ଦେଶରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ଢେର ଚର୍ଚ୍ଚା ହେଉଛି । ଯେଉଁମାନେ ଟିକେଟ୍ ପାଉନାହାନ୍ତି ସେମାନେ ତପସ୍ୟାରେ ଅଭାବ ରହିଗଲା ବୋଲି କହୁଛନ୍ତି । ଆଉ ଯେଉଁ ଭାଗ୍ୟବାନଙ୍କୁ ଟିକେଟ୍ ମିଳୁଛି ସେମାନେ ଏଥିପାଇଁ ସୁପ୍ରିମୋଙ୍କ ଗୁଣଗାନ କରୁଛନ୍ତି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସୁଛି ଯାହା କହୁଛି ଯେ, ସଂସଦରେ ବିଜେପିର କେହି ମଧ୍ୟ ମୁସଲିମ୍ ପ୍ରତିନିଧି ନରହିପାରନ୍ତି । କାରଣ ବିଜେପି ତରଫରୁ ରାଜ୍ୟସଭା ପାଇଁ ଯେଉଁ ୨୨ ନାମ ବିଶିଷ୍ଟ ତାଲିକା ଜାରି କରାଯାଇଛି ସେଥିରେ ଜଣେ ମଧ୍ୟ ମୁସଲିମଙ୍କ ନାମ ନାହିଁ । ଏହା ସହିତ ରାଜ୍ୟସଭାରେ ବିଜେପିର ଯେଉଁ ମୁସଲିମ୍ ସାଂସଦ ଥିଲେ ତାଙ୍କର କାର୍ଯ୍ୟକାଳ ମଧ୍ୟ ସରୁଛି । ଆଗରୁ ଲୋକସଭାରେ ବିଜେପିର ଜଣେ ମଧ୍ୟ ମୁସଲିମ୍ ସାଂସଦ ନଥିଲେ । ଏବେ ରାଜ୍ୟସଭାରେ ମୁସଲିମ୍ ସାଂସଦଙ୍କ କାର୍ଯ୍ୟକାଳ ସରିବା ସହିତ ରାଜ୍ୟସଭାରେ ମଧ୍ୟ ବିଜେପିର ମୁସଲିମ୍ ପ୍ରତିନିଧିତ୍ୱ ରହିବ ନାହିଁ । ଯାହାର ଅର୍ଥ ହେଲା ସଂସଦରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପିର ଜଣେ ମଧ୍ୟ ମୁସଲିମ ସାଂସଦ ରହିବେ ନାହିଁ । ସୂଚନାଯୋଗ୍ୟ ଯେ, ମୁଖତାର ଅବ୍ବାସ ନକଭି,ସୈୟଦ ଜାଫର ଇସ୍ଲାମ ଓ ଏମଜେ ଆକବର ଏହି ତିନିଜଣ ରାଜ୍ୟସଭାରେ ବିଜେପିର ସାଂସଦ ଥିଲେ । ଆଉ ଚଳିତ ବର୍ଷ ଏହି ତିନି ମୁସଲିମ ସାଂସଦଙ୍କ କାର୍ଯକାଳ ସରୁଛି । ଏଣେ ନୂଆ ତାଲିକାରେ ଜଣେ ମଧ୍ୟ ମୁସଲିମଙ୍କ ନାମ ନାହିଁ । ତେଣୁ ସଂସଦରେ ବିଜେପିର କେହି ମଧ୍ୟ ମୁସଲିମ ଚେହେରା ରହିବେ ନାହିଁ ।
ନକଭି, ସୈୟଦ ଓ ଆକବରଙ୍କ କାର୍ଯ୍ୟକାଳ
ମୁଖତାର ଅବ୍ବାସ ନକଭି ଏବେ କେନ୍ଦ୍ର ସରକାରରେ ସଂଖ୍ୟାଲଘୁ ମାମଲା ମନ୍ତ୍ରୀ ଅଛନ୍ତି । ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ଜୁଲାଇ ୭ ତାରିଖରେ ସରୁଛି । ନିୟମ ଅନୁସାରେ ଆଗାମୀ ୬ ମାସ ମଧ୍ୟରେ ଯଦି ସେ ସଂସଦର କୌଣସି ସଦନର ସଦସ୍ୟ ଭାବେ ନିର୍ବାଚିତ ନହୁଅନ୍ତି ତେବେ ତାଙ୍କର ମନ୍ତ୍ରୀପଦ ଯିବ । ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ସୈୟଦ ଜାଫର ଇସଲାମଙ୍କ କାର୍ଯ୍ୟକାଳ ଜୁଲାଇ ୪ ତାରିଖରେ ସରୁଛି । ସେହିଭଳି ଏମ ଜେ ଆକବରଙ୍କ କାର୍ଯ୍ୟକାଳ ଜୁନ୍ ୨୯ରେ ସରୁଛି । ସମାଜବାଦୀ ପାର୍ଟି ନେତା ଅମର ସିଂହଙ୍କ ନିଧନ ପରେ ଇସ୍ଲାମଙ୍କୁ ବିଜେପି ୨୦୨୦ରେ ପ୍ରାର୍ଥୀ କରିଥିଲା । ୨୦୨୦ ସେପ୍ଟେମ୍ବର ମାସରେ ସେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଥିଲେ । ଜାଫର ଇସଲାମ ହିଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିକୁ ଆଣିବାରେ ପ୍ରମ୍ମୁଖ ଭୂମିକା ନିର୍ବାହ କରିଥିଲେ ।
କ’ଣ ରାମପୁରରୁ ନିର୍ବାଚନ ଲଢିବେ ନକଭି ?
ମୁଖତାର ଅବ୍ବାସ ନକଭି ରାମପୁରରୁ ଲୋକସଭା ପାଇଁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଛି । ସେଠାରେ ଉପ ନିର୍ବାଚନ ପାଇଁ ଘୋଷଣା ମଧ୍ୟ ହୋଇ ସାରିଛି । ମୁଖତାର ଅବ୍ବାସ ପୂର୍ବରୁ ରାମପୁରରୁ ନିର୍ବାଚନ ଲଢି ସାରିଛନ୍ତି । ୧୯୯୮ରେ ସେ ରାମପୁର ଆସନରୁ ଲୋକସଭାରେ ପହଂଚିଥିଲେ ଓ ବାଜପାୟୀ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ବିଜେପିର ନବର ଏଥର ରାମପୁର ଆସନ ଉପରେ ରହିଛି ।
ରାମପୁର ଆସନରେ ଇତିହାସରେ ପ୍ରଥମ ଥର ପାଇଁ ଉପନିର୍ବାଚନ ହେଉଛି । ତଥାପି ନକଭି ଏଠାରୁ ନିର୍ବାଚନ ଲଢିବା ନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନିତ ହେଉଥିବା ୭ ସାଂସଦଙ୍କ ଆସନ ଏବେ ମଧ୍ୟ ଖାଲି ପଡିଛି । ଏହା ମଧ୍ୟ କୁହାଯାଉଛି ଯେ, ନକଭିଙ୍କୁ ମନୋନୟନ ମାଧ୍ୟମରେ ରାଜ୍ୟସଭା ପଠା ଯାଇପାରେ ।
ଲୋକସଭାରେ ବିଜେପିର ମୁସଲିମ୍ ପ୍ରତିନିଧିତ୍ୱ ଶୁନ
ଲୋକସଭାରେ ବିଜେପି ଜଣେ ମଧ୍ୟ ମୁସଲିମ ସାଂସଦ ନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଦଳ କିଛି ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ଜଣେ ମଧ୍ୟ ନିର୍ବାଚନ ଜିତି ପାରିନଥିଲେ । ଅନ୍ୟପକ୍ଷରେ ଏନଡିଏର ଜଣେ ମୁସଲିମ୍ ସାଂସଦ ବିହାରରୁ ଆସନ୍ତି । ତେବେ ଲୋକ ଜନଶକ୍ତି ପାର୍ଟି ଟିକେଟରେ ଲୋକସଭାକୁ ଆସିଥିବା ମହବୁବ ଅଲ୍ଲୀ କେସର ।