ମେ ୧୯୬୨ ମସିହାରେ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁ ନିଜ ପସନ୍ଦର ନେତା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ । ନେହେରୁ ଆଶା କରିଥିଲେ ଯେ, ରାଧା କ୍ରିଷ୍ଣନ ସବୁ ପରିସ୍ଥିତିରେ ତାଙ୍କ ସରକାର ସହିତ ଛିଡା ହେବେ । କିନ୍ତୁ ଚୀନ୍ ସହିତ ଯୁଦ୍ଧରେ ଭାରତର ଲଜ୍ଜାଜନକ ପରାଜୟ ସବୁକିଛି ବଦଳାଇ ଦେଇଥିଲା । ରାଷ୍ଟ୍ରପତି ରାଧାକ୍ରିଷ୍ଣନ୍ ବନ୍ଧୁତାକୁ ପଛରେ ରଖି ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ । ଚୀନକୁ ନେଇ ନେହେରୁ ସରକାରର ଭୂଲ ନୀତି ପାଇଁ ଦେଶକୁ ଲଜ୍ଜିତ ହେବାକୁ ପଡିଲା ବୋଲି ରାଧା କ୍ରିଷ୍ଣନଙ୍କ ମତ ଥିଲା । ନେହେରୁ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିଲେ । କିନ୍ତୁ ରାଧାକ୍ରିଷ୍ଣନ ତାଙ୍କୁ ବରଖାସ୍ତ କରିବାକୁ ପଛାଇ ନଥିଲେ । ପ୍ରଥମ ଓ ଶେଷ ଥର ପାଇଁ ଭାରତୀୟ ଇତିହାସରେ କୌଣସି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ବିରୋଧ ସତ୍ୱେ ଜଣେ ମନ୍ତ୍ରୀଙ୍କୁ ବରଖାସ୍ତ କରିଥିଲେ ।
ଆଉ ଗୋଟିଏ ଘଟଣା ଉପରେ ନଜର ପକାନ୍ତୁ । ଇନ୍ଦିରା ଜ୍ଞାନି ଜୈଲ ସିଂହଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ । କୁହାଯାଏ ଯେ, ଜୈଲ ସିଂହ ଏକଦା କାଳେ କହିଥିଲେ –ଇନ୍ଦିରା ଯଦି ମୋତେ ଝାଡୁ ମାରିବାକୁ କୁହନ୍ତି ତେବେ ମୁଁ ସେ କାମ ମଧ୍ୟ କରିବି । କିନ୍ତୁ ଅପରେସନ୍ ବ୍ଲୁ ଷ୍ଟାର ପରେ ଜୈଲ ସିଂହ ଇନ୍ଦିରାଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ । ସ୍ୱାଧିନ ଭାରତର ପ୍ରଥମ ରାଷ୍ଟ୍ରପତି ବାବୁ ରାଜେନ୍ଦ୍ର ପ୍ରସାଦଙ୍କ ଅମଳରୁ ହିଁ ଭାରତର ରାଷ୍ଟ୍ରପତି କେବଳ ଆଳଙ୍କାରିକ ମୁଖ୍ୟ ନୁହନ୍ତି ବୋଲି ପ୍ରମାଣିତ ହୋଇ ସାରିଥିଲା । ରାଜେନ୍ଦ୍ର ପ୍ରସାଦ ଦୁଇଟି ପ୍ରସଙ୍ଗରେ ନେହେରୁଙ୍କୁ ବିରୋଧ କରିବାକୁ ପଛାଇ ନଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏକଥା କାହିଁକି କହୁଛୁ ? ଏହାର କାରଣ ହେଉଛି ଓଡ଼ିଶାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକରକମ ନିଶ୍ଚିତ । କିନ୍ତୁ ତାଙ୍କ ବିରୋଧୀଙ୍କ କହିବା ହେଉଛି ମୁର୍ମୁ କେବଳ ମାତ୍ର ରବର ଷ୍ଟାମ୍ପ ହୋଇ ରହିଯିବେ ।
ଭାରତର ରାଷ୍ଟ୍ରପତି ସବୁବେଳେ ସରକାରଙ୍କ କଥାରେ ଚାଲନ୍ତି ଏଭଳି ନୁହେଁ । ଅନେକ ସମୟରେ ରାଷ୍ଟ୍ରପତି ସରକାରଙ୍କ ମତକୁ ମଧ୍ୟ ବିରୋଧ କରିଛନ୍ତି । ଏହାର ଆରମ୍ଭ ହୁଏ ବାବୁ ରାଜେନ୍ଦ୍ର ପ୍ରସାଦଙ୍କ କାର୍ଯ୍ୟକାଳରୁ । ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଥିବା ବେଳେ ନେହେରୁ ହିନ୍ଦୁ କୋଡ୍ ଆଣିଥିଲେ । ଯାହାଦ୍ୱାରା ହିନ୍ଦୁଙ୍କ ଆଇନକୁ ଏକିକୃତ କରାଯିବ ଲକ୍ଷ୍ୟ ଥିଲା । କିନ୍ତୁ ରାଜେନ୍ଦ୍ର ପ୍ରସାଦଙ୍କ ମତ ଥିଲା ଯେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ହିନ୍ଦୁଙ୍କ ଜନମତ ନେବାର ଆବଶ୍ୟକତା ରହିଛି । ସେ ଏହି ବିଲକୁ ସର୍ବୋଚ୍ଚ ଅଦାଲତକୁ ପଠାଇବାକୁ ପରାମର୍ଶ ଦେଇଥିଲେ । ଅର୍ଥାତ ବିଲକୁ ନେଇ ସେ ସରକାରଙ୍କ ସହିତ ଅସହମତ ଥିଲେ ।
ସେହିଭଳି ସୋମନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସେ ନେହେରୁଙ୍କ ବିରୋଧ ସତ୍ୱେ ଯାଇଥିଲେ । ସୋମନାଥ ମନ୍ଦିର ପ୍ରତିଷ୍ଠାକୁ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ରର ମୁଖ୍ୟଙ୍କ ଯିବା ଠିକ୍ ହେବ ନାହିଁ ବୋଲି ନେହେରୁଙ୍କ ମତ ଥିଲା । କିନ୍ତୁ ରାଜେନ୍ଦ୍ର ପ୍ରସାଦଙ୍କ କହିବା ଥିଲା ଯେ, ସୋମନାଥ ମନ୍ଦିର ଧ୍ୱଂସ ଦେଶ ଉପରେ ଆକ୍ରମଣ ଥିଲା । ଏହାର ପୁନଃନିର୍ମାଣ ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ
ସେହିଭଳି ୧୯୭୭ରେ ଜନତା ପାର୍ଟି ସରକାରକୁ ଆସିବା ପରେ ନିଲମ ସଂଜିବ ରେଡି ରାଷ୍ଟ୍ରପତି ହୋଇଥିଲେ । କିନ୍ତୁ ଜନତା ସରକାର ଭାଙ୍ଗିବା ପରେ ଇନ୍ଦିରା ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଉ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶିତଳ ଯୁଦ୍ଧ । ପ୍ରିନସ ଚାର୍ଲସଙ୍କ ବିବାହ ଉତ୍ସବକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ଗୋଟିଏ ସ୍ଥାନକୁ ଦୁଇ ଜଣ ସାମ୍ବିଧାନିକ ପଦବୀ ଯିବା ଉଚିଚ ହେବ ନାହିଁ କହି ଇନ୍ଦିରା ନିଜେ ଯିବାକୁ ପ୍ରସ୍ତାବ ଦେଇଥିଲେ । ଯାହାର ଉତ୍ତରରେ ସଂଜୀବ ରେଡି କହିଥିଲେ ଯେ, ସେ ରାଷ୍ଟ୍ରପତି ଭାବେ ନୁହେଁ ବ୍ୟକ୍ତିଗତ ଭାବେ ବିବାହରେ ସାମିଲ ହେବେ । ଶେଷରେ ଇନ୍ଦିରାଙ୍କୁ ପଛକୁ ହଟିବାକୁ ପଡିଥିଲା ।
ସେହିଭଳି କେ ଆର ନାରାୟଣ ରାଷ୍ଟ୍ରପତି ଭାବେ ଉତ୍ତର ପ୍ରଦେଶ ଓ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କେନ୍ଦ୍ର ସରକାରଙ୍କ ସୁପାରିସକୁ ଗ୍ରହଣ କରିନଥିଲେ ।
ଏପିଜେ ଅବଦୁଲ କଲାମ ରାଷ୍ଟ୍ରପତି ଭାବେ ଗୁଜୁରାଟ ସରକାରଙ୍କ ଆତଙ୍କବାଦୀ ନିରୋଧ ଆଇନକୁ ସ୍ୱିକୃତୀ ଦେଇନଥିଲେ । ସେହି ବିଲକୁ ତାଙ୍କ ପରବର୍ତ୍ତି ଉତ୍ତରାଧିକାରୀ ପ୍ରଣବ ମୁଖାର୍ଜୀ ମଧ୍ୟ ମଂଜୁରୀ ଦେଇନଥିଲେ । ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ଏହି ବିଲକୁ ସ୍ୱିକୃତୀ ମିଳିଥିଲା ।
ତେଣୁ ରାଷ୍ଟ୍ରପତି କେବଳ ରବର ଷ୍ଟାମ୍ପ ବୋଲି କହିବା ଠିକ ହେବ ନାହିଁ । ଅବଶ୍ୟ ଏହା ରାଷ୍ଟ୍ରପତିଙ୍କ ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ ଯେ, ସେ କେଉଁଭଳି ରାଷ୍ଟ୍ରପତି ଭାବେ ପରିଚିତ ହେବାକୁ ଚାହାନ୍ତି ।