ମହିଳାଙ୍କ ପାଇଁ ତାଲିବାନର ତାଲିକା : ଆତଙ୍କ ଭିତରେ ଜିଉଁଛନ୍ତି ଆଫଗାନିସ୍ତାନୀ ମହିଳା

Above Post Content

ଆଫଗାନିସ୍ତାନରେ ପୁଣିଥରେ ତାଲିବାନ କ୍ଷମତାକୁ ଆସିବାର ଆଶଙ୍କା କରାଯାଉଛି । ତାଲିବାନ ତା’ କବଜାରେ ଦେଶର ୮୫ ପ୍ରତିଶତ ଅଂଚଳ ଥିବା ଦାବି କରୁଛି । ତାଲିବାନର ପୁଣିଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନର ଅର୍ଥ କଠୋର ଇସଲାମିକ୍ ଆଇନ କାନୁନ । ଯାହାର ସ୍ୱାଦ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନ ଚାଖିଥିଲା । ତାଲିବାନର ପ୍ରଥମ ଶାସନ କାଳରେ ଆଫଗାନିସ୍ତାନ ଦେଖିଥିଲା ମଧ୍ୟଯୁଗୀୟ ଶାସନ ବ୍ୟବସ୍ଥା ସରିୟତ ଲାଗୁ କରି ନିଜକୁ ପୁତ ପବିତ୍ର ଇସଲାମିକ୍ ରାଷ୍ଟ୍ର ଭାବେ ଦେଖାଇବାକୁ ଚାହିଁଥିଲା ତାଲିବାନ । ଏହି କାଳରେ ଆଫଗାନୀ ସମାଜର ମହିଳା ମାନେ ସର୍ବାଧିକ ପ୍ରଭାବିତ ହୋଇଥିଲେ । ଏବେ ପୁଣିଥରେ ତାଲିବାନ କବଜାରେ ଆଫଗାନୀ ମହିଳା ସେହି ଦିନକୁ ଫେରିଯିବେ ବୋଲି ଆଶଙ୍କା କରାଯାଉଛି ।

ତାଲିବାନ ଅନୁସାରେ ମହିଳା ଘର ମଧ୍ୟରେ ରହିବାକୁ ବାଧ୍ୟ । ମହିଳା କ’ଣ ପିନ୍ଧିବେ, କେବେ ବାହାରକୁ ଯିବେ ଓ କେମିତି କାହା ସାଙ୍ଗରେ ବାହାରକୁ ଯାଇ ପାରିବେ ସେ ନେଇ ନିୟମ ରହିଛି । ଆସନ୍ତୁ ଜାଣିବା ତାଲିବାନ କେମିତି ମହିଳାଙ୍କ ସ୍ୱାଧିନତାକୁ କ୍ଷୁର୍ଣ୍ଣ କରିଥାଏ ।

After 2nd paragraph post ads

ଘରୁ ଏକୁଟିଆ ବାହାରିବା ପ୍ରତିବନ୍ଧିତ

ତାଲିବାନର ତାଲିକା ବେସ ଲମ୍ବା । ମହିଳାଙ୍କୁ କେମିତି ଦମନ କରି ରଖାଯିବ ସେନେଇ ତାଲିବାନ ଅନେକ ନିୟମ କରିଛି । କୁହାଯାଉଛି ଯେ, ମହିଳାଙ୍କୁ ନେଇ ତାଲିବାନର ୪୦ ନିୟମ ରହିଛି । ଏଭଳି ନିୟମ ଆଧୁନିକ ସମାଜକୁ ଚକିତ ଓ ବିସ୍ମିତ କରିବ । ଏହି ନିୟମ ଅନୁସାରେ ମହିଳାଙ୍କ ପକ୍ଷରେ ସାର୍ବଜନିକ ସ୍ଥାନରେ ମସ୍ତି, ମଜା କରିବା ଇସଲାମ ବିରୋଧୀ । ତାଲିବାନ ଅନୁସାରେ ମହିଳା ଘର ଛା଼ଡି ବାହାରେ କାମ କରିବା ଅନୁଚିତ । ତେଣୁ ତାଲିବାନ ମହିଳାଙ୍କ ବାହାରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଏ । ଏହା ସହ ତାଲିବାନ ଅନୁସାରେ ଜଣେ ମହିଳା ନିଜ ସ୍ୱାମୀ କିମ୍ବା ଭାଇ ସହ ହିଁ ବାହାରକୁ ଯାଇ ପାରିବେ । ତାଲିବାନ ଶାସନରେ ମହିଳାଙ୍କ ପୋଷାକ କଥା ନକହିବା ଭଲ । ତାଲିବାନ ଅନୁସାରେ ମହିଳା ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡାଇ ରହିବା ଉଚିତ । ବିନା ବୁର୍ଖାରେ ମହିଳା ବାହାରେ ଧରାପଡିଲେ ବେତ ମାଡର ବ୍ୟବସ୍ଥା ରହିଛି ।

ମେକ୍ ଅପ୍ କରି ପାରିବେ ନାହିଁ

Middle post content

Revolutionary Association of the Women of Afghanistan ୱେବସାଇଟରେ ମଧ୍ୟ ତାଲିବାନ ତରଫରୁ ମହିଳାଙ୍କ ଉପରେ ଲଗା ଯାଇଥିବା ପ୍ରତିବନ୍ଧକ ବାବଦରେ ଉଲ୍ଲେଖ ରହିଛି । ତାଲିବାନ ନିୟମ ଅନୁସାରେ ମହିଳା ବାହାରକୁ ଯାଇ ପାରିବେ ନାହିଁ କିମ୍ବା କୌଣସି ଦୋକାନରୁ କିଛି ମଧ୍ୟ କିଣି ପାରିବେ ନାହିଁ । ମହିଳାଙ୍କ ଚିକିତ୍ସା କେବଳ ମହିଳା ଡାକ୍ତର ହିଁ କରିପାରିବେ । ସେମାନେ ପୁରୁଷ ଡାକ୍ତରଙ୍କ ପାଖକୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଯାଇ ପାରିବେ ନାହିଁ । କେବଳ ଏତିକି ନୁହେଁ ୱେବସାଇଟ୍ ଅନୁସାରେ ତାଲିବାନ ମହିଳାଙ୍କ ମେକ୍ ଅପ୍ ସାମଗ୍ରୀ କିଣିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥାଏ । ତାଲିବାନ ଶାସନରେ ମହିଳାଙ୍କୁ ମେକ ଅପ୍ ନେବାରୁ ନିବୃତ କରାଯାଏ । ଏହା ସହିତ ତାଲିବାନ ମହିଳା ଓ ପୁରୁଷଙ୍କ ହାତ ମିଳାଇବାକୁ ମଧ୍ୟ ଇସଲାମ ବିରୋଧୀ ବୋଲି ଘୋଷଣା କରିଛି ।

ହାଇ ହିଲ୍ ବ୍ୟାନ୍

ତାଲିବାନ ଶାସନରେ ମହିଳାଙ୍କ ହାଇ ହିଲ୍ ପିନ୍ଧିବା ଉପରେ ପ୍ରତିବନ୍ଧକ ଥିଲା । ତେଣୁ ଆଗକୁ ଯଦି ତାଲିବାନ ପୁଣିଥରେ କ୍ଷମତାକୁ ଫେରେ ତେବେ ସେହି ନିୟମ ଅନୁସାରେ ଆଫଗାନୀ ମହିଳା ଆଉ ହାଇ ହିଲ୍ ପିନ୍ଧି ପାରିବେ ନାହିଁ । ଏହା ସହିତ ବାଇକ୍, ସାଇକେଲ ଚଳାଇବା କିମ୍ବା କୌଣସି କ୍ରୀଡାରେ ମହିଳା ଅଂଶ ଗ୍ରହଣ କରିବା ମଧ୍ୟ ତାଲିବାନ ଶାସନରେ ବ୍ୟାନ୍ । ଏହା ସହିତ ନଦୀରେ ମହିଳା କପଡା ଧୋଇବା, ବାଲକୋନିରେ ଛିଡା ହେବା କିମ୍ବା ଝରକାରୁ ବାହାରକୁ ଦେଖିବା ମଧ୍ୟ ପ୍ରତିବନ୍ଧିତ । ମହିଳାଙ୍କ ଫଟୋ ଉଠାଇବା ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି ।

ଗୀତ ଶୁଣିବା ଉପରେ ବ୍ୟାନ୍

ତାଲିବାନ ଶାସନରେ ଗୀତ ଶୁଣିବା ଉପରେ ବ୍ୟାନ ଲାଗିଥିଲା । ମହିଳା ଓ ପୁରୁଷ କେହି ମଧ୍ୟ ଗୀତ ଶୁଣି ପାରିବେ ନାହିଁ ବୋଲି ସେତେବେଳେ ତାଲିବାନ ଆଇନ କରିଥିଲା । ପୁଣି କ୍ଷମତାକୁ ଫେରିଲେ ସେହି ଆଇନ ଫେରିବ ଏଥିରେ ସନ୍ଦେହ ନାହିଁ । ଏହା ସହିତ ପୁରୁଷଙ୍କ ଦାଢିକୁ ନେଇ ମଧ୍ୟ ତାଲିବାନର ନିୟମ ରହିଛି । ଏକ ନିର୍ଦ୍ଦିଷ୍ଟ ଲମ୍ବର ଦାଢି ନରଖିଲେ ପୁରୁଷଙ୍କୁ ଦଣ୍ଡିତ ହେବାକୁ ପଡେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami