ତାଇୱାନକୁ ନେଇ ବିଶ୍ୱ ବ୍ୟାପି ଉତ୍ତେଜନାମୁଳକ ପରିସ୍ଥିତ ସୃଷ୍ଟି ହୋଇଛି । ଗୋଟିଏ ପଟେ ଚୀନ ଥିବା ବେଳେ ଅନ୍ୟପଟେ ଆମେରିକା ରହିଛି । ଚୀନକୁ ତାଇୱାନ ମାମଲାରେ ଋଷର ସମର୍ଥନ ମିଳିବାର ସମ୍ଭାବନା ଥିବା ବେଳେ ଆମେରିକାକୁ ଜାପାନ ଓ ଅଷ୍ଟ୍ରେଲିଆ ଭଳି ସହଯୋଗୀ ରାଷ୍ଟ୍ରଙ୍କ ସମର୍ଥନ ମିଳିପାରେ । ଆମେରିକୀୟ ସଂସଦ ଅଧ୍ୟକ୍ଷ ନାନସୀ ପେଲୋସୀଙ୍କ ତାଇୱାନ୍ ଯାତ୍ରା ପରେ ଚୀନ ଉତକ୍ଷିପ୍ତ ହୋଇଥିଲା । ଏହାପରଠାରୁ କମ୍ୟୁନିଷ୍ଟ୍ ଚୀନ୍ ତାଇୱାନର ଘେରାବନ୍ଦୀ କରିଛି । ଚୀନ୍ ଲଢୁଆ ବିମାନ ତାଇୱାନକୁ ଉସକାଇବାରେ ଲାଗିଛନ୍ତି । ତାଇୱାନ ଏକ ମାନ୍ୟତାପ୍ରାପ୍ତ ସ୍ୱାଧୀନ ରାଷ୍ଟ୍ର ନହୋଇଥିଲେ ମଧ୍ୟ ଆମେରିକା ଏହାର ସୁରକ୍ଷା ଗ୍ୟାରେଣ୍ଟି ଦେଇଥାଏ । ଅନ୍ୟପକ୍ଷରେ ଚୀନ୍ ତା’ର ‘ଏକକ ଚୀନ୍’ ମତବାଦକୁ ପୁରା କରିବାକୁ ଅଣ୍ଟା ଭିଡିଛି । ଏହି ନୀତି ଅନୁସାରେ ୧୯୪୮ରେ ମୁଳ ଭୂଖଣ୍ଡଠାରୁ ଅଲଗା ହୋଇଥିବା ତାଇୱାନକୁ ଚୀନ ସହିତ ମିଶାଇବା । ତାଇୱାନ ସଂକଟ ଜାରି ରହିଥିବା ବେଳେ ସୁରକ୍ଷା ବିଶେଷଜ୍ଞ ଭାରତକୁ ସତର୍କ କରାଇଛନ୍ତି । ସୁରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ଭାରତ ପାଇଁ ତାଇୱାନ୍ ହେଉଛି ଏକ ଟ୍ରେଲର । ଚୀନ୍ କମ୍ୟୁନିଷ୍ଟ ସେନା ଯଦି ତାଇୱାନ୍ ଉପରେ କବଜା କରିନିଏ ତେବେ ଡ୍ରାଗନ ବାହିନୀର ଆଗାମୀ ଟାର୍ଗେଟ୍ ହେବ ଭାରତର ଅରୁଣାଚଳ ପ୍ରଦେଶ । କାରଣ ଚୀନ୍ ଅରୁଣାଚଳକୁ ଭାରତର ଅଙ୍ଗ ବୋଲି ମାନେ ନାହିଁ । ଚୀନ୍ ଅରୁଣାଚଳକୁ ନିଜ ଭୂମି ବୋଲି ଦାବି କରି ଆସୁଛି । ଆସନ୍ତୁ ଜାଣିବା କ’ଣ ପାଇଁ ସୁରକ୍ଷା ବିଶେଷଜ୍ଞ ଏଭଳି ଦାବି କରୁଛନ୍ତି …
ସୁରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନୀ ଜାପାନୀ ଖବରକାଗଜ ନିକ୍କେଇରେ ଏକ ଲେଖା ଲେଖିଛନ୍ତି । ଏଥିରେ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଯଦି ଚୀନ୍ ତାଇୱାନ୍ ଉପରେ ବଳପୂର୍ବକ ଅଧିକାର କରେ ତେବେ ଡ୍ରାଗନର ଆଗାମୀ ଲକ୍ଷ୍ୟ ଭାରତର ଅରୁଣାଚଳ ପ୍ରଦେଶ ହେବ । ଅରୁଣାଚଳ ପ୍ରଦେଶ ତାଇୱାନଠାରୁ ତିନିଗୁଣ ଅଧିକ କ୍ଷେତ୍ରଫଳ ବିଶିଷ୍ଟ ।ଚୀନ୍ ଆଗରୁ ଅରୁଣାଚଳକୁ ନିଜ ମ୍ୟାପରେ ନିଜ ପ୍ରଦେଶ ଭାବେ ଦେଖାଇ ଆସୁଛି ।ତେଣୁ ତାଇୱାନର ସୁରକ୍ଷା ଭାରତର ସୁରକ୍ଷା ପାଇଁ ଜରୁରୀ । ସେ ଲେଖିଛନ୍ତି ଯେ ୨୮ ମାସ ପରେ ମଧ୍ୟ ଚୀନ୍ ଲଦ୍ଦାଖ ଅଂଚଳରେ ନିଜ ଆକ୍ରାମକ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଣି ନାହିଁ ।
ଭାରତ ତାଇୱାନ୍ ସହିତ ନିଜର କୂଟନୈତିକ ସମ୍ବନ୍ଧକୁ ଅଧିକ ମଜବୁତ କରୁ
ଆମେରିକାର ଚର୍ଚ୍ଚିତ ପତ୍ରିକା ଫରେନ୍ ପଲିସି ନିଜର ଏକ ଆଲେଖ୍ୟ ‘‘ଇଣ୍ଡିଆଜ୍ ତାଇୱାନ୍ ମୁଭମେଣ୍ଟ୍’’ରେ କହିଛି ଯେ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସ୍ଥିତି ବଦଳି ଗଲାଣି ଓ ବର୍ତ୍ତମାନ ଭାରତକୁ ନିଜ ତାଇୱାନ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ପଡିବ । ଭାରତ ପାଇଁ ତାଇୱାନ୍ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାର ସମୟ ଆସିଛି ବୋଲି ପତ୍ରିକା କହିଛି । ପତ୍ରିକା କହିଛି ଯେ, ଜନତାଙ୍କ ଉତ୍ସାହ ଓ ସେମିକଣ୍ଡକ୍ଟର ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ତିଆରି ହୋଇନଥାଏ । ଭାରତ ତାଇୱାନ ସହିତ ସମ୍ପର୍କକୁ ବହୁତ ସାବଧାନତାର ସହିତ ତିଆରି କରିଛି ଓ ଭାରତ ଏହା ମଧ୍ୟ ଜାଣିଛି ଯେ, ସିଏ ଚୀନର ଲକ୍ଷ୍ମଣରେଖାର ପରିକ୍ଷଣ କରୁଛି । ଚୀନ ଯଦି ସଫଳତାର ସହିତ ତାଇୱାନକୁ ଅଧିକାର କରେ କିମ୍ବା ତାଇୱାନର ଆର୍ଥିକ ଘେରାବନ୍ଦୀ କରେ ତେବେ ଏହା ଦ୍ୱାରା ସେମିକଣ୍ଡକ୍ଟର ରପ୍ତାନୀ ପ୍ରଭାବିତ ହେବ ।
ଫରେନ୍ ପଲିସି ଅନୁସାରେ ଚୀନର ଏହି ପଦକ୍ଷେପ ଦ୍ୱାରା ଭାରତର ବନ୍ଧୁ ଜାପାନ ଓ ଆମେରିକାକୁ ଅପମାନିତ ହେବାକୁ ପଡ଼ିପାରେ । ଏହାଦ୍ୱାରା ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଚୀନର ପ୍ରଭାବ ବୃଦ୍ଧି ପାଇବ । ଏହା ସ୍ୱତନ୍ତ୍ର ଓ ମୁକ୍ତ ପ୍ରଶାନ୍ତ ମହାସାଗର ବିଚାର ପାଇଁ ଘାତକ ସାବ୍ୟସ୍ତ ହେବ । ତେଣୁ ଭାରତ ପକ୍ଷରେ ତାଇୱାନକୁ ନେଇ ନିଜ ନୀତିରେ ତୁରନ୍ତ ପରିବର୍ତ୍ତନ ଆଣିବାକୁ ପଡିବ । ପ୍ରଥମେ ତାଇୱାନକୁ ଅନ୍ତର୍ଜାତୀୟ ଟେକନିକ୍ ସଂଗଠନରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିବା ପାଇଁ ଜି-୭ ଦେଶଙ୍କ ଉଦ୍ୟମକୁ ଭାରତ ସମର୍ଥନ ଦେବାକୁ ପଡ଼ିବ । ଦ୍ୱିତୀୟତଃ ତାଇୱାନ ସହିତ ଭାରତ ପୂର୍ବଭଳି କୂଟନୈତିକ ସମ୍ପର୍କ ସ୍ଥାପିତ କରିବା ଆବଶ୍ୟକ ।
ଏକ ଚୀନ୍’ ନୀତିକୁ ନେଇ ଭାରତ ଡ୍ରାଗନକୁ ଦେଇଛି ଝଟକା
ସୂଚନାଯୋଗ୍ୟ ଯେ,ତାଇୱାନ ସଂକଟକୁ ନେଇ ଭାରତ ମପାଚୁପା ପ୍ରତିକ୍ରିୟା ଦେଇଛି । ଭାରତ ଯଥାସ୍ଥିତି ପରିବର୍ତ୍ତନ ପାଇଁ ଏକତରଫା ପ୍ରୟାସରୁ ସବୁପକ୍ଷ ବିରତ ରୁହନ୍ତୁ ବୋଲି ଅନୁରୋଧ କରିଛି । କେବଳ ଏତିକି ନୁହେଁ ଭାରତ ଚୀନର ଦାବି ସତ୍ୱେ ୨୦୧୦ ପରଠାରୁ ’ଏକ ଚୀନ୍’ ନୀତିକୁ ନେଇ କୌଣସି ବିବୃତି ଦେଇ ନାହିଁ । ବିଶେଷଜ୍ଞଙ୍କ ଅନୁସାରେ ଏଭଳି କରି ଭାରତ ଚୀନକୁ ସମାଲୋଚନା କରିଛି । ଚୀନର ଚାପ ପରେ ପାଖାପାଖି ଏକ ଡଜନରୁ ଅଧିକ ଦେଶ ‘ଏକ ଚୀନ୍ ନୀତି’କୁ ସମର୍ଥନ କରିଛନ୍ତି ।ଭାରତର ସବୁ ପଜ଼ୋଷୀ ରାଷ୍ଚ୍ର ଏକ ତୀନ୍ ନୀତିକୁ ସମର୍ଥନ କରିଥିବା ବେଳେ ନୂଆଦିଲ୍ଲୀ ଏହାର ସମର୍ଥନରେ କୌଣସି ବୟାନ ଦେଇନାହିଁ । ସୂଚନାଯୋଗ୍ୟ ଯେ, ଚୀନ୍ ତା’ର ଏକ ଚୀନ୍ ନୀତିରେ ଭାରତର ଅରୁଣାଚଳ ପ୍ରଦେଶକୁ ମଧ୍ୟ ସାମିଲ କରିଛି । ଭାରତ ଯଦି ଏକ ଚୀନ ନୀତିକୁ ସମର୍ଥନ କରୁଛି ତେବେ ଅରୁଣାଚଳ ପ୍ରଦେଶ ଚୀନର ବୋଲି ତାକୁ ମାନିବାକୁ ପଡ଼ିବ । ତେଣୁ ଭାରତ ଏହି ନୀତିକୁ ସମର୍ଥନ କରୁନାହିଁ । ଭାରତର ଏହି ମନୋଭାବ କାରଣରୁ ଚୀନ୍ ମଝିରେ ମଝିରେ ଏକ ଚୀନ ନୀତି ସମର୍ଥନରେ ନୂଆଦିଲ୍ଲୀ ବିବୃତି ଦେଉ ବୋଲି ଦାବି କରିଥାଏ ।