୫୬ଟି ରାଜ୍ୟସଭା ଆସନରେ କିଏ ଜିତିବ ଆଉ କିଏ ହାରିବ ଜାଣନ୍ତୁ ?

Above Post Content

ନୂଆଦିଲ୍ଲୀ: ଫେବ୍ରୁଆରି ୨୭ରେ ହେବାକୁ ଥିବା ରାଜ୍ୟସଭାର ୫୬ଟି ଆସନ ମଧ୍ୟରୁ ୫୦ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଏବଂ ୬ଟି ଆସନର କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେବ । ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ନିଜର ଆସନ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ୧୫ଟି ରାଜ୍ୟର ୫୬ଟି ଆସନରୁ ୨୮ଟି ଆସନ ଉପରେ ବିଜେପିର କବଜା ଥିବାବେଳେ କଂଗ୍ରେସ ପାଖରେ ଅଛି ୯ଟି ଆସନ । ଏମିତିରେ ଆସନ୍ତା ରାଜ୍ୟସଭା ନିର୍ବାଚନରେ କିଏ ବାଜିମାତ କରିବ ତାକୁ ନେଇ ଆଲୋଚନାର ପର୍ବ ସରଗରମ । ଆସନ୍ତୁ ଜାଣିବା କଣ ରହିଛି ସ୍ଥିତି ।

ଫେବ୍ରୁଆରି ୨୭ରେ ମତଦାନ

After 2nd paragraph post ads

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ଘୋଷଣା କରିଛନ୍ତି । ଫେବ୍ରୁଆରି ୮ରୁ ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ ଏବଂ ଫେବ୍ରୁଆରି ୨୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କ ନାମ ପ୍ରତ୍ୟାହାର କରିପାରିବେ । ଫେବ୍ରୁଆରି ୨୭ରେ ମତଦାନ ହେବ । ସେହିଦିନ ଫଳାଫଳ ମଧ୍ୟ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟସଭାର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ବଦଳିପାରେ । ବିଜେପି କିଛି ରାଜ୍ୟରୁ ରାଜ୍ୟସଭା ଆସନ ହରାଇ ପାରେ କିନ୍ତୁ କିଛି ରାଜ୍ୟରେ ବିଜେପି ଫାଇଦା ମଧ୍ୟ ପାଇବାର ସମ୍ଭାବନା ରହିଛି । । ଏହାଦ୍ୱାରା ବିଜେପି ନେତୃତ୍ୱାଧୀନ ଏନଡିଏର ଆସନ ସଂଖ୍ୟା ଯଦି ୬କୁ ବୃଦ୍ଧି ପାଇବ ତେବେ କଂଗ୍ରେସ ଓ ଏସପିର ଆସନ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କିନ୍ତୁ ମୋଟାମୋଟି ଭାବେ ଏହାଦ୍ୱାରା ବିଜେପି ଲାଭାନ୍ୱିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏପ୍ରିଲ ୨ରେ ୫୦ ସଦସ୍ୟଙ୍କ ସରିବ କାର୍ଯ୍ୟକାଳ

ଫେବ୍ରୁଆରି ୨୭ରେ ହେବାକୁ ଥିବା ରାଜ୍ୟସଭାର ୫୬ଟି ଆସନ ମଧ୍ୟରୁ ୫୦ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଏବଂ ୬ଟି ଆସନର କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେବ । ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ୟୁପିର ୧୦ଟି ଆସନ ବ୍ୟତୀତ ମହାରାଷ୍ଟ୍ର-ବିହାରରେ ପ୍ରତ୍ୟକ ୬-୬ଟି, ସେହିଭଳି ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ୫-୫ଟି ଆସନ ରହିଛି । କର୍ଣ୍ଣାଟକ ଓ ଗୁଜରାଟରେ ୪ଟି ଲେଖାଏଁ ଆସନ ରହିଛି । ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ୩ଟି ଲେଖାଏଁ ଆସନରେ ମତଦାନ ହେବ । ଏହାବ୍ୟତୀତ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା ଓ ଛତିଶଗଡ଼ରେ ମଧ୍ୟ ନିର୍ବାଚନ ହେବ । ବିଜେପି ନେତୃତ୍ୱାଧୀନ ଏନଡିଏକୁ ଆସନ ମିଳିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ରାଜ୍ୟସଭାରେ ଏନଡିଏର ୧୧୪ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ବିଜେପିର ୯୩ ଜଣ ସଦସ୍ୟ ଏବଂ ସହଯୋଗୀ ଦଳର ୨୧ ଜଣ ସଦସ୍ୟ ଅଛନ୍ତି । ୩୦ ସଦସ୍ୟ ସହ ରାଜ୍ୟସଭାର ଦ୍ୱିତୀୟ ବୃହତ୍ତମ ଦଳ କଂଗ୍ରେସ ଫେବ୍ରୁଆରି ୨୭ ରେ ହେବାକୁ ଥିବା ନିର୍ବାଚନରେ ଦୁଇଟି ଆସନ ପାଇବ ବୋଲି ଆଶା କରାଯାଉଛି । ସେହିପରି ୟୁପିରେ ରାଜ୍ୟସଭା ନିର୍ବାଚନରେ ବିଜେପି କ୍ଷତି ସହିତ ସପାକୁ ଫାଇଦା ମିଳିବା ନିଶ୍ଚିତ । ୧୫ଟି ରାଜ୍ୟର ଯେଉ ୫୬ଟି ଆସନରେ ନିର୍ବାଚନ ହେବ ତାହା ମଧ୍ୟରୁ ବିଜେପି ଅଧିନରେ ୨୮ଟି ଆସନ ଥିବା ବେଳେ କଂଗ୍ରେସ ପାଖରେ ଅଛି ୯ଟି ଆସନ ।

କ’ଣ ବଦଳିବ ବିଜେପିର ସ୍ଥିତି

ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶରେ ବିଜେପିର ରାଜ୍ୟସଭା ଆସନ ହ୍ରାସ ପାଉଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଭଳି ରାଜ୍ୟରେ ଏହା ବଢ଼ିବ ବୋଲି ଅନୁମାନ କରାଯାଉଛି । ଉତ୍ତର ପ୍ରଦେଶରେ ହେବାକୁ ଥିବା ୧୦ଟି ରାଜ୍ୟସଭା ଆସନ ମଧ୍ୟରୁ ବିଜେପି ପାଖରେ ୯ଟି ଓ ସପାର ଗୋଟିଏ ଆସନ ରହିଛି । ୨୦୨୨ ନିର୍ବାଚନ ପରେ ଏହି ସଂଖ୍ୟା ବଦଳିଯାଇଛି, ଯାହାଆଧାରରେ ରାଜ୍ୟସଭା ନିର୍ବାଚନରେ ବିଜେପି ୭ଟି ଆସନ ପାଇପାରେ । ଫଳରେ ବିଜେପି ୨ଟି ଆସନ ହରାଇପାରେ । ହିମାଚଳ ପ୍ରଦେଶରେ ବିଜେପି ନିଜର ଏକମାତ୍ର ରାଜ୍ୟସଭା ଆସନ ହରାଇପାରେ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା,ଯିଏକି ବର୍ତ୍ତମାନ ହିମାଚଳରୁ ରାଜ୍ୟସଭା ସଦସ୍ୟ ଅଛନ୍ତି, ତାଙ୍କୁ ସଂସଦକୁ ଫେରିବା ପାଇଁ ଅନ୍ୟ ରାଜ୍ୟରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡିପାରେ ।
ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼, ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ଆସନ ବୃଦ୍ଧି କରିପାରେ । ବିହାରରେ ବିଜେପି ଓ ଜେଡିୟୁ ଏକାଠି ହେବା ଦ୍ୱାରା ଏନଡିଏକୁ ଫାଇଦା ହେବ । ବିହାରରେ ଖାଲି ପଡ଼ିଥିବା ୬ଟି ରାଜ୍ୟସଭା ଆସନ ମଧ୍ୟରୁ ଜେଡିୟୁ, ଆରଜେଡିର ୨ଟି ଲେଖାଏଁ ଏବଂ କଂଗ୍ରେସ ଓ ବିଜେପିର ଗୋଟିଏ ଲେଖାଏଁ ଆସନ ଥିବାରୁ ଏନଡିଏକୁ ଗୋଟିଏ ଆସନ ମିଳିପାରେ । ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଏନଡିଏ ମେଣ୍ଟକୁ ଆସିବା ପରେ ମହାରାଷ୍ଟ୍ରରେ ଏନଡିଏକୁ ୨ଟି ଆସନ ମିଳିବାର ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ଖାଲି ପଡ଼ିଥିବା ୬ଟି ଆସନ ମଧ୍ୟରୁ ବିଜେପିର ୩ଟି ଏବଂ ଏନସିପି, କଂଗ୍ରେସ, ଶିବସେନାର ଗୋଟିଏ ଲେଖାଏଁ ଆସନ ରହିଛି । ଏଭଳି ସ୍ଥିତିରେ ଏନଡିଏ ଆସନ ବୃଦ୍ଧି ପାଇବ ।
ଗୁଜରାଟର ୪ଟି ରାଜ୍ୟସଭା ଆସନରେ ବିଜେପି ଓ କଂଗ୍ରେସ ର ୨ଟି ଲେଖାଏଁ ଆସନ ରହିଛି, କିନ୍ତୁ ବର୍ତ୍ତମାନର ବିଧାନସଭା ତଥ୍ୟ ଅନୁଯାୟୀ ବିଜେପି ୪ଟି ଯାକ ଆସନରେ ବିଜୟୀ ହେବ ବୋଲି ଆଶା କରାଯାଉଛି । ପଶ୍ଚିମବଙ୍ଗରୁ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିବାର ସମ୍ଭାବନା ରହିଛି । ମଧ୍ୟପ୍ରଦେଶର ୫ଟି ରାଜ୍ୟସଭା ଆସନମଧ୍ୟରୁ ବିଜେପିକୁ ୩ରୁ ୪ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ରାଜସ୍ଥାନର ୩ଟି ଆସନରୁ ବିଜେପିକୁ ୨ଟି ଆସନ ମିଳିବା ସମ୍ଭାବନା ଥିବା ବେଳେ ଏବେ ଗୋଟିଏ ଆସନ ବଳକା ରହିଛି । ଛତିଶଗଡ଼ର ଗୋଟିଏ ଆସନ ବିଜେପି ଖାତାକୁ ଯାଇପାରେ ବୋଲି କୁହାଯାଉଛି ।

Middle post content

କଂଗ୍ରେସ ଆସନ ବଢ଼ିବ ନା କମିବ?

ରାଜ୍ୟସଭାର ୫୬ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏବେ କଂଗ୍ରେସ ପାଖରେ ୯ଟି ଆସନ ରହିଛି । ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ଓ ବଙ୍ଗଳାରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ିପାରେ । ଗୁଜରାଟରେ କଂଗ୍ରେସକୁ ୨ଟି ଆସନ ହରାଇବାକୁ ପଡ଼ିପାରେ । ମଧ୍ୟପ୍ରଦେଶରେ କଂଗ୍ରେସ ୨ଟି, ରାଜସ୍ଥାନରେ ଗୋଟିଏ ଆସନ ହରାଇବ । ହିମାଚଳ ପ୍ରଦେଶରେ କଂଗ୍ରେସ କୁ ଗୋଟିଏ ଓ ତେଲେଙ୍ଗାନାରେ ୨ଟି ଆସନ ମିଳିବ । ବିହାର ଓ ପଶ୍ଚିମବଙ୍ଗ ଗୋଟିଏ ଲେଖାଏଁ ଆସନ ହରାଇବେ । ହିମାଚଳରେ ଖାଲି ହେବାକୁ ଥିବା ରାଜ୍ୟସଭା ଆସନ ପାଇଁ ଦଳର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ଫଳରେ କଂଗ୍ରେସ ପ୍ରାୟତଃ ନିଜ ଆସନ ବଜାୟ ରଖିବାରେ ସକ୍ଷମ ହୋଇପାରିବ । ଏହାବ୍ୟତୀତ କର୍ଣ୍ଣାଟକର ୪ଟି ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ସେଥିରୁ କଂଗ୍ରେସ ୩ଟି ଆସନଜିତିବାକୁ ଚେଷ୍ଟା କରୁଛି ।

ଏସପିର ଲାଭ, କେସିଆରଙ୍କ ପରାଜୟ

ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ମଧ୍ୟରୁ ୯ଟି ବିଜେପି ଓ ଗୋଟିଏ ସମାଜବାଦୀ ପାର୍ଟି ହାତରେ ରହିଛି । ୨୦୨୨ ବିଧାନସଭା ନିର୍ବାଚନ ଯୋଗୁଁ ଏହି ସଂଖ୍ୟା ବଦଳିଯାଇଛି, ଯେଉଁଥିପାଇଁ ବିଜେପି ୨ଟି ଆସନ ହରାଇବାକୁ ପଡିପାରେ ଏବଂ ସପାକୁ ରାଜନୈତିକ ଫାଇଦା ମିଳିବା ସମ୍ଭାବନା ରହିଛି । ଏସପି ଏକାକୀ ଦୁଇଟି ଆସନ ଜିତିବ, କିନ୍ତୁ ଆରଏଲଡିର ସମର୍ଥନରେ ଏହା ୩ଟି ଆସନ ଜିତିପପାରେ । କେସିଆରଙ୍କ କବ୍ଜାରେ ଥିବା ତେଲେଙ୍ଗାନାର ୩ଟି ରାଜ୍ୟସଭା ଆସନ ରହିଛି କିନ୍ତୁ ଏବେ ରାଜନୈତିକ ସ୍ଥିତି ବଦଳିଯାଇଛି । କଂଗ୍ରେସକୁ ୨ଟି ଓ କେସିଆରଙ୍କୁ ଗୋଟିଏ ଆସନ ମିଳିପାରେ । ଆନ୍ଧ୍ରପ୍ରଦେଶରେ ୪ଟି ରାଜ୍ୟସଭା ଆସନ ରେ ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ୪ଟି ଆସନ ୱାଇଏସଆର କଂଗ୍ରେସ ହାତକୁ ଯାଇପାରେ ଏବଂ ୩ଟି ଆସନ ପିଡିପି ହାତକୁ ଯିବାର ଶତପ୍ରତିଶତ ସମ୍ଭାବନା ରହିଛି ।

ମନମୋହନ ସିଂହଙ୍କ ଠାରୁ ନଡ୍ଡା

ରାଜ୍ୟସଭାରେ ଯେଉମାନଙ୍କ କାର୍ଯ୍ୟାକାଳ ଶେଷ ହେଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୁପାଲା, ନାରାୟଣ ରାଣେ, ଅଶ୍ୱିନୀ ବୈଷ୍ଣବ, ମନସୁଖ ମାଣ୍ଡଭିଆ, ପ୍ରକାଶ ଜାଭଡେକର, ଅନୀଲ ବାଲୁନି, ଅନିଲ ଅଗ୍ରୱାଲ, ଅଶୋକ ବାଜପେୟୀ, ଅନୀଲ ଜୈନ, ଜିଭିଏଲ୍ ନରସିଂହ ରାଓ, ବିଜୟ ପାଲ ତୋମାର, ସୁଧାଂଶୁ ତ୍ରିବେଦୀ ଓ ହରନାଥ ସିଂହ ଯାଦବ । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି, ଅଖିଳେଶ ପ୍ରତାପ ସିଂହ, ନାସିର ହୁସେନ ଓ କୁମାର କେତକର ସେମାନଙ୍କ କାର୍ଯ୍ୟକାଳ ଶେଷ କରୁଛନ୍ତି । ଅନ୍ୟ ପ୍ରାର୍ଥୀମାନେ ହେଲେ ଶିବସେନାର ଅନିଲ ଦେଶାଇ, ଏନସିପିର ବନ୍ଦନା ଚୌହାନ, ଆରଜେଡିର ମନୋଜ କୁମାର ଝା, ଆରଜେଡିର ଆଶଫାକ କରିମ, ଜେଡିୟୁର ଅନିଲ ପ୍ରସାଦ ହେଗଡେ ଓ ବଶିଷ୍ଠ ନାରାୟଣ ସିଂହ । ଏହାବ୍ୟତୀତ ଏସପିର ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି । ଏଭଳି ସ୍ଥିତିରେ କଂଗ୍ରେସ ଓ ବିଜେପି ମଧ୍ୟରୁ କିଏ ନିଜ ନେତାଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାନ୍ତି ତାହା ଦେଖିବାକୁ ବାକି ରହିଲା ।

ଲୋକସଭା ନିର୍ବାଚନ କୁ ରାଜ୍ୟସଭାରୁ ବାର୍ତ୍ତା

ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟସଭା ମାଧ୍ୟମରେ ମିଶନ-୨୦୨୪ର ରାଜନୈତିକ ସମୀକରଣ ହାସଲ କରିବା ଏବଂ ରାଜନୈତିକ ବାର୍ତ୍ତା ଦେବାର ସୁଯୋଗ ରହିଛି । ଅଧିକାଂଶ ଦଳ ରାଜ୍ୟସଭା ପାଇଁ ଏକ ଶକ୍ତିଶାଳୀ ପ୍ରାର୍ଥୀ ଦେବାକୁ ଚାହୁଁଛନ୍ତି, ଯାହା ମାଧ୍ୟମରେ ସେମାନେ ଆଗାମୀ ଲୋକସଭା ନିର୍ବାଚନରେ ସଙ୍କେତ ଦେଇପାରିବେ । ସେଥିପାଇଁ ଜାତି, ସାମାଜିକ ସମୀକରଣକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଦେବେ । ରାଜ୍ୟସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ ପାଇଁ ବାଜି ବିଛାଯାଉଛି । ଅନେକ ରାଜ୍ୟରେ ରାଜନୈତିକ ସମୀକରଣ ହାସଲ କରିବାର ସୁଯୋଗ ବିଜେପି ପାଖରେ ଥିବା ବେଳେ ବିରୋଧୀଙ୍କ ପାଖରେ ସୀମିତ ସୁଯୋଗ ରହିଛି । ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟସଭାରେ ସପା ନିଶ୍ଚିତ ଭାବେ ବଡ଼ ବାଜି ଲଗାଇପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami