ଦିପାବଳୀ ଆସିବାକୁ କେଇ ଦିନ ବାକି ଅଛି । କିନ୍ତୁ ରିହାତି,ସେଲର ବିଜ୍ଞାପନ ମାଡ଼ରେ ଗ୍ରାହକ ଲୋଭାତୁର ହେଲେଣି । ଏମିତି ପ୍ରଚାର ହେଉଛି ଯେ, ଲାଗୁଛି ଏଭଳି ସେଲ୍ ଆଉ ଜୀବନ ସାରା କେବେ ଆସିବ ନାହିଁ । ତେଣୁ ଅନେକ ଲୋଭରେ ପଡ଼ି ମନଇଛା କିଣାକିଣି କରୁଛନ୍ତି । ଏମିତି ଅନେକ ଜିନିଶ କେବଳ ଲୋଭର ବଶବର୍ତ୍ତି ହୋଇ ଆମେ କିଣିଥାଉ ଯାହାର ଆବଶ୍ୟକତା ନଥାଏ । ପୁଣି ମଧ୍ୟ ଆମେ କାଳେ ଏଭଳି ଦାମରେ ଜିନିଶ ଆଗକୁ ମିଳିବ ନାହିଁ ତାହା ଭାବି ଦରକାର ନଥିଲେ ମଧ୍ୟ ଧାର ଉଧାର କରି ସେଇ ସାମଗ୍ରୀ କିଣିଥାଉ । ତେବେ ଏଥିରୁ ଆପଣ ଦୁରେଇ ରହିବେ କେମିତି ? କେମିତି ଦିପାବଳୀରେ ଭାବିଚିନ୍ତି ଖର୍ଚ୍ଚ କରିବେ ? ଏଥିପାଇଁ ଆପଣଙ୍କୁ ବେଶି କିଛି କରିବାକୁ ପଡ଼ିବ ନାହିଁ । ବାସ ୫ଟି କଥାକୁ ମନେ ରଖିବାକୁ ପଡିବ । ଆସନ୍ତୁ ଜାଣିବା ସେହି ୫ କଥା କ’ଣ ..
ପାର୍ବଣ ବଜେଟ୍ ବନାନ୍ତୁ
ଦିପାବଳୀ ହେଉ କିମ୍ବା ଅନ୍ୟକୌଣସି ଉତ୍ସବ ପାଳନ ପୂର୍ବରୁ ଏଥିପାଇଁ ଗୋଟିଏ ବଜେଟ୍ ତିଆରି କରନ୍ତୁ । ଆପଣ ପାର୍ବଣରେ କେତେ ଖର୍ଚ୍ଚ କରିପାରିବେ ତା’ର ହିସାବ କରନ୍ତୁ । ଏଭଳି ବଜେଟ୍ ତିଆରି କରନ୍ତୁ ଯେଉଁଥିରେ ଆପଣ ବଦଖର୍ଚ୍ଚ କରିବେ ନାହିଁ । ବଜେଟ୍ ଆଗୁଆ ତିଆରି କରିଥିଲେ ଆପଣ ମନଇଛା ଖର୍ଚ୍ଚ କରିବାରୁ ବଂଚିବେ । ଧରି ନିଅନ୍ତୁ ଆପଣ ଦିପାବଳୀ ପାଇଁ ୧୦ ହଜାରର ବଜେଟ୍ ତିଆରି କରିଛନ୍ତି ତେବେ ସେହି ୧ ୦ ହଜାର ଭିତରେ ହିଁ ସବୁ ଖର୍ଚ୍ଚ କରନ୍ତୁ । ତା’ଠାରୁ ଅଧିକ କରନ୍ତୁ ନାହିଁ ।
ଖର୍ଚ୍ଚର ହିସାବ ରଖନ୍ତୁ
ବଜେଟ୍ ତିଆରି କରିବା ତ’ ସହଜ କଥା କିନ୍ତୁ ଖର୍ଚ୍ଚକୁ ବଜେଟ୍ ଭିତରେ ରଖିବା କାଠିକର ପାଠ ହୋଇଥାଏ । ଯେତେବେଳେ ଆପଣ ଅନଲାଇନ୍ ଅଫର ସବୁ ଦେଖିବେ ସେତେବେଳେ ଏହା ଆହୁରି ମୁସ୍କିଲ ହୋଇଥାଏ । ଯେତେବେଳେ ଆପଣ ଡେବିଟ୍ ,କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରନ୍ତି ସେତେବେଳେ ଖର୍ଚ୍ଚକୁ ଟ୍ରାକ୍ କରିବା ଆହୁରି କାଠିକର ପାଠ ହୋଇଯାଏ । ଆପଣ ଜାଣି ପାରନ୍ତି ନାହିଁ ଯେ, ଆପଣ କେତେ ଅଧିକ ଖର୍ଚ୍ଚ କରୁଛନ୍ତି । ଯେତେବେଳେ କ୍ରେଡିଟ୍ କାର୍ଡ୍ ବିଲ୍ ଆସେ ସେତେବଳେ ଆପଣ ଜାଣନ୍ତି ଯେ, କେତେ ଅଧିକ ଆପଣଙ୍କର ଖର୍ଚ୍ଚ ହୋଇଛି । ତେଣୁ ସବୁବେଳେ ଖର୍ଚ୍ଚର ହିସାବ ରଖନ୍ତୁ । ଏଭଳି ଆପ୍ ରଖନ୍ତୁ ଯାହା ଆପଣ ବଜେଟ୍ ଲିମିଟ୍ କ୍ରସ କଲେ ଚେତାବନୀ ଦେବ କିମ୍ବା କ୍ରେଡିଟ୍ କାର୍ଡର ଲିମିଟକୁ ସେହି ହିସାବରେ ସେଟ୍ କରନ୍ତୁ ।
ଧାର କରନ୍ତୁ ନାହିଁ
ଦିପାବଳୀ ଭଳି ପର୍ବ ସମୟରେ ଫେଷ୍ଟିଭ୍ ଅଫର ଚକ୍କରରେ ଉଧାର କରନ୍ତୁ ନାହିଁ । ସେତିକି ଖର୍ଚ୍ଚ କରନ୍ତୁ ଯେତିକି ଆପଣଙ୍କ ପାଖରେ ଅଛି । ବ୍ୟାଙ୍କ କିମ୍ବା ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀଠାରୁ ଲୋନ୍ ନିଅନ୍ତୁ ନାହିଁ । ଏବେ ଲୋନ୍ ମିଳିବା ସହଜ ହୋଇଥିବାରୁ ଲୋନ୍ ନେବାର ଲୋଭ ହୋଇପାରେ । କିନ୍ତୁ ବୁଦ୍ଧିମାନର କାମ ହେବେ ଆପଣ କୌଣସି ଲୋନ୍ କିମ୍ବା ହାତ ଉଧାରିରେ ନପଡି଼ବା । ସେଲିବ୍ରେସନ୍ ଚକରରେ ଲୋନ୍ କରି ପରେ ସୁଝିବା ଭାରି ପଡ଼ିପାରେ ।
ଡିସକାଉଣ୍ଟ ଓ ଅଫରର ଫାଇଦା ଉଠାନ୍ତୁ
ଆଗରୁ ଆମେ ସ୍ପଷ୍ଟ କରି ସାରିଛୁ ଯେ, ଅଫର ଚକ୍କରରେ ଅଧିକ ସପିଂ କରନ୍ତୁ ନାହିଁ । କିନ୍ତୁ ଯଦି ଆପଣ ନିଜ ବଜେଟ୍ ଭିତରେ ସପିଂ କରୁଛନ୍ତି ତେବେ ଡିସକାଉଣ୍ଚ ଓ ଅଫରର ଫାଇଦା ଉଠାନ୍ତୁ । ଯଦି ଅନଲାଇନରେ ସପିଂ କରୁଛନ୍ତି ତେବେ ଗୋଟିଏ ସାମଗ୍ରୀର ଦରକୁ ଆଉ ଗୋଟିଏ ସାଇଟର ଦର ସହିତ ତୁଳନା କରନ୍ତୁ । ଏମିତିରେ ଆପଣ ଭଲ ରିହାତି ପାଇ ପାରିବେ । ଏଭଳି ୱେବସାଇଟ୍ ମଧ୍ୟ ରହିଛନ୍ତି ଯେଉଁମାନେ ବିଭିନ୍ନ ସାଇଟରେ ଉପଲବ୍ଧ ସାମଗ୍ରୀର ତୁଳନାତ୍ମକ ଦର ଦେଇଥାନ୍ତି । ଗୁଗଲକୁ ଯାଇ ପ୍ରାଇସ୍ କମ୍ପେରସନ୍ ଭଳି କି ୱାର୍ଡ୍ ଟାଇପ୍ କରି ଦର ତୁଳନା କରନ୍ତୁ ଓ ଜିନିଶ କିଣନ୍ତୁ । ସେହିଭଳି ।ଅଫଲାଇନ୍ ସପିଂ କରୁଥିଲେ ଟିକେ ସମୟ କାଢି ବିଭିନ୍ନ ସୋ’ରୁମ ମଧ୍ୟରେ ଥିବା ଦରକୁ ତୁଳନା କରନ୍ତୁ ।
ପ୍ରାଥମିକତା ନିର୍ଧାରିତ କରନ୍ତୁ
ଏହା ପ୍ରଥମେ ନିର୍ଧାରଣ କରନ୍ତୁ ଯେ, ଆପଣଙ୍କ ପାଇଁ କ’ଣ ଜରୁରୀ ଅଟେ ଓ କେଉଁଟା ଅତ୍ୟାବଶ୍ୟକ ନୁହେଁ । ଯାହା ଜରୁରୀ ସେହି ସାମଗ୍ରୀ ହିଁ କିଣନ୍ତୁ । ସର୍ବପ୍ରଥମେ ସେହି ଆଇଟମ୍ କିଣନ୍ତୁ ଯାହା ଆପଣଙ୍କ ପାଇଁ ଜରୁରୀ ଅଟେ । ତା’ପରେ ଯଦି ଟଙ୍କା ବଳୁଛି ତେବେ କମ୍ ଜରୁରୀ ସାମଗ୍ରୀ କିଣନ୍ତୁ । ଆମ ଭିତରୁ ଅନେକ ଏଭଳି ସାମଗ୍ରୀ କେବଳ ଏଇଥିପାଇଁ କିଣିଥାଉ ଯେ, ତାହା ଆମ ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କ ପାଖରେ ଅଛି । ଏଭଳି ଭୁଲ ବିଲକୁଲ କରନ୍ତୁ ନାହିଁ । ଆପଣଙ୍କ ପାଇଁ ଯାହା ଜରୁରୀ ତାକୁ ହିଁ କିଣନ୍ତୁ । କେବଳ ଦେଖାଇ ହେବା ପାଇଁ କିଛି ମଧ୍ୟ କିଣନ୍ତୁ ନାହିଁ । ଏଭଳି ସପିଂ ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ଖରାପ ।