ଭୁବନେଶ୍ୱର : ତାତିରୁ ମିଳିଛି ଆଶ୍ୱସ୍ତି । ଆଗାମୀ ୫ ଦିନ ଯାଏଁ ଲାଗିରହିବ ବର୍ଷା ଘଡଘଡି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି ୮ ସହରରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।
ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡି ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨ ଦିନ ହେବ ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ତାତିରୁ ଆଶ୍ୱସ୍ତି ଆଣିଦେଇଛି ।
୨୪ ତାରିଖରେ ରାଜ୍ୟରେ କିଛିମାତ୍ରାରେ କମିବ ବର୍ଷା । ତେବେ ୨୫ ତାରିଖରୁ ପୁଣି ବର୍ଷାର ପରିମାଣ ବଢିବ । ୨୬ରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି ।
ବିଶେଷକରି କଳାହାଣ୍ଡି , ରାୟଗଡ଼ା , ଗଜପତି କନ୍ଧମାଳ ଓ ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାହେବାର ଆଶଙ୍କା ରହିଛି ।
ସପ୍ତାହେରୁ ଊଦ୍ଧ୍ୱର୍କାଳ ଅଭିମାନକରି ମାଲକାନଗିରିରେ ଲୁଚିଥିବା ମୌସୁମୀ ଅକସ୍ମାତ ସକ୍ରିୟ ହୋଇଛି। କାଳବୈଶାଖୀ ଡାକରାରେ ସକ୍ରିୟ ମୌସୁମୀ ଗତକାଲି ସୁଦ୍ଧା ରାଜ୍ୟର ୨୪ ଜିଲ୍ଲାରେ ଦେଇଛି ପହିଲି ବର୍ଷାର ସ୍ପର୍ଶ। ଅବଶିଷ୍ଟ ୬ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର , ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଦିନେ ଦୁଇଦିନ ମଧ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୌସୁମୀ ଅଗ୍ରସର ପରେ ସାରା ରାଜ୍ୟରେ ପାଗ ମେଘୁଆ ସହ ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି।