ ଭୋଟ୍ ଦିଅନ୍ତି ସେଠାରେ ୧୫ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୁଅନ୍ତି ।
ଏବେ ଜାଣନ୍ତୁ ସେହି ମନ୍ଦିରର କାହାଣୀ ଯାହାର ପୂଜକ ଭରତଦାସ
ବାନେଜା ଗାଁର ଯେଉଁ ମନ୍ଦିରର ପୂଜକ ହେଉଛନ୍ତି ଭରତଦାସ ସେହି ମନ୍ଦିରର ସମ୍ପର୍କ ମହାଭରତ ସହିତ ଥିବା କୁହାଯାଏ । କିମ୍ବଦନ୍ତି ଅନୁସାରେ ଅଜ୍ଞାତବାସ କାଳରେ ପାଣ୍ଡବ ଏଠାରେ ତୀର ମାରି ଜଳାଶୟ ସୃଷ୍ଟି କରିଥିଲେ । ଏହି ମନ୍ଦିରକୁ ଦର୍ଶନ ପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଭକ୍ତ ଆସିଥାନ୍ତି । ମନ୍ଦିର ଘଂଚ ଜଙ୍ଗଲ ମଧ୍ୟରେ ଥିବାରୁ ସଂଧ୍ୟା ପୂର୍ବରୁ ଭକ୍ତଙ୍କୁ ମନ୍ଦିର ଛାଡିବାକୁ ପଡ଼ିଥାଏ । ସେଠାରେ ରହିବାକୁ କାହାରିକି ମଧ୍ୟ ଅନୁମତି ନଥାଏ ।