ଗାନ୍ଧି ପରିବାରର ଦ୍ୱିତୀୟ ବ୍ୟକ୍ତି ଭାବେ ରାହୁଲ ନିଜ ଲୋକସଭା ସଦସ୍ୟତା ହରାଇଛନ୍ତି। ତାଙ୍କ ପୂର୍ବରୁ ଜେଜିମା ଇନ୍ଦିରା ମଧ୍ୟ ଦୁଇଥର ନିଜ ଲୋକସଭା ସଦସ୍ୟତା ହରାଇଥିଲେ। ପ୍ରଥମଥର 1975 ମସିହାରେ ପଦ ହରାଇବା ପରେ କ୍ଷମତାରେ ରହିବାକୁ ସେ ଦେଶରେ ଜରୁରୀକାଳନୀ ପରିସ୍ଥିତି ଲାଗୁ କରିଥିଲେ। ଦ୍ୱିତୀୟ ଥର ପଦ ହରାଇବା ପରେ ସେ 1980 ମସିହାର ସାଧାରଣ ନିର୍ବାଚନରେ ଜବରଦସ୍ତ କମବ୍ୟାକ କରିଥିଲେ। ତେବେ ରାହୁଲଙ୍କ ପାଖରେ ନିଜ ପଦ ଫେରି ପାଇବା ପାଇଁ କଣ ରାସ୍ତା ରହିଛି।
ପ୍ରଥମତଃ ରାହୁଲ ଗାନ୍ଧୀ ସମ୍ବିଧାନର ଧାରା-୧୦୩ ଅନୁଯାୟୀ ସଦସ୍ୟତା ପଦ ରଦ୍ଦ ନିଷ୍ପତ୍ତିକୁ ଚାଲେଞ୍ଜ କରିବା ଆବଶ୍ୟକ ରହିଛି ।
ଦ୍ୱିତୀୟତଃ ଏବେ ରାହୁଲଙ୍କୁ ଉପରକୋର୍ଟ ଅର୍ଥାତ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଯିବାକୁ ପଡିବ । ସେଠାରେ ହିଁ ଡିସକ୍ୱାଲିଫିକେସନ ବା ପଦ ରଦ୍ଦ ହେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ ।
କୋର୍ଟ ପକ୍ଷରୁ ଦଣ୍ଡାଦେଶ ନିମନ୍ତେ ରାହୁଲ ଗାନ୍ଧୀଙ୍କୁ ୩୦ ଦିନ ସମୟ ଦିଆଯାଇଛି । ତେଣୁ ଏହି ସମୟରେ ସୁରତ ଜିଲ୍ଲା କୋର୍ଟଙ୍କ ୨ ବର୍ଷ ଜେଲ୍ ଦଣ୍ଡାଦେଶ ବିରୋଧରେ ସିଆରପିସି ଧାରା ୩୭୪ରେ ଥିବା ବ୍ୟବସ୍ଥା ଅନୁଯାୟୀ ଉପର କୋର୍ଟକୁ ଯାଇପାରିବେ ରାହୁଲ ।
ସେହିପରି ଦଣ୍ଡାଦେଶକୁ ଖାରଜ ପାଇଁ କିମ୍ବା ସ୍ଥଗିତାଦେଶ ପାଇଁ ସେସନ୍ସ କୋର୍ଟରେ ମଧ୍ୟ ଅପିଲ୍ କରିପାରିବେ ।
ଏହି ମାମଲାରେ ଯଦି ସେସନ୍ସ କୋର୍ଟ ସୁରତ ଜିଲ୍ଲା କୋର୍ଟଙ୍କ ରାୟକୁ ଖାରଜ କରନ୍ତି, କିମ୍ବା ରାହୁଲଙ୍କ ସପକ୍ଷରେ ରାୟ ପ୍ରକାଶ ପାଏ ତେବେ ପୁଣି ସାଂସଦ ପଦ ଫେରିପାଇବେ ରାହୁଲ ଗାନ୍ଧୀ ।
ଏହାପରେ ମଧ୍ୟ ଯଦି ସେସନ୍ସ କୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି ନମିଳେ । ଅର୍ଥାତ ରାହୁଲ ଗାନ୍ଧି ସେସନ୍ସ କୋର୍ଟରେ ନିରାଶ ହୁଅନ୍ତି । ତେବେ ହାଇକୋର୍ଟରେ ଅନ୍ତରୀଣ ସ୍ଥଗିତାଦେଶ ପାଇଁ ଅପିଲ୍ କରିପାରିବେ ।
ସେହିପରି ସିଆରପିସିର ଧାରା ୩୮୯ ଅନୁଯାୟୀ ଆବେଦନକାରୀ ଦଣ୍ଡାଦେଶକୁ ସ୍ଥଗିତ ରଖିବାପାଇଁ ମଧ୍ୟ ଆବେଦନ କରିପାରିବେ । ସମ୍ବିଧାନର ଧାରା ୧୩୬ ଅଧୀନରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇପାରିବେ ।
ତେଣୁ ଯଦି ଉପରକୋର୍ଟ ରାହୁଲଙ୍କୁ ନିର୍ଦୋଶ ସାବ୍ୟସ୍ତ କରନ୍ତି । ତେବେ ପୁଣି ପଦ ଫେରିପାଇବେ ରାହୁଲ । ପୁଣି ଯିବେ ସଂସଦ ।
୧୯୫୧ ଜନପ୍ରତିନିଧି ଆଇନ ଅନୁସାରେ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗର ବିଭିନ୍ନ ଦିଗ ତର୍ଜମା ଲାଗି ପିଟିସନରେ ଦର୍ଶାଯାଇଛି । କେରଳର ସାମାଜିକ କର୍ମୀ ଆଭା ମୁରଲୀଧରନଙ୍କ ପକ୍ଷରୁ ଏହି ପିଟିସନ ଦାୟର ହୋଇଛି । ଏହି ଧରଣର ପଦକ୍ଷେପ ଦ୍ବାରା ଦେଶରେ ନିର୍ବାଚନ ବ୍ୟବସ୍ଥା ବିଗିଡ଼ିବା ସହ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ବୋଲି ଦର୍ଶାଯାଇଛି । ସମ୍ବିଧାନର ଧାରା ୧୯(୧)ର ’କ’ ଧାରା ଅନୁସାରେ ଜଣେ ସାଂସଦ ଯେପରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି ବ୍ୟବସ୍ଥା ରହିଥିବାବେଳେ ସଭ୍ୟପଦ ରଦ୍ଦ ସଂକ୍ରାନ୍ତ ନିଷ୍ପତ୍ତି ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ପିଟିସନରେ ଦର୍ଶାଯାଇଛି ଆଭା ମୁରଲୀଧରନ ।