କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫଓ ନିଜ ସେବାକୁ ଅନଲାଇନରେ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇ ଆସୁଛି । ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏବେ ଅନେକ କାମ ପାଇଁ ଆଉ ଇପିଏଫ୍ ଅଫିସକୁ ଦୌଡିବାକୁ ପଡୁ ନାହିଁ । ଇପିଏଫ ଗ୍ରାହକ ଏବେ ୱେବସାଇଟକୁ ଯାଇ ଅନେକ ସୁବିଧାର ଲାଭ ଉଠାଇ ପାରିବେ । ଏମିତିକି ଜଣେ ଚାହିଁଲେ ନିଜ ପିଏଫ୍ ଆକାଉଣ୍ଟକୁ ଅନଲାଇନରେ ଟ୍ରାନ୍ସଫର କରିପାରିବେ । ଆସନ୍ତୁ ଏସମ୍ପର୍କରେ ଜାଣିବା କେମିତି ଜଣେ ଅନଲାଇନରେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ ।
ଇପିଏଫଓ (EPFO) ନିକଟରେ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଥିଲା । ଇପିଏଫଓ ପକ୍ଷରୁ ଏଭଳି ୬ଟି ସହଜ ଉପାୟର ସୂଚନା ଦିଆଯାଇଛି ଯାହାକୁ ଅନୂସରଣ କରି ଜଣେ ନିଜ ଆକାଉଣ୍ଟକୁ ଟ୍ରାନସଫର କରିପାରିବେ । ଆଉ ଏଥିପାଇଁ ଆପଣଙ୍କୁ ଇପିଏଫ ଅଫିସକୁ ମଧ୍ୟ ଯିବାକୁ ପଡିବ ନାହିଁ । ସୂଚନାଯୋଗ୍ୟ ଯେ, ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନୂଆ ସ୍ଥାନରେ ଯୋଗଦେଲେ ନିଜ ଆକାଉଣ୍ଟକୁ ଟ୍ରାନସଫର କରିବାକୁ ପଡିଥାଏ । ଏଭଳି କରିବା ଦ୍ୱାରା ଜଣଙ୍କ ପିଏଫ୍ ଖାତା ସକ୍ରୀୟ ରୁହେ ।
ଏମିତି କରିପାରିବେ ଅନଲାଇନ୍ ଟ୍ରାନସଫର
୧. ପ୍ରଥମେ unifiedportal-mem.epfindia.gov.in/memberinterface/ ରେ ଲଗଇନ୍ କରନ୍ତୁ । ସେଠାରେ ନିଜ ୟୁଏଏନ୍ ଓ ପାସୱାର୍ଡ ଦେଇ ଲଗଇନ୍ କରିପାରିବେ ।
୨. ଲଗଇନ୍ କରିବା ପରେ ଆପଣଙ୍କୁ ଅନଲାଇନ୍ ସର୍ଭିସକୁ ଯିବାକୁ ପଡିବ । ତା’ପରେ ୱାନ୍ ମେମ୍ବର ୱାନ୍ ଆକାଉଣ୍ଟ (ଟ୍ରାନ୍ସଫର ରିକ୍ୱେଷ୍ଟ) ଉପରେ କ୍ଲିକ୍ କରନ୍ତୁ ।
୩. ଆପଣଙ୍କୁ ସେଠାରେ ‘ପର୍ସନଲା ଇନଫର୍ମେସନ୍’ ଭେରିଫାଏ କରିବାକୁ ହେବ । ତା’ପରେ ’ପିଏଫ୍ ଆକାଉଣ୍ଟ୍ ଫର୍ ପ୍ରେଜେଣ୍ଟ୍ ଏମ୍ପ୍ଲୟମେଣ୍ଟ’କୁ ଭେରିଫାଏ କରିବାକୁ ପଡିବ ।
୪. ଏହାପରେ ’ଗେଟ୍ ଡିଟେଲ୍ସ’ ଉପରେ କ୍ଲିକ୍ କରିବାକୁ ପଡିବ । ଏଭଳି କରିବା ପରେ ପ୍ରଥମ ନିଯୁକ୍ତିଦାତ୍ତା (ପୁରୁଣା କମ୍ପାନି)ଙ୍କ ପିଏଫ୍ ଆକାଉଣ୍ଟ୍ ଡିଟେଲ୍ସ ଦେଖାଯିବ ।
୫. ଫର୍ମକୁ ଆଟେଷ୍ଟ କରିବାକୁ ଆପଣଙ୍କୁ ପ୍ରିଭିୟସ ଏମ୍ପ୍ଲୟର କିମ୍ବା କରେଣ୍ଟ୍ ଏମ୍ପ୍ଲୟର ମଧ୍ୟରୁ ଗୋଟିକୁ ସିଲେକ୍ଟ କରିବାକୁ ପଡିବ ।
୬. ନିଜ ପଂଜିକୃତ ମୋବାଇଲ ନମ୍ବରରେ ଓଟିପି ପାଇଁ ’ଗେଟ୍ ଓଟିପି’ ଉପରେ କ୍ଲିକ୍ କରିବାକୁ ପଡିବ । ଓଟିପି ମିଳିବା ପରେ ତାକୁ ଏଣ୍ଟର କରିବା ପରେ ‘ସବମିଟ୍’ ବଟନକୁ କ୍ଲିକ୍ କରିବାକୁ ପଡିବ ।
ଉପରେ ଦିଆଯାଇଥିବା ପ୍ରକ୍ରିୟା ପୂରା ହେବା ପରେ ସିଲେକ୍ଟ କରାଯାଇଥିବା ନିଯୁକ୍ତିଦାତ୍ତା ବା ଏମ୍ପ୍ଲୟର ଦ୍ୱାରା ଏହା ଭେରିଫାଏ ହୋଇଥାଏ । ଭେରିଫାଏ ହେବା ପରେ ଆପଣଙ୍କ ପିଏଫ୍ ଆକାଉଣ୍ଟ୍ ନୂଆ ଏମ୍ପ୍ଲୟରଙ୍କ ପାଖକୁ ଟ୍ରାନ୍ସଫର ହୋଇଯିବ । ଏହା ସହିତ ପୁରୁଣା ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ନୂଆ ଆକାଉଣ୍ଟକୁ ଆସିଯିବ ।