ଖଲିସ୍ତାନୀ ବିଛିନ୍ନତାବାଦୀ ଅମୃତପାଲ ସିଂହ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ବ୍ରିଟେନ ରାଜଧାନୀ ଲଣ୍ଡନରେ ଭାରତୀୟ ହାଇକମିଶନ ଅଫିସ ଉପରେ ଖଲିସ୍ତାନ ସମର୍ଥକ ଆକ୍ରମଣ କରିଥିଲେ । ସେମାନେ ଭାରତୀୟ ଜାତୀୟ ପତାକାର ଅପମାନ ମଧ୍ୟ କରିଥିଲେ । ଏହା ସବୁ ବ୍ରିଟେନର ନିରବ ସମର୍ଥନରେ ହୋଇଥିବା କୁହାଯାଉଛି । ଭାରତ ସରକାରଙ୍କ କଠୋର ପ୍ରତିକ୍ରିୟା ପରେ ବ୍ରିଟେନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ସୂଚନାଯୋଗ୍ୟ ଯେ, ଏହି ଘଟଣା ପରେ ଭାରତ ନୂଆଦିଲ୍ଲୀ ସ୍ଥିତ ବ୍ରିଟିଶ ଦୂତାବାସର ସୁରକ୍ଷା ବ୍ୟବସ୍ଥାରୁ କିଛି ସୁରକ୍ଷାକର୍ମୀଙ୍କୁ ହଟାଇ ଦେଇଥିଲା । ଯାହାକୁ ଭାରତର ପ୍ରତିକ୍ରିୟା ଭାବେ ଦେଖିଥିଲା ବ୍ରିଟେନ । ଖଲିସ୍ତାନୀଙ୍କୁ ନେଇ ବ୍ରିଟେନର ଏହି ନୀତିର ମୁଳଦୁଆ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅମଳରେ ପଡ଼ିଥିଲା । ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଭାରତ ନିନ୍ଦା ନକରିବା ଏବଂ ଆର୍ଥିକ ପ୍ରତିବନ୍ଧକ ସତ୍ୱେ ଋଷ ଠାରୁ ତେଲ ଆମଦାନୀ କରିବା ନେଇ ବ୍ରିଟେନ ଭାରତ ଉପରେ ଉତକ୍ଷିପ୍ତ ଥିଲା । ଭାରତକୁ ବୁଦ୍ଧି ଶିଖାଇବା ପାଇଁ ଖଲିସ୍ତାନୀଙ୍କୁ ବ୍ରିଟେନ ସମର୍ଥନ ଦେବାକୁ ନିଷ୍ପତି ନେଇଥିଲା ବୋଲି କୁହାଯାଉଛି ।
ଜନସନଙ୍କ ଷଡ଼ଯନ୍ତ୍ର
ବୋରିସ ଜନସନ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଖଲିସ୍ତାନ ଦାବିକୁ ନେଇ ବ୍ରିଟେନ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଥିଲେ । ଆଉ ଏହା ସହିତ ଖଲିସ୍ତାନୀ ବ୍ରିଟେନକୁ ନିଜ ଆଡ୍ଡା ଭାବେ ଭାବିନେଇଥିଲେ । ୟୁକ୍ରେନ ଯୁଦ୍ଧ ପରେ ଭାରତ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଆହ୍ୱାନ କରିଥିଲା ଓ ଋଷକୁ ନିନ୍ଦା କରିବାରୁ ବିରତ ରହିଥିଲା । ଏହା ପରେ ବ୍ରିଟେନ ପଟୁ ଏଭଳି ସଂକେତ ଆସିଥଇଲା ଯେ,ସେମାନେ ଖଲିସ୍ତାନକୁ ନେଇ ନିଜ ଆଭିମୁଖ୍ୟ ବଦଳାଇବେ । ଏହାଯୋଗୁ ଜର୍ମାନୀ ଓ କାନାଡା ପରେ ବ୍ରିଟେନ ଖଲିସ୍ତାନୀଙ୍କ ଆଡ୍ଡା ବନିବ ସମ୍ଭବାନା ସୃଷ୍ଟି ହୋଇଥିଲା ।
ଖଲିସ୍ତାନୀ ଜଗତାର ସିଂହ ମାମଲା ଉଠାଇଥିଲା ବ୍ରିଟେନ
ୟୁକ୍ରେନ ଯୁଦ୍ଧ ଆରମ୍ଭର ୪ ମାସ ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜଗତାର ସିଂହ ଜୋହଲ ଗିରଫଦାରୀ ପ୍ରସଙ୍ଗ ଉଠାଇଥଇଲେ । ସେ ତାଙ୍କ ଦେଶର ବିରୋଧୀ ଦଳ ନେତା କେଇର ଷ୍ଟ୍ରୋମରଙ୍କୁ ପତ୍ର ଲେଖି କହିଥିଲେ ଯେ, ଜାଣିଶୁଣି ଜଗତାରଙ୍କୁ ଭାରତୀୟ ଜେଲରେ ରଖାଯାଇଛି ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୭ରେ ଜଗତାରକୁ ପୋଲିସ ଭାରତରେ ଗିରଫ କରିତିଲା । ଖଲିସ୍ତାନ ଲିବରେସନ୍ ଫୋର୍ସ ସହିତ ତା’ର ସମ୍ପର୍କ ଥିବା ଅଭିଯୋଗ ହୁଏ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଗତାର ଗିରଫଦାରୀ ବାବଦରେ କହିଥିବା ଜନସନ୍ ପତ୍ରରେ ଉଲ୍ଲେଖ କରିଥିଲେ ।
ପାକିସ୍ତାନ ଯାଇଥିଲେ ବ୍ରିଟିଶ ଶିଖ ସୈନିକ
୨୦୨୨ ୩୦ ଜୁନରେ ବ୍ରିଟେନ ସେନାର ଶିଖ ସୈନିକଙ୍କୁ ପାକିସ୍ତାନ ପଠାଯାଇଥିଲା । କେବଳ ଏତିକି ନୁହେଁ ଡିଫେନସ୍ ସିଖ ନେଟୱର୍କର ଜରିଆରେ ବ୍ରିଟିଶ ଶିଖ ସୈନିକ ପାକିସ୍ତାନର ତତ୍କାଳୀନ ସେନାମୁଖ୍ୟ କମର ଜାଭେଦ ବାଜୱାଙ୍କୁ ସାକ୍ଷାତ କରିଥିଲେ । ସୂଚନାଯୋଗ୍ୟ ଯେ, ବ୍ରିଟିଶ ଶିଖ ସୈନିକ ଡିଫେନସ ସିଖ ନେଟୱର୍କ ଜରିଆରେ ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଗରେ ନିଜ କଥା ରଖିଥାନ୍ତି । ବିନା ବ୍ରିଟିଶ ସରକାରଙ୍କ ଅନୁମତିରେ ଶିଖ ସୈନିକ ପାକିସ୍ତାନ ଯିବା ସମ୍ଭବ ନଥିଲା । ଏହି ସଂଗଠନ ଗତ ବର୍ଷ ଜୁନ ୬ ତାରିଖ ଦିନ ଅପରେସନ ବ୍ଲୁ ଷ୍ଟାରକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ତେଣୁ ବ୍ରିଟେନରେ ସିଖ ଆତଙ୍କବାଦୀଙ୍କୁ ବ୍ରିଟେନର ପରୋକ୍ଷ ସମର୍ଥନ ଥିବା ସ୍ପଷ୍ଟ ହେଉଛି ।