ଯେଉଁ ହାତରେ ପିଲାଙ୍କୁ ଖଡ଼ି ଧରାଇ ଅ, ଆ ଲେଖା ଶିଖାଉଥିଲେ, ଆଜି ସେହି ହାତ ପେଟପାଟଣା ପାଇଁ ଗାଡ଼ିର ଷ୍ଟିଅରିଂ ଧରି ରାଜଧାନୀର ଗଳିକନ୍ଧିରେ ବୁଲିଛି । କରୋନା ମହାମାରୀର ମହାଚକ୍ରରେ ବଦଳିଯାଇଛି ଜୀବନର ମୋଡ । ଆଜି ବିଏମ୍ସିର ‘ମୁଁ ସଫେଇବାଲା’ ଗାଡ଼ି ଚଳାଇ ନିଜର ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡାଇଛନ୍ତି । କରୋନା ଭଳି ମାରାତ୍ମକ ଭୂତାଣୁ କବଳରୁ ଦୂରେଇ ରଖିବାକୁ ଲୋକଙ୍କୁ କରୁଛନ୍ତିି ସଚେତନ । ସେ ହେଉଛନ୍ତି ସ୍ମୃତିରେଖା ବେହେରା । ଭୁବନେଶ୍ୱର ବାଣୀବିହାର ନିକଟ ପଥରବନ୍ଧ ବସ୍ତିରେ ଘର । ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ରାଜଧାନୀର ଏକ ନର୍ସରୀ ସ୍କୁଲରେ ପାଠପଢ଼ାଉଥିଲେ । ଉଚ୍ଚଶିକ୍ଷା ସାଙ୍ଗକୁ ଶିକ୍ଷକତାର ଦକ୍ଷତା ଥିଲେ ବି ସେ ଆଜି ନିରୂପାୟ । ଲକ୍ଡାଉନ୍ ଆରମ୍ଭରୁ ସ୍କୁଲ ବନ୍ଦ, ହାତରେ ରୋଜଗାର ନାହିଁ କି ପିଲାଙ୍କୁ ପାଠପଢ଼ାର ଦାୟିତ୍ୱ ମଧ୍ୟ ନାହିଁ । ବାଧ୍ୟ ହୋଇ ଭୁବନେଶ୍ୱର ମହାନଗର ନିଗମ ଓ କୋର ପକ୍ଷରୁ ‘ମୁଁ ସଫେଇବାଲା ‘ ଗାଡ଼ି ଚଳାଉଛନ୍ତି ସେ । ବିଏ ପାସ୍ କରିବା ପରେ ନର୍ସିଂ ଟ୍ରେନିଂ ଏବଂ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଥିଲେ ସ୍ମୃତିରେଖା । ୩ ମାସ ହେବ ବିଏମ୍ସିର ଗାଡ଼ି ଚଳାଇବା ଆରମ୍ଭ କରିଛନ୍ତି । ଭୁବନେଶ୍ୱରର ୪୮ ନମ୍ବର ୱାର୍ଡରେ ଥିବା ବିଭିନ୍ନ ଅଂଚଳରେ ଗଳିକୁ ଗଳି ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି । ଓଦା ଶୁଖିଲା ଅଳିଆକୁ ଅଲଗା କରି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ଡମ୍ପିଂୟାର୍ଡରେ ପକାଉଛନ୍ତି । କରୋନା କାଳରେ ଚାରିଆଡେ ଭୂତାଣୁର ଭୟ ବ୍ୟାପିଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବାର ନିଷ୍ପତି ନେଇଛନ୍ତି ସେ । ଦୁଇବର୍ଷ ପୂର୍ବରୁ ନିଜ ବସ୍ତିରେ ମହିଳା କାର୍ ଡ୍ରାଇଭିଂ ଶିକ୍ଷା ପାଇଁ ସୁଯୋଗ ପାଇଥିଲେ ସ୍ମୃତିରେଖା । ସିୱାଇଏସ୍୍ଡି ପକ୍ଷରୁ କାର୍ ଡ୍ରାଇଭିଂ ଶିକ୍ଷା ନେଇ କେବଳ ସଉକ ପାଇଁ ଗାଡ଼ି ଚଳାଇବା ଶିଖିଥିଲେ । ମାତ୍ର ପରବର୍ତୀ ସମୟରେ ଏହା ତାଙ୍କ ଜୀବନରେ ସହାୟକ ହେବ ବୋଲି ସେ କେବେ ଭାବି ନଥିଲେ । ମହାମାରୀ ନିଜର ଏବଂ ସ୍ୱାମୀଙ୍କର ଚାକିରି ଚାଲିଯିବା ପରେ ବିଏମ୍ସି ଗାଡ଼ି ଚଳାଇବା ଆରମ୍ଭ କରିଛନ୍ତି । ଏଥିପାଇଁ ତାଙ୍କୁ ମାସକୁ ୧୦ ହଜାର ଟଙ୍କା ଦରମା ମିଳୁଛି । କିନ୍ତୁ କାମକୁ ନେଇ ମନରେ କିଛି ଅବଶୋଷ ନାହିଁ ତାଙ୍କର । କେବଳ ଏହାକୁ ନେଇ କ୍ୟାରିୟର କରିବାର ଆଶା ରହିଛି । ପେଟପାଟଣା ପାଇଁ କୌଣସି କାମ ଛୋଟବଡ଼ ନ ଥାଏ । ଯେଉଁଥିରେ ଆମ ସନ୍ତୁଷ୍ଟି ଥାଏ ସେ କାମ ପାଇଁ କେବେ ପଛଘୁଂଚା ଦେବା ଉଚିତ ନୁହେଁ । କାର୍ ଡ୍ରାଇଭ୍ ଶିଖିଥିଲେ ବି ବଡ଼ ପିକ୍ଅପ୍ ଗାଡ଼ି ଚଳାଇବାରେ କୌଣସି ସମସ୍ୟା ହେଉ ନାହିଁ ବୋଲି କୁହନ୍ତି ସ୍ମୃତିରେଖା ।