ଟିଡିଏସ୍ ବା ଆୟ ସ୍ରୋତରୁ କର । ଚାକିରି କରିଥିବା ଜଣେ ବ୍ୟକ୍ତି ଫର୍ମ-16ରୁ ଟିଡିଏସ ଭାବେ କେତେ ଟ୍ୟାକ୍ସ କଟିଛି ତାହା ଜାଣି ପାରିବେ । ନିଯୁକ୍ତିଦାତା ଆପଣଙ୍କ ଦରମାରୁ ଟିଡିଏସ କାଟିଥାନ୍ତି । ଏହା ସହ ଅନ୍ୟ ସ୍ରୋତ ଯେମିତି ଫିକ୍ସଡ୍ ଡିପୋଜିଟରୁ ଆସୁଥିବା ସୁଧ ଉପରେ ମଧ୍ୟ ଟିଡିଏସ କଟିଥାଏ । ଇନକମ୍ ଟ୍ୟାକ୍ସ ଭାବେ କେତେ ଟଙ୍କା କଟାଯାଇଛି ତାହା ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ ଆୟକର ବିଭାଗର ୱେବସାଇଟରୁ ଫର୍ମ 26AS ଡାଉନଲୋଡ୍ କରିବାକୁ ପଡିବ । ଏହି ଫର୍ମରେ ଆପଣଙ୍କର କେତେ ଟଙ୍କା ଟ୍ୟାକ୍ସ ଭାବେ କଟିଛି ତାର ସମ୍ପୂର୍ଣ୍ଣ ତଥ୍ୟ ରହିଥାଏ ।
ତେଣୁ ଏହା ଜରୁରୀ ଯେ,ଆପଣ ଫର୍ମ 26AS କୁ ଅତ୍ୟନ୍ତ ସାବଧାନସତାର ସହ ଯାଂଚ କରିବେ । ଯଦି ଏଥିରେ ଟିକିଏ ବି ଭୁଲ ନଜରକୁ ଆସେ ତେବେ ଏଥିରେ ତୁରନ୍ତ ସୁଧାର ଆଣନ୍ତୁ । ଯଦି ଆପଣଙ୍କ ଫର୍ମ 26ASରେ କୌଣସି ପ୍ରକାର ଭୁଲ ହୋଇଛି ତେବେ ତାକୁ କେମିତି ଠିକ୍ କରିବେ ଆସନ୍ତୁ ଜାଣିବା ।
1) ଟିଡିଏସ ସାର୍ଟିଫିକେଟ୍ କଣ ?
ସବୁ ସଂସ୍ଥା ଆୟ ସ୍ରୋତରେ ହିଁ କର କାଟିକରି ରଖିଥାନ୍ତି । ଏହି କରକୁ ଆୟକର ବିଭାଗ ପାଖରେ ଜମା କରାଯାଏ । ଆୟ ସ୍ରୋତ,ତେଣିକି ତାହା ଚାକିରିରୁ ମିଳୁଥିବା ଦରମା ହେଉ କିମ୍ବା ଫିକ୍ସଡ୍ ଡିପୋଜିଟରୁ ମିଳୁଥିବା ସୁଧ କିମ୍ବା କମିଶନରୁ ଯେଉଁ କର କଟାଯାଏ ତାହାକୁ ଟିଡିଏସ କୁହାଯାଏ । ଯେଉଁ ବ୍ୟକ୍ତିଙ୍କ ଆୟ କିମ୍ବା ନିବେଶରୁ କର କଟାଯାଏ ତାଙ୍କୁ ବଦଳରେ ଏକ ସାର୍ଟିଫିକେଟ୍ ମିଳିଥାଏ । ସେହି ସାର୍ଟିଫିକେଟକୁ ଟିଡିଏସ ସାର୍ଚିଫିକେଟ୍ କୁହାଯାଏ । ଟିଡିଏସ ସାର୍ଟିଫିକେଟ୍ ପାଇବା ପରେ ଆପଣ ସେଥିରେ ଥିବା ସୂଚନାକୁ ଫର୍ମ 26ASରେ ଥିବା ସୂଚନା ସହ ମେଳ କରନ୍ତୁ । ଯଦି ଦୁଇଟି ଯାକ ଫର୍ମରେ କୌଣସି ଅନ୍ତର ପରିଲକ୍ଷିତ ହୁଏ ତେବେ ଆୟକର ବିଭାଗଠାରୁ ଏସମ୍ପର୍କରେ ତଥ୍ୟ ମାଗନ୍ତୁ ।
2) ଫର୍ମ 26ASକୁ ଧ୍ୟାନର ସହ ଯାଂଚ କରନ୍ତୁ
ଆଇଟିଆର ଫାଇଲ କରିବା ଆଗରୁ ଧ୍ୟାନର ସହ ଫର୍ମ 26AS କୁ ପଢନ୍ତୁ । ଯଦି ଏଥିରେ କୌଣସି ଭୁଲ ଥାଏ ତେବେ ତାକୁ ଆପଣ ଠିକ୍ କରିପାରିବେ । ଆପଣଙ୍କ ଫର୍ମ 26AS ରେ ଭୁଲ ହେବାର ଅନେକ କାରଣ ରହିଛି । ଟ୍ୟାକ୍ସ କାଟୁଥିବା ସଂସ୍ଥା ଯଦି ଟିଡିଏସ ରିଟର୍ଣ୍ଣ ଫାଇଲ କରି ନଥିବେ କିମ୍ବା କଟାଯାଇଥିବା ଟିଡିଏସକୁ ଯଦି ଆୟକର ବିଭାଗ ପାଖେ ଡିପୋଜିଟ୍ କରାଯାଇ ନଥିବ ତେବେ ତାହା ଫର୍ମ 26AS ରେ ଦେଖାଯିବ ନାହିଁ । ଏହାସହ ଭୁଲ ନିର୍ଦ୍ଧାରଣ ବର୍ଷ (ଆସେସମେଣ୍ଚ ଇୟର) ପାନ୍ ସଂଖ୍ୟ ଭୁଲ ହୋଇଥିଲେ କିମ୍ବା ଚାଲଣ ଡିଟେଲ ଭୁଲ ଲେଖିବା କାରଣରୁ ମଧ୍ୟ ଫର୍ମ 26ASରର ମିସମ୍ୟାଚ୍ ହୋଇଥାଏ । ଏଭଳି ଭୁଲକୁ ଆୟକର ବିଭାଗ ଆୟ କିମ୍ବା ଟ୍ୟାକ୍ସ ପ୍ରଦାନ କମ,ଅଧିକ ଦେଖାଇବା ପ୍ରୟାସ ଭାବେ ନେଇପାରେ । ଏଭଳି ଭୁଲ କାରଣରୁ ଆୟକର ବିଭାଗ ଆପଣଙ୍କ ବିରୋଧରେ ଯାଂଚ ମଧ୍ୟ କରିପାରେ ।
ଏଭଳି ଭୁଲର ଅନ୍ୟ କିଛି କାରଣ ମଧ୍ୟ ହୋଇପାରେ । ଆଡଭାନ୍ସ ଟ୍ୟାକ୍ସ ଓ ସେଲ୍ଫ ଆସେସମେଣ୍ଟ ଟ୍ୟାକ୍ସର ଫର୍ମ26ASରେ ନଦେଖାଇବାର ଆଉ ଗୋଟିଏ କାରଣ ହେଉଛି ଆପଣ ହୁଏତ ଏଥିରେ ଭୁଲ ପ୍ୟାନ୍ ନମ୍ବର ଦେଇଥିବେ ।
3) ପ୍ୟାନ୍ ନମ୍ବର ଭୁଲ ହୋଇଥିଲେ କଣ କରିବେ ?
ଯଦି ପ୍ୟାନ୍ ନମ୍ବର ଭୁଲ ହୋଇଥାଏ ,ତେବେ ତୁରନ୍ତ ପ୍ୟାନ୍ ନମ୍ବର ଠିକ୍ କରନ୍ତୁ । ଯଦି ଟ୍ୟାକ୍ସ ପେମେଣ୍ଟ ଚାଲାଣରେ ଆପଣଙ୍କ ପ୍ୟାନ୍ ନମ୍ବର ଭୁଲ ଲେଖାଯାଇଛି କିମ୍ବା ଯଦି ଆପଣଙ୍କ ବ୍ୟାଙ୍କ ଭୁଲ କରିଛି ତେବେ ଫର୍ମ 26AS ରେ ଭୁଲ ତଥ୍ୟ ନଜର ଆସିବ । ଆଉ ଗୋଟିଏ କାରଣ ଏହା ମଧ୍ୟ ହୋଇପାରେ ଯେ, ଆପଣଙ୍କ ବ୍ୟାଙ୍କ ଟ୍ୟାକ୍ସ ଇନଫର୍ମେସନ୍ ନେଟୱର୍କ(ଟିନ୍)ରେ ଚାଲାଣ ତଥ୍ୟକୁ ଅପଲୋଡ୍ କରିନଥିବ ।ଏହି ଭୁଲ ସୁଧାରିବାକୁ ଆପଣଙ୍କୁ ଟିନ୍ ୱେବସାଇଟରେ ଚାଲାଣ ଷ୍ଟାଟସ ଚେକ୍ କରିବାକୁ ପଡିବ । ସେଠାରେ ଆପଣ ଚାଲାଣ ଆଇଡେଣ୍ଟିଫିକେସନ୍ ନମ୍ବର ଆଧାରରେ ଏହି ତଥ୍ୟ ହାସଲ କରିପାରିବେ । ଟିନ୍ ୱେବସାଇଟରୁ ଯଦି ଆପଣ ଜାଣିବାକୁ ପାଆନ୍ତି ଯେ, ଆପଣଙ୍କ ପାନ୍ ନମ୍ବର ଭୁଲ ଟାଇପ୍ କରାଯାଇଛି ତେବେ ଆପଣ ଏହି ମାମଲାରେ ଏସେସିଂ ଅଫିସରଙ୍କ ସହ ସମ୍ପର୍କ କରିପାରିବେ । ତାଙ୍କୁ ଆପଣ ନିଜ ସମସ୍ୟା ବାବଦରେ କୁହନ୍ତୁ ।
4) ଟିଡିଏସ୍ ସାର୍ଟିଫିକେଟ୍ ଓ ଫର୍ମ 26AS ରେ ଅନ୍ତର
ଅନେକ ସମୟରେ ଏମିତି ହୁଏ ଯେ, ଆପଣଙ୍କ ଟିଡିଏସ ସାର୍ଟିଫିକେଟ୍ ଓ ଫର୍ମ 26AS ମେଳ ଖାଆନ୍ତିନି । ଦୁଇଟି ଯାକରେ ଥିବା ତଥ୍ୟ ମଧ୍ୟରେ ଫରକ ଥାଏ । ଏମିତିରେ ଆପଣ ଯଦି ବେତନଭୋଗୀ, ତେବେ ଆପଣ ନିଜ ନିଯୁକ୍ତିଦାତାଙ୍କ ସହ ସମ୍ପର୍କ କରନ୍ତୁ । କାରଣ ଆପଣଙ୍କ ଟିଡିଏସ୍ ଦରମା ଦେବା ସମୟରେ ନିଯୁକ୍ତିଦାତା କାଟି ରଖିଥାନ୍ତି । ଫର୍ମ 26AS ଓ ଟିଡିଏସ ସାର୍ଟିଫିକେଟ ଅମେଳ ହେବାର ଅନେକ କାରଣ ଭିତରୁ ଗୋଟିଏ ହେଉଛି ଟିଡିଏସ ରିଟର୍ଣ୍ଣ ଫାଇଲ କରାଯାଇନଥିବ କିମ୍ବା ଭୁଲ ପ୍ୟାନ୍ ନମ୍ବର ଦେବା କାରଣରୁ ତଥ୍ୟ ମେଳ ଖାଇ ନଥାଏ । ଏହାସହ ଚାଲାଣ ଡିଟେଲ ନଦେବା କିମ୍ବା ଟିଡିଏସ ଭାବେ କେତେ ଟଙ୍କା କଟିଛି ତାକୁ ଭୁଲ ଲେଖିବା କାରଣରୁ ଦୁଇ ଫର୍ମ ମଧ୍ୟରେ ତଥ୍ୟ ମେଳ ଖାଇନଥାଏ ।
5) ଭୁଲକୁ କେମିତି ସୁଧାରିବେ ?
ଯଦି ଭୁଲ ପ୍ୟାନ୍ ନମ୍ବର କିମ୍ବା ଭୁଲ ଟିଡିଏସ ରାଶି କାରଣରୁ ଦୁଇ ଫର୍ମ ମଧ୍ୟରେ ଅନ୍ତର ପରିଲକ୍ଷିତ ହେଉଛି ତେବେ ଆପଣଙ୍କୁ ଆଇଟିଆର ରିଟର୍ଣ୍ଣ ଫାଇଲ କରିବାରେ ବିଳମ୍ବ ହେବ । ଆପଣଙ୍କୁ ଆଗକୁ ଆସିବାକୁ ଥିବା ଅସୁବିଧାରୁ ଦୁରେଇ ରହିବାକୁ ଏହି ଭୁଲକୁ ସୁଧାରିବାକୁ ପଡିବ । ବାସ୍ତବରେ ଏଭଳି ଭୁଲ ସଂଶୋଧନ ପାଇଁ କେବଳ ଟ୍ୟାକ୍ସ କାଟୁଥିବା ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ଅନୁରୋଧ କରାଯାଇପାରିବ । ଆପଣ ତାଙ୍କୁ ଟିଡିଏସ ରିଟର୍ଣ୍ଣରେ ସଂଶୋଧନ କରିବାକୁ କୁହନ୍ତୁ । ମନେରଖନ୍ତୁ, ଆୟକର ଆଇନ ଅନୁସାରେ ଯାହାର ଟ୍ୟାକ୍ସ କଟେ ତାଙ୍କର ଟ୍ୟାକ୍ସ କାଟିଥିବା ବ୍ୟକ୍ତିଙ୍କୁ ରିଭାଇଜଡ୍ ରିଟର୍ଣ୍ଣ ଫାଇଲ କରିବାକୁ କହିବାର ଅଧିକାର ନାହିଁ । ଯଦି ଆପଣଙ୍କ ବ୍ୟାଙ୍କ ଦ୍ୱାରା କଟାଯାଇଥିବା ଟିଡିଏସ ସାର୍ଟିଫିକେଟରେ କୌଣସି ଅନ୍ତର ଅଛି ତେବେ ଆପଣ ବ୍ୟାଙ୍କକୁ ସଂଶୋଧନ ପାଇଁ ଅନୁରୋଧ କରିପାରିବେ ।
ଟିଡିଏସ ସାର୍ଟିଫିକେଟ୍ ତଥ୍ୟ ସଠିକ ହୋଇଥିଲେ ହିଁ ଆପଣ ଟ୍ୟାକ୍ସ ରିଫଣ୍ଡ ଦାବି କରିପାରିବେ । ତଥ୍ୟ ଠିକ୍ ହୋଇଥିଲେ ଆପଣ ନିବେଶ ଓ ଆୟ ଉପରେ ଯେଉଁ ଟ୍ୟାକ୍ସ ଦେଇଛନ୍ତି ତାହା ଫେରି ପାଇପାରିବେ, ଯଦି ଆପଣ ସେଥିପାଇଁ ଯୋଗ୍ୟ ।