ନ୍ୟୁୟର୍କ : ବୁଧବାର ଦିନ ଅନେକ ଫେସବୁକ୍ ୟୁଜର୍ସ ସେମାନଙ୍କ ଫଲୋର୍ସଙ୍କ ସଂଖ୍ୟାରେ ହ୍ରାସକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।ଲେଖିକା ତସଲିମା ନସରିନଙ୍କଠାରୁ ଏକ ହିନ୍ଦି ନ୍ୟୁଜ୍ ଚ୍ୟାନେଲର ଆଙ୍କରଙ୍କ ପର୍ଯ୍ୟନ୍ତ ନିଜ ଫଲୋର୍ସଙ୍କ ସଂଖ୍ୟା ହ୍ରାସକୁ ନେଇ ପୋଷ୍ଟ ମଧ୍ୟ କରିଥିଲେ । ଆଙ୍କର ଚିତ୍ରା ତ୍ରିପାଠୀ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ମୋତେ ଫେସବୁକରେ ୪ଲକ୍ଷରୁ ଅଧିକ ଫଲୋ କରୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ କୁଆଡେ ଗଲେ ? ଲେଖିକା ତସଲିମା ନାସରିନ୍ ମଧ୍ୟ ସମାନ ପ୍ରଶ୍ନ ଉଠାଇଥିଲେ । ଏବେ କିନ୍ତୁ ଯେଉଁ ଖବର ଆସୁଛି ସେଥିରୁ ଲାଗୁଛି ଯେ, ଏହି ଗଡବଡ଼ ପଛରେ ସାଇବର ଆଟାକ୍ ରହିଛି । କାରଣ ଖୋଦ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ତାଙ୍କର ୧୨ କୋଟି (୧୧.୯୯ କୋଟି) ଫଲୋର୍ସଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କୁ ହରାଇଛନ୍ତି । ମାର୍କଙ୍କୁ ଏବେ ଫଲୋ କରୁଛନ୍ତି ମାତ୍ର ୯ ହଜାର ୯୯୫ ଜଣ ।
ସାଇବର ଆଟାକ ଯୋଗୁ ଫଲୋର୍ସ ଗାଏବ ?
ଫେସବୁକ ପ୍ରତିଷ୍ଠାତାଙ୍କ ସମେତ ଆହୁରି ଅନେକଙ୍କ ଫଲୋର୍ସ ହ୍ରାସ ପାଇବା ପଛରେ ସାଇବର ଆଟାକ କିମ୍ବା ଟେକନିକାଲ କାରଣ ରହିଛି ବୋଲି କୁହାଯଉଛି । ଏକ ରିପୋର୍ଟ ଅନୁସାରେ ଆମେରିକାର କିଛି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ମଧ୍ୟ ନିଜର ଅଧିକାଂଶ ଫଲୋର୍ସଙ୍କୁ ହରାଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ନ୍ୟୁୟର୍କ ଟାଇମ୍ସ,ୱାସିଂଟନ୍ ପୋଷ୍ଟ୍,ଦି ହିଲ୍,ୟୁଏସଏ ଟୁଡେ,ନ୍ୟୁୟର୍କ ପୋଷ୍ଟ୍ ଓ ନ୍ୟୁଜ୍ ୱିକ୍ । ୟୁଏସଏ ଟୁଡେ ପାଖାପାଖି ୧୪ ହଜାର ଫଲୋର୍ସଙ୍କୁ ସୋମବାର ଦିନ ହରାଇଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ଥିଲା ୧୧ ହଜାର ୩୯୨ ।
ଫେସବୁକ୍ କ’ଣ କହୁଛି ?
ଫଲୋର୍ସଙ୍କ ସଂଖ୍ୟା ହ୍ରାସ ଓ ବିଶେଷକରି ମାଲିକ ଜୁକରବର୍ଗଙ୍କ ୧୨ କୋଟି ଫଲୋର୍ସ କେଉଁଆଡେ ଉଭାନ ହୋଇଗଲେ ତାକୁ ନେଇ ମେଟା ପକ୍ଷରୁ କିଛି କୁହାଯାଇ ନାହିଁ । କିନ୍ତୁ ଅକ୍ଟୋବର ୧୧ ତାରିଖ ଦିନ ମେଟା କିଛି ଆପ୍ ଫେସବୁକ୍ ୟୁଜର୍ସଙ୍କ ଡାଟା ଚୋରି କରୁଥିବା ଚେତାବନୀ ଦେଇଥିଲା । ଡାଟା ଚୋରି କରୁଥିବା ଅଧିକାଂଶ ଆପ୍ ଫଟୋ ଏଡିଟର,ଭିପିଏନ୍ ସର୍ଭିସେସ ଓ ବିଜନେସ ତଥା ୟୁଟିଲିଟି ଆପ୍ଲିକେସନ୍ ଥିବା ଜଣା ପଡ଼ିଛି । ମେଟା ଏନେଇ ୪ଶହ କମ୍ପାନୀକୁ ଚିହ୍ନିତ କରିଥିଲା ।