ମାନବ ପ୍ରଜାତି ସୃଷ୍ଟିର ଆରମ୍ଭ କାଳରୁ ଅନେକ ରୋଗ ଓ ମହାମାରୀ ସହିତ ଯୁଦ୍ଧ ଲଢି ଆସିଛି । ଯେମିତି ଗତ ଦୁଇ ବର୍ଷ ଧରି କରୋନା ବିଶ୍ୱ ପାଇଁ ଅଭିଷାପ ପାଲଟି ଯାଇଛି । କରୋନାର ରାମବାଣ ଭାବେ ଟିକାକୁ ଗ୍ରହଣ କରାଯାଉଛି । କିନ୍ତୁ ସତ ହେଉଛି ଟିକା ଏବେ ମଧ୍ୟ କରୋନାର ସବୁ ଭାରିଆଣ୍ଟ୍ ବିରୋଧରେ ଶହେ ପ୍ରତିଶତ ପ୍ରଭାବୀ ନୁହେଁ । ଏମିତି ଅନେକ ରୋଗ ରହିଛି ଯାହାକୁ ଭଲ କରିବା ପାଇଁ ଔଷଧ ତିଆରି ହୋଇପାରିନାହିଁ । ଆହୁରି ମଧ୍ୟ ଏମିତି ଅନେକ ରୋଗର ଔଷଧ ତ’ ଅଛି କିନ୍ତୁ ଦାମ ଏତେ ଅଧିକ ଯେ, ତାକୁ ସାଧାରଣ ଲୋକଟିଏ କିଣିବା କାଠିକର ପାଠ ହୋଇଥାଏ । ଏମିତିରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ଦୁନିଆର ସବୁଠାରୁ ମହଙ୍ଗା ଔଷଧର ନାମ କ’ଣ ଓ ଏହାର ମୂଲ୍ୟ କେତେ ? ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ମହଙ୍ଗା ଔଷଧର ନାମ କ’ଣ ? ତେବେ ସେହି ଔଷଧର ନାମ ଜାଣିବା ଆଗରୁ ଜାଣି ନିଅନ୍ତୁ କେଉଁ ରୋଗ ପାଇଁ ଏହି ଔଷଧ ବ୍ୟବହୃତ ହୋଇଥାଏ ।
SMA ରୋଗ ପାଇଁ ବ୍ୟବହୃତ ହୁଏ ଏହି ଔଷଧ
କେଉଁ ରୋଗ ପାଇଁ ଦୁନିଆର ସବୁଠାରୁ ମହଙ୍ଗା ଔଷଧ ବ୍ୟବହାର ହୁଏ ତାହା ଆପଣ ଜାଣିଛନ୍ତି କି ? ଏହି ପ୍ରଶ୍ନ ଇଂଲଣ୍ଡର ଏକ ବର୍ଷକର ଶିଶୁ ଏଡୱାର୍ଡର ଚିକିତ୍ସା ପରେ ସାମ୍ନାକୁ ଆସିଥିଲା । ଦୁନିଆର ସବୁଠାରୁ ଦାମୀ ଔଷଧର ବ୍ୟବହାର SMA ବା ସ୍ପାଇନାଲ ମସ୍କ୍ୟୁଲାର ଏଟ୍ରୋଫି ପାଇଁ ବ୍ୟବହୃତ ହୋଇଥାଏ । ଏଡୱାର୍ଡ୍ ଏହି ରୋଗର ଶିକାର ।
ଜୋଲୋଗେଜମା : ସବୁଠାରୁ ମହଙ୍ଗା
SMA ରୋଗର ଚିକିତ୍ସାରେ ଜୋଲୋଗେଜମା ନାମକ ଔଷଧ ବ୍ୟବହୃତ ହୋଇଥାଏ । ଏହି ଔଷଧ ଏଡୱାର୍ଡକୁ ଦିଆଯାଉଛି । ପ୍ରକୃତରେ ଏହା ହେଉଛି ଜିନ୍ ଥେରାପି । ଏଥର ଆସନ୍ତୁ ଜାଣିବା ଏହି ରୋଗ କ’ଣ ।
ଏହି ରୋଗରେ ପୀଡିତ ରୋଗୀଠାରେ ମାଂସପେଶିର ଅଭିବୃଦ୍ଧି ପାଇଁ ଆବଶ୍ୟକ ପ୍ରୋଟିନର ଅଭାବ ପରିଲକ୍ଷିତ ହୋଇଥାଏ । ଫଳରେ ରୋଗିର ଶାରିରିକ ବିକାଶ ହୋଇନଥାଏ । ସେ ଚଳପ୍ରଚଳ କରି ପାରିନଥାଏ । ନା ରୋଗୀ ଠିକରେ ବସି ପାରେ ନା ଚାଲିପାରେ । ଏଭଳି ରୋଗୀଙ୍କ ପାଇଁ ଜୋଗୋଗେଜମା ସଂଜିବନୀ ବୋଲି କୁହାଯାଏ ।
ଜୋଲଗେଜମାର ମୂଲ୍ୟ କେତେ ?
SMA ରୋଗ ପାଇଁ ଏହା ଅଦଭୂତ କାର୍ଯ୍ୟ କରିଥାଏ । ଏହି ଜିନ୍ ଥେରାପି ଆଶ୍ଚର୍ଯ୍ୟଜନକ ଭାବେ ରୋଗୀକୁ ଠିକ କରିଥାଏ । ଏହାର ଦାମ ୧.୭୯ ମିଲିୟନ ପାଉଣ୍ଡ । ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୧୮ କୋଟି ଟଙ୍କା । ଏଡୱାର୍ଡକୁ ଏହି ଔଷଧ ଦିଆଯିବା ପରେ ସେ ପ୍ରାୟତଃ ଠିକ ହୋଇଯାଇଛି ।